କାଳିଆପାଣି: କଟକ ବନଖଣ୍ଡ ଟମକା ବନାଞ୍ଚଳ ଟିକରପଡ଼ାରେ ବଣଜଙ୍ଗଲରେ ପଡ଼ିରହିଛି ନୀଳପଥର। ଏଠାରେ ବହୁ ଶସ୍ତାରେ ମିଳୁଥିବା ଏହି ପଥର ରାଜସ୍ଥାନରେ ପହଞ୍ଚିବା ପରେ ଦୁର୍ମୂଲ୍ୟ ହୋଇଯାଉଛି। ସେଠାରେ କାରିଗରମାନେ ସୂକ୍ଷ୍ମ କାରୁକାର୍ଯ୍ୟ ତଥା ସୁନ୍ଦର ବୁଦ୍ଧ ଓ ମହାବୀର ଜୈନଙ୍କ ମୂର୍ତ୍ତି ତିଆରି କରିବା ପରେ ଏହା ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି। ଦୈତାରୀ ପର୍ବତ ଓ ପାର୍ଶ୍ବସ୍ଥିତ ମହାଗିରି ପାହାଡ଼ରୁ ନୀଳପଥର ଉତ୍ତୋଳନ କରାଯାଉଥିଲେ ହେଁ ଟିକରପଡ଼ା ନୀଳପଥରର ଅଧିକ ଚାହିଦା ରହିଛି ବୋଲି ଜେଲ୍‌ ଯାଇଥିବା ରାଜସ୍ଥାନୀ ପଥର ମାଫିଆ କୁଲଦୀପ ଯାଦବ କହିଛି। ସହକାରୀ ବନ ସଂରକ୍ଷକ (ଏସିଏଫ୍‌) କିଶୋର କୁମାର ପାଣିଗ୍ରାହୀ ଓ ଟମକା ବନପାଳ ମାଣିକ ମୁଣ୍ଡା ଜେରା କରିବା ପରେ ଏପରି ତଥ୍ୟ ହସ୍ତଗତ ହୋଇଛି। ସ୍ବତନ୍ତ୍ର ନୀଳ ମୁଗୁନି ପଥରରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଗୃହ ସାଜସଜ୍ଜା କଳାକୃତି, ଉଦ୍ୟାନ ଓ ପଥରଗୁଣ୍ଡ ମୋଜାଇକ୍ ଚଟାଣରେ ବ୍ୟବହୃତ ହୋଇଥାଏ। ଯେତେ ଛୋଟ ପଥର ହେଲେ ବି ଶିଳ୍ପୀମାନେ ସେହି ଆଧାରରେ ଆକୃତି ଦେଇଥାନ୍ତି। ବିଦେଶରେ ସ୍ବତନ୍ତ୍ର ବୁଦ୍ଧମୂର୍ତ୍ତିର ବହୁ ଚାହିଦା ରହିଛି। ଏସବୁ ମୂର୍ତ୍ତି ରାଜସ୍ଥାନରୁ ଭୁଟାନ, ଶ୍ରୀଲଙ୍କା, କାମ୍ବୋଡ଼ିଆ, ଥାଇଲାଣ୍ଡ, ମ୍ୟାମାର, ଲାଓସ୍‌, ମଙ୍ଗୋଲିଆ ଆଦି ଦେଶକୁ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି।

Advertisment

Saksham Anganwad: ମାର୍ଗଦର୍ଶିକା ଅନୁଯାୟୀ ନାହିଁ ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ର, ଜିଲ୍ଲା ଧାର୍ଯ୍ୟ ଲକ୍ଷ୍ୟ ବି ହୋଇନି ପୂରଣ

ଟିକରପଡ଼ାରେ ସ୍ବତନ୍ତ୍ର ନୀଳପଥର କେଜି ୧୫ ଟଙ୍କାରେ କିଣାଯାଉଛି, ଖୋର୍ଦ୍ଧାରେ ତାହା ୨ ଶହ ଟଙ୍କା ବୋଲି ୨୦୧୯ରୁ ଏହି କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ କୁଲଦୀପ କହିଛି। ରାଜସ୍ଥାନ ଜୟପୁରରେ ଏହାକୁ ପ୍ରାଚୀନ ପଥର ଦର୍ଶାଇ କିଲୋ ପିଛା ୪ ଶହରୁ ୫ଶହ ଟଙ୍କାରେ ବିକ୍ରି ହୋଇଥାଏ। ଓଜନ ଓ ଉଚ୍ଚତା ଆଧାରରେ ମୂର୍ତ୍ତିର ଦର ଧାର୍ଯ୍ୟ ହୋଇଥାଏ। ସେହିପରି ଗ୍ରାହକଙ୍କୁ ଭୁଆଁ ବୁଲାଇ ଈଷତ୍ ହଳଦିଆ ରଙ୍ଗର ପଥରକୁ କ୍ୟାଟ୍ସଆଇ ଓ ଗାଢ଼ ନୀଳରଙ୍ଗର ସ୍ବଚ୍ଛ ନୀଳପଥରକୁ ଇମରାଲ୍‌ଡ (ମର୍କତମଣି) ରତ୍ନପଥର ଭାବେ ବିକ୍ରି କରାଯାଇଥାଏ। 

Health: ବଣ୍ଡା ଯୁବକଙ୍କ ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ସହଯୋଗ ଆସିଲା

୨୦୦୮ରୁ ଦୈତାରି ପାହାଡ଼ ତଳ ଟିକରପଡ଼ାର ବିଭିନ୍ନ ଅଞ୍ଚଳରୁ ନୀଳପଥର ଚୋରାଚାଲାଣ ହୋଇଆସୁଛି। ଗତ ଅଗଷ୍ଟରେ ଟିକରପଡ଼ାରୁ ବିପୁଳ ନୀଳପଥର ଜବତ ସହ ସ୍ଥାନୀୟ ମାଫିଆ ବାଦଲ ଜେନାକୁ ଗିରଫ କରାଯାଇଥିଲା। ଜଣେ ସ୍ଥାନୀୟ ମାଫିଆର ମୃତ୍ୟୁ, ତା’ ସଂପର୍କରେ ଥିବା ବିଭିନ୍ନ ସହଯୋଗୀଙ୍କ ଘରେ ଚଢ଼ଉ ପରେ ୪ ଜଣ ମାଫିଆ ଏବେ ଆତ୍ମଗୋପନ କରିଛନ୍ତି। କୁଲଦୀପର କଳା ବ୍ୟବସାୟ ବାଧାପ୍ରାପ୍ତ ହେବାରୁ ଗତ ୨୭ ତାରିଖରେ ସେ ପଶ୍ଚିମଓଡ଼ିଶାର ମାଫିଆ ବୁଦୁରାଜୁ ସହ ଟମକା ଓ ଟିକରପଡ଼ା ଆସିଥିଲା। ଟିକରପଡ଼ାର ଜଣେ ଦଲାଲ ଓ ରାଇଘାଟିର ୨ ଅଭିଯୁକ୍ତ ଇନ୍ଦ୍ରଜିତ ମୁଣ୍ଡା, ଦେବେନ ମୁଣ୍ଡା ସହାୟତାରେ ସେ ଏକ ମେଟ୍ରିକ୍‌ ଟନ୍‌ ପାଖାପାଖି ନୀଳପଥର ‌ସଂଗ୍ରହ କରିଥିଲା। ବନ ବିଭାଗ ହାତରେ ଧରାପଡ଼ିବା ପରେ ଖୋର୍ଦ୍ଧାରେ ରହୁଥିବା ତା’ ପତ୍ନୀ ଟମକା ଆସି ରାଜନୈତିକ ଚାପ ପକାଇ କୁଲଦୀପକୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲା। ଦାମୀ ବିଳାସପୂର୍ଣ୍ଣ କାରରେ ଆସିଥିବା ଏହି ମହିଳା ଟିକରପଡ଼ାର ଦଲାଲ୍‌ ସହାୟତାରେ ଲକ୍ଷାଧିକ ଟଙ୍କାରେ ମୂଲଚାଲ୍ ପାଇଁ ଚେଷ୍ଟା କରିଥିଲା ବୋଲି ଜଣାପଡ଼ିଛି।