ବାଲିପାଟଣା: ଦିନ ଥିଲା ଗାଁ ମହିଳାମାନେ କୂଅମୂଳେ ଗପ ଜମାଇଦେଉଥିଲେ। ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହିଳାମାନଙ୍କ ଗୁଲିଗପରେ ଗାଁ କୂଅ ଚାନ୍ଦିନୀ କୋଳାହଳମୟ ହୋଇଉଠୁଥିଲା। ସେହିଭଳି ଭୋର୍ ସମୟରେ ଶାଶୂ ସହ ପାଣି ବୋହିନେବାକୁ ଆସିଥିବା ନୂଆ ବୋହୂକୁ ମହିଳାମାନେ ପ୍ରଶଂସାରେ ପୋତି ପକାନ୍ତି। କାଖରେ ଗରା, ହାତରେ ବାଲ୍ତି ଧରି ପାଣି ବୋହି ନିଅନ୍ତି। ନିଜ ନିଜ ଭିତରେ ଦୁଃଖସୁଖ ବାଣ୍ଟୁବାଣ୍ଟୁ ବେଳେବେଳେ ସେମାନଙ୍କ ମଧ୍ୟରେ କଳି ଝଗଡ଼ା ବି ଲାଗିଯାଏ। କୂଅ ଦଉଡ଼ି ବ୍ୟବହାରକୁ ନେଇ ଲାଗିଯାଏ ଝଟାପିଟା କଳି। ଗାଁ କୂଅକୁ ନେଇ ବହୁ କାହାଣୀ ରହିଛି। ଏମିତିକି କୂଅ ମୂଳରୁ ସୃଷ୍ଟି ହୋଇଥିବା ପ୍ରେମ କାହାଣୀ ବି କିଛି କମ୍ ନାହିଁ। କାଖରେ ପାଣି ଭର୍ତ୍ତି ଗରା ବୋହି ଘରକୁ ଫେରୁଥିବା ଗାଁ ଲଳନାର ଆଖି ଲାଖି ଯାଉଥିଲା ଦାଣ୍ଡରେ ଲୁଚିଲୁଚି କଣେଇ କଣେଇ ଚାହୁଥିବା ତା’ର ମନର ମଣିଷଟି ଉପରେ। ସେହିଭଳି ଦିପହରରେ କୂଅ ଚାନ୍ଦିନୀରେ ଜମିଯାଏ ପୁରୁଷମାନଙ୍କ ତାସଖେଳ କିମ୍ବା ପଶାପାଲି। ଶୀତ ଦିନେ ଗାଁ କୂଅ ଚାନ୍ଦିନୀରେ ଖରା ପୋଇଁବା ଦୃଶ୍ୟ ବି ବେଶ୍ ବଢ଼ିଆ ଦିଶେ। କିନ୍ତୁ ଆଜି ଚିତ୍ର ବଦଳିଯାଇଛି। ଗାଁ କୂଅ ଅଲୋଡ଼ା ହୋଇପଡ଼ିଛି। ଗାଁ କୂଅ ସବୁ ପରିତ୍ୟକ୍ତ ଅବସ୍ଥାରେ। କେଉଁଠି ଚାନ୍ଦିନୀ ଚଟାଣ ଫାଟି ଗଲାଣି ତ କେଉଁଠି ଭାଙ୍ଗିରୁଜି ଗଲାଣି। ଯେଉଁଠି ଦିନେ ଗାଁ ମହିଳାମାନଙ୍କ ଭିଡ଼ ଜମୁଥିଲା, ସେଠି ଆଜି କାହା ପାଦ ପଡ଼ୁନି। ବଡ଼ କଥା ହେଉଛି, କୂଅ ଆଜି ଦେବାଳୟରେ ଅଛି, ଦିଅଁଙ୍କ କାମରେ ଲାଗୁଛି, ମାତ୍ର ମଣିଷ ପାଇଁ ଅବ୍ୟବହୃତ ହୋଇପଡ଼ିଛି।
How will prison reform be done: କେମିତି ହେବ ଜେଲ୍ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ
ଆଗ କାଳରେ ପିଇବା ପାଣିର ଏକମାତ୍ର ମାଧ୍ୟମ ଥିଲା କୂଅ ଓ ବାମ୍ଫି। ପ୍ରତି ଗାଁ ଦାଣ୍ଡରେ ଏକାଧିକ ସାଧାରଣ କୂଅ ଥିଲା। ଗାଁ ଲୋକେ ସମୂହ ପାଣ୍ଠି ବିନିଯୋଗ କରି କୂଅ ଖୋଳୁଥିଲେ। କିଛି ଗାଁରେ ଗଭୀର ବାମ୍ଫି ରହିଥିଲା। ଧନୀଲୋକମାନେ ନିଜ ଘର ଅଗଣାରେ କୂଅ ଖୋଳୁଥିଲେ। ସବୁ ମନ୍ଦିର ତଥା ଦେବାଳୟ ପରିସରରେ କୂଅ ଖନନ ହେଉଥିଲା। ଏବେ ବି କୂଅ ପାଣିରେ ଦେବପୂଜା ରୀତିନୀତି ଓ ପ୍ରସାଦ ପ୍ରସ୍ତୁତ ହେଉଛି। ପ୍ରତିବର୍ଷ କୂଅ ଉଝୁଳା ହେଉଥିଲା। ସ୍ବଚ୍ଛ ପାଣି ପାଇବାକୁ କୂଅରୁ ପଙ୍କ ବାହାର କରାଯାଉଥିଲା। ବଡ଼ କଥା ହେଉଛି ସେତେବେଳେ କୂଅ ଥିଲା ଗାଁର ଜୀବନରେଖା। କୂଅକୁ ପରିଷ୍କାର ରଖିବା ଓ ତା’ର ଯତ୍ନ ନେବା ଥିଲା ଗ୍ରାମବାସୀଙ୍କ ଗୁରୁ ଦାୟିତ୍ବ। ସେତେବେଳେ କୂଅ ବୁଡ଼ାଳିଙ୍କୁ ବେଶି ଲୋଡ଼ା ପଡ଼ୁଥିଲା। ଗରା, ବାଲ୍ତି ପଡ଼ିଗଲେ, ଗଭୀର କୂଅରୁ ବୁଡ଼ାଳିମାନେ କାଢ଼ି ଆଣୁଥିଲେ। ଏମିତି ବି ହେଉଥିଲା, ପାଣି କାଢ଼ୁକାଢ଼ୁ ମହିଳାଙ୍କ ଗହଣା ଗଳି ପଡ଼ୁଥିଲା। ତଥାପି ଅଭିଜ୍ଞ ବୁଡ଼ାଳି କୂଅରେ ବୁଡ଼ି ଖୋଜି ଆଣୁଥିଲେ। କିନ୍ତୁ ଆଜି କୂଅ ଏକପ୍ରକାର ଇତିହାସ। ଗ୍ରାମାଞ୍ଚଳକୁ ପାଇପ୍ ଜଳଯୋଗାଣ ହେଉଛି। ସହର ଭଳି ଗାଁ ମୁଣ୍ଡରେ ପାଣି ଟାଙ୍କି ଠିଆ ହୋଇଛି। ପାଇପ୍ରେ ଦିନକୁ ଦୁଇଥର ଜଳ ଯୋଗାଣ ହେଉଛି। ତେଣୁ ଗାଁ ଲୋକଙ୍କ ପାଇଁ କୂଅ ଆଉ ଦରକାର ହେଉନାହିଁ। ସେହିଭଳି ବିଭିନ୍ନ ସହର ଉପକଣ୍ଠ ଗାଁ ଗୁଡ଼ିକରେ ନିର୍ମାଣ ହେଉଥିବା ଘରେ ବୋର୍ ୱେଲ୍ ଖନନ କରାଯାଉଛି। ଘର ଛାତରେ ପାଣି ଟାଙ୍କି ବସୁଛି। ରୋଷେଇଘରେ, ଗାଧୁଆଘରେ ପାଣି ଟ୍ୟାପ୍। ହାତ ପାଖରେ ପାଣି। ଫିଲ୍ଟର ଓ ଆକ୍ବାଗାର୍ଡରୁ ଝରୁଛି ପରିଷ୍କାର ପାଣି। ଆଉ ସେକାଳର ଗରା ନାହିଁ। କାଖରେ ଗରା କାଖେଇ ପାଣି ବୋହିବା ଦୃଶ୍ୟ ଆଉ ଦେଖିବାକୁ ମିଳୁନି।
