Rourkela Neglected: ରେଳବାଇ କ୍ଷେତ୍ରରେ ରାଉରକେଲାକୁ କ୍ରମାଗତ ଅବହେଳା!

ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ରେଳମଣ୍ଡଳ ପାଇଁ ଏକ ବିପୁଳ ରାଜସ୍ୱ ସୃଷ୍ଟିକାରୀ ଅଞ୍ଚଳ ହେଉଛି ରାଉରକେଲା। ମୋଟ୍‌ ରାଜସ୍ବର ସିଂହଭାଗ କେବଳ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ସୃଷ୍ଟି ହେଉଛି।

Rourkela Railway

Rourkela Railway station. Photograph: (sambad.in)

ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ରେଳମଣ୍ଡଳ ପାଇଁ ଏକ ବିପୁଳ ରାଜସ୍ୱ ସୃଷ୍ଟିକାରୀ ଅଞ୍ଚଳ ହେଉଛି ରାଉରକେଲା। ମୋଟ୍‌ ରାଜସ୍ବର ସିଂହଭାଗ କେବଳ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ସୃଷ୍ଟି ହେଉଛି। ଏହାସତ୍ତ୍ବେ ଓଡ଼ିଶାର ଅନ୍ୟତମ ଶିଳ୍ପକେନ୍ଦ୍ର ରାଉରକେଲାକୁ କ୍ରମାଗତଭାବେ ଅବହେଳା କରାଯାଉଛି। ଏଠାରେ ଭିତ୍ତିଭୂମି ବିକାଶ କରାଯାଉନି କିମ୍ବା ଯାତ୍ରୀ ସୁବିଧା ଦିଗକୁ ଦୃଷ୍ଟି ଦିଆଯାଉନି। ପୃଥକ ରେଳମଣ୍ଡଳ, ରାଉରକେଲା ଓ ପାନପୋଷ ରେଳଷ୍ଟେସନର ନବକଲେବର, ନୂତନ ଫ୍ରେଟ୍‌ କରିଡର୍‌ ଆଦି ପାଇଁ ଦୀର୍ଘ ଦିନହେଲା ଦାବି ହେଉଛି, କିନ୍ତୁ ରେଳବିଭାଗର ଶୁଭଦୃଷ୍ଟି ପଡ଼ୁନି। ଏକାଧିକବାର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି।

ରାଉରକେଲା ତଥା ଖଣିଜପଦାର୍ଥ ସମୃଦ୍ଧ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେଉଁଝର ଜିଲ୍ଲା ହେଉଛି ଚକ୍ରଧରପୁର ରେଳମଣ୍ଡଳର ଆୟର ମେରୁଦଣ୍ଡ। ମାଲ୍‌ ପରିବହନ ବାବଦକୁ ଏହି ଡିଭିଜନର ବାର୍ଷିକ ଆୟରେ କେବଳ ସୁନ୍ଦରଗଡ଼-କେନ୍ଦୁଝର-ଝାରସୁଗୁଡ଼ାର ଅବଦାନ ହେଉଛି ପାଖାପାଖି ୬୦-୭୦%। ଏହାସେତ୍ତ୍ବ ସ୍ଥାନୀୟ ବିକାଶକୁ ଧ୍ୟାନ ଦିଆଯାଉନି। ଜିଲ୍ଲା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ବଞ୍ଚିତ ହୋଇଛି। ରାଉରକେଲାରେ ନୂଆ ରେଳ ଡିଭିଜନ ସ୍ଥାପନ ସହ ପୂର୍ବତଟ ରେଳବାଇ ଅଧୀନରେ ସାମିଲ କରିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି।

ବର୍ତ୍ତମାନ ଚକ୍ରଧରପୁର ଡିଭିଜନ ଅଧୀନରେ ୭୪୧.୭୦୫ କିଲୋମିଟର ରେଳପଥ ରହିଛି। ଏଥିମଧ୍ୟରୁ ୩୩୭.୭୯୮ କିଲୋମିଟର ଝାଡ଼ଖଣ୍ଡ ଓ ୪୦୫.୯୦୭ କିଲୋମିଟର ଓଡ଼ିଶାରେ ଅବସ୍ଥିତ। ଏଠାରେ ଡିଭିଜନ୍‌ ସ୍ଥାପନହେଲେ ବନ୍ଧମୁଣ୍ଡାଠାରେ ଅବ୍ୟବହୃତ ରେଳବାଇ ଜମି, କ୍ବାର୍ଟର୍ସ୍‌କୁ ବ୍ୟବହାର କରାଯାଇପାରିବ। ଏହି ଦାବି ନେଇ ବିଗତ ଦିନରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ସମେତ ବିଧାୟକ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଦାବି ବାସ୍ତବ ରୂପ ନେଇପାରୁନି। ଏତଦ୍‌ବ୍ୟତୀତ ୬୦ ଦଶନ୍ଧି ପୁରୁଣା ଦାବି, ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପ୍ରକଳ୍ପ ମଧ୍ୟ ବେଗ ଧରିପାରୁନି। ଅନୁଗୁଳ ପଟୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ସୁନ୍ଦରଗଡ଼ ପଟୁ ନିର୍ମାଣ ଆରମ୍ଭ ହୋଇପାରୁନଥିଲା। ଢେର୍‌ ବିଳମ୍ବପରେ ବିମଳାଗଡ଼ପଟୁ ନିର୍ମାଣ ଆରମ୍ଭ ହୋଇଛି ସତ; କିନ୍ତୁ ଏହା ବେଗ ଧରିିପାରୁନି। ଅପରପକ୍ଷରେ ଏବେବି ଦେବଗଡ଼ରେ ଜମିଅଧିଗ୍ରହଣ ପ୍ରକ୍ରିୟା ସଂପନ୍ନ ହୋଇନଥିବାରୁ ପ୍ରକଳ୍ପ କେବେ ସରିବ, ତାହା ଅସ୍ପଷ୍ଟ।

ଏସିଆର ଦ୍ବିତୀୟ ବୃହତ୍ତମ ମାର୍ସାଲିଂ ୟାର୍ଡ୍‌

ରାଉରକେଲାଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ବନ୍ଧମୁଣ୍ଡାରେ ଏସିଆର ଦ୍ବିତୀୟ ବୃହତ୍ତମ ମାର୍ସାଲିଂ ୟାର୍ଡ୍‌ ଅବସ୍ଥିତ, କିନ୍ତୁ ଏହାକୁ ବିକଶିତ କରାଯାଉନି। ବିଗତ ଦିନରେ ରାଉରକେଲାକୁ ଏଲିଟ୍ ତାଲିକାରୁ ବାଦ୍‌ ଦେବା, ସହରବାସୀଙ୍କୁ ନିରାଶ କରିଥିଲା। ବିଶ୍ୱସ୍ତରୀୟ ପରିବହନ କେନ୍ଦ୍ର ଭାବେ ପୁନଃବିକାଶ ପାଇଁ ପ୍ରସ୍ତାବିତ ୯୦ଟି ରେଳ ଷ୍ଟେସନ ତାଲିକାରୁ ରାଉରକେଲାକୁ ବାଦ୍‌ ଦିଆଯାଇଥିଲା। ବର୍ତ୍ତମାନ ସମସ୍ତ ମାଲ୍‌ବାହୀ ଟ୍ରେନ୍‌ ରାଉରକେଲା ଷ୍ଟେସନ ଦେଇ ଚଳାଚଳ କରୁଛି। ତେବେ ମାଲବାହୀ ଟ୍ରେନ୍‌କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ପାସେଞ୍ଜର୍‌ ଟ୍ରେନ୍‌ ବିଳମ୍ବରେ ଗଡ଼ୁଛି। ଏହି ସମସ୍ୟାକୁ ଦୂର କରିବାକୁ କଲୁଙ୍ଗା-ଲାଠିକଟା ନୂତନ ଫ୍ରେଟ୍‌ କରିଡର୍‌ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ତେବେ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ୧୮ କିଲୋମିଟର ବିଶିଷ୍ଟ ରେଳପଥକୁ ସଂଯୋଗକରି ଫ୍ରେଟ୍‌ କରିଡର୍‌ ପାଇଁ ପ୍ରାୟ ୨ବର୍ଷ ପୂର୍ବେ ସର୍ଭେ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Health In Rourkela: ଆଇସିୟୁରେ ରାଉରକେଲାର ସ୍ୱାସ୍ଥ୍ୟ: ନୂଆ ମେଡିକାଲ କଲେଜ ପାଇଁ ଆନ୍ତରିକତା ନାହିଁ

ମାତ୍ରାଧିକ ଟ୍ରେନ୍‌ ଭିଡ଼ ସମସ୍ୟା

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମହେଲେ, ସମସ୍ତ ମାଲବାହୀ ଟ୍ରେନ୍‌ ରାଉରକେଲା ଭିତରକୁ ପ୍ରବେଶ ନକରି ସହର ବାହାରେ ଚାଲିବ ଓ ରାଉରକେଲା ରେଳ ଷ୍ଟେସନରେ ମାତ୍ରାଧିକ ଟ୍ରେନ୍‌ ଭିଡ଼ ସମସ୍ୟାକୁ ଦୂର କରାଯାଇପାରିବ। ତେବେ ଏ କ୍ଷେତ୍ରରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ପରିଲକ୍ଷିତ ହୁଏ। ପ୍ରାୟ ୯୦ କୋଟି ବିନିମୟ‌ରେ ରାଉରକେଲା ରେଳ ଷ୍ଟେସନକୁ ନୂଆ ରୂପ ଦେବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ଏଯାଏ ଏନେଇ ସାମାନ୍ୟ ପଦକ୍ଷେପ ନିଆଯାଇନି। ଅନ୍ୟତମ ବ୍ୟସ୍ତବହୁଳ ରାଉରକେଲା ଜଙ୍କ୍‌ସନ୍‌ରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଉପଲବ୍ଧ କରାଇବା ନିତାନ୍ତ ଜରୁରୀ ହେଲାଣି। ଏଣୁ ବ୍ୟାପକ ବିକାଶ ପାଇଁ ଅନୁମୋଦିତ ଅନୁଦାନ, ଢେର୍‌ କମ୍‌। 

ଉନ୍ନତ ସୁବିଧା ସୁନିଶ୍ଚିତ କରିବାକୁ ଦାବି

ସଂପ୍ରତି ରାଉରକେଲା ଷ୍ଟେସନ ଯାତ୍ରୀଙ୍କୁ ପ୍ରକୃତ ଓ ଅତ୍ୟନ୍ତ ଆବଶ୍ୟକୀୟ ଆଧୁନିକ ସୁବିଧା ଯୋଗାଇବାରେ ଅସମର୍ଥ ଥିବାରୁ ରେଳମନ୍ତ୍ରୀ ଅନୁଦାନ ରାଶି ବୃଦ୍ଧି ପାଇଁ ପୁନର୍ବିଚାର କରି ଷ୍ଟେସନରେ ଉନ୍ନତ ସୁବିଧା ସୁନିଶ୍ଚିତ କରିବାକୁ ଦାବି ହେଉଛି। ଏତଦ୍‌ବ୍ୟତୀତ ରାଉରକେଲାରେ ପ୍ରସ୍ତାବିତ ବନ୍ଦେ ଭାରତ ରେଳକୋଚ୍ କାରଖାନା ଏବଂ ରେଳବାଇ ଗବେଷଣା ଓ ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଦାବି ହେଉଛି। ବିଡ଼ମ୍ବନାର ବିଷୟହେଲା, ସ୍ବାଧୀନତାର ୭୫ ବର୍ଷ ପରେ ବି ଜିଲ୍ଲା ମୁଖ୍ୟାଳୟ ସୁନ୍ଦରଗଡ଼କୁ ରେଳ ସଂଯୋଗ ନ ହେବା। ଦୀର୍ଘ ଦାବିପରେ ଅବଶ୍ୟ, ଏବେ ସୁନ୍ଦରଗଡ଼ ଦେଇ ନୂତନ ରେଳପଥ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ବିଳାଶପୁର ଡିଭିଜନ ଅଧିନରେ ନୂତନ ରେଳପଥ ସରଡେଗା-ସୁନ୍ଦରଗଡ଼-ପଥଲଗାଓଁ (୧୨୮ କିଲୋମିଟର) ଓ ଅମ୍ବିକାପୁରକୁ ସଂଯୋଗ କରିବ। ସର୍ଭେ ଶେଷ ହୋଇଥିବାବେଳେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି ପାଇଁ ରେଳ ବୋର୍ଡକୁ ପଠାଯାଇଥିବା ଜଣାପଡ଼ିଛି।

Rourkela Railway station
Reaction on Rourkela Railway station. Photograph: (sambad.in)

‘ପୂର୍ବରୁ ରେଳବାଇ-ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ ପ୍ରକଳ୍ପରେ ବିଳମ୍ବ ଘଟୁଥିଲା। ଏବେ ଡବଲ୍‌ ଇଞ୍ଜିନ୍‌ ସରକାର ଥିବାରୁ ସମସ୍ତ ପ୍ରକଳ୍ପ ତ୍ବରାନ୍ବିତ ହେବ ଓ ଖୁବଶୀଘ୍ର ରସାତଳରେ ଏହା ପରିଳକ୍ଷିତ ହେବ। ଚକ୍ରଧରପୁର ଡିଭିଜନ୍‌ ରାଉରକେଲାକୁ ନ୍ୟାୟ ଦେଇପାରୁନି। ଏଣୁ ଏହି ଡିଭିଜନକୁ ଭାଗକରି ନୂତନ ରାଉରକେଲା ଡିଭିଜନ ସୃଷ୍ଟି କରାଯାଉ। ଏହାସହ ଫ୍ରେଟ୍‌ କରିଡର୍‌ ନିର୍ମାଣ ବି ଜରୁରୀ ହେଲାଣି। ‌ଯେ ପର୍ଯ୍ୟନ୍ତ ରାଉରକେଲା ରେଳ ମଣ୍ଡଳ ହୋଇନି, ସେ ପର୍ଯ୍ୟନ୍ତ ଏଠାରେ ଜଣେ ଏଡିଆର୍‌ଏମ୍‌ଙ୍କୁ ନିଯୁକ୍ତ କରାଯାଉ।’
-ରମେଶ ଅଗ୍ରୱାଲ, ସଦସ୍ୟ, ଜୋନାଲ୍‌ ରେଲୱେ ୟୁଜର୍ସ୍‌ କନ୍‌ସଲ୍‌ଟାନ୍ସି କମିଟି

‘ବର୍ତ୍ତମାନ ରେଳସେବା ଅତ୍ୟନ୍ତ ନିମ୍ନମାନର ହେଲାଣି। କେବଳ ମାଲବାହୀ ଟ୍ରେନ୍‌କୁ ଗୁରୁତ୍ବ ଦେଉନଥିବାରୁ ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳରେ ଅହେତୁକ ବିଳମ୍ବ ଦେଖିବାକୁ ମିଳୁଛି। ଦୂରନ୍ତ ଭଳି ଏକ୍ସପ୍ରେସ୍‌ ଟ୍ରେନ୍‌ର ରହଣୀ ନାହିଁ। ବନ୍ଧମୁଣ୍ଡାରେ ବଡ଼ ୟାର୍ଡ୍‌ ସ୍ଥାପନକରି କାର୍ଯ୍ୟ ପରିସର ବୃଦ୍ଧି କରାଯାଉ। କ୍ରମାଗତଭାବେ ଚକ୍ରଧରପୁର ଡିଭିଜନ ଅବହେଳା କରିଚାଲିଛି। ଏଣୁ ଅବିଳମ୍ବେ ରାଉରକେଲା ଡିଭିଜନ ସ୍ଥାପନ କରାଯିବା ଉଚିତ।
-ମଳୟ ମଣ୍ଡଳ, ସଭାପତି, ରାଉରକେଲା ବଣିକ ସଂଘ

ଆହୁରି ପଢ଼ନ୍ତୁ: Mohan Majhi in Rourkela: ମୁଖ୍ୟମନ୍ତ୍ରୀଙ୍କଠାରୁ ଅନେକ ଆଶା: ରାଉରକେଲାକୁ ତୃତୀୟଥର ଆସୁଛନ୍ତି ମୋହନ ମାଝୀ

‘ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ପ୍ରତି ଚକ୍ରଧରପୁର ଡିଭିଜନ ବୈମାତୃକ ମନୋଭାବ ପୋଷଣ କରିଚାଲିଛି। ଜିଲ୍ଲାରୁ ରାଜସ୍ବର ସିଂହଭାଗ ଆଦାୟ କରୁଛି, କିନ୍ତୁ ଏଠାକାର ବିକାଶ ପ୍ରତି ଧ୍ୟାନ ଦେଉନି। ଷ୍ଟେସନର ବିକାଶ କରାଯାଉନି କିମ୍ବା ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉନି। କ୍ରମାଗତ ଉପେକ୍ଷା କରାଯାଉଥିବାରୁ ଜିଲ୍ଲାବାସୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଅବିଳମ୍ବେ ରାଉରକେଲା ରେଳ ଡିଭିଜନ ହେଉ। ଏହାସହ ସୁଗମ ପରିବହନ ପାଇଁ ପ୍ରସ୍ତାବିତ ଫ୍ରେଟ୍‌ କରିଡର୍‌ ନିର୍ମାଣ, ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳକୁ ପ୍ରାଥମିକତା ଓ ଉନ୍ନତମାନର ସେବା ଯୋଗାଇବାକୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ।’
-ପ୍ରଫୁଲ୍ଲ ସୁନ୍ୟାନୀ, ଯୁବ ସମାଜସେବୀ

‘ରେଳ ପଥ ସଂଯୋଗୀକରଣ କ୍ଷେତ୍ରରେ ଦୀର୍ଘ ବର୍ଷ ହେଲା ସୁନ୍ଦରଗଡ଼କୁ ଅବହେଳା କରାଯାଉଛି। ଏହି ରୁଟ୍‌ରେ ସଂଯୋଗ ପାଇଁ ୨୦୧୯ ମସିହାରୁ ବ୍ୟକ୍ତିଗତଭାବେ ଦାବି ଉପସ୍ଥାପନ କରୁଛି। ଏବେ ସୁନ୍ଦରଗଡ଼ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଇ ରେଳପଥ ନିର୍ମାଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଉରକେଲା ଦେଇ ପ୍ରତ୍ୟହ ହଜାର ହଜାର ଯାତ୍ରୀ ଗମନାଗମନ କରୁଥିବାବେଳେ ଏଠାକାର ଭିତ୍ତିଭୂମି ବିକାଶ ହେଉ। ଏତଦ୍‌ବ୍ୟତୀତ ବହୁ ପୁରୁଣା ରାଜଗାଙ୍ଗପୁର, କଲୁଙ୍ଗା, ବନ୍ଧମୁଣ୍ଡା ଆଦି ଷ୍ଟେସନର ବିକାଶକୁ ଗୁରୁତ୍ବ ଦିଆଯାଉ।’
-କୁସୁମ ଟେଟେ, ପୂର୍ବତନ ବିଧାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe