ଭୁବନେଶ୍ବର: ଦିନେ ଛାତ୍ରଛାତ୍ରୀ ଯିବାକୁ ଭୟ କରୁଥିଲେ। ଅନ‌ାବନା ଗଛ ଉଠିଥିବାରୁ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହୁଥିଲା। ଲାଗୁଥିଲା ଏହା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ନୁହେଁ ତ, ଛୋଟିଆ ଜଙ୍ଗଲଟିଏ। ମାତ୍ର ଏବେ ରୂପ ବଦଳୁଛି। ଭଳିକି ଭଳି ସୌନ୍ଦର୍ଯ୍ୟୀକରଣ ସାମଗ୍ରୀ ସହ ତିନିଟି ‘ଗଜିବୋ’ ବା ବର୍ଷା ରହଣିସ୍ଥଳ ନିର୍ମାଣ ସରିଲାଣି। ବସିବା ପାଇଁ କଂକ୍ରିଟ୍‌ଚେୟାର ବି ପଡ଼ିଛି। ମୁକ୍ତାକାଶ ମଞ୍ଚ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଜାନୁଆରି ମାସ ୨୬ ବେଳକୁ ନୂଆ ରୂପରେ ଦେଖିବାକୁ ମିଳିବ ବାଣୀବିହାର। ପ୍ରାକୃତିକ ପରିବେଶରେ ବିତିବ ଛାତ୍ରଛାତ୍ରୀଙ୍କ ଦିନ।

Advertisment

Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ

ଯୋଜନା ଅନୁଯାୟୀ ପ୍ରାକୃତିକ ଡ୍ରେନ୍‌୪କୁ ସଫା କରାଯିବା ସହ ଏଠାରେ ଆବର୍ଜନା ଓ ପାଣିକୁ ଅଲଗା କରିବାକୁ ବ୍ୟବସ୍ଥା ହୋଇଛି। ଜଳ ସଂରକ୍ଷଣ ପାଇଁ ପୋଖରୀ ପୁନରୁଦ୍ଧାର କାମ ଶେଷ ହୋଇଛି। ଡ୍ରେନ୍‌ ନିକଟରେ ଥିବା ପୋଖରୀ ଆବର୍ଜନା ପୂର୍ଣ୍ଣ ହେଉଥିବା ବେଳେ ଶେଷ ପୋଖରୀ ପାଣିର ମାନ ସ୍ବଚ୍ଛ ‌ହେଉଛି। ଛାତ୍ରଛାତ୍ରୀଙ୍କ ବସିବା ପାଇଁ କଂକ୍ରିଟ୍‌ ଚେୟାର ଓ ପଢ଼ିବା ପାଇଁ ବିସ୍ତୀର୍ଣ୍ଣ ପରିସରର ଉନ୍ନତୀକରଣ ଚାଲିଛି। ନୂଆମାଟି ପକାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ସମତଳ କରାଯାଇଛି। ଖୁବ୍‌ଶୀଘ୍ର ଘାସ ଲଗାଯିବା ସହ ବିଭିନ୍ନ ପ୍ରକାରର ଗଛ ଲଗାଇବାକୁ ବିଡିଏ ଯୋଜନା କରିଛି। କେବଳ ଏତିକି ନୁହେଁ, ପାର୍କ ଓ ପୋଖରୀଗୁଡିକ ନିକଟରେ ମୁକ୍ତାକାଶ ବ୍ୟାୟାମଶାଳା ପ୍ରତିଷ୍ଠା କରାଯିବ। ଛାତ୍ରଛାତ୍ରୀ ଯେପରି ପ୍ରତିଦିନ ସନ୍ଧ୍ୟା ଓ ସକାଳେ ଏଠି ବ୍ୟାୟାମ କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏକ ବିଶାଳ ଲନ୍‌ନିର୍ମାଣ କରିବାର ଯୋଜନା ହୋଇଛି। ଏଥିସହିତ ସୌନ୍ଦର୍ଯ୍ୟୀକରଣ ଉପଭୋଗ କରିବାକୁ ଏହା ପରିସରରେ ‘ଗଜିବୋ’ ନିର୍ମାଣ ତ୍ବରାନ୍ବିତ ହୋଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଡିଏକୁ ୨୩ ଏକର ଜମିର ଏନ୍‌ଓସି ଦେବା ପରେ କାମ ଆଗେଇଥିଲା। ଲକ୍ଷ୍ୟ ରଖାଯାଇଥିଲା ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ। ମାତ୍ର ତାହା ହୋଇପାରି ନଥିଲା। ମନ୍ଥର ଗତିରେ କାମ ହେଉଥିବା ନେଇ 'ସମ୍ବାଦ'ରେ ଖବର ପ୍ରକାଶ ପରେ କାମକୁ ତ୍ବରାନ୍ବିତ କରାଯାଇଛି ଏବଂ ଦେଢ଼ ମାସ ମଧ୍ୟରେ ପ୍ରମୁଖ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 