Chief Secretary: ଅନୁ ଗର୍ଗ ପ୍ରଥମ ମହିଳା ମୁଖ୍ୟ ସଚିବ: ଜାନୁଆରି ପହିଲାରୁ ନୂଆ ଦାୟିତ୍ବ ସମ୍ଭାଳିବେ
ଆଜି ଏହି ପୁରୁଣା ଉତ୍ସ ବିଲୁପ୍ତ ହେବାକୁ ବସିଛି। କେବଳ ଦେବାଳୟରେ ଦିଅଁ ଦେବତାଙ୍କ କାର୍ଯ୍ୟ କୂଅ ପାଣିରେ ହେଉଛି। ମାତ୍ର ଗାଁ ଗଣ୍ଡାରେ କୂଅ ଓ ବାମ୍ଫି ପରିତ୍ୟକ୍ତ ହୋଇପଡ଼ିଲାଣି। ଅନେକ କୂଅ ପୋତି ହୋଇ ବିଲୁପ୍ତ ହୋଇଯାଇଛି। ତେବେ ପ୍ରତ୍ୟେକ ମନ୍ଦିରରେ କୂଅ ରହିଛି। ପୁରୁଣାକାଳିଆ ଲୋକଙ୍କ କହିବା କଥା କୂଅ ପାଣି ବହୁ ସ୍ୱଚ୍ଛ ଥିଲା ଏବଂ ଲୋକେ ନିରୋଗ ଥିଲେ। କୂଅ ପାଣି ବ୍ୟବହାର କରି ଲୋକେ ଶତାୟୁ ପାଲଟୁଥିଲେ। କୂଅ ପାଣି ବ୍ୟବହାର ଦ୍ବାରା କେଶ ଝଡ଼ୁ ନ ଥିଲା କି ବାର୍ଦ୍ଧକ୍ୟକାଳରେ ବି କେଶ ଧଳା ପଡ଼ୁନଥିଲା। କିନ୍ତୁ ଆଜି ହାତ ପାହାନ୍ତାରେ ଟ୍ୟାପ୍ରୁ ପାଣି ମିଳି ଯାଉଛି। ହେଲେ କୂଅ ଭଳି ସ୍ବାସ୍ଥ୍ୟକର ପାଣି ମିଳୁିନ। ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। କୂଅ ବ୍ୟବହାର କମିବା ପରଠୁ ଲୋକଙ୍କ ଶାରୀରିକ ପରିଶ୍ରମ କମିଗଲା। ରାସାୟନିକ ପଦାର୍ଥ ମିଶ୍ରିତ ପାଣି ଲୋକଙ୍କୁ ପ୍ରାକୃତିକ ଜଳରୁ ବଞ୍ଚିତ କରି ରୋଗାକ୍ରାନ୍ତ କରୁଛି। କୂଅ ପାଣିରେ ଖରା ପଡ଼ୁଥିଲା। ମାତ୍ର ଗଭୀର ନୂଳକୂଅ ଜଳରେ ଖରାପଡ଼ିବାର ସୁଯୋଗ ନାହିଁ। ମଣିଷ ଅତ୍ୟାଧୁନିକ ହୋଇ ପୁରୁଣା ବ୍ୟବସ୍ଥାକୁ ଭୁଲିବା ଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡ଼ୁଛି ବୋଲି ସେମାନେ କହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/25/dagdgdgvczcv-2025-12-25-03-16-51.jpg)