ବ‌ାଗ୍‌ଦେବୀ ସରସ୍ବତୀ ‌ସର୍ବତ୍ର ପୂଜିତା। ପୀଠରେ ହେଉ କି ଶିକ୍ଷାନୁଷ୍ଠାନ,ଶ୍ରୀପଞ୍ଚମୀରେ ସର୍ବତ୍ର ପୂଜା ପାଆନ୍ତି ଦେବୀ ସରସ୍ବତୀ। ତେବେ କେବଳ ସରସ୍ମତୀଙ୍କ ପୂଜା ପାଇଁ ସମର୍ପିତ ମନ୍ଦିର କ୍ବଚିତ୍‌ ଦେଖିବାକୁ ମିଳେ। ଜମ୍ମୁକାଶ୍ମୀରର ଶାରଦା ପୀଠ, କର୍ଣ୍ଣାଟକର ଶ୍ରୀଙ୍ଗେରିସ୍ଥିତ ଶ୍ରୀଶାରଦମ୍ବା ମନ୍ଦିର ପରି ରାଜସ୍ଥାନର ପୁଷ୍କରରେ ଏବଂ ତେଲେଙ୍ଗାନାର ବାସରରେ ରହିଛି ସୁଦୃଶ୍ୟ ସରସ୍ବତୀ ମନ୍ଦିର। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥ ଉଦଳାରେ ବି ରହିଛି ଏକ ସରସ୍ୱତୀ ମନ୍ଦିର। ଏଠାରେ କାହିଁ କେଉଁକାଳରୁ ପୂଜା ପାଇଆସୁଛନ୍ତି ବ‌ାଗ୍‌ଦେବୀ। ସରସ୍ବତୀଙ୍କ କତିପୟ ମନ୍ଦିରକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ... 

Advertisment
ବନ୍ଦଇ ହରି ଦେବ ମୁରାରୀ ଲକ୍ଷ୍ମୀ ଦେବୀଙ୍କ କାନ୍ତ
ଅଭୟ ବର ଦ୍ୟନ୍ତୁ କୁମର ସେ ପ୍ରଭୁ ଦେବ ଅନନ୍ତ
ବାରମାସ ମଧ୍ୟେ ଅଟଇ ସାର 
ମାଘ-ସ୍ନାହାନକୁ ହେଲେ ବାହାର
ମାଘ ସ୍ନାନକୁ ସେ ବାହାର ହୋଇ 
ବସନ୍ତ ପଞ୍ଚମୀ ନାମ ବୋଲାଇ
ଏହି ପଞ୍ଚମୀ ଯେ ଅଟଇ ଭଲ 
ଆନ ପଞ୍ଚମୀ ନୁହେଁ ଏହା ତୁଲ
ପିତୁଳା ଲେଖାଇ ବୁଲି ସେ ଯାନ୍ତି
ଶ୍ରୀଫଳ ପୁସ୍ତକ ହସ୍ତେ ଘେନନ୍ତି...
ବଳରାମ ଦାସଙ୍କ ରଚିତ ଏହି ଗୀତଟି ଏକଦା ପୁରାତନ ଚାଟଶାଳୀ ପାଠ ପୁସ୍ତକରେ ଥିଲା। ପୂର୍ବେ ଚାଟମାନେ ସରସ୍ବତୀ ପୂଜା ଅବରସରେ ଏ ଗୀତ ଗାଇ ଅବଧାନଙ୍କ ଲାଗି ଅଭିଭାବକଙ୍କୁ ସିଧା ବା ଚାନ୍ଦା ନିବେଦନ କରୁଥିଲେ। ଏଥିରୁ ବସନ୍ତ ପଞ୍ଚମୀର ପ୍ରାଚୀନତା ଓ ତାତ୍ପର୍ଯ୍ୟ ବୁଝିହୁଏ। ଦେବୀଙ୍କ କୃପାରୁ ହେଉ ବା ନବବସନ୍ତ ଆଗମନ ଯୋଗୁଁ ହେଉ, ଏ ସମୟରେ କିନ୍ତୁ, ମନୁଷ୍ୟ ଚେତନାରେ ନବଭାବନା ଜାଗରୁକ ହୁଏ। ପିଲାଏ ପାଠପଢ଼ାରେ ମନୋନିବେଶ କରନ୍ତି। ତେଣୁ, କୁହାଯାଏ ଯେ ବିଦ୍ୟାରମ୍ଭ ଲାଗି ଶ୍ରୀପଞ୍ଜମୀଠାରୁ ବଳି ଶୁଭ ବେଳା ନାହିଁ। ପ୍ରାଚୀନ କାଳରୁ ଦେଶର ଅଧିକାଂଶ ରାଜ୍ୟରେ ସରସ୍ବତୀ ପୂଜା ଜାକଜମକରେ ହେଉଥିଲେ ହେଁ ଅନ୍ୟ ଦେବଦେବୀଙ୍କ ମନ୍ଦିର ଭଳି ବହୁ ସଂଖ୍ୟାକ ସରସ୍ବତୀ ମନ୍ଦିର ଦୃଷ୍ଟିଗୋଚର ହୁଏନାହିଁ। ଯଦିଓ ବହୁ ମନ୍ଦିରରେ ମାତା ସରସ୍ବତୀ ପାର୍ଶ୍ବଦେବୀ ରୂପେ ପୂଜିତା, କିନ୍ତୁ ତାଙ୍କୁ ସମର୍ପିତ ମନ୍ଦିରସଂଖ୍ୟା ନଗଣ୍ୟ। ବହୁ ମନ୍ଦିର ଥିବା ଆମ ରାଜ୍ୟ ଓଡ଼ିଶାରେ ବି ସରସ୍ବତୀଙ୍କ ପ୍ରତି ସମର୍ପିତ ମନ୍ଦିର ପ୍ରାୟ ନାହିଁ। ଏଯାବତ୍‌ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳାରେ ହିଁ ସରସ୍ବତୀ ମନ୍ଦିରଟିଏ ରହିଛି। ସମ୍ପ୍ରତି କେବଳ ବସନ୍ତ ପଞ୍ଚମୀ ଦିନ ଶିକ୍ଷାନୁଷ୍ଠାନ, ପାଠାଗାର ଓ ଅଳ୍ପକିଛି ସାର୍ବଜନୀନ ପୂଜାସ୍ଥଳୀରେ  ସରସ୍ବତୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ‌‌େସ ଯାହାହେଉ, ସ୍ବଳ୍ପ ହେଲେ ବି ଭାରତର ବିଭିନ୍ନ ପ୍ରାନ୍ତରେ ସରସ୍ବତୀ ମନ୍ଦିର ଓ ତତ୍‌ସମ୍ପର୍କିତ କିଛି କଥାକାହାଣୀ ମଧ୍ୟ ରହିଛି।
କାଶ୍ମୀରର ଶାରଦା ପୀଠ
ଭାରତରେ ଅବସ୍ଥିତ ସରସ୍ବତୀ ପୀଠଗୁଡ଼ିକ ମଧ୍ୟରେ ଅନ୍ୟତମ ପ୍ରାଚୀନ ମନ୍ଦିର ହେଉଛି ଜମ୍ମୁକାଶ୍ମୀରର ଶାରଦା ପୀଠ। ସଂପ୍ରତି ଏ ମନ୍ଦିରଟି ଆଜାଦ୍‌ କାଶ୍ମୀରରେ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ହୋଇଛି। ଶ୍ରୀନଗରଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଥିବା ବିଦ୍ୟାଦାୟିନୀ ସରସ୍ବତୀଙ୍କ ପ୍ରତି ସମର୍ପିତ ଶାରଦା ପୀଠ ଏକଦା ଶିକ୍ଷାଦାନ ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିଥିଲା। ଭାରତୀୟ ଉପମହାଦେଶର ଅଗ୍ରଗଣ୍ୟ ମନ୍ଦିର ବିଶ୍ବବିଦ୍ୟାଳୟ ମଧ୍ୟରେ ଏହା ଅନ୍ୟତମ। ଏଠାରୁ କହ୍ଲାଣ, ଆଦି ଶଙ୍କରାଚାର୍ଯ୍ୟ, ବୈରୋତ୍ସନ, କୁମାରଜୀବ ଓ ଥୋମ୍‌ନି ସମ୍ଭୋତା ଆଦି ପଣ୍ଡିତ ଶିକ୍ଷାଲାଭ କରିଥିଲେ। ଉତ୍ତର ଭାରତରେ ଶାରଦା ଲିପି ଲୋକପ୍ରିୟ କରାଇବାରେ ଏହାର ଅବଦାନ ଅତୁଳନୀୟ। ସେହିପରି, ପ୍ରଭାବଶାଳୀ ଶିକ୍ଷାକ୍ଷେତ୍ର ହୋଇଥିବାରୁ ବେଳେ ବେଳେ କାଶ୍ମୀରକୁ ‘ଶାରଦା ଦେଶ’ ବୋଲି କୁହାଯାଉଥିଲା।
ଦେବୀ ସରସ୍ବତୀଙ୍କ ପୌରାଣିକ ମାହାତ୍ମ୍ୟ
କିଂବଦନ୍ତି କହେ, ଦେବୀ ସରସ୍ବତୀ ବା ବାଗ୍‌ଦେବୀ ଧର୍ମଦେବଙ୍କ ବାମ ପାର୍ଶ୍ୱରୁ ଆବିର୍ଭୂତା। ସେ ଶୁକ୍ଳବର୍ଣ୍ଣା, ମକର ବା ହଂସାରୂଢ଼ା, ଶ୍ୱେତପଦ୍ମାସନା, ବୀଣା ପୁସ୍ତକଧାରିଣୀ ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ। ବସନ୍ତ ପଞ୍ଚମୀ ଭାବେ ବିଦିତ ମାଘ ଶୁକ୍ଳ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନ ସରସ୍ବରତୀଙ୍କୁ ଆବାହନ କରାଯାଏ। ବହୁ ପୁରାଣରେ ସରସ୍ବତୀଙ୍କ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଅବତାରଣା ରହିଛି। ବ୍ରହ୍ମବୈବର୍ତ୍ତ ପୁରାଣରେ ବାଗ୍‌ଦେବୀଙ୍କ ଉତ୍ପତ୍ତି ବିଷୟରେ ଏଭଳି ବର୍ଣ୍ଣନା ରହିଛି- ପରମାତ୍ମାଙ୍କ ମୁଖରୁ ଶୁକ୍ଳବର୍ଣ୍ଣା, ବୀଣାଧାରିଣୀ ଓ କୋଟିଚନ୍ଦ୍ର ପ୍ରଭା ଦେବୀ ସରସ୍ବତୀ ପ୍ରକଟ ହୋଇଥିଲେ। ଦେବୀ ଶ୍ରୁତି ଓ ଶାସ୍ତ୍ର ମଧ୍ୟରେ ଶ୍ରେଷ୍ଠା ଓ ପଣ୍ଡିତମାନଙ୍କ ଜନନୀ। ପୁଣି ସେ ବାଗଧିଷ୍ଠାତ୍ରୀ ଦେବୀ। ବ୍ରହ୍ମବୈବର୍ତ୍ତ ପୁରାଣର ଗଣେଶ ଖଣ୍ଡରେ ଥିବା ବର୍ଣ୍ଣନା ଅନୁସାରେ- ସୃଷ୍ଟିକାଳରେ ଈଶ୍ୱରଙ୍କ ଇଚ୍ଛାନୁସାରେ ପ୍ରଧାନାଶକ୍ତି ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଓ ସରସ୍ୱତୀ ନାମରେ ପଞ୍ଚଧା ବିଭକ୍ତା ହେଲେ। ଏମାନଙ୍କ ମଧ୍ୟରୁ ଦେବୀ ସରସ୍ୱତୀ ହେଲେ ବାଗଧିଷ୍ଠାତ୍ରୀ, ଶାସ୍ତ୍ରଜ୍ଞାନଦାୟିନୀ ଓ କୃଷ୍ଣକଣ୍ଠୋଦ୍ଭବା। ପ୍ରଥମେ ଶ୍ରୀକୃଷ୍ଣ ଦେବୀ ସରସ୍ବତୀଙ୍କୁ ପୂଜାକଲେ। ଶ୍ରୀକୃଷ୍ଣଙ୍କ ଉପଦେଶକ୍ରମେ ଦେବୀ ସରସ୍ବତୀ ନାରାୟଣଙ୍କୁ ଭଜନା କଲେ। ମାଘ ମାସ ଶୁକ୍ଳ ପଞ୍ଚମୀ‌ରେ ପ୍ରଚଳିତ ସରସ୍ୱତୀ ପୂଜା ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରବର୍ତ୍ତିତ ବୋଲି କୁହାଯାଏ। ବାଗ୍‌ଦେବୀଙ୍କୁ ଆରାଧନା କଲେ ମୂର୍ଖ ବି ପଣ୍ଡିତ ହୋଇଯାଏ ବୋଲି ବିଶ୍ବାସ ରହିଛି। ଏ କ୍ଷେତ୍ରରେ କାଳିଦାସଙ୍କଠୁ ବଳି ଉତ୍କୃଷ୍ଟ ଦୃଷ୍ଟାନ୍ତ ନାହିଁ କହିଲେ ଚଳେ। ମୂର୍ଖମତି କାଳିଦାସ ସରସ୍ବତୀଙ୍କୁ ଆରାଧନା କରି ତାଙ୍କରି କୃପାବଳରେ ମହାକବି ହୋଇଥିବା କଥା ସର୍ବଜନବିଦିତ। ତେଣୁ, ସଂଗୀତ ଓ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଲୋକେ ସାକ୍ଷାତ ସରସ୍ବତୀଙ୍କ ବରପୁତ୍ର ବୋଲି କହନ୍ତି।
ଦେବୀ ଭାଗବତରେ ବି ଉ‌େଲ୍ଲଖ ଅଛି- ଅନନ୍ତଶକ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ସରସ୍ୱତୀ, ଲକ୍ଷ୍ମୀ ଓ କାଳୀ ଏହି ତିନି ଶକ୍ତି ପ୍ରଦାନକଲେ। ଅନନ୍ତଶକ୍ତି ବ୍ରହ୍ମାଙ୍କୁ କହିଲେ ତୁମ୍ଭେ ଏହି ଦିବ୍ୟରୂପା, ଚାରୁହାସିନୀ, ରାଜୋଗୁଣଯୁକ୍ତା ଶ୍ୱେତାମ୍ବରଧାରିଣୀ, ଶ୍ୱେତ ସରୋଜବାସିନୀ ମହାସରସ୍ୱତୀ ନାମ୍ନୀ ଶକ୍ତିଙ୍କୁ କ୍ରୀଡ଼ାସହଚରୀରୂପେ ଗ୍ରହଣ କର। ତେଣୁ, କୁହାଯାଏ ବେଦକୁ ପ୍ରଥମେ ଗାନ କରିଥିବା ଦେବୀ ହେଉଛନ୍ତି ସରସ୍ବତୀ। ଆଉ କେତେକ ପୁରାଣମତେ ସରସ୍ବତୀ କୁଆଡ଼େ ବିଷ୍ଣୁଙ୍କର ଏକତମା ପତ୍ନୀ।

ଦେଶର ଅାଠଟି ଶକ୍ତିପୀଠ ମଧ୍ୟରୁ ଶାରଦା