ଭୁବନେଶ୍ୱର:  ହାଏ ତୋ ପ୍ରେମର ରଙ୍ଗୋଲି..., ଅଭିମାନୀନି ଅମାନିଆ ଢେ଼ଉ..., ଟିକିଏ ଟିକିଏ ହଲେ ହଲେ..., ଇଂଲିଶ ଠୁମ୍‌କେ... ଭଳି ଗୀତରେ ସକାଳ ୬ ବେଳକୁ ଦୁଲୁକୁଥିଲା ବରମୁଣ୍ଡା-ଜାଗମରା ନୂଆରାସ୍ତା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆୟୋଜିତ ଦ୍ୱିତୀୟ ପଥ ଉତ୍ସବରେ ଏକ  କିଲୋମିଟର ବ୍ୟାପୀ ମେଲିଥିଲା ମନୋରଂଜନର ପସରା। ସମୟ ଯେତିକି ଗଡ଼ୁଥିଲା,  ଭିଡ଼ ସେତିକି ବଢୁଥିଲା। ସକାଳ ସାଢେ଼ ୬ଟା ବେଳକୁ ବରମୁଣ୍ଡା-ଜାଗମରା ନୂଆରାସ୍ତା ଲୋକାରଣ୍ୟ ହୋଇଯାଇଥିଲା। ଦୀପ୍ତିରେଖା ପାଢ଼ୀ ଓ ଜୟଶ୍ରୀ ଧଳ ନିଜ ଗୀତ ଜାଦୁରେ ଦର୍ଶକଙ୍କୁ ଝୁମେଇଥିଲେ। ସେହିପରି ଆଜି ଛୋଟଛୋଟ ଶିଶୁଙ୍କ ପାଇଁ ଖେଳକୁଦ ବ୍ୟବସ୍ଥା ହୋଇଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ଫେସ୍ ପେଣ୍ଟିଂ ଷ୍ଟଲ୍‌ରେ ଲୋକେ ନିଜ ମୁହଁରେ ରଙ୍ଗୀନ ଚିତ୍ର ଅଙ୍କାଇଥିଲେ। ସେଠାରେ ଯେତିକି ଭିଡ଼ ଜମିଥିଲା, ତାଠାରୁ ଆହୁରି ଭିଡ଼ ଜମିଥିଲା ଚିତ୍ରାଙ୍କନ ଷ୍ଟଲ୍‌ରେ। କୁନି କୁନି ଶିଶୁମାନେ ଚିତ୍ରାଙ୍କନ କରିବା ପାଇଁ ଧାଡ଼ିବାନ୍ଧି ବସିଥିଲେ। ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ରଙ୍ଗବେରଙ୍ଗ ଝୋଟିରେ  ରାସ୍ତା ରଙ୍ଗୀନ ହୋଇ ଉଠିଥିଲା ।

Advertisment

Kamala Nehru : କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଅସଜଡ଼ା ଭିତ୍ତିଭୂମି ବିଗାଡ଼ୁଛି ଶୈକ୍ଷିକ ବାତାବରଣ

 
ଦୁଇ ଦୁଇଟି ଭୁବେନେଶ୍ୱର ଗଟ୍ ଟ୍ୟାଲେଣ୍ଟ ମଞ୍ଚରେ  ଶହ ଶହ ଶିଶୁ, କିଶୋରକିଶୋରୀ, ଯୁବକ ଯୁବତୀ ମଞ୍ଚ ଦୁଲୁକେଇ ଦେଇଥିଲେ। ହଜାର ହଜାର ଦର୍ଶକଙ୍କ କରତାଳିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।  ପାରମ୍ପରିକ ନୃତ୍ୟ, ଗୀତ ଓ ଖେଳକୁଦ ସହ ମାଲଖମ୍, ଯୋଗ, କିଡ୍‌ସ କିଙ୍ଗଡମ୍, ପଜଲ ଗେମ୍, ଲୁଡୁ, ବାଘ ନାଚ ଓ ୨୬୦ ଡିଗ୍ରି କ୍ୟାମେରାର ମଜା ନେଇଥିଲେ ଭୁବନେଶ୍ୱରବାସୀ । ସାଇକେଲିଂ, ସ୍କେଟିଂ ସହ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଖେଳକୁଦର ବ୍ୟବସ୍ଥା କରାଯାଇଥିଲା। ଦୀର୍ଘ ଗୋଟିଏ କିଲୋମିଟର ବ୍ୟାପୀ ରାସ୍ତା କିଛି ସମୟ ପାଇଁ ଏକ ମେଳାର ଭ୍ରମ ସୃଷ୍ଟି କରିଥିଲା। ଏହା ସହିତ ପଥପ୍ରାନ୍ତ ନୃତ୍ୟ, ପାରମ୍ପରିକ ନୃତ୍ୟର କଳାକାରଙ୍କ ସହ ସେଲ୍ଫି ନେବାକୁ ଭୁଲି ନଥିଲେ ଲୋକେ।  ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ବିଏମ୍‌ସି କମିସନର ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଭିନ୍ନ ୱାର୍ଡର କର୍ପୋରେଟର୍‌ ଅତିଥି ଭାବେ ଯୋଗଦେଇଥିଲେ।

13 University Vice Chancellor Selection Issue: ୧୩ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ: ଏ ମାସରେ ମିଳିବେନି ନୂଆ ମୁଖିଆ

 
ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଧନ୍ୟବାଦ ଦେଇଥିଲେ।  ଅତିରିକ୍ତ କମିସନର ରତ୍ନାକର ସାହୁ ଓ କୈଳାସ ଚନ୍ଦ୍ର ଦାସ ସହଯୋଗ କରିଥିଲେ। ଫ୍ରେବ୍ରୁଆରି ୧ତାରିଖ ରବିବାର ସକାଳୁ ଇମ୍ଫୋସିଟିରେ ଚଳିତ ଶୀତଋତୁର ଶେଷ ପଥ ଉତ୍ସବ ଅନୁଷ୍ଠିତ ହେବ।

ଦେଶାତ୍ମବୋଧକ ଗୀତରେ କମ୍ପିଲା ରାସ୍ତା 

ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ମୁଖ୍ୟରାସ୍ତାରେ କ୍ରୀଡ଼ା ଓ ସାଂସ୍କୃତିକର କାର୍ଯ୍ୟକ୍ରମ ‘ଜଟଣୀ ପଥ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ମହୁଲଗୁଡ଼ିଆ ଛକରୁ ହରିଭାଇନା ଛକ ଆଜି ରୋକାରଣ୍ୟ ହୋଇଯାଇଛି। ରାସ୍ତାରେ ଆଜି ଆନନ୍ଦରେ ଜଟଣୀବାସୀ ନାଚ, ଗୀତ, ଖେଳକୁଦରେ ମତୁଆଲା ହୋଇଛନ୍ତି। ଏହି ଅବସରରେ ଏକାଠି ହୋଇଛନ୍ତି ସବୁ ଦଳର ନେତା ଓ କର୍ମୀ। ନାଚ, ଗୀତରେ ଝୁମିବା ସହ ଅଞ୍ଚଳବାସୀଙ୍କୁ ଝୁମାଇଥିଲେ। ସହରୀ ବ୍ୟସ୍ତତାରୁ ବାହାରି ପ୍ରଫୁଲ୍ଲିତ ହୋଇ ଶୀତୁଆ ସକାଳର ଉପଭୋଗ କରିଛନ୍ତି ଅଞ୍ଚଳବାସୀ। ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲୁଚି ରହିଥିବା କଳାକୁ ଆଜି ଲୋକ ଲୋଚନକୁ ଆଣି ପ୍ରଦର୍ଶନ କରିଛନ୍ତି। ଆଜି ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିଥିଲା। ତେବେ ଆଗକୁ ସାଧାରଣତନ୍ତ୍ର ଦିବସ ଆସୁଥିବାରୁ ଚଳିତ ପଥ ଉତ୍ସବରେ ଦେଶାତ୍ମବୋଧକ ସଙ୍ଗୀତରେ ବିମୋହିତ ହୋଇଥିଲେ ଦର୍ଶକ। ସେହିପରି ରାସ୍ତା ମଝିରେ ବାଘ ନାଚ, ଘୋଡ଼ା ନାଚ, କ୍ରିକେଟ୍, ଭଲିବଲ୍‌, ବାସ୍କେଟ୍‌ବଲ୍‌, କରାଟେ, ଚିତ୍ରାଙ୍କନ, ମୁରୁଜ, ଯୋଗ ଆଦିରେ ବିଭିନ୍ନ ବର୍ଗର ପ୍ରତିଯୋଗିମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେହିଭଳି ଛୋ ଛୋଟ ପିଲାମାନେ ସ୍କେଟିଂ କରିଥିଲେ ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗରେ ଏକକ ଅଭିନୟ କରି ଦେଖାଇଥିଲେ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଦ୍ବିତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଭୁବନେଶ୍ୱରରେ ମହାନଗର ନିଗମ ପକ୍ଷରୁ ଯେପରି ଅୟୋଜନ କରାଯାଉଛି, ଠିକ୍‌ ସେପରି ଆଗାମୀ ଦିନରେ ପ୍ରତି ୨/୩ ମାସରେ ଥରେ ଜଟଣୀ ପୌରପାଳିକା ପକ୍ଷରୁ ଅୟୋଜନ କରିବାକୁ କହିଥିଲେ। ସେହିପରି ଆଜି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଷ୍ଟେଜ୍ ଉପରେ ସମ୍ମାନିତ କରାଯାଇଥିଲା। ଆଜିର ପଥ ଉତ୍ସବ କାର୍ଯ୍ୟକ୍ରମକୁ ଉତ୍ସବର ସଂଯୋଜକ ଋଷି ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ବିଜେପି ନେତା ବିଶ୍ୱରଂଜନ ବଡ଼ଜେନା ଏହାର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମରେ ବିଜେପିର ସୁଦୀପ୍ତ ରାୟ, ପୌରାଧ୍ୟକ୍ଷ ଅନନ୍ତ ବେହେରା, ବିଡିଓ ବସନ୍ତ କୁମାର ହାତୀ, ତହସିଲଦାର ଶିବାଶିଷ ପରିଡ଼ା, ଥାନା ଅଧିକାରୀ ଷ୍ଟାଲିନ୍ ବିଶ୍ୱାଳ, ମେଡିକାଲ ଅଧିକାରୀ ଡା. ଜିତେନ୍ଦ୍ର କୁମାର ପଣ୍ଡା, ଅଗ୍ନିସେବା ଅଧିକାରୀ ଲକ୍ଷ୍ମଣ ବେହେରା, ସାଂସଦଙ୍କ ଦୁଇ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା, ବିକାଶ ପରିଷଦର ସଭାପତି ବିଜୁ ଛୋଟରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, କୈଳାସ ମହାପାତ୍ରଙ୍କ ସମେତ ଜଟଣୀ ବଜାର କମିଟି କର୍ମକର୍ତ୍ତା, ମ୍ୟୁନିସିପାଲଟିର କାଉନସିଲର୍‌ମାନେ ଉପସ୍ଥିତ ଥିଲେ। ଶେଷରେ ଉମାକାନ୍ତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।