ଆକର୍ଷଣ ପାଲଟିବ ଗଜିବୋ, ମୁକ୍ତାକାଶ ମଞ୍ଚ
ଗଙ୍ଗୁଆକୁ ଯିବ ସ୍ୱଚ୍ଛଜଳ

ଦାୟିତ୍ବରେ ଥିବା ବିଡିଏର ଡିଭିଜନ ୫ର ସହକାରୀ ଯନ୍ତ୍ରୀ ଟିବିଆର୍‌ସୁବୁଦ୍ଧି କହିଛନ୍ତି ଯେ, ଡ୍ରେନ୍‌ପାଣିକୁ ସ୍ବଚ୍ଛ କରିବା ସହ ବାଣୀବିହାର କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟୀକରଣ ପାଇଁ ପଦକ୍ଷେପ ନିଆଯାଇଛି। ଏବେ ଡ୍ରେନ୍‌ଦେଇ ଯାଉଥିବା ପାଣି ଖରାପ ଅବସ୍ଥାରେ ରହୁଛି। ତେଣୁ ଜାତୀୟ ରାଜପଥ ଅତିକ୍ରମ କରିବା ପରେ ଡ୍ରେନ୍‌ରେ ସ୍ବତନ୍ତ୍ର ଜାଲି ଲାଗିବ। ପାଣିକୁ ସ୍ବଚ୍ଛ କରିବାକୁ ପୋଖରୀ ନିର୍ମାଣ ସରିଛି। ପାଣି ୩ଟି ପୋଖରୀ ଦେଇ ଗଲା ବେଳକୁ ସ୍ବଚ୍ଛ ହୋଇଯାଉଛି। ଏହାଦ୍ବାରା ଗଙ୍ଗୁଆ ପ୍ରଦୂଷଣକୁ ମଧ୍ୟ କମାଇବାରେ ସହାୟକ ହେବ। ପ୍ରକଳ୍ପ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଲ୍ୟାଣ୍ଡ୍‌ସ୍କେପିଂ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁକ୍ତାକାଶ ମଞ୍ଚ ଶେଷ ହେବାକୁ ଅଳ୍ପ ବାକି ରହିଛି। ପାଦଚଲା ରାସ୍ତା ମଧ୍ୟ ଶେଷ ହୋଇଛି। କାମ ପାଇଁ ଟ୍ରକ୍‌ ଆସୁଥିବାରୁ କେବଳ ୫୦ଟି ମିଟର ପାଦଚଲା ରାସ୍ତା କାମ ବାକି ରହିଛି। ଗ୍ରାସ୍‌ଟ୍ରଫିଂ, ପ୍ଲାଣ୍ଟେସନ୍‌, ପଣ୍ଡ ୱାଲ୍‌ନିର୍ମାଣ ବାକି ରହିଛି। ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚରେ କାମ ହେଉଛି। 

Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍‌!

ଛାତ୍ର ସୁକାନ୍ତ ମହାନ୍ତି କହିଛନ୍ତି ଯେଉଁ ଭଳି କାମ ଚାଲିଛି ଖୁବ୍‌ଶୀଘ୍ର ନୂଆରୂପ ନେବା ଭଳି ଲାଗୁଛି। ଏବେ ବାଣୀବିହାର କ୍ୟାମ୍ପସ୍‌ ଖୁବ୍‌ ଆକର୍ଷଣୀୟ ଲାଗୁଛି। ଛାତ୍ରୀ କୁସୁମ ପାଲଟାସିଂହ କହିଛନ୍ତି ଏଠାକାର ପରିବେଶ ଭଲ ନଥିଲା। ଜଙ୍ଗଲ ସହ ଅନାବନା ଗଛ ଉଠିଥିବାରୁ ସେପଟେ ଯିବାକୁ ଡର ଲାଗୁଥିଲା। ଏବେ ମାଟି ପଡ଼ିବାପରେ ସେଠାରେ ଯାଇ ଖୋଲା ପବନକୁ ଉପଭୋଗ କରି ହେଉଛି।