ଭୁବନେଶ୍ବର: ଗତକାଲି ରାତିରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ତିନି ତିନିଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ବଡ଼ଗଡ଼ ଥାନା ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିବା ୨ ବନ୍ଧୁ ହେଲେ ଶୁଭମ୍ ନାୟକ(୨୦) ଓ ପ୍ରୀତିରଂଜନ ଜେନା(୨୦)। ସେହିଭଳି ଭରତପୁର ଥାନା କୋଳଥିଆ ଛକରେ ଘଟିଥିବା ଦୁର୍ଘଟଣାର ମୃତକ ହେଲେ ଭଦ୍ରକ ଧୁଷୁରି ଅଞ୍ଚଳର ଆଲୋକ କୁମାର ନାୟକ(୨୭)। ନୂଆ ବାଇକ୍‌ କିଣିଥିବାରୁ ମଙ୍ଗଳବାର ପୁରୀ ଯାଇ ଜଗା ଦର୍ଶନ କରିବାକୁ ଯୋଜନା କରିଥିବା ଶୁଭମ୍‌ ଓ ପ୍ରୀତିରଂଜନଙ୍କ ଅକାଳ ମୃତ୍ୟୁ ଆଜି ବିଜେଇଏମ୍‌ ସ୍କୁଲ ନିକଟ ବସ୍ତିରେ ଶୋକର ଛାୟା ଖେଳାଇଦେଇଛି। ସେହିଭଳି ସାଙ୍ଗର ନିର୍ବନ୍ଧରୁ ବେଶ୍‌ ଖୁସିରେ ଫେରୁଥିବା ଆଲୋକ ବାଟରେ ମୃତ୍ୟୁଯନ୍ତାରେ ଫସିଥିବା ଜଣାପଡ଼ିଛି। ବଡ଼ କଥା ହେଉଛି ‘ଶୂନ ମୃତାହତ ପକ୍ଷ’ ପାଳନ ସରିବାର ଦିନକ ପରେ ଗୋଟିଏ ରାତିରେ ଘଟିଥିବା ଏହି ଦୁଇ ଦୁର୍ଘଟଣା ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଦୁର୍ଘଟଣାସ୍ଥଳରୁ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲେ, ସେମାନେ ବଞ୍ଚିବାର ଆଶା ଥିଲା ବୋଲି ଦାବିକରି ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।  

Advertisment

Archery : କଳାହାଣ୍ଡିର ଆଦିବାସୀ ଝିଅ ହେଲେ ଜାତୀୟ ସ୍ତରର ତୀରନ୍ଦାଜ

ବଡ଼ଗଡ଼ ଥାନା ଅଞ୍ଚଳରେ ବି‌ଜେଇଏମ୍ ସ୍କୁଲ ନିକଟ ବସ୍ତିରେ ରହୁଥିବା ଶୁଭମ୍‌ ଓ ପ୍ରୀତିରଞ୍ଜନ ବେଶ୍‌ ଭଲ ବନ୍ଧୁ ଥିଲେ। ୭ଦିନ ତଳେ ଶୁଭମ୍‌ ଏକ ନୂଆ ବାଇକ୍‌ କିଣିଥିଲେ। ମଙ୍ଗଳବାର ନୂଆ ଗାଡ଼ିରେ ପୁରୀ ଯାଇ ଦୁଇ ବନ୍ଧୁ ଜଗା ଦର୍ଶନ କରିବେ ବୋଲି ସ୍ଥିର କରିଥିଲେ। କିନ୍ତୁ ଗତକାଲି ରାତିରେ ଦୁହେଁ ବୁଲାବୁଲି କରି ପ୍ରାୟ ୨ଟା ସମୟରେ ଘରକୁ ଫେରୁଥିଲେ। ଶ୍ରୀଦେବୀ ଛକ ନିକଟରେ ବାଇକ୍‌ ଚଳାଉଥିବା ଶୁଭମ୍‌ ଭାରସ୍ୟାମ ହରାଇବାରୁ ଗାଡ଼ି ମେଡିଆନ୍‌ରେ ପିଟି ହୋଇଯାଇଥିଲେ। ଫଳରେ ଦୁଇ ବନ୍ଧୁ ବାଇକ୍‌ରୁ ଛିଟିକି ରାସ୍ତାରେ ପଡ଼ିଥିଲେ। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ‌କିଛି ଲୋକଙ୍କଠାରୁ ଖବର ପାଇ ପିସିଆର୍‌ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଡାକ୍ତର ‌ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାପିଟାଲ୍‌ ହସ୍ପିଟାଲ୍‌‌ରେ ବ୍ୟବଚ୍ଛେଦ କରାଇ ପୁଲିସ ମୃତଦେହଦ୍ବୟକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। 

Blood Donation Camp: ରକ୍ତଦାନ ଶିବିରରୁ ୨୨ୟୁନିଟ୍‌ ରକ୍ତ ସଂଗ୍ରହ

ଭରତପୁର ଥାନା କୋଳଥିଆ ଛକରେ ମୃତ୍ୟୁମୁଖରେ ପଡ଼ିଥିବା ଆଲୋକଙ୍କ କାହାଣୀ ମଧ୍ୟ ଦୁଃଖଦ। ପଟିଆ ଅଞ୍ଚଳରେ ରହୁଥିବା‌ ଆଲୋକ ଗତକାଲି ଜଣେ ଘନିଷ୍ଠ ସାଙ୍ଗର ନିର୍ବନ୍ଧରେ ଯୋଗ ଦେଇଥିଲେ। ସିଦ୍ଧେଶ୍ବର ମଣ୍ଡପରେ ସାଙ୍ଗର ନିର୍ବନ୍ଧ ଉତ୍ସବ ସାରି ଆଲୋକ ଖୁସିରେ ଫେରୁଥିଲେ। କିନ୍ତୁ‌ କୋଳଥିଆ ଛକରେ ସେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ତାଙ୍କୁ ସଂଜ୍ଞ‌ାହୀନ ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଦେଲେ।