ରାଉରକେଲା (ଦେବବ୍ରତ ଗଡ଼ତିଆ):ରାଉରକେଲା ତଥା ସମଗ୍ର ଜିଲ୍ଲାରେ ଏବେ ହାଡ଼ଭଙ୍ଗା ଶୀତ। ତାପମାତ୍ରା କ୍ରମଶଃ ହ୍ରାସ ପାଇବାରେ ଲାଗିଛି, ଯାହାକି ଜନସାଧାରଣଙ୍କୁ କଲବଲ କରୁଛି। ଚଳିତବର୍ଷ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ସେଲ୍‌ସିୟସ୍‌କୁ ଖସିଲାଣି। ଘନ କୁହୁଡ଼ିର ଆବରଣ ପ୍ରାତଃକାଳୀନ ଜନଜୀବନକୁ ପ୍ରଭାବିତ କରୁଛି। ସହରର କିଛି ଅଞ୍ଚଳରେ ଦୃଶ୍ୟମାନତା ୫୦ ମିଟର୍‌କୁ ଖସିଥିବାରୁ ଗମନାଗମନ ବିପଦପୂର୍ଣ୍ଣ ହୋଇଛି। ମାତ୍ରଧିକ ଜାଡ଼ ଜନସାଧାରଣଙ୍କ ସମେତ ବେସାହାରାଙ୍କ ଯାତନାକୁ ଦ୍ବିଗୁଣିତ କରିଛି।

Advertisment

ଇସ୍ପାତସହରର ପ୍ରମୁଖ ଜନବସତିଠାରୁ ଆରମ୍ଭକରି ବସଷ୍ଟାଣ୍ଡ୍‌, ରେଳ ଷ୍ଟେସନ, ମାର୍କେଟ୍‌ କଂପ୍ଳେକ୍ସ ପର୍ଯ୍ୟନ୍ତ, ସବୁଠାରେ ବାସହୀନଙ୍କୁ ଦେଖିବାକୁ ମିଳୁଛି। କିଏ ଦିନସାରା ଜରି/ବୋତଲ ଗୋଟାଇ ରାତିରେ ରାସ୍ତାକଡ଼, ଦୋକାନ ସମ୍ମୁଖରେ ଶୋଉଥିବାବେଳେ ରିକ୍ସା ଚାଳକ, ହୋଟେଲ/ଉଠା ଦୋକାନରେ କାର୍ଯ୍ୟରତ ଗରିବ ଖଟିଖିଆଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଫୁଟ୍‌ପାଥ୍‌, ରେଳ ଷ୍ଟେସନ, ବସଷ୍ଟାଣ୍ଡ୍‌ର ବାରଣ୍ଡା। ଏଭଳି ବେସାହାରାଙ୍କ ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସହରର ୪ଟି ସ୍ଥାନ, ଯଥା-ରାଉରକେଲା ସରକାରୀ ଡାକ୍ତରଖାନା, ବସଷ୍ଟାଣ୍ଡ୍‌, ପ୍ଲାଣ୍ଟ୍‌ସାଇଟ୍‌ ଓ ପାୱାର ହାଉସ୍‌ ‌ରୋଡ୍‌ରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ତେବେ ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ପ୍ରାୟ ୪୦% ଖାଲି ରହୁଛି। ଆଶ୍ରୟସ୍ଥଳୀର କଠୋର ନିମୟାବଳୀ ଯୋଗୁଁ ବାସହୀନ ଆସିବାକୁ ଅମଙ୍ଗ ହେଉଛନ୍ତି। ଅପରପକ୍ଷରେ ଏହି ସମସ୍ୟାରେ ସୁଧାର ଆଣିବାକୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଉନି। ବାସହୀନଙ୍କୁ ଆଶ୍ରୟସ୍ଥଳଗୁଡ଼ିକୁ ଆଣିବାକୁ ‘ଆଶ୍ରୟ ରଥ’ ରହିଛି, କିନ୍ତୁ ଏହା ମଧ୍ୟ ଫଳପ୍ରଦ ହୋଇପାରିନି। ଫଳରେ ନିରାଶ୍ରୟ ଖୋଲା ଆକାଶତଳେ ରାତ୍ରିଯାପନ କରୁଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: Bank Complain: ବ୍ୟାଙ୍କ ଶୁଣୁନାହିଁ କି ଆପଣଙ୍କ କଥା! ଏଠାରେ କରନ୍ତୁ ଅଭିଯୋଗ

ଦୈନନ୍ଦିନ ଜୀବନଯାପନରେ ସ୍ଥିତାବସ୍ଥା 

ତାପମାତ୍ରାରେ ଅତ୍ୟଧିକ ହ୍ରାସ ରାଉରକେଲା ବାସିନ୍ଦାଙ୍କ ଦୈନନ୍ଦିନ କାର୍ଯ୍ୟକୁ ବାଧାପ୍ରାପ୍ତ କରିଛି। ଘନକୁହୁଡ଼ି ଯୋଗୁ ଯାତ୍ରା ବିପଦପୂର୍ଣ୍ଣ ପାଲଟିଛି। ବିଶେଷକରି ଏ’ ସିଫ୍ଟରେ ଡ୍ୟୁଟି କରିବାକୁ ଯାଉଥିବା ଆର୍‌ଏସ୍‌ପି କର୍ମଚାରୀ ତଥା ସ୍ଥାନୀୟ ବଜାରକୁ କାମ କରିବାକୁ ଯାଉଥିବା ଲୋକଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଛି। ଦୃଶ୍ୟମାନତା ୫୦ ମିଟରକୁ ଖସିଆସୁଥିବାରୁ ଯାତାୟାତ ମନ୍ଥର ହୋଇଯାଇଛି। ଏପରିକି ପାଗର ହଠାତ୍ ପରିବର୍ତ୍ତନ ଯୋଗୁ ଲୋକଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଓ ଋତୁକାଳୀନ ଫ୍ଲୁ’ ବୃଦ୍ଧି ପାଇବାର ଆଶଙ୍କା ଥିବା ବିଶେଷଜ୍ଞ ଡାକ୍ତର ସୂଚିତ କରିଛନ୍ତି।

Witer1

ଚାହିଦାରେ ଶୀତବସ୍ତ୍ର 

ପାରଦ ଯେମିତି ଖସୁଛି, ସେହି ଅନୁପାତରେ ଶୀତକାଳୀନ ପୋଷାକର ଚାହିଦା ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ସୋ’ରୁମ୍‌ ହେଉ କିମ୍ବା ସେକ୍ଟର-୩ ବାସନ୍ତୀ ପଡ଼ିଆ, କୋଣାର୍କ ଟକିଜ୍‌ ପାଖ ଅସ୍ଥାୟୀ ତିବ୍ଦତୀୟ ଶୀତକାଳୀନ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଉଭୟ ପୁରୁଷ ଓ ମହିଳା, ଶିଶୁଙ୍କ ପାଇଁ ବିଭିନ୍ନ ଦରର ଜ୍ୟାକେଟ୍‌, ହୁଡି, ସ୍ବେଟ୍‌ସାର୍ଟ୍‌, କ୍ୟାପ୍‌, ଗ୍ଲୋଭ୍‌ସ ଆଦି ଉପଲବ୍ଧ। ସେହିଭଳି ମେନ୍‌ ରୋଡ୍‌, ବିର୍ସା ରୋଡ୍‌, ଉଦିତନଗରରେ ଥିବା ଛୋଟବଡ଼ କୋଦକାନରେ ଭିଡ଼ ଦେଖିବାକୁ ମିଳୁଛି। କମ୍ବଳ, ରଜାଇ ଆଦିର ଚାହିଦା ମଧ୍ୟ ଢେର୍‌ ଅଧିକ। ଡିସେମ୍ବର ଶେଷ ଯାଏ ଏହି ବେପାର ଜମିବ ବୋଲି ବ୍ୟବସାୟୀ ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: Rahul Gandhi : ସତ୍ୟର ସହ ମୋଦୀ, ଶାହଙ୍କୁ କ୍ଷମତାରୁ ହଟାଇବୁ : ରାହୁଲ ଗାନ୍ଧି

ଏବେ କମିବନି ଶୀତ

ଅନ୍ୟୂନ ଆଉ କିଛି ଦିନ ଶୀତରୁ ନିସ୍ତାର ମିଳିବନି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁଯାୟୀ ଜିଲ୍ଲାରେ ଜାଡ଼ ଅବ୍ୟାହତ ରହିଛି। ଆଇଏମ୍‌ଡି ପକ୍ଷରୁ ଆଗାମୀ ୫ ଦିନ ପାଇଁ ଯେଉଁ ପୂର୍ବାନୁମାନ କରାଯାଇଛି, ସେଥିରୁ ଏହା ସ୍ପଷ୍ଟ ହୁଏ। ଆକଳନ ଅନୁଯାୟୀ, ଆଗାମୀ ଦୁଇ ଦିନ, ଅର୍ଥାତ୍‌ ୧୫ ଓ ୧୬ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ଓ ସୁନ୍ଦରଗଡ଼ ସହରର ସର୍ବନିମ୍ନ ତାମପାତ୍ରା ୧୧ ଡିଗ୍ରି ରହିବ। ସେହିଭଳି ପରବର୍ତ୍ତୀ ତିନିଦିନ, ଅର୍ଥାତ୍‌ ୧୭, ୧୮ ଓ ୧୯ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରହିବ। ଏହାସହ ୧୭ ତାରିଖରେ ସୁନ୍ଦରଗଡ଼ର ତାପମାତ୍ରା ୧୧ ଡିଗ୍ରି ଏବଂ ୧୮ ଓ ୧୯ ତାରିଖରେ ୧୦ ଡିଗ୍ରି ରହିବ।

ଚା’ ଷ୍ଟଲ୍‌ରେ ଖଟି ଜମୁଛି 

ସହରରେ ପ୍ରବଳ ଶୀତଳ ଲହରୀ ଲାଗିରହିଥିବାରୁ ଚା’ ଷ୍ଟଲ୍‌ ଏବେ ବ୍ୟସ୍ତବହୁଳ କେନ୍ଦ୍ରରେ ପରିଣତ ହୋଇଛି। ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ିରୁ ଆରାମ ପାଇବା ପାଇଁ ସହରବାସୀ ଚା’ ଷ୍ଟଲ୍‌ଗୁଡ଼ିକରେ ଭିଡ଼ କରୁଛନ୍ତି। ସେକ୍ଟର-୧୯ସ୍ଥ ଆମ୍ବାଗାନ, ଗୁଣ୍ଡିଚା ମନ୍ଦିର, ଆର୍‌ଏମ୍‌ସି ଅଫିସ ପାଖ, ପାୱାର ହାଉସ୍ ରୋଡ୍, ରେଳ ଷ୍ଟେସନ ଛକ, ପ୍ଲାଣ୍ଟ୍‌ସାଇଟ୍, ଛେଣ୍ଡ୍‌ ଭିଏସ୍‌ଏସ୍‌ ମାର୍କେଟ୍‌, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଖ, ପାନପୋଷ, ଲେବର୍‌ ଟେନାମେଣ୍ଟ୍‌, ଜେଲ୍‌ ରୋଡ୍‌ ଆଦି ସ୍ଥାନରେ ଥିବା ଚା’ ଦୋକାନରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି।