ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ମହାଶିବରାତ୍ରି ପର୍ବ ପାଇଁ ଆଜି ଅପରାହ୍ଣରେ କମିସନରେଟ୍‍ ପୁଲିସ ପକ୍ଷରୁ ମା’ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇନଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ପ୍ରାୟ ୩୪ ପ୍ଲାଟୁନ୍‌ ପୁଲିସ ମୁତୟନ ହେବେ। ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୁରକ୍ଷା ଓ ଶୃଙ୍ଖଳା ରକ୍ଷାର ପୂରା ନେତୃତ୍ବ ‌ନେବେ। ୬ଜଣ ଅତିରିକ୍ତ ଡିସିପି, ଟ୍ରାଫିକ୍‌ ଏସିପି, ଟ୍ରାଫିକ୍‌ ଆଇଆଇସି, ୧୨ଜଣ ଏସିପି, ୧୯ଜଣ ଆଇଆଇସି, ୮୬ଜଣ ଏସ୍‌ଆଇ ଓ ଏଏସ୍ଆଇ, ୫୬ଜଣ କନେଷ୍ଟବଳ, ୪୦ଜଣ ମହିଳା କନେଷ୍ଟବଳ, ୫ଜଣ ହାବିଲଦାର ଓ ୧୦୨ଜଣ ହୋମ୍‌ ଗାର୍ଡ ଡ୍ୟୁଟି କରିବେ। ଏମାନଙ୍କ ମଧ୍ୟରୁ କିଛି ସାଦା ପୋଷାକରେ ରହିବେ। ବିଗତ ବର୍ଷମାନଙ୍କରେ ଅଭିଜ୍ଞତା ଥିବା ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା ଦିଗରେ କାମ କରିବେ। ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ୩୨ଟି ସିସି କ୍ୟାମେରା ଓ ସ୍ମାର୍ଟ ସିଟି ପକ୍ଷରୁ ରାସ୍ତାରେ ୨୧ଟି ସିସିଟିଭି କ୍ୟାମେରା ପୂରା ଭିଡ଼ ଉପରେ ନଜର ରଖିବ। 
ଚଳିତ ବର୍ଷ କ୍ୟୁଆର୍‌ କୋଡ୍‌ ଥିବା ପାସ୍‌ ସହିତ ଭିଆଇପି ପାସ୍‌ ବ୍ୟବହାର ହେବ। ବଢ଼େଇବାଙ୍କ ଛକ, ଗ୍ୟା‌ରେଜ୍‌ ଛକ, ପୁରୁଣା ସୁଭଦ୍ରା ମହାତାବ ହାଇସ୍କୁଲ ସମ୍ମୁଖ, ମାଉସୀମା ଛକ, କେଦାରଗୌରୀ ଛକ, ଖରାଖିଆ ବୈଦନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍‌ କରାଯିବ।

Advertisment

Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଫାଇନାଲ୍‌ରେ ବୋର୍ଡ ଅଫ୍‌ ରେଭିନ୍ୟୁ-ଭୁବନେଶ୍ବର ବାର୍‌

ଚଳିତ ବର୍ଷ ବିଏମ୍‌ ହାଇସ୍କୁଲ ପଡ଼ିଆ, ପୁରୁଣା ସୁଭଦ୍ରା ମହତାବ ହାଇସ୍କୁଲ ସମ୍ମୁଖ, ଗୋସାଗରେଶ୍ବର ସ୍କୁଲ, କେଦାରଗୌରୀରୁ ବିନ୍ଦୁସାଗର ରାସ୍ତା, ନୂଆ ଲିଙ୍ଗରାଜ ମାର୍କେଟ୍‌ ପରିସରରେ ପାର୍କିଂ କରାଯିବ। ହାଟ ନିକଟରେ ସେବାୟତଙ୍କ ଗାଡ଼ି ପାର୍କିଂ କରାଯିବ। ମନ୍ଦିର ତିନି ପାର୍ଶ୍ବ ଦ୍ବାର ମୁହଁରେ ଆମ୍ବୁଲାନ୍ସ ଓ ଷ୍ଟେଚର୍‌ ରଖାଯିବ। ଡିସିପିଙ୍କ ଦ୍ବାରା ଶ୍ରୀଲିଙ୍ଗରାଜ ମହାଶିବରାତ୍ରି ମାର୍ଗଦର୍ଶିକା ଖୁବ୍‌ ଶୀଘ୍ର ଜାରି କରାଯିବ। କେଉଁ ପାର୍କିଂ ସ୍ଥାନକୁ ଯିବା ପାଇଁ କେଉଁ ବାଟ ଦେଇ ଲୋକ ସୁବିଧାରେ ଯାଇ ପାରିବେ, ସେନେଇ ମାର୍ଗଦର୍ଶିକାରେ ଅବଗତ କରାଯିବ। କମିସନର ଶ୍ରୀ ସିଂ ଏହି ଅବସରରେ ପୁଲିସକୁ ସହଯୋଗ କରିବା ସହ ଟ୍ରାଫିକ୍‌ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଭିଡ଼ରେ ସୁନା ଗହଣା ନ ପିନ୍ଧିବାକୁ ଓ ମୋବାଇଲ୍‌ ନ ଆଣିବାକୁ ପରାମର୍ଶ ଦେଇଥିଲେ।

Horoscope 2026 February 13 : ଜାଣନ୍ତୁ ଆଜିର ରାଶିଫଳ

ଏହି ସମୀକ୍ଷା ବୈଠକରେ ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଜେପି ନେତା ସମୀର ମହାନ୍ତି ପ୍ରମୁଖ ମତ ରଖିଥିଲେ। ଡିସିପି ଶ୍ରୀ ମୀନା, ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ, ୱାଟ୍‌କୋ ଏସ୍‌ଡିଓ, ଯନ୍ତ୍ରୀ, ବିଏମ୍‌ସି ସିଏମ୍‌ଏମ୍‌ଓ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଚନ୍ଦ୍ରଶେଖର ମଲିଆ, ଶିବ ପ୍ରସାଦ ବେହେରା, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ରଶ୍ମି ମହାପାତ୍ର, ବ୍ରାହ୍ମଣ ନିଯୋଗର ଭାଗୀରଥି ମହାସୁଆର, ନାରାୟଣ ମହାପାତ୍ର, ବିରଞ୍ଚି ନାରାୟଣ ପତି, ହେମାଦ୍ରୀ ମହାପାତ୍ର, ବଡ଼ୁ ନିଯୋଗର ଅଞ୍ଚଳ ବଡ଼ୁ, କମଳା ବଡ଼ୁ ଆଦି ମତ ରଖିଥିଲେ।