ଭୁବନେଶ୍ବର: ରାଜଧାନୀ ଛାତି ଉପରେ ବହି ଯାଇଥିବା ୧୦ ନମ୍ବର ପ୍ରାକୃତିକ ନାଳ ରାଜଧାନୀବାସୀଙ୍କ ପାଇଁ ସର୍ବଦା ଆଶୀର୍ବାଦ ସାଜି ଆସିଛି। ସହରାଞ୍ଚଳ ବନ୍ୟା ସମସ୍ୟା ଦୂର କରିବାରେ ଏହା ବରଦାନ ସାଜିଛି। ରାଜଧାନୀର ବର୍ଷା ଜଳ ନିଷ୍କାସନରେ ଏହା ପ୍ରମୁଖ ଭୂମିକା ନେଇ ଆସିଛି। କିନ୍ତୁ ସରକାରୀ ଅବହେଳା ଓ ଦୂରଦୃଷ୍ଟି ଅଭାବରୁ ଏହି ନାଳ ଏବେ ସଂକୁଚିତ। ଜବରଦଖଲ, କୁଢ଼ କୁଢ଼ ଆବର୍ଜନା ଏହାର ଗତିପଥ ଅବରୋଧ କରି ସାରିଲାଣି। ନାଳ କଡ଼ରେ ଥିବା ଜନବସତିର ଏହା  ମୁକ୍ତ ଶୌଚାଳୟ ପାଲଟିଲାଣି। ଉଭୟ ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ ଶୌଚାଳୟର ବର୍ଜ୍ୟ ଏଥିରେ ସିଧାସଳଖ ପଡ଼ୁଛି। ଲୋକେ ଶୌଚାଳୟ ଟାଙ୍କି ନ କରି ଏହାକୁ ନାଳ ଭିତରକୁ ଛାଡ଼ିଛନ୍ତି। ହଜାର ହଜାର ସଂଖ୍ୟାରେ ଶୌଚାଳୟ ପାଇପ ନଳା ଭିତରକୁ ସଂଯୋଗ ହୋଇଛି। ଜୟଦେବବିହାର, ସହିଦନଗର, ବମିଖାଲ ଆଦି ଅଞ୍ଚଳରେ ସର୍ବାଧିକ ସଂଯୋଗ ଦେଖିବାକୁ ମିଳିଛି। ଯାହା ନାନାଦି ରୋଗର କାରଣ ସାଜୁଛି।

Advertisment

elephant 'Ramu': ହାତୀ ‘ରାମୁ’ର ଅସ୍ଥି ସଂରକ୍ଷଣ ପ୍ରକ୍ରିୟା: ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

1.55 lakh crore withdrawn: ବିଦେଶୀ ନେଇଗଲେ ୧୧,୮୨୦ କୋଟି: ୨୦୨୫ରେ ପ୍ରତ୍ୟାହାର କଲେ ୧.୫୫ ଲକ୍ଷ କୋଟି

ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ଜବରଦଖଲକାରୀ। ଏମାନେ ନାଳ କଡ଼ରେ ଇଟା, ସିମେଣ୍ଟ ଘର ଗଢ଼ି ସାରିଲେଣି। ଯେଉଁ ସ୍ଥାନରେ ଜବରଦଖଲ କରି ରହୁଛନ୍ତି, ସେହି ସ୍ଥାନରେ ନାଳର ରିଟେନିଂ ୱାଲ୍‌କୁ ତାଡ଼ି ପକାଉଛନ୍ତି। ଏହାକୁ ଖୋଳି ଓ କଣା କରି ଶୌଚାଳୟ ପାଇପ୍ ୧୦ ନମ୍ବର ନାଳ ଭିତରକୁ ସିଧାସଳଖ ଛାଡ଼ୁଛନ୍ତି। ନେତା ଓ ସରକାରୀ ବାବୁମାନେ ଏହା ଜାଣୁଛନ୍ତି ଓ ଦେଖୁଛନ୍ତି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା, ଅମାନିଆଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁଛି। ନାଳର ଦାୟିତ୍ବ ମୁଣ୍ଡାଇଥିବା ୱାଟ୍‌କୋ ଓ ଭୁବନେଶ୍ବର ମହାନଗର ନିଗମ ବି ନିରବଦ୍ରଷ୍ଟା ସାଜିଛନ୍ତି।
ରାଜଧାନୀ ଦେଇ ବହିଯାଇଥିବା ୧୦ ନମ୍ବର ପ୍ରାକୃତିକ ନାଳର ଲମ୍ବ ପ୍ରାୟ ୫.୪୮ କିଲୋମିଟର। ଯେହେତୁ ରାଜଧାନୀର ସହରାଞ୍ଚଳ ବନ୍ୟା ସମସ୍ୟା ଦୂର କଥା ହେଉ କି ଆବର୍ଜନା ପାଣି ନିଷ୍କାସନ, ୧୦ ନମ୍ବର ପ୍ରାକୃତିକ ନାଳର ଆବଶ୍ୟକତା ରହିଛି, ସେ ଦୃଷ୍ଟିରୁ ସରକାର ୨୦୧୭ ମସିହାରୁ ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପରେ ଏହାର ପୂର୍ଣ୍ଣାଙ୍ଗ ବିକାଶ କରିବାକୁ ଯୋଜନା କଲେଣି। ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସହ ପ୍ରାୟ ୩ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ପ୍ରାତଃ ଓ ସଂଧ୍ୟାକାଳୀନ ବିଚରଣ ଓ ଅବସର ବିନୋଦନ ପାଇଁ ପ୍ରକୃଷ୍ଟ ସ୍ଥାନ କରିବାକୁ ଯୋଜନା ହେଲାଣି। ସହରର ଭିଆଇପି, ଭିଭିଆଇପି ଅଞ୍ଚଳରେ ଏଭଳି ଏକ ପ୍ରକଳ୍ପର ବେଶ୍ ଆବଶ୍ୟକତା ରହିଛି ବୋଲି ବାରମ୍ବାର ସରକାର କହି ଆସୁଛନ୍ତି। ଜବରଦଖଲ ଉଚ୍ଛେଦ ସାଙ୍ଗକୁ ଯେଉଁ ଜାଗାରେ ରିଟେନିଂ ୱାଲ୍ ହୋଇନି, ସେଠାରେ କଂକ୍ରିଟ୍ ରିଟେନିଂ ୱାଲ୍ ସାଙ୍ଗକୁ ଅନ୍ୟାନ୍ୟ କାମ କରିବାକୁ ଯୋଜନା ହେଉଛି। କିନ୍ତୁ ଏହି ଯୋଜନା ପ୍ରହେଳିକା ପାଲଟିଛି। ନିକଟରେ ରାଜ୍ୟ ସରକାର ୧୦ ନମ୍ବର ନାଳକୁ ତିନୋଟି ଜୋନ୍‌ରେ ଭାଗ କରି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଜରିଆରେ ବିକାଶ କରିବେ ବୋଲି କହିଥିଲେ। ଏହା ବି କାଗଜକଲମରେ ସୀମିତ ରହିଛି। ଏହାର ସୁଯୋଗ ନେଇ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଘର ସହ ଜବରଦଖଲକାରୀମାନେ ନାଳକୁ ପ୍ରଦୂଷିତ କରିବାରେ ଲାଗିଛନ୍ତି। ଘରର ଆବର୍ଜନା ତ ଏହା ଭିତରକୁ ଫିଙ୍ଗୁଛନ୍ତି, ତା ସହ ଶୌଚାଳୟ ବର୍ଜ୍ୟ ଛାଡ଼ୁଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନମାନେ ବି ନାଳ ଭିତରେ ନିର୍ମାଣ ଓ ଅନ୍ୟାନ୍ୟ ବର୍ଜ୍ୟ ଗଦାଇ ଗତିପଥକୁ ଅବରୋଧ କରୁଛନ୍ତି। ଏଣୁ ଏହାର ସ୍ଥିତି ଅନୁଧ୍ୟାନ କରିବା ସହ ଅମାନିଆଙ୍କ ବିରୋଧରେ ସରକାର ବିହିତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।