ଭୁବନେଶ୍ବର: ନୂଆବର୍ଷ-୨୦୨୫ର ପ୍ରଥମ ଦିନକୁ ସ୍ମୁତିରେ ରଖିବାକୁ ରାଜ୍ୟର ଯୁବପିଢ଼ିଙ୍କ ସମେତ ବୟସ୍କମାନେ ମଧ୍ୟ ସୁଯୋଗ ହାତଛଡ଼ା କରିନାହାନ୍ତି। ଓଡ଼ିଶାରେ ବାହାର ଲୋକେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ମସ୍ତି କରିଛନ୍ତି। ଲୋକେ ଏହି ଦିନକୁ ନିଜନିଜ ଶୈଳୀରେ ପାଳନ କରିଛନ୍ତି। ନୂଆବର୍ଷ ଅବସରରେ ବିଶେଷ ଭାବରେ ଆଜି ଆଧ୍ୟାତ୍ମିକ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କର ଭିଡ଼ ଥିବା ପରିଲକ୍ଷିତ ହୋଇଛି। ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀରେ ରାତିସାରା ଲୋକେ ଉଜଗର ରହି ଦେବାଦେବୀଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ପୂରା ଦିନସାରା ଦେବାଳୟଗୁଡ଼ିକରେ ଲୋକେ ପୂଜାର୍ଚ୍ଚନା କରିଥିଲେ। ଅନ୍ୟପଟରେ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀରେ ସକାଳ ୮ଟାରୁ ସନ୍ଧ୍ୟା ଯାଏଁ ଭିଡ଼ ଜମିଥିଲା। ଆସର ଥିଲା ବଣଭୋଜି। ଏଥି ପାଇଁ ଲୋକେ ଶାକାହାରୀ ଓ ମାଂସାହାରୀ ଭୋଜନ ସହିତ ଖୁବ୍ ନାଚ ଏବଂ ମସ୍ତି କରିଥିଲେ।
ନୂଆବର୍ଷ ପାଇଁ ଆଜି ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ, କୋଣାର୍କ, ଗୁପ୍ତେଶ୍ବର, ହରିଶଙ୍କର, ନୃସିଂହନାଥ, ଘଟଗାଁ ତାରିଣୀ, ତାରାତାରିଣୀ, ସମଲେଶ୍ବରୀଙ୍କ ସମେତ ଅନ୍ୟ ଦେବାଦେବୀ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ନେଇଥିଲେ। ପୁରୀ ଶ୍ରୀମନ୍ଦିରରେ ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିବେର ବୋଲି ଅନୁମାନ କରାଯାଉଛି। ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିସାରିଥିଲେ। ତେଣୁ ରାତି ପହୁଡ଼ ପର୍ଯ୍ୟନ୍ତ ଆହୁରି ଲକ୍ଷାଧିକ ଭକ୍ତମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ ବୋଲି ଆଶଙ୍କା କରାଯାଉଛି। ଶ୍ରୀମନ୍ଦିର ସହିତ ରାଜ୍ୟର ଅନ୍ୟ ଐତିହ୍ୟ ସମ୍ପନ୍ନ ମନ୍ଦିରରେ ମଧ୍ୟ ଲୋକେ ପ୍ରଭୁଙ୍କ ଆଶୀର୍ବାଦ ନେଇ ନୂଆବର୍ଷ ଆରମ୍ଭ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଏଆଇ ସହ କଥା ହେଉଥିଲେ ହୋଇଯାଆନ୍ତୁ ସାବଧାନ! ନହେଲେ ପସ୍ତେଇବେ ସାରାଜୀବନ
/sambad/media/media_files/2025/01/01/x6LSgKWJ0W6IFboHRr5y.jpg)
ନୂଆବର୍ଷର ଅନ୍ୟଏକ ବଡ଼ ଆକାଂକ୍ଷା ହେଉଛି ବଣଭୋଜି। କିଛି ବର୍ଷ ପୂର୍ବରୁ ବଣଭୋଜିରେ ପ୍ରାୟତଃ ଯୁବପିଢ଼ି ଜଡ଼ିତ ରହୁଥିଲେ। ମାତ୍ର ସମୟ ବଦଳିବା ସହିତ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିଥିବାରୁ ଆଜିକାଲି ବଣଭୋଜିରେ ସବୁ ପ୍ରକାର ବୟସ ବର୍ଗ ସାମିଲ ହେଉଛନ୍ତି। ବଣଭୋଜି ସ୍ଥଳରେ ବର୍ଷେ/ଦୁଇ ବର୍ଷର ଶିଶୁମାନଙ୍କୁ ମଧ୍ୟ ସେମାନଙ୍କର ବାପା-ମା’ଙ୍କ ସହିତ ଦେଖିବାକୁ ମିଳୁଛି। ସେହିପରି ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ବଣଭୋଜିରେ ସାମିଲ ହୋଇ ନିଜ ମନକୁ ସ୍ଫୁର୍ତ୍ତି କରିବାକୁ ଚାହୁଁଛନ୍ତି। ବୟସ୍କ ଗୃହିଣୀମାନେ ମଧ୍ୟ ନୂଆବର୍ଷ ପାଳନ ପାଇଁ ବାହାରେ ବୁଲି ଅନ୍ୟମାନଙ୍କ ସହିତ ଖାଇପିଇ ସନ୍ଧ୍ୟାରେ ଘରକୁ ଫେରିବାକୁ ଚାହୁଁଛନ୍ତି।
ଏହି ଖବର ପଢ଼ନ୍ତୁ: ବିବାହ କରିବାକୁ ମନା କରିବାରୁ ହତ୍ୟା ଉଦ୍ୟମ କଲା ଫେସବୁକ ପ୍ରେମିକା, ତା’ପରେ...
ବଣଭୋଜି ପାଇଁ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳୀ ନିକଟରେ ଆଜି ହଜାର ହଜାର ଲୋକଙ୍କର ସମାଗମ ଦେଖିବାକୁ ମିଳିଛି। ରାଜ୍ୟର ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠି ଆଧ୍ୟାତ୍ମିକ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ସମ୍ମିଶ୍ରଣ ରହିଛି। ଏହି ଭଳିସ୍ଥାନଗୁଡ଼ିକରେ ଭୋଜିଭାତର ଆସର ଜମିଛି। ଉଦାହରଣ ସ୍ବରୂପ ହରିଶଙ୍କର, ନୃସିଂହନାଥ, ଘଟଗାଁ ତାରିଣୀ, ତାରାତାରିଣୀ ପ୍ରମୁଖ।
ଓଡ଼ିଶାର ଭୌଗଳିକ ସ୍ଥିତି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଛି। ରାଜ୍ୟର ଅଧିକାଂଶ ଲୋକେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ତେଣୁ ଯେଉଁମାନେ ବାହାରକୁ ଅଥବା ଦୂରକୁ ବଣଭୋଜି ପାଇଁ ଯାଇପାରି ନାହାନ୍ତି, ସେମାନେ ନିଜ ଘରଠାରୁ ଅଳ୍ପ ଦୂରରେ ଥିବା ନାଳ, ବଣଜଙ୍ଗଲ ଓ ଡ୍ୟାମ୍ ପାଖରେ ବଣଭୋଜି କରିଛନ୍ତି। ଖଣ୍ଡାଧାର, ବଡ଼ଘାଗରା, ଡୁଡୁମା, ପ୍ରଧାନପାଟ, ଦେବଝରଣ, ଦେଓଝର ଆଦି ଜଳପ୍ରପାତ ଠାରୁ ଅଳ୍ପ ଦୂରରେ ମଧ୍ୟ ବଣଭୋଜିର ଆଶର ଜମିଛି। ସେହିପରି ଚିଲିକା, ଅଂଶୁପା କୂଳରେ ଲୋକେ ଭୋଜିଭାତର ଆସର ଜମାଇ ନୂଆବର୍ଷ ପାଳନ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ନୂଆବର୍ଷରେ ଯୁବକଙ୍କୁ ପିଟିପିଟି ମାରିଲା: କୁରାଢ଼ିରେ ଖଣ୍ଡଖଣ୍ଡ କରି ହାଣିଦେଲା
ନୂଆବର୍ଷ ପାଳନ କଥା ଯେତେବେଳେ ଆସେ, ରାଜଧାନୀ ଭୁବନେଶ୍ବରବାସୀ ଏହାକୁ ଅଧିକ ସମୟ ଦେଇଥାନ୍ତି। ଜିରୋ ନାଇଟ୍ ସେଲିବ୍ରେସନ ଠାରୁ ଆରମ୍ଭ କରି ଜାନୁଆରି ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରାଜଧାନୀର ଅଧିକାଂଶ ଲୋକ ଯେକୌଣସି ମାଧ୍ୟମରେ ନୂଆବର୍ଷକୁ ପାଳନ କରିଥାନ୍ତି। ଏହି କ୍ରମରେ ଆଜି ଲିଙ୍ଗରାଜ ମନ୍ଦିର, ଏକାମ୍ରକ୍ଷେତ୍ରର ମନ୍ଦିର, ରାମମନ୍ଦିର, ଇସ୍କନ ମନ୍ଦିରରେ ଭାରି ଗଳହି ଦେଖିବାକୁ ମିଳିଥିଲା। ଜୟଦେବବାଟିକା, ଶିଖରଚଣ୍ଡି, ଧଉଳି ଆଦି ସ୍ଥାନରେ ଶତାଧିକ ଦଳ ବଣଭୋଜି କରଥିଲେ। ଯୁବପିଢ଼ି ଅଧିକ ଉତ୍ସାହିତ ଥିଲେ। ଅଧିକାଂଶ ସ୍ଥାନରେ ଓଲିଉଡ ଚଳଚ୍ଚିତ୍ର ‘କର୍ମ’ର ଗୀତ ‘ ଟିକେ ଚିରିଂ ଚିରିଂ ନିଶା ଟା ଚଢ଼ିଲା…’ ଶୁଣିବାକୁ ମିଳୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/01/bIPzRvwvY8OxghwiOGBy.jpg)