ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ଗବେଷଣାଭିତ୍ତିକ ଜ୍ଞାନ ପ୍ରଦାନ ଦିଗରେ ଉତ୍କଳ ବିଶ୍ବବିଦ୍ୟାଳୟ ପଦକ୍ଷେପ ନେଇଛି। ରୁସା ପାଣ୍ଠିରେ ୮ଟି ଉତ୍କର୍ଷ କେନ୍ଦ୍ର ଏବଂ ଓଏଚ୍ଇପିଇଇ ଅଧୀନରେ ବିଶ୍ୱବ୍ୟାଙ୍କ ସମର୍ଥନରେ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ(ସିଓଇ) ପ୍ରତିଷ୍ଠା ହୋଇଛି। ଏବେ ଆଉ ୫ଟି କେନ୍ଦ୍ର ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ସେଣ୍ଟର ଫର୍ ନ୍ୟୁରୋ ସାଇନ୍ସ ଆଣ୍ଡ ଜେରିଆଟିକ୍ ହେଲ୍ଥ, ସେଣ୍ଟର ଫର୍ କ୍ଲିନ୍ ଆଣ୍ଡ ସଷ୍ଟେନେବୁଲ୍ ଏନର୍ଜି, ଦି ସ୍କୁଲ ଅଫ୍ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍ସ ଆଣ୍ଡ ମଲ୍ଟିଡିସିପ୍ଲିନାରି ଷ୍ଟଡିଜ୍, ସେଣ୍ଟର ଫର୍ କଲଚରାଲ ହେରିଟେଜ୍ ଆଣ୍ଡ କନ୍ଜରଭେସନ ଓ ଆଭା: ଦି ହୋଲିଷ୍ଟିକ୍ ହେଲିଂ ଆଣ୍ଡ ୱେଲ୍ନେସ୍ ସେଣ୍ଟର। ଏହାବ୍ୟତୀତ ବିଶ୍ୱବିଦ୍ୟାଳୟର ନବସୃଜନ ଓ ଇନକ୍ୟୁବେସନ୍ କେନ୍ଦ୍ର(ସିଆଇଆଇ) ମାଧ୍ୟମରେ ଉଦ୍ୟୋଗୀ ବିକାଶ, ଷ୍ଟାର୍ଟଅପ୍ ଇକୋସିଷ୍ଟମ ମାଧ୍ୟମରେ ନବସୃଜନକୁ ପ୍ରୋତ୍ସାହିତ କରାଯାଉଛି। ଏହି କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ ୧୮ଟି ଷ୍ଟାର୍ଟଅପ୍କୁ ସଫଳତାର ସହ ସାମିଲ କରିଛି। ଏବେ ବିଭିନ୍ନ ସ୍ନାତକୋତ୍ତର ବିଭାଗର ଆଉ ୨୭ ଜଣ ବିଦ୍ୟାର୍ଥୀଙ୍କୁ ଛାତ୍ର ଷ୍ଟାର୍ଟଅପ୍ ଭାବେ ସ୍ୱୀକୃତି ଦିଆଯିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ସୂଚନା ଦେଇଛନ୍ତି।
ଆଉ ୨୭ ବିଦ୍ୟାର୍ଥୀଙ୍କ ଷ୍ଟାଟ୍ଅପ୍କୁ ସ୍ବୀକୃତି
୪୧ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ
Silk: ସୁକିନ୍ଦା ରେଶମ ପୋକ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି
ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି. ପ୍ରକାଶ ବାବୁ କହିଲେ, ଉତ୍କଳ ବିଶ୍ବବିଦ୍ୟାଳୟ ହେଉଛି ଜ୍ଞାନର ଭଣ୍ଡାର। ବିଜ୍ଞାନ ହେଉ କି କଳା ଅଥବା ଗବେଷଣା କ୍ଷେତ୍ରରେ ଏଠାକାର ଛାତ୍ରଛାତ୍ରୀ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପରିଜା ପାଠାଗାର ଭଳି ଲାଇବ୍ରେରିରେ ବହୁ ପୁରାତନ ବିରଳ ପାଣ୍ଡୁଲିପି ରହିଛି। ଭିତ୍ତିଭୂମି ଦୃଷ୍ଟିରୁ ସମୃଦ୍ଧ ଏହି ବିଶ୍ବବିଦ୍ୟାଳୟ ଶହେ ବର୍ଷ ପୂରଣ ବେଳକୁ ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ହାସଲ କରିବ ବୋଲି ସେ ଆଶାପ୍ରକଟ କରିଛନ୍ତି। ଭୁବନେଶ୍ବରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ପ୍ରଫେସର ବେଦାଙ୍ଗଦାସ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ୮୩ ବର୍ଷ ହେଲା ବିଶ୍ବବିଦ୍ୟାଳୟ ନିଜର କର୍ତ୍ତବ୍ୟ ନିର୍ବାହ କରି ଚାଲିଛି। ଏଠାକାର ବହୁ ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ ପ୍ରତିଷ୍ଠାନରେ ରହିଛନ୍ତି। ସେମାନେ ଅତିଥି ଅଧ୍ୟାପକ ଭାବେ ବିଭିନ୍ନ ସମୟରେ କ୍ୟାମ୍ପସକୁ ଆସି ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ପଦବି ପୂରଣ ବେଳେ ମେରିଟ୍କୁ ପ୍ରାଥମିକତା ଦିଆଯାଉ। କେବଳ ଓଡ଼ିଶା ନୁହେଁ, ଜାତୀୟ ସହ ବିଦେଶର ପ୍ରଫେସରଙ୍କୁ ମଧ୍ୟ ସୁଯୋଗ ମିଳୁ। ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ଏଆଇ, କ୍ଲାଇମେଟ୍ ସାଇନ୍ସ, ବିପର୍ଯ୍ୟୟ ପରିଚାଳନା, ମାଇନ୍ସ ଆଣ୍ତ ମିନେରାଲ୍ସ, ସାଇବର ସିକ୍ୟୁରିଟି ଭଳି ପାଠ୍ୟକ୍ରମ ଖୋଲିବା ସହ ଆଇଆଇଟି, ନାଇଜର, ଏନ୍ଆଇଟି, ଏମ୍ସ ପରି ଜାତୀୟ ଅନୁଷ୍ଠାନ ସହଯୋଗରେ ଗବେଷଣା କରି ଓଡ଼ିଶାର ସମସ୍ୟାଗୁଡ଼ିକର ସମାଧାନ କରିବାକୁ ସେ ଆହ୍ବାନ ଦେଇଥିଲେ।
ବିଶ୍ବବିଦ୍ୟାଳୟ କୁଳସଚିବ ସ୍ବାତୀ ମିଶ୍ର ବାର୍ଷିକ ବିବରଣୀ ପାଠ କରି କହିଲେ ୮୩ ବର୍ଷର ବିଶ୍ବବିଦ୍ୟାଳୟ ଆଜି ପୂର୍ବ ଭାରତର ସବୁଠାରୁ ବିଶ୍ୱସ୍ତ ଓ ଆଗ୍ରଣୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିଛି। ନାକ୍ରେ ‘ଏ+’ ଗ୍ରେଡ୍ ହାସଲ ସହ ଏନ୍ଆଇଆରଏଫ୍ ରୢାଙ୍କିଙ୍ଗ୍ରେ ୪୮ତମ ସ୍ଥାନରେ ରହି ସଫଳତା ଜାରି ରଖିଛି। ସୁସ୍ଥ ପରିବେଶ ଅଭ୍ୟାସ, ଗବେଷଣା କାର୍ଯ୍ୟ, ଦୃଢ଼ ଭିତ୍ତିଭୂମି, ଶାସନ, ନିଯୁକ୍ତି ସୃଷ୍ଟି ଓ ଶିଳ୍ପ ସହିତ ସଂଯୋଗ ପାଇଁ ସ୍ୱୀକୃତିପ୍ରାପ୍ତ ଏହି ବିଶ୍ୱବିଦ୍ୟାଳୟ ଆଉଟଲୁକ୍-ଆଇକେୟାର ର୍ୟାଙ୍କିଙ୍ଗ୍-୨୦୨୫ରେ ୩୨ତମ ସ୍ଥାନରେ ରହିଛି। ଏଠାକାର ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ପଦକ ଆଣିବା ଗୌରବ ବିଷୟ ବୋଲି କହିଥିଲେ। ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତୋର ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ୪୧ଜଣ ଛାତ୍ରଛାତ୍ରୀଙ୍କୁ ସ୍ବଣ୍ଣର୍ପଦକ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/fhfshfhfh-2025-11-28-01-30-19.jpg)