ଚନ୍ଦ୍ରଶେଖରପୁର: ରାସ୍ତାରେ ଯାଉଥିବା ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ମାଳମାଳ ଯୋଜନା ହେଉଛି। ମାତ୍ର ସେଗୁଡ଼ିକ କେବଳ କାଗଜପତ୍ରରେ ରହିଯାଉଛି। କାର୍ଯ୍ୟକାରୀ ହେଉନାହିଁ କି ଆମ୍ବୁଲାନ୍ସକୁ ଟ୍ରାଫିକ୍‌ ଯନ୍ତ୍ରଣାରୁ ନିସ୍ତାର ମିଳୁନି। ଟ୍ରାଫିକ୍‌ ଛକରେ ବାମପାର୍ଶ୍ବ ରାସ୍ତା ଆମ୍ବୁଲାନ୍ସ ପାଇଁ ଛାଡ଼ିବା, ପ୍ଲାଷ୍ଟିକ୍‌ ବ୍ୟାରିକେଡ୍‌ ଲଗାଇବା ଭଳି କାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳିପାରି ନାହିଁ। ଏବେ ପୁଣିଥରେ ଜୟଦେବବିହାର ଓ ଏଜି ଛକରେ ବାମପାର୍ଶ୍ବ ରାସ୍ତା ବାଟ ଛାଡ଼ିବାକୁ ଟ୍ରାଫିକ୍‌ ଡେଲିନେଟୋର ପୋଷ୍ଟ(ପ୍ଲାଷ୍ଟିକ୍‌ ବାରିକେଡ୍‌) ନିର୍ମାଣ କରାଯାଇ ଆମ୍ବୁଲାନ୍ସ ସମେତ ଅନ୍ୟ ଗାଡ଼ିଗୁଡ଼ିକ ପାଇଁ ସ୍ବତନ୍ତ୍ର ବାଟ ହୋଇଛି। ତେବେ ପୂର୍ବରୁ ବିଫଳ ହୋଇଥିବା ଏହି ବାରିକେଡ୍‌ର ସ୍ଥାୟିତ୍ବ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଜୟଦେବବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ଭିଡ଼ ଭିତରେ ଦୈନିକ ଶତାଧିକ ଆମ୍ବୁଲାନ୍ସ ଯିବା ଆସିବା କରୁଛି। ସାଇରନ୍ ଦେଇ ଆମ୍ବୁଲାନ୍ସଗୁଡ଼ିକ ଆଗକୁ ବଢ଼ୁଥିଲେ ମଧ୍ୟ କେହି ରାସ୍ତା ଛାଡୁନାହାନ୍ତି। ଟ୍ରାଫିକ୍‌ ପୋଷ୍ଟରେ ରାସ୍ତାର ବାମପାର୍ଶ୍ବ ଲେନ୍‌କୁ ଗାଡ଼ି ଚାଳକ ସମ୍ପୂର୍ଣ୍ଣ ଭାବେ କବଜାକୁ ନେଇ ଯାଉଥିବା ବେଳେ ମନଇଚ୍ଛା ଗାଡ଼ି ପୂରାଉଛନ୍ତି। ଯେଉଁଥିପାଇଁ ଆମ୍ବୁଲାନ୍ସଗୁଡ଼ିକ ଆଗକୁ ବଢ଼ିବା ସମ୍ଭବପର ହେଉ ନାହିଁ। କେବଳ ସେତିକି ନୁହେଁ ଟ୍ରାଫିକ୍‌ ଜାମ୍ ଏତେ ସଙ୍ଗୀନ ହେଉଛି ଯେ ଦିନେ ଦିନେ ପୂର୍ବାହ୍ଣରେ ବିମାନବନ୍ଦରରୁ ବାହାରି ନନ୍ଦନକାନନରେ ପହଞ୍ଚିବାକୁ ୪୫ ମିନିଟ୍ ସମୟ ଲାଗିଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜୟଦେବବିହାରଠାରୁ କିଟ୍‌ ଛକ ମଧ୍ୟରେ ୧୫ରୁ ଅଧିକ ବଡ଼ ଘରୋଇ ମେଡିକାଲ ରହିଛି। ଯେଉଁଠାକୁ କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଶହ ଶହ ଆମ୍ବୁଲାନ୍ସ ଚଳପ୍ରଚଳ କରୁଛି।

ମେଡିକାଲରେ ଠିକ୍‌ ସମୟରେ ପହଞ୍ଚୁନାହାନ୍ତି ରୋଗୀ
ଜୟଦେବବିହାର ଛକରେ ଟ୍ରାଫିକ୍‌ ଡେଲିନେଟୋର ପୋଷ୍ଟ

ଆମ୍ବୁଲାନ୍ସ ସୁରୁଖୁରୁରେ ଯିବା ଆସିବା କରିବାକୁ ଏହି ରାସ୍ତାର ଜୟଦେବବିହାର, ଜାଭିଅର ଛକ, ନାଲକୋ ଛକ, ଡମଣା, ପଟିଆ, କଳାରାହାଙ୍ଗ ଛକରେ ଟ୍ରାଫିକ୍‌ ଡେଲିନେଟୋର ପୋଷ୍ଟ ଲଗାଯାଇଥିଲା‌। ମାତ୍ର ତାହା ବେଶି ଦିନ ତିଷ୍ଠିଲା ନାହିଁ। କେବେ ଗାଡ଼ି ଧକ୍କାରେ ତ ଆଉ କେବେ ଅସାମାଜିକଙ୍କ କାର୍ଯ୍ୟକଳାପରେ ଭାଙ୍ଗି ଯାଇଛି। ଏବେ ଗାଡ଼ିଚାଳକମାନେ ନିଜ ମନ ଇଚ୍ଛା ଟ୍ରାଫିକ୍‌ରେ ଗାଡ଼ି ରଖୁଛନ୍ତି। ଆଉ ବ୍ୟାରିକେଡ୍‌ ହେଉ ନାହିଁ କି ଟ୍ରାଫିକ୍‌ ପୁଲିସ ଗାଡ଼ିଚାଳକଙ୍କୁ ସଚେତନ କରୁନାହାଁଁନ୍ତି। ପରିଣାମ ସ୍ବରୂପ ୨୦୨୦ ଫେବ୍ରୁଆରି ଘଟଣାର ପୁର୍ନରାବୃତ୍ତି ହେବାର ଆଶଙ୍କା ପ୍ରକାଶ ପାଇଛି। ସେତେବେଳେ ନାଲକୋ ଛକରେ ଭିଡ଼ ଭିତରେ ଏକ ଆମ୍ବୁଲାନ୍ସ ଫସିଯିବାରୁ ୫ ବର୍ଷର ଶିଶୁ ଠିକ୍‌ ସମୟରେ ମେଡିକାଲରେ ପହଞ୍ଚି ପାରି ନଥିଲା। ଅଧାବାଟରେ ଶିଶୁର ଜୀବନ ଚାଲିଯାଇଥିଲା।

NH: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୬ ଲେନ୍‌ କରିବା ନେଇ ହେବ ସର୍ଭେ

ତତ୍‌କାଳୀନ ଟ୍ରାଫିକ ଡିସିପି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ଦେବାକୁ ଗାଡିଚାଳକ ଓ ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ନିବେଦନ କରିଥିଲେ। ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ କେହି ପ୍ରସ୍ତୁତ ନୁହଁନ୍ତି। କମିସନରେଟ୍‌ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ନିୟମ କଡ଼ାକଡ଼ି ହେବ। ଏବେ ଜୟଦେବବିହାର ଛକରେ ଟ୍ରାଫିକ୍‌ ଡେଲିନେଟୋର ପୋଷ୍ଟ ହୋଇଛି। ଫଳରେ ଆଚାର୍ଯ୍ୟବିହାର ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ସହଜରେ କଳିଙ୍ଗ ଷ୍ଟାଡିୟମ୍‌ ଆଡ଼କୁ ଯାଇପାରୁଛନ୍ତି। ଆଗାମୀ ଦିନରେ ଅନ୍ୟାନ୍ୟ ଟ୍ରାଫିକ୍‌ ପୋଷ୍ଟରେ ଏଭଳି ବ୍ୟବସ୍ଥା କରାଯିବ।