ବାଲିଅନ୍ତା ବଜାର: ଅସ୍ତିତ୍ବ ହରାଇବସିଥିବା ପୁରାଣ ବର୍ଣ୍ଣିତ ପୁଣ୍ୟତୋୟା ପ୍ରାଚୀନଦୀର ପୁନରୁଦ୍ଧାର ପାଇଁ ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଏହି ପବିତ୍ର ନଦୀକୁ ପୁନର୍ଜୀବନ ଦେବା ପାଇଁ ବିଭିନ୍ନ ପ୍ରତୀକାତ୍ମକ ଆନ୍ଦୋଳନ ବି ଚାଲିଛି। କେବଳ ସେତିକି ନୁହେଁ, ଏହି ନଦୀର ପୁନରୁଦ୍ଧାର ପାଇଁ ରାଜନୈତିକ ଦଳ ପକ୍ଷରୁ ନେତାମାନେ ବି ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ପରିତାପର କଥା, ପ୍ରତିଶ୍ରୁତି ପୂରଣ ବିଳମ୍ବିତ ହେଉଥିବା ମଉକାରେ କିଛି ଅସାଧୁ ବ୍ୟକ୍ତି ଏହି ନଦୀର ପଠାକୁ କବ୍‌ଜା କରିଚାଲିଛନ୍ତି। ଜବରଦଖଲକାରୀମାନେ ନଦୀପଠାକୁ ମାଡ଼ିବସିବା ଦ୍ବାରା ପ୍ରାଚୀର କଳେବର ସଂକୁଚିତ ହୋଇଚାଲିଛି। ଜବରଦଖଲକାରୀମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ନଦୀର ପୁନରୁଦ୍ଧାର ପ୍ରକ୍ରିୟାକୁ ସେମାନେ ଅଟକାଉଥିବା ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି।  

Advertisment

Paddy: ଶେଷ ହେଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ

ଭିଙ୍ଗାରପୁର ଅଞ୍ଚଳର ଲୋକଙ୍କ କହିବା ଅନୁସାରେ ମହାନଦୀର ଅନ୍ୟତମ ଶାଖା ନଦୀ ପ୍ରାଚୀ, ତା’ର ଜନ୍ମସ୍ଥାନ ବାରଙ୍ଗ ମୁଣ୍ଡଳୀ ଅଞ୍ଚଳରୁ ମରିସାରିଛି। ଏବେ ନଖରା ଅଞ୍ଚଳରୁ ତଳମୁଣ୍ଡ ଆଡ଼କୁ ଏହି ନଦୀର କିଛି ଅଂଶ ବଞ୍ଚିଛି। ପ୍ରାଚୀନ ପରମ୍ପରା ଓ ବିଶ୍ବାସ ଅନୁସାରେ ଲୋକେ ଏବେ ବି ନଦୀର ଗଣ୍ଡ(ଯେଉଁ ଯେଉଁ ଜାଗାରେ କିଛି ପରିମାଣର ଜଳ ରହୁଛି)ରେ ବୁଡ଼ ପକାଇବା, ଶ୍ରାବଣୀ ଜଳଭାର ଉଠାଇବା, ଯଜ୍ଞ ପାଇଁ କଳସରେ ଜଳ ଉଠାଇବା ଓ ଅସ୍ଥି ବିସର୍ଜନ ଭଳି କର୍ମକାଣ୍ଡ କରୁଛନ୍ତି। ଭିଙ୍ଗାରପୁର ପଞ୍ଚାୟତ ରାମଚନ୍ଦ୍ରପୁର ପ୍ରାଚୀ ବ୍ରିଜ୍‌ ନିକଟସ୍ଥ ଗଣ୍ଡରେ ଏଭଳି କର୍ମକାଣ୍ଡ ଆଜି ବି ଚାଲିଛି। କିନ୍ତୁ ଏଠାରେ ବି ପଠାକୁ ଜବରଦଖଲ କରାଗଲାଣି। ବିଶେଷକରି ସଫେଇ ହେଉ ନ ଥିବାରୁ ଏଭଳି ଗଣ୍ଡଗୁଡ଼ିକରେ ଦଳ ଭର୍ତ୍ତି ହୋଇଯାଉଛି। ଏହି ନଦୀକୂଳରେ ଗଢ଼ିଉଠିଥିବା ନୂଆ ନୂଆ ଜନବସତିର ଲୋକେ  ମଇଳା ଓ ଆବର୍ଜନା ଏହି ନଦୀକୁ ଛାଡ଼ୁଛନ୍ତି। ବିଭିନ୍ନ ଘରୋଇ ସଂସ୍ଥାର ଅନାବଶ୍ୟକ ସାମଗ୍ରୀ ଆଣି ଏହି ନଦୀରେ ପକାଯାଉଛି। ଫଳରେ ଯେଉଁଠି ଯେତିକି ବି ଜଳ ଅଛି, ତାହା ବେଶ୍‌ ପ୍ରଦୂଷିତ। ମଇଳା ଓ ଆବର୍ଜନା ପଡ଼ି ଜଳ ପଚାସଢ଼ା ଗନ୍ଧ ଛାଡ଼ୁଛି। ଗୋଟିଏ ପଟେ ନଦୀପଠାରେ ଜବରଦଖଲ ଓ ଅନ୍ୟପଟେ ନଦୀରେ ମଇଳା ଛାଡ଼ିବା ଯୋଗୁ ନଦୀର କଳେବର ହ୍ରାସ ପାଇବା ସହିତ ପବିତ୍ରତା ନଷ୍ଟ ହେବାରେ ଲାଗିଛି। ଏହି ନଦୀର ପୁନରୁଦ୍ଧାର ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକଦା ପ୍ରତିଶ୍ରୁତି ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବେ ବୋଲି କହିଥିଲେ। ତେଣୁ ଏବେଠୁ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହେବା ଉଚିତ ବୋଲି ଦାବି ହେଉଛି।

Horoscope 2026 February 07 : ଜାଣନ୍ତୁ ଆଜିର ରାଶିଫଳ