ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀକୁ ମହାନଗର ନିଗମ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ଏହା ମହାନଗର ହେବାକୁ ଯାଉଛି। ଏଣୁ ଏହାର କଳେବର ବୃଦ୍ଧି ପାଇଁ ଭୁବନେଶ୍ୱର ପରେ ପୁରୀରେ ଟାଉନ ପ୍ଲାନିଂ ଯୋଜନା ଆରମ୍ଭ ହେବାକୁ ଯାଉଛି। ପୁରୀ ସମେତ ରାଜ୍ୟର ଅନ୍ୟ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁରରେ ମଧ୍ୟ ଟାଉନ ପ୍ଲାନିଂ ଯୋଜନା କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଏହା ଜମିର ମୂଲ୍ୟବୃଦ୍ଧି ସହ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. ମହାପାତ୍ର ଆଜି ବିଜିପୁର, ପାଇକରାପୁର ଓ ସହଜପୁରରେ ପ୍ରାୟ ୮୦୦ ଏକର ଜମିରେ ହେଉଥିବା ଟାଉନ୍ ପ୍ଲାନିଂ(ଟିପି) ଯୋଜନା ନମ୍ବର ୧, ୨ ଓ ୩ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଭୁବନେଶ୍ବରକୁ ଲାଗି ହେବାକୁ ଯାଉଥିବା ନ୍ୟୁ ସିଟି ପ୍ରକଳ୍ପ ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି। ଉଭୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ସମୟସୀମା ଭିତରେ ଯୋଜନା ଶେଷ କରିବା ଓ ଯୋଜନାର ମାନଦଣ୍ଡର କଡ଼ା ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ।

Advertisment

Amit Shah: ସମବାୟ ସମିତିର ବିକାଶ ପାଇଁ ଓଡ଼ିଶାକୁ ୩,୩୪୬ କୋଟି ମିଳିଛି ଅମିତ ଶାହ

ମନ୍ତ୍ରୀ କହିଥିଲେ ଯେ ବୃହତ ଭୁବନେଶ୍ୱର ତଥା ବିକଶିତ ସହର ଗଠନ ଲକ୍ଷ୍ୟ ଟିପି ଯୋଜନାଗୁଡ଼ିକ ପୂରଣ କରିବ ଏବଂ ଯୋଜନାବଦ୍ଧ ଓ ସୁବ୍ୟବସ୍ଥିତ ସହରାଞ୍ଚଳ ବିକାଶ ସୁନିଶ୍ଚିତ କରିବ। ନାଗରିକଙ୍କ ପାଇଁ ସାର୍ବଜନୀନ ସୁବିଧାକୁ ବଢ଼ାଇବ। ଟିପି ପଦକ୍ଷେପ ‘ସମୃଦ୍ଧ ସହର’ ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଭୂମି ପୁନର୍ଗଠନ ଓ ଯୋଜନାବଦ୍ଧ ସମ୍ପ୍ରସାରଣ ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳଗୁଡ଼ିକୁ ବିକାଶ କେନ୍ଦ୍ରରେ ପରିଣତ କରିବ। ଭୁବନେଶ୍ୱର ଚାରିପାଖରେ ୬୫ କିଲୋମିଟରର ଏକ ରିଙ୍ଗ ରୋଡ୍ ନିର୍ମାଣ ହେଉଛି, ଯାହା ଟିପି ଯୋଜନା ଅଞ୍ଚଳ ସହ ସହରକୁ ଯୋଡ଼ିବ। ଟିପି ଯୋଜନା କେବଳ ସଂଯୋଗୀକରଣ ଓ ବାସସ୍ଥାନକୁ ଉନ୍ନତ କରିବ ନାହିଁ, ଜମି ମାଲିକମାନଙ୍କ ଦ୍ୱାରା ସଂରକ୍ଷିତ ଜମିର ବଜାର ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରିବ। ବର୍ଗଫୁଟ୍‌ ୫ଶହ ଟଙ୍କାରେ ବିକ୍ରି ଜମିକୁ ୫ହଜାର ଟଙ୍କାରେ ପହଞ୍ଚାଇବ। ବୈଷୟିକ ଜ୍ଞାନ ପ୍ରଦାନ ପାଇଁ ନ୍ୟୁ ସିଟି ପ୍ରକଳ୍ପ ପାଇଁ ସିଙ୍ଗାପୁର କମ୍ପାନି ସୁବର୍ଣ୍ଣ ଜୁରୋଙ୍ଗ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇସାରିଛି। ଜେଏଲ୍‌ଏଲ୍‌ ସହାୟତାରେ ପ୍ରକଳ୍ପ ପାଇଁ ଏକ ବଜାର ସମ୍ଭାବନା ଅଧ୍ୟୟନ ପୂର୍ବରୁ ସରିଛି। ମନ୍ତ୍ରୀ କହିଥିଲେ, ଟିପି ଯୋଜନା ଦ୍ବାରା ଲୋକେ ଲାଭବାନ ହେଉଛନ୍ତି। ଆଗକୁ ସୁଲଭ ମୂଲ୍ୟରେ ଘର ଯୋଗାଇଦେବାକୁ ଯୋଜନା କରାଯାଇଛି। ସହରରେ ଯେପରି ବସ୍ତି ନ ରହିବ, ସେ ଦିଗରେ ଦୃଷ୍ଟି ଦିଆଯାଉଛି। ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ବି ସରଳୀକରଣ କରିବାକୁ ପ୍ରୟାସ ଜାରି ରହିଛି।

Police-Maoist clash: କନ୍ଧମାଳରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ: ସିଲ୍‌କସୁଗା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