ଭୁବନେଶ୍ବର: ତୃଣମୂଳସ୍ତରରୁ ରାଜଧାନୀବାସୀଙ୍କୁ ସେବା ଯୋଗାଇବା ସହ ବିଭିନ୍ନ ସମସ୍ୟା ଦୂର ଲକ୍ଷ୍ୟରେ ପ୍ରତି ୱାର୍ଡରେ ‘ୱାର୍ଡ କାର୍ଯ୍ୟାଳୟ’ ଖୋଲିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଥିଲା। କିନ୍ତୁ ୭ ବର୍ଷ ପରେ ବି ଏହା କାର୍ଯ୍ୟକାରୀ ହୋଇପାରିନି। ଏବେ ବି ୨୧ଟି ୱାର୍ଡରେ ‘ୱାର୍ଡ କାର୍ଯ୍ୟାଳୟ’ ନାହିଁ। ଭଡ଼ାଘରେ, କ୍ଲବ ଘରେ ୱାର୍ଡ ଅଫିସ ଚାଲିଛି। ଅନେକ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ଅଧାରେ ରହିଛି। 
ପୂର୍ବରୁ ଆର୍ଥିକ ସମସ୍ୟା ପ୍ରତିବନ୍ଧକ ସାଜିଥିଲା। ଅନୁଦାନ ମିଳୁ ନଥିବାରୁ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରୁ ନଥିଲା। ଏବେ ବିଏମ୍‌ସି ପାଖରେ ଟଙ୍କା ଅଛି, କିନ୍ତୁ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ମିଳୁ ନଥିବାରୁ କାମ ଆଗେଇ ପାରୁନି। ଯେହେତୁ ସାଧାରଣ ପ୍ରଶାସନ ବିଭାଗ ଜମିରେ ‘ୱାର୍ଡ କାର୍ଯ୍ୟାଳୟ’ ନିର୍ମାଣ ହେବ, ବିଏମ୍‌ସି ଜମି ଯୋଗାଇବା ଲାଗି ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଚାଲିଛି। କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ଜମି ଦେଇପାରିନି। ବଡ଼ କଥା ହେଉଛି, ଯେଉଁ ଜାଗାରେ ‘ୱାର୍ଡ କାର୍ଯ୍ୟାଳୟ’ ନିର୍ମାଣ ପାଇଁ ଚିହ୍ନଟ ହୋଇ ଜବରଦଖଲମୁକ୍ତ ହୋଇଥିଲା, ନିର୍ମାଣ ବିଳମ୍ବ କାରଣରୁ ସେସବୁ ପୁଣିଥରେ ଜବରଦଖଲକୁ ଚାଲିଗଲାଣି।

Advertisment

Robbery attempt: ରାଜଧାନୀରେ ପଣ୍ଡହେଲା ଡକାୟତି ଉଦ୍ୟମ

The pairing of literature and cinema: ସାହିତ୍ୟ ଓ ସିନେମାର ଯୁଗଳବନ୍ଦୀ


୨୦୧୯ ମସିହାରେ ୬୭ଟିଯାକ ୱାର୍ଡରେ ‘ୱାର୍ଡ କାର୍ଯ୍ୟାଳୟ’ ନିର୍ମାଣ ନିଷ୍ପତ୍ତି ହୋଇଥିଲା। ନିର୍ମାଣ ବାବଦରେ ପ୍ରତି ଅଫିସ ପିଛା ୪୬ରୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ଥିଲା। ଏବେ ଏହି ଖର୍ଚ୍ଚ ୬୦ଲକ୍ଷ ଛୁଇଁଗଲାଣି। ଯୋଜନା ଅନୁଯାୟୀ ଲୋକେ ପ୍ରଥମେ ନିଜ‘ୱାର୍ଡ କାର୍ଯ୍ୟାଳୟ’କୁ ଅଭିଯୋଗ ନେଇ ଯିବେ। ସେଠାରେ ୱାର୍ଡ ଅଧିକାରୀ ସମସ୍ୟାର ସମାଧାନ କରିବେ। ସମାଧାନ ସମ୍ଭବ ନ ହେଲେ ଜୋନାଲ୍‌ କମିସନର୍‌, ପରେ ବିଏମ୍‌ସି ମୁଖ୍ୟାଳୟକୁ ଅଭିଯୋଗ ପଠାଯିବ। ପ୍ରତି ‘ୱାର୍ଡ କାର୍ଯ୍ୟାଳୟ’ରେ ମୁଖ୍ୟ ଭାବେ ଜଣେ ୱାର୍ଡ ଅଫିସର ରହିବେ। ତାଙ୍କ ସହ ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ ଗୋଷ୍ଠୀ ସଂଗଠକ, ଜଣେ ପରିମଳ ନିରୀକ୍ଷକ, ଜଣେ ୱାର୍ଡ ସର୍କାର, ଜଣେ ଡାଟା ଏଣ୍ଟ୍ରି ଅପରେଟର୍‌, ଜଣେ ଲାଇଟ୍‌ ଜମାଦାର ରହିବେ। ଜୁନିୟର ଆସିଷ୍ଟାଣ୍ଟ ତଥା ଟ୍ୟାକ୍ସ କଲେକ୍ଟରଙ୍କୁ ୱାର୍ଡ ଅଫିସର ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ‘ୱାର୍ଡ କାର୍ଯ୍ୟାଳୟ’ରେ ୱାର୍ଡ ଅଧିକାରୀ ଓ ଅନ୍ୟମାନଙ୍କ ପାଇଁ ଚାମ୍ବର ସହ ୱାର୍ଡବାସୀଙ୍କ ପାଇଁ ଶୌଚାଳୟ, ଚେୟାର ଆଦି ବ୍ୟବସ୍ଥା ଯୋଜନା ଥିଲା। ପରବର୍ତ୍ତୀ ସମୟରେ ‘ୱାର୍ଡ କାର୍ଯ୍ୟାଳୟ’ର ଉପର ମହଲାରେ କମ୍ୟୁନିଟି ହଲ୍‌ କରିବାକୁ ଯୋଜନା ଥିଲା। କର୍ପୋରେଟର୍‌ ଅଜିତ ବେହେରା କହିଛନ୍ତି ଯେ ଆଜି ସୁଦ୍ଧା ସବୁ ୱାର୍ଡରେ‘ୱାର୍ଡ କାର୍ଯ୍ୟାଳୟ’ ହୋଇପାରି ନଥିବାରୁ ୱାର୍ଡବାସୀଙ୍କ କଥା ବୁଝିବା ସହଜ‌ ହେଉନାହିଁ। ଯୋଜନା ହେଲା, ମାତ୍ର ଲୋକଙ୍କୁ ସେବା ମିଳିପାରୁନି। କେଉଁଠି ଜମି ମିଳୁନି, କେଉଁଠି ଟଙ୍କା ଅଭାବ। ସାଧାରଣ ପ୍ରଶାସନ ବିଭାଗକୁ ପ୍ରସ୍ତାବ ପଠାଯାଇଛି ବୋଲି ବିଏମ୍‌ସି ଡେପୁଟି କମିସନର୍‌(ଜମି) ଯୋଗେନ୍ଦ୍ର ମାଝୀ କହିଛନ୍ତି।