ଭୁବନେଶ୍ବର: ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟା ଓ ଆଗନ୍ତୁକଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ବିଏମ୍ସି ପରିବେଶ ଅନୁକୂଳ କଳଙ୍କିବିହୀନ ଇ-ଟଏଲେଟ୍ର ବ୍ୟବସ୍ଥା କରିଥିଲା। ଏହି ଅତ୍ୟାଧୁନିକ ଇ-ଟଏଲେଟ୍ ସ୍ବୟଂଚାଳିତ ଥିଲା ଓ ଲୋକବଳ ନ ଲଗାଇ ବିଦ୍ୟୁତ୍ ଦ୍ବାରା ପରିଚାଳିତ ହେଉଥିଲା। ଅନ୍ୟ ଶୌଚାଳୟଠାରୁ ଏହା ଅଧିକ ସ୍ବାସ୍ଥ୍ୟକର ଓ ସଫାସୁତରା ରହିବ ବୋଲି କୁହାଯାଇଥିଲା। ଏ ବାବଦରେ ବିଏମ୍ସି ୫ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ୬ ବର୍ଷରେ ଏହାର ଭିତ୍ତିଭୂମି ଉଜୁଡ଼ିଗଲାଣି। ଉପରୁ ଚିକ୍କଣ ଦେଖାଯାଉଥିବା ଏହି ଇ-ଟଏଲେଟ୍ ମଧ୍ୟରୁ ଅଧାରୁ ଅଧିକ ଅଚଳ ଅବସ୍ଥାରେ ପଡ଼ିପଡ଼ି ଖତ ହେଲାଣି। ରାଜଧାନୀର ପ୍ରମୁଖ ଛକମାନଙ୍କରେ ସରକାରୀ ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ବିଏମ୍ସିର ବେପରୁଆ ମନୋଭାବକୁ ପଦାରେ ପକାଇଛି।
ଓଡ଼ିଶା ସରକାର ୨୦୧୮ରେ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିଥିଲେ। ସେ ସମୟରେ ବିଶ୍ବ ଦରବାରରେ ପ୍ରଶଂସା ସାଉଁଟିବା ପାଇଁ ରାଜ୍ୟ ସରକାର ବିଏମ୍ସି ଜରିଆରେ ରାଜଧାନୀର ପ୍ରମୁଖ ୩୦ଟି ଛକରେ ୬୦ଟି ଇ-ଟଏଲେଟ୍ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଇରାମ ସାଇଣ୍ଟିଫିକ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ଦିଆଗଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଜୟଦେବବିହାର, ଫରେଷ୍ଟ ପାର୍କ, ବାଣୀବିହାର ଭଳି ସ୍ଥାନରେ ଇ-ଟଏଲେଟ୍ ନିର୍ମାଣ ହେଲା। ଯେଉଁଠି ଇ-ଟଏଲେଟ୍ ନିର୍ମାଣ ହେଲା, ସେଠାରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ରହିଥିଲା। ସିଟି ଓମେନ୍ସ କଲେଜ, ଉତ୍କଳ ମଣ୍ଡପ, କଳିଙ୍ଗ ଷ୍ଟାଡିୟମ ଭଳି ସ୍ଥାନରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଇ-ଟଏଲେଟ୍ ବ୍ୟବସ୍ଥା ହେଲା। ଏହି ଇ-ଟଏଲେଟ୍ ପିଛା ପ୍ରାୟ ୧୯ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ହକି ବିଶ୍ବକପ ପୂର୍ବରୁ ୨୦୧୮ ଅକ୍ଟୋବରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଅନ୍ୟ ଜାଗାରେ ବି ଇ-ଟଏଲେଟ୍ ନିର୍ମାଣ କରାଗଲା।
କାମ ଦେଉନି ସ୍ବୟଂଚାଳିତ ବ୍ୟବସ୍ଥା
ଦୁର୍ଗନ୍ଧରେ ରହିହେଉନି
ଖର୍ଚ୍ଚ ହୋଇଥିଲା ୫.୭୭ କୋଟି
ଶୌଚାଳୟ ଭିତରେ କମୋଡ୍ ପ୍ୟାନ୍, ହାତଧୁଆ ବେସିନ୍ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଅଚଳ ହୋଇଗଲାଣି। କାମ ଦେଉନି ଇ-ଟଏଲେଟ୍ ସେନ୍ସର ଓ ସ୍ବୟଂଚାଳିତ ଫ୍ଲସ୍ ବ୍ୟବସ୍ଥା। ସେନ୍ସର କାମ ଦେଉ ନଥିବାରୁ ଏହାର ନାଲି ଓ ସବୁଜ ରଙ୍ଗ ଲାଇଟ୍ ବି ଜଳୁନି। ଏଣୁ ଯେଉଁମାନେ ଇ-ଟଏଲେଟ୍ରେ ଝାଡ଼ା, ପରିସ୍ରା କରୁଛନ୍ତି, ତାହା ଧୋଇ ହେଉ ନଥିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି। ସେପଟେ କେଉଁଠି ଏହାର କବାଟ ଖୋଲୁନି ତ କେଉଁଠି ଜମାରୁ ପାଣି ଆସୁନି। ଆଉ କେଉଁଠି ପାଣି ମୋଟର ନ ଥିବାରୁ ପାଣି ସଂଯୋଗକୁ ସଂପୂର୍ଣ୍ଣ କାଟି ଦିଆଯାଇଛି। ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ଇ-ଟଏଲେଟ୍ ବହୁ ଦିନ ହେବ ଅଚଳ ହୋଇ ପଡ଼ିଥିବାବେଳେ ଏହାକୁ ନାଲି ଫିତାରେ ଘେରାଇ ଦିଆଯାଇଛି। ଅପରପକ୍ଷେ ଅଚଳ ଥିବାରୁ ଏହାର ଚତୁଃପାର୍ଶ୍ବରେ ଅଳିଆ ସବୁ ଗଦାହେଲାଣି। ପାୱାରହାଉସ ଛକ, ଖାଓଗଳି, ବାଣୀବିହାର, ସିଆର୍ପି ଛକରେ ଇ-ଟଏଲେଟ୍ ବହୁଦିନରୁ ଅଚଳ ପଡ଼ିଥିବାବେଳେ ଏଥିପ୍ରତି ବିଏମ୍ସିର ନିଘା ନାହିଁ। ସେପଟେ ଏହାର ପରିଚାଳନା ଦାୟିତ୍ବ ନେଇଥିବା ଇରାମ ସାଇଣ୍ଟିଫିକ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ନିର୍ମାଣ ଖର୍ଚ୍ଚ ପାଇବା ପରେ ଆଉ ଆବଶ୍ୟକ ମରାମତି କି ଅନ୍ୟାନ୍ୟ ଅସୁବିଧା କଥା ବୁଝୁନି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଇ-ଟଏଲେଟ୍ ସବୁ ଅଚଳ ଅବସ୍ଥାରେ ପଡ଼ିଥିବା ବେଳେ ବିଏମ୍ସି ଆହୁରି କୋଟି କୋଟି ଟଙ୍କା ବ୍ୟୟ କରି ଗୋଟେ ପରେ ଗୋଟେ ନୂଆ ଶୌଚାଳୟ ନିର୍ମାଣ କରୁଛି।
E-KYC: ହିତାଧିକାରୀଙ୍କୁ ଇ-କେୱାଇସି ଅଡ଼ୁଆ: ରାସନ୍ ଚିନ୍ତାରେ ଲକ୍ଷେ ୩୦ ହଜାର
Follow Us