Koel Nagar entrainment park neglected. Sambad.in
ରାଉରକେଲା (ଦେବବ୍ରତ ଗଡ଼ତିଆ): ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ (ଆର୍ଏସ୍ସିଏଲ୍) ପକ୍ଷରୁ ସହରାଞ୍ଚଳର ବିକାଶ ପାଇଁ ଏକ ମହତ୍ବାକାଂକ୍ଷୀ ପଦକ୍ଷେପ ନିଆଯାଇଥିଲା। ପ୍ରାୟ ୩୪ କୋଟି ବିନିଯୋଗରେ କୋଏଲ ନଦୀ କୂଳରେ ଏକ ଅତ୍ୟାଧୁନିକ ବିଶାଳ ମନୋରଞ୍ଜନ ପାର୍କ ନିର୍ମାଣ କରିବାକୁ ପରିକଳ୍ପନା କରାଯାଇଥିଲା। ୨୦୨୧ ମାର୍ଚ୍ଚ ମାସରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଦୁଇ ବର୍ଷ ଭିତରେ ନିର୍ମାଣ କାର୍ଯ୍ୟ ସଂପନ୍ନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏମିତିକି ୨୦୨୩ ଶେଷ ଆଡ଼କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚନ ପାଇଁ ମଧ୍ୟ ଯୋଜନା ଚାଲିଥିଲା। ତେବେ ଏସବୁ କେବଳ ପ୍ରହସନ ଥିଲା, ତାହା ସ୍ପଷ୍ଟ ହୋଇଯାଇଛି। ପ୍ରକଳ୍ପର ନିର୍ମାଣଅବଧି ସରିଲାଣି, କିନ୍ତୁ ପ୍ରକଳ୍ପ ଶେଷ ହେବାର ନାଁ ନେଉନି। ଏମିତିକି ଏହି ଅଧପନ୍ତରିଆ ପାର୍କରେ ଏବେ ଗାଈଗୋରୁ, ଛେଳି ବୁଲୁଥିବା ଦେଖିବାକୁ ମିଳୁଛି।
କୋଏଲ ନଦୀ କୂଳରେ ଥିବା ପ୍ରାୟ ୩୪ ଏକର ଜମିକୁ ଏକ ପ୍ରମୁଖ ବିନୋଦନ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ୨୦୨୦ ମସିହାରେ ଆର୍ଏସ୍ସିଏଲ୍ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା। ଯୋଜନାଥିଲା, ଏହି ମନୋରଞ୍ଜନ ପାର୍କରେ ଏକ ୱାଚ୍ଟାୱାର, ଫୁଡ୍ କୋର୍ଟ୍, ପ୍ଲେ’ ଜୋନ୍, ବିଶାଳ ପୋଖରୀ ଓ ନୌକାଚାଳନା ବ୍ୟବସ୍ଥା, ସ୍ବିମିଂ ପୁଲ୍, ସ୍କେଟିଂ ରିଙ୍କ୍, ପ୍ଲାଜା, ପର୍ଯ୍ୟାପ୍ତ ଖୋଲା ସ୍ଥାନ, ଆକର୍ଷଣୀୟ ବଗିଚା, ୱାଇ-ଫାଇ ହଟ୍ସ୍ପଟ୍ ଆଦି ଏକାଧିକ ବ୍ୟବସ୍ଥା ବିକଶିତ କରିବା। ୨୦୨୧ ମାର୍ଚ୍ଚ ମାସରେ ପ୍ରକଳ୍ପର ଶିଳାନ୍ୟାସ କରଯାଇଥିଲା। ପ୍ରାରମ୍ଭରେ ୧୫.୩୩ କୋଟି ବ୍ୟୟ ଅଟକଳ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ବଢ଼ି ପ୍ରାୟ ୩୪ କୋଟିରେ ପହଞ୍ଚିଲାଣି। ତଥାପି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିର୍ମାଣକାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇନି।
ଉଦ୍ଘାଟନ ପୂର୍ବରୁ ମରାମତି ଆବଶ୍ୟକ
ବିଡ଼ମ୍ବନା ଏହା ଯେ ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ମରାମତି ଆବଶ୍ୟକ ହେଲାଣି। ଆର୍ଏସ୍ସିଏଲ୍ର ତତ୍ତ୍ୱାବଧାନରେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଉଛି। କେତେବେଳେ ପାଣ୍ଠି-ସମ୍ବନ୍ଧୀୟ ସମସ୍ୟା ତ ପୁଣି କେତେବେଳେ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପ୍ରକଳ୍ପ ବେଗ ଧରିିପାରୁନି। ଆର୍ଏସ୍ସିଏଲ୍ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ କେବଳ ଅଗ୍ରଗତି ସମୀକ୍ଷାରେ ସୀମିତ ପ୍ରକଳ୍ପର ଭାଗ୍ୟ। ସହରବାସୀଙ୍କୁ ଉତ୍ତମ ସୁବିଧା ଯୋଗାଇବାକୁ ଯେଉଁ ଯୋଜନା ଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଯାଇଛି। ଏଠାରେ ନିର୍ମିତ ଭିତ୍ତିଭୂମିଗୁଡ଼ିକ ଭାଙ୍ଗିବା ଆରମ୍ଭ ହେଲାଣି। କେଉଁଠି କାଚ ଭାଙ୍ଗିଗଲାଣି ତ ପୁଣି କେଉଁଠି ଝରକା-କବାଟର ବିଭିନ୍ନ ଅଂଶ ଉଭାନ୍ ହୋଇଗଲାଣି। ଗୋଟିଏପଟେ ନିର୍ମାଣକାର୍ଯ୍ୟ ଚାଲିଥିବାବେଳେ ଅପରପଟେରେ ବୁଲା ଗାଈଗୋରୁ, ଛେଳି ପାର୍କ ଭିତରେ ବୁଲୁଥିବା ଦେଖିବାକୁ ମିଳୁଛି। ସେହିଭଳି ପାର୍କ ସମ୍ମୁଖରେ ମଧ୍ୟ ବୁଲା ପଶୁଙ୍କ ରାଜୁତି।
ଆହୁରି ପଢ଼ନ୍ତୁ: ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ରାଉରକେଲା ସ୍ମାର୍ଟ ସିଟି ସମ୍ବର୍ଦ୍ଧିତ
କେବେ ସରିବ, କେହି ଜାଣିନାହାନ୍ତି?
ବାସ୍ତବରେ ଏହି ପ୍ରକଳ୍ପର ଭାଗ୍ୟ କେବେ ଫିଟିବ? ସେ ବିଷୟରେ କାହା ପାଖରେ ସ୍ପଷ୍ଟ ସୂଚନା ନାହିଁ। କାରଣ, ଏଯାବତ୍ ପାର୍କର ବାକି ପଡ଼ିଥିବା ସିଭିଲ୍ କାମ, ମାଟି ସମତଳ କରିବା, ପ୍ଳମ୍ବିଂ, ବିଦ୍ୟୁତ୍ସଂଯୋଗ ଆଦି କାର୍ଯ୍ୟ ଆରମ୍ଭ ହୋଇନି। ଗତ ଅକ୍ଟୋବରରେ ଏନେଇ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ଅକ୍ଟୋବର ୧୪ ତାରିଖରେ ପାର୍କର ବଳକା ସିଭିଲ୍ କାମ ଏବଂ ଜମି ସମତଳ ଓ ପ୍ଲମ୍ବିଂ ପାଇଁ ଟେଣ୍ଡର୍ ଆହ୍ବାନ କରାଯାଇଥିଲା। ସିଭିଲ କାମ୍ ପାଇଁ ବ୍ୟୟ ଅଟକଳ ଥିଲା ୭୮ ଲକ୍ଷ ୩୮ ହଜାର ୭୩୩ ଟଙ୍କା। ସେହିଭଳି ଜମି ସମତଳ ଓ ପ୍ଲମ୍ବିଂ ପାଇଁ ୮୩ ଲକ୍ଷ ୩୯ ହଜାର ୪୮୮ ଟଙ୍କା ବଜେଟ୍ ରହିଥିଲା। ଏତଦ୍ବ୍ୟତୀତ ଗତ ଜୁଲାଇ ୧୮ ତାରିଖରେ ପାର୍କରେ ବୈଦ୍ୟୁତିକୀକରଣ ପାଇଁ ଟେଣ୍ଡର୍ ଆହ୍ବାନ କରାଯାଇଥିଲା। ଏହାର ମୋଟ୍ ବ୍ୟୟ ଅଟକଳ ରହିଥିଲା ୬୬ ଲକ୍ଷ ୮୮ ହଜାର ୮୭୮ ଟଙ୍କା। ତେବେ ଏସବୁ ନିର୍ଦ୍ଦିଷ୍ଟ କେବେ ଆରମ୍ଭ ହେବ ଓ ସରିବ, ତାହା ଅସ୍ପଷ୍ଟ।
ଆହୁରି ପଢ଼ନ୍ତୁ: Tirupati Silk Fabric Scam: ୧୦୦ ଟଙ୍କାର କପଡ଼ା ୧୪୦୦ ଟଙ୍କାରେ ବିକ୍ରି: ତିରୁପତିରେ ୧୦ ବର୍ଷ ଧରି ଚାଲିଥିଲା ରେଶମ ଦୁର୍ନୀତି
Follow Us