ଖଣ୍ଡଗିରି: ଆଜି ସକାଳେ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଏକ ‘ଆମ ବସ୍’ ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ଅଘଟଣ ପୂର୍ବରୁ ବସ୍ ଚାଳକ(କ୍ୟାପ୍ଟେନ୍)ଙ୍କ ଉପସ୍ଥିତ ବୁଦ୍ଧି ବଳରେ ୨୬ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ବସ୍ କ୍ୟାବିନ୍ରୁ ଧୂଆଁ ବାହାରିବା କ୍ଷଣି କ୍ୟାପ୍ଟେନ୍ ଯାତ୍ରୀମାନଙ୍କୁ ବସ୍ରୁ ଓହ୍ଲାଇ ଦେବା ଫଳରେ ବଡ଼ ଅଘଟଣ ଟଳିଯାଇଛି। ତେବେ ବ୍ୟାଟେରିର ମୁଖ୍ୟ ବିଦ୍ୟୁତ୍ ତାରେର ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଫଳରେ ସଂପୃକ୍ତ ‘ଆମ ବସ୍’ର ଫିଟ୍ନେସ୍ ଠିକ୍ ଥିଲା କି ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସବିଶେଷ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଯାତ୍ରୀ ମହଲରେ ଦାବି ହୋଇଛି।
ଆଜି ସକାଳ ସାଢ଼େ ୬ଟା ସମୟରେ ୨୩ ନମ୍ବର ରୁଟ୍ର ଆମ ବସ୍(ଓଡି୦୫ଟି୭୦୫୨)ଟି ପ୍ରଥମ ଟ୍ରିପ୍ରେ ମାଷ୍ଟରକ୍ୟାଣ୍ଟିନ୍ରୁ ଘାଟିକିଆ ଆଇଜିକେସିରେ ଯାତ୍ରୀଙ୍କୁ ଓହ୍ଲାଇ ଦ୍ବିତୀୟ ଟ୍ରିପ୍ରେ ଯାଉଥିଲା। ତେବେ ସମ୍ ହସ୍ପିଟାଲ୍ ନିକଟରେ ବସ୍ର ସମ୍ମୁଖ ଭାଗରୁ ନିଆଁ ବାହାରୁଥିବା ବସ୍ କ୍ୟାପ୍ଟେନ୍ ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ବସ୍ ଗାଇଡ୍ଙ୍କୁ ମଧ୍ୟ ଅବଗତ କରାଇଥିଲେ। ତେବେ ବସ୍ର ପ୍ଲାଷ୍ଟିକ୍ ଅଂଶଗୁଡ଼ିକ ନିଆଁ ଧରିବାକୁ ଆରମ୍ଭ କରିଥିଲା। ବସ୍ କ୍ୟାପ୍ଟେନ୍ ତୁରନ୍ତ ବସ୍ଟିକୁ ଷ୍ଟୁଡିଓ ଛକ ଅଭିମୁଖେ ନେଇ ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଗାଡ଼ିରେ ଥିବା ୨୬ଜଣ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇବା ପରେ କ୍ୟାପ୍ଟେନ୍ ଓ ଗାଇଡ୍ ଅଗ୍ନିନିର୍ବାପକ ସାହାଯ୍ୟରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ଚାହୁଁଚାହୁଁ ସମ୍ପୂର୍ଣ୍ଣ ବସ୍ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଏହି ବାଟ ଦେଇ ଯିବାକୁ କେହି ବି ସାହସ କରି ନ ଥିଲେ। ଖବର ପାଇ ତମାଣ୍ଡୋ ଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫାୟାର୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ବ୍ୟାଟେରି ସର୍ଟ ସର୍କିଟ୍ରୁ ବସ୍ରେ ଅଗ୍ନି ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ନିୟମିତ ବ୍ୟବହାର ହେଉଥିବା ଏହି ବସ୍ର ଫିଟ୍ନେସ୍ ଥିବା ନେଇ ସନ୍ଦେହ ଉପୁଜିଛି। ଗାଡ଼ିର ଫିଟ୍ନେସ୍ ଯାଞ୍ଚ ନକରି ହଜାର ହଜାର ଲୋକଙ୍କ ଜୀବନକୁ ବାଜିରେ ଲଗାଯାଉଥିବା ନେଇ ଲୋକ ଅସନ୍ତୋଷ କୁହୁଳୁଛି। ବାରମ୍ବାର ଆମ ବସ୍ ଦୁର୍ଘଟଣା ଫଳରେ ଲୋକେ ଏଥିରେ ଯିବାକୁ ଡରିଲେଣି ବୋଲି ଆଜି ଅଗ୍ନିକାଣ୍ଡ ସମୟରେ ବସ୍ରେ ବସିଥିବା ଜଣେ ମହିଳା କହିଛନ୍ତି।
ଅଘଟଣ ପିଛା ଛାଡ଼ୁନି, ଦିନକରେ ସରିଗଲା ଯାଞ୍ଚ
ଭୁବନେଶ୍ୱର: ଅଘଟଣ ‘ଆମ ବସ୍’ ପିଛା ଛାଡ଼ୁନି। କେତେବେଳେ କାହାକୁ ଚାପି ମାରିଦେଲାଣି ତ କାହାକୁ ଚକାରେ ଘୋଷାରି ନେଲାଣି। ଗତ ୩ ତାରିଖରେ ରୁପାଲି ଛକରେ ଏକ ଅଟୋକୁ ଆମ ବସ୍ ଅନ୍ୟ ଏକ ବସ୍ ପଛପଟେ ଚାପିଦେବା ଏବଂ ଏଥିରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନି। ଜନ ଅସନ୍ତୋଷ ଏବେ ବି ରହିଛି। ଲୋକେ ଆମ ବସ୍ ଦେଖିଲେ ଡେଉଁଛନ୍ତି। ଦୁଇଦିନ ତଳେ ଆମ ବସ୍ ଏକ ଗାଡ଼ିକୁ ଘସିଦେବାରୁ ଲୋକେ ତାତିଥିଲେ। ବସ୍ ଚାଳକଙ୍କୁ ବାଡ଼େଇବାକୁ ବାହାରିଥିଲେ। ପୁଲିସ ସ୍ଥିତିକୁ ସମ୍ଭାଳି ଥିଲା। ଏଭଳି ସ୍ଥିତିରେ ଆଜି ପୁଣି ଆମ ବସ୍ରେ ଅଗ୍ନିକାଣ୍ଡ ଲୋକଙ୍କ ମନରେ ଭୟ ସଂଚାର କରିଛି। ବାରମ୍ବାର ଏଭଳି ଅଘଟଣ ‘ଆମ ବସ୍’ ପ୍ରତି ଲୋକଙ୍କ ଭରସା ତୁଟାଇବାରେ ଲାଗିଛି।
କ୍ରୁଟ୍ ଆମ ବସ୍ ସେବାରେ ଡିଜେଲ୍ ଗାଡ଼ିକୁ ହଟାଇ ଇ-ବସ୍କୁ ବ୍ୟାପକ କରୁଛି। ଏବେ ୪୫୦ରୁ ଅଧିକ ଇ-ବସ୍ ଚାଲୁଥିବାବେଳେ ଏହି ସଂଖ୍ୟାକୁ ୧ହଜାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଯେବେଠୁ ଇ-ବସ୍ ସଂଖ୍ୟା ବଢ଼ିଲାଣି, ସେବେଠୁ ଦୁର୍ଘଟଣା ମାତ୍ରା ବଢ଼ି ଚାଲିଛି। କେବଳ ଦୈତ ନଗରୀ ଭୁବନେଶ୍ବର ଓ କଟକରେ ୨୫ରୁ ଅଧିକ ଦୁର୍ଘଟଣା ଘଟିଲାଣି। କ୍ରୁଟ୍ ତଥ୍ୟ ମୁତାବକ, ୨୦୨୪ ମସିହାରେ ଆମ ବସ୍ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ୯୬ଜଣ ଆହତ ହୋଇଛନ୍ତି।
Health: ନଗଡ଼ାର କୁପୋଷଣ ଶିଶୁକୁ ଜଡ଼ିବୁଟି ଚିକିତ୍ସା; ଜିଦ୍ରେ ଅଟଳ ଅବୁଝା ଜୁଆଙ୍ଗ ଦମ୍ପତି
ଗତ ୩ ତାରିଖ ରୁପାଲି ଛକ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବେଗ ପ୍ରକାଶ କରିଥିଲେ। ବାରମ୍ବାର ଆମ ବସ୍ ଦୁର୍ଘଟଣା ଦୁର୍ଭାଗ୍ୟଜନକ ଏବଂ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି ଟିମ୍ ଆମ ବସ୍ ସ୍ଥିତି ପରଖିବା ସହ ଆବଶ୍ୟକ ପଦକ୍ଷେପ ନେବ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ପରିବହନ ବିଭାଗ ଆମ ବସ୍ ଫିଟ୍ନେସ୍ ଓ ଅନ୍ୟାନ୍ୟ ଯାଞ୍ଚ କରିଥିଲା। ପରିବହନ କମିସନର୍ ବି ନିଜେ ଗାଡ଼ି ଫିଟ୍ନେସ୍ ଯାଞ୍ଚ କରିଥିଲେ। କିନ୍ତୁ ଦିନକରେ ଏହି ଯାଞ୍ଚ ଶେଷ ହୋଇଗଲା। ଫିଟ୍ନେସ୍ ଭଲରେ ଯାଞ୍ଚ କରାଗଲା ନାହିଁ। ପରିଣାମ ସ୍ବରୂପ ଆଜି ଆଇଜିକେସି ହସ୍ପିଟାଲରୁ ଭୁବନେଶ୍ୱର ରେଳଷ୍ଟେସନକୁ ଯାଉଥିବା ୨୩ ନମ୍ବର ରୁଟ୍ର ଏକ ‘ଆମ ବସ୍’ ଲୋକଙ୍କ ଆଗରେ ହୁତୁହୁତୁ ହୋଇ ଜଳିଯାଇଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଏବଂ କାହାରି କିଛି କ୍ଷତି ହୋଇନି। ଏଣୁ ଗାଡ଼ି ବାହାରିବା ପୂର୍ବରୁ ଡିପୋରୁ ଠିକ୍ ଯାଞ୍ଚ କରି ରାସ୍ତାରେ ଗଡ଼ାଇବାକୁ ଓ ଅନ୍ୟାନ୍ୟ ଅବ୍ୟବସ୍ଥାକୁ ଭସୁଧାରିବାକୁ ଦାବି ହୋଇଛି।
ଅଗଷ୍ଟରେ ଜଳିଥିଲା ଆଉ ଏକ ‘ଆମ ବସ୍’
ଭୁବନେଶ୍ବର: ୨୦୨୪ ମସିହା ଅଗଷ୍ଟ ୨୧ ତାରିଖରେ ଆମ ବସ୍ ଜଳିଯାଇଥିଲା। ରୁଟ୍ ନମ୍ବର ୪୮ର ଏହି ବସ୍ (ଓଡି ୩୩ ୟୁ ୭୩୪୩)ଟି ଭରତପୁରରୁ ଖୋର୍ଦ୍ଧା ଅଭିମୁଖେ ଯିବା ସମୟରେ ଗଡ଼ଖୋର୍ଦ୍ଧା ନିକଟରେ ଅଗ୍ନିକାଣ୍ଡ ଘଟିଥିଲା। ବସ୍ କ୍ୟାପ୍ଟେନ୍ ଓ ସହଯୋଗୀ ଗାଡ଼ିରୁ ଧୁଆଁ ବାହାରୁଥିବା ଦେଖି ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ବସ୍ରେ ନିଆଁ ବ୍ୟାପିବା ପୂର୍ବରୁ ସମସ୍ତ ୪୧ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍ ତଳକୁ ଓହ୍ଲାଇ ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ବସ୍ରେ ମଧ୍ୟ ମୁଖ୍ୟ ବିଦ୍ୟୁତ୍ କେବଲ୍ରେ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା।
ହଟିବ ପୁରୁଣା ଡିଜେଲ୍ ଗାଡ଼ି, ଚାଲିବ ୫୦ ମିନି ବସ୍
ଭୁବନେଶ୍ବର: ବାରମ୍ବାର ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ସମସ୍ୟା ଦେଖାଦେବା ପରେ ପୁରୁଣା ‘ଆମ ବସ୍’କୁ ବନ୍ଦ କରିବାକୁ କ୍ରୁଟ୍ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଛୋଟ ଗଳିକନ୍ଦିରେ ପ୍ରବେଶ ଓ ଚଳାଚଳ ପାଇଁ ଅସୁବିଧା ହେଉଥିବାରୁ ମିନି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଚଳାଚଳ ହେଉଥିବା ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ୍ର ୧୦/୧୨ ବର୍ଷର ପୁରୁଣା ଡିଜେଲ ବସ୍ଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ୭ ମିଟର ଲମ୍ବର ୫୦ଟି ମିନି ଇ-ବସ୍ ଭୁବନେଶ୍ୱର ଓ କଟକ ଜିଲ୍ଲାରେ ଚଳାଚଳ କରିବ। ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଏହି ନିଷ୍ପତ୍ତି ନେଇଛି।
ବାକି ୩୦ ପୁରୁଣା ବସ୍ର ସ୍ଥିତି ଜଣାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଆଇଜିକେସି ହସ୍ପିଟାଲ୍ରୁ ଭୁବନେଶ୍ୱର ରେଳଷ୍ଟେସନକୁ ଯାଉଥିବା ୨୩ ନମ୍ବର ରୁଟ୍ ‘ଆମ ବସ୍’ରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟଣାରେ ବସ୍ ଅପେରେଟର୍ ସଂସ୍ଥାକୁ କ୍ରୁଟ୍ କର୍ତ୍ତୃପକ୍ଷ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ଏଭଳି ଅଗ୍ନିକାଣ୍ଡ ଘଟିଲା, ଜବାବ ମଗାଯାଇଛି। ସଂପୃକ୍ତ ଅପରେଟର୍ ଚଳାଉଥିବା ଅନ୍ୟ ୩୦ଟି ପୁରୁଣା ବସ୍ର ତୁରନ୍ତ ଫିଟ୍ନେସ୍ ପ୍ରମାଣପତ୍ର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଓ ମୋଟର ଯାନ ନିରୀକ୍ଷକଙ୍କ ଜରିଆରେ ଅଗ୍ନିକାଣ୍ଡର କାରଣ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ଓ ଆବଶ୍ୟକ ବିଶେଷଜ୍ଞଙ୍କ ମତାମତ ପ୍ରଦାନ କରିବାକୁ କ୍ରୁଟ୍ ପକ୍ଷରୁ ପରିବହନ କମିସନର୍ଙ୍କୁ ଅନୁରୋଧ କରାଯାଇଛି।
Follow Us