ଭୁବନେଶ୍ବର: କେବଳ ରସଗୋଲା, ରସାବଳୀ, ମଗଜି ଆଦି ଜିଆଇ ମାନ୍ୟତା ପାଇଥିବା ମିଠା ନୁହେଁ, କିମ୍ବା ନିମାପଡ଼ା ଛେନାଝିଲ୍ଲି, ନୟାଗଡ଼ ଛେନାପୋଡ଼, ଭଦ୍ରକ ପାଳୁଅ ଲଡ୍ଡୁ, ସମ୍ବଲପୁର ସରସତିଆ ଭଳି ମିଠା ନୁହେଁ; ଓଡ଼ିଶାର ପର୍ବପର୍ବାଣୀ ଯାହା ବିନା ଅଧୁରା ସେଇ ଆରିସା, କାକରା, ଚକୁଳି, ଛୁଞ୍ଚିପତ୍ର, ଏଣ୍ଡୁରି, ପୋଡ଼ପିଠା, ମଣ୍ଡା, ଗଇଁଠା, ଚିତଉ ଭଳି ପିଠା ବି ଓଡ଼ିଶା ଅସ୍ମିତାର ପରିଚୟ। ହେଲେ ବିଭିନ୍ନ ଗୋଷ୍ଠୀଗତ ଓ ସରକାରୀସ୍ତରରେ ଓଡ଼ିଶାର ଖାଦ୍ୟବ୍ୟଞ୍ଜନ ଭାବେ କେବଳ ଓଡ଼ିଶାର ମିଠାଗୁଡ଼ିକ ଜିଆଇ ମାନ୍ୟତା ଦେବାକୁ ଉଦ୍ୟମ ହେଉଥିବା ବେଳେ ଓଡ଼ିଶାର ଗରିମାମୟ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଅଧିକ ନିଆରା କରୁଥିବା ପିଠାଗୁଡ଼ିକୁ ଜାତୀୟ ସ୍ବୀକୃତି ଦେବାକୁ ଯେମିତି ଆମେ ପଛଘୁଞ୍ଚା ଦେଉଛୁ।
Job: ବେକାରି ହାର ୬.୭%କୁ ହ୍ରାସ: ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଅଧିକ ଲୋକଙ୍କୁ ନିଯୁକ୍ତି
ଆରିସା ପିଠା ଜିଆଇ ପାଇପାରେ
ଅଧିକ ଗବେଷଣା ଓ ଅନୁଶୀଳନ ଜରୁରି
ଭାରତ ଇତିହାସରେ ‘ପିଠା’ ଇତିହାସ ଖୁବ ପ୍ରାଚୀନ। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ପିଠାର ସ୍ଥାନ ସ୍ୱତନ୍ତ୍ର। ବାହାଘରଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ଯାଏଁ, ସବୁ କାମରେ ପିଠାକୁ ଖୋଜା ପଡ଼େ। ଓଡ଼ିଆଙ୍କ ଇଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥ ପିଠା ପ୍ରିୟ। ଏଣୁ ଶ୍ରୀମନ୍ଦିରର ଛପନ ପଉଟି ଭୋଗ ମଧ୍ୟରେ ଭିନ୍ନ ଭିନ୍ନ ପିଠାର ବର୍ଣ୍ଣନା ରହିଛି। ଏଣୁ ଆମ ପିଠାର ଇତିହାସ କେତେ ପୁରୁଣା ସେ ନେଇ ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଆରିସା, ପୋଡ଼ପିଠା, ମଣ୍ଡା ଓ କାକରା ଆଦି ରଜ, ଦଶହରାଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ବିକ୍ରି ବି ହେଉଛି। ଏଣୁ ଆମ ଐତିହ୍ୟର ପରିଚୟ ଏହି ପିଠାଗୁଡ଼ିକ ଜିଆଇ ମାନ୍ୟତା ଦେବାରେ ଅସୁବିଧା କେଉଁଠି ରହିଛି ବୋଲି ସଂସ୍କୃତିପ୍ରେମୀ ପ୍ରଶ୍ନ କରିଛନ୍ତି।
Jammu Kashmir: ଜମ୍ମୁ-କାଶ୍ମୀରରେ ୩୧ଟି ପଥର କ୍ରସର ନେତା ଓ ବାବୁଙ୍କ ମାଲିକାନାରେ ରହିଛି : ଖଣିମନ୍ତ୍ରୀ
ଏନେଇ ଜିଆଇ ଟ୍ୟାଗ୍ ଉପରେ ଗବେଷଣାରତ ଡ. ଅନୀତା ସାବତ କୁହନ୍ତି, ଆମର ପିଠା ସବୁ ପ୍ରତିଟି ଓଡ଼ିଆ ଘରେ ତିଆରି ହୁଏ। ସବୁ ଘରର ସ୍ବାଦ ସମାନ। ଏହାକୁ ଓଡ଼ିଶା ବାହାରେ ବି ତିଆରି କଲେ ସମାନ ସ୍ବାଦ ରହିବ। ଏଣୁ ଏହାର ଆଞ୍ଚଳିକଭିତ୍ତିରେ ସ୍ବତନ୍ତ୍ର ସ୍ବାଦ ନାହିଁ। ଏହା ଉପରେ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକେ ଆର୍ଥିକ ଭାବେ ମଧ୍ୟ ନିର୍ଭରଶୀଳ ନୁହନ୍ତି। ଯେମିତି କଟକ, ଜଗତସିଂହପୁର, ନିମାପଡ଼ା, ପୁରୀ ଆଦିର ଛେନା ସ୍ବତନ୍ତ୍ର। ଏଣୁ ଏହି ଛେନାରୁ ପ୍ରସ୍ତୁତ ଛେନାଝିଲ୍ଲି ଓ ରସଗୋଲାର ସ୍ବାଦ ସ୍ବତନ୍ତ୍ର। ଅନ୍ୟତ୍ର ଏହି ଛେନାଝିଲ୍ଲି ବା ରସଗୋଲା ତିଆରି କଲେ ସେଇ ସମାନ ସ୍ବାଦ ଆସିବ ନାହିଁ। ସେହିଭଳି ଢେଙ୍କାନାଳ ମଗଜି ମଇଁଷି କ୍ଷୀର ଛେନାରେ ପ୍ରସ୍ତୁତ ଯୋଗୁ ଏହାର ସ୍ବାଦ ଭିନ୍ନ ଓ ସ୍ବତନ୍ତ୍ର। ଏଥିସହ ଏହି ସବୁ ଉତ୍ପାଦ ଏକ ସ୍ବତନ୍ତ୍ର ଶୈଳୀରେ ଓ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଥାଏ। ଏକ ଉତ୍ପାଦ ଗୋଷ୍ଠୀ ଏହାକୁ ରୋଜଗାର ମାଧ୍ୟମ କରି ବଞ୍ଚନ୍ତି। ଏଣୁ ଏସବୁ ଉତ୍ପାଦ ଜିଆଇ ମାନ୍ୟତା ପାଇବା ଯୋଗ୍ୟ। କିନ୍ତୁ ଓଡ଼ିଶାର ପିଠାଗୁଡ଼ିକ ଜିଆଇ ମାନ୍ୟତା ମିଳିବା ଉପରେ ସମ୍ଭାବନା କମ୍ ରହୁଛି।
ହେଲେ ଆରିସା ପିଠା ଏ ଭିତରୁ ଭିନ୍ନ। ଆରିସାର ଭିନ୍ନ ଇତିହାସ ରହିଛି। ଏହା ଏକ ସ୍ବତନ୍ତ୍ର ଗୋଷ୍ଠୀ ବିକ୍ରି ବି କରୁଛନ୍ତି। ଇତିହାସ କହୁଛି, ଜ୍ଞାନପ୍ରାପ୍ତି ପରେ କ୍ଷୁଧାର୍ତ୍ତ ଗୌତମ ବୁଦ୍ଧଙ୍କୁ ଓଡ଼ିଶାର ଦୁଇ ସାଧବ ପୁଅ ତ୍ରିପୁଷ ଓ ଭଲ୍ଲିକ ମହୁ ଓ ଚାଉଳ ପ୍ରସ୍ତୁତ ପିଠା ଭୋଜନ କରାଇଥିଲେ। ଇତିହାସରେ ବର୍ଣ୍ଣିତ ଏହି ପିଠା ଆରିସା ବୋଲି ଐତିହାସିକମାନେ କୁହନ୍ତି। ଏହି ସାଧବ ପୁଅମାନେ ୫୦୦ଟି ଶଗଡ଼ରେ ପଣ୍ୟ ଘେନି ମଗଧ ଅଭିମୁଖେ ଯାତ୍ରା କରୁଥିଲେ। ଅର୍ଥାତ ସେମାନେ ସେଥିରେ ଆରିସା ବିକ୍ରି ପାଇଁ ନେଇ ଥାଇପାରନ୍ତି। ଏବେ ବହୁ ଏସ୍ଏଚ୍ଜି ଆରିସା ପ୍ରସ୍ତୁତ କରି ବିକ୍ରି କରିଛନ୍ତି। ଏଣୁ ଆରିସାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇପାରେ। କିନ୍ତୁ ଏହା ପୂର୍ବରୁ କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହା ପ୍ରସ୍ତୁତ ହେଉଛି, ଉତ୍ପତ୍ତି, ପ୍ରସ୍ତୁତି ପ୍ରଣାଳୀ, କେତେ ଲୋକେ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି; ଏସବୁର ଠିକ୍ ଓ ନିର୍ବିବାଦୀୟ ଦସ୍ତାବିଜ ପ୍ରସ୍ତୁତିର ଆବଶ୍ୟକତା ରହିଛି। ଏଥିପାଇଁ ଗଭୀର ଗବେଷଣା ଓ ତଥ୍ୟଗତ ଅନୁଶୀଳନ ଆବଶ୍ୟକ। ତେବେ ଯାଇ ଏହାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିପାଇ ଯାଇପାରେ ବୋଲି ଡ. ସାବତ କହିଛନ୍ତି।
Follow Us