ଭୁବନେଶ୍ବର: ରାଜଧାନୀରେ ନକଲି ଜିନିଷ ବିକୁଥିଲେ ସାବଧାନ ହୋଇଯାଆନ୍ତୁ। ଧରାପଡ଼ିବା ନିଶ୍ଚିତ। ବନ୍ଧା ହେବେ, ଦୋକାନରେ ତାଲା ବି ଝୁଲିବ। ଦିନକୁ ଦିନ ରାଜଧାନୀରେ ନକଲି ଜିନିଷ ବିକ୍ରି ବଢ଼ୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ଏସ୍‌ଟିଏଫ୍‌ର ଏକ ଟିମ୍‌ ୟୁନିଟ୍‌-୧ ମାର୍କେଟ୍‌ରେ ଥିବା କିଛି କସ୍‌ମେଟିକ୍‌ ଦୋକାନ ଉପରେ ଚଢ଼ଉ କରି ସେଠାରୁ ସାମ୍ପୁ,‌ କ୍ରିମ୍‌, ଲୋସନ, ବଡିୱାସ୍‌, ସାବୁନ୍ ଆଦିର ନମୁନା ସଂଗ୍ରହ କରିଛି। ଏହି ନମୁନାକୁ ଚେନ୍ନାଇ ସେଣ୍ଟ୍ରାଲ୍‌ ଡ୍ରଗ୍‌ ଟେଷ୍ଟିଙ୍ଗ ଲାବାରେଟୋରି(ସିଡିଟିଏଲ୍‌)କୁ ପଠାଯାଇଛି। ଏସ୍‌ଟିଏଫ୍‌ର ଏଭଳି ଚଢ଼ଉ ପରେ ଏବେ ସବୁଠି ଛନକା ପଶିଛି। 

Advertisment

ସୂଚନା ମୁତାବକ, କିଛି ଦିନ ହେବ ରାଜଧାନୀରେ ନକଲି ଜିନିଷ ବିକ୍ରି ନେଇ ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା। ଦାମୀ ତଥା ବଡ଼ ବଡ଼ ବ୍ରାଣ୍ଡର କସ୍‌ମେଟିକ୍‌ ନାଁରେ ନକଲି ଜିନିଷ ବିକ୍ରି କରାଯାଉଛି। କଭର ସାଙ୍ଗକୁ ମେଟେରିଆଲ୍‌ ଏଭଳି ଦିଆଯାଉଛି ସାଧାରଣଲୋକ ଅସଲି ଓ ନକଲି ଭିତରେ ଫରକ ଜାଣିବା କାଠିକରପାଠ। ତେଣୁ ଏସ୍‌ଟିଏଫ୍‌ର ଚନ୍ଦନ ଗିରି, ପ୍ରବେଶ ଲେଙ୍କା, ଧର୍ମଦେବ ପୁହାଣ, ସୁଦର୍ଶନ ବିଶ୍ବାଳ ଓ ତୁଷାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଆଜି ଅର୍ଥାତ ଗୁରବାର ଦିନ ପାଖାପାଖି ସାଢ଼େ ୧୧ଟା ସମୟରେ ୟୁନିଟ୍‌-୧ ମାକେଟେ୍‌ରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୬ଟି ଦୋକାନର କ୍ରିମ୍‌, ଲୋସନ, ନେଲ୍‌ ପଲିସ୍‌, ଡିଓଡରାଣ୍ଟ, ପର୍‌ଫ୍ୟୁମ୍‌ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେଠାରୁ ପାଖାପାଖି ୧୫ଟି ବ୍ରାଣ୍ଡ୍‌ର ନମୁନା ସଂଗ୍ରହ କରାଯାଇଥିଲା। ସେହିପରି ଯେଉଁ ଦୋକାନୀଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କ ତାଲିକା କରିଥିଲା। ପରେ ନମୁନାକୁ ସଡିଟିଏଲ୍‌କୁ ପଠଯାଇଥିଲା। ମାସକ ମଧ୍ୟରେ ରିପୋର୍ଟ ଆସିବା ପରେ ଏହା ଅସଲି ନା ନକଲି ତାହା ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଯଦି କୌଣସି କସ୍‌ମେଟିକ୍‌ ନକଲି ବାହାରେ, ତେବେ ସେହି ସବୁ ଦୋକାନୀଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ତେବେ କେବଳ ମାର୍କେଟ୍‌ ବିଲ୍ଡିଂ ନୁହେଁ; ରାଜଧାନୀର ସମସ୍ତ ଅଞ୍ଚଳରେ ଚଢ଼ଉ କରାଯିବ। ଏଥିପାଇଁ ଭିନ୍ନ ଭିନ୍ନ ଟିମ୍‌ ମଧ୍ୟ ଗଠନ କରାଯାଇଥିବା ଜଣାପଡ଼ିଛି। ଏସ୍‌ଟିଏଫ୍‌ର ଏଭଳି ଚଢ଼ଉ ପରେ ‌ନକଲି ଜିନିଷ ରଖୁଥିବା ଦୋକାନୀଙ୍କ ମୁଣ୍ଡରେ ଖଣ୍ଡା ଝୁଲିଛି।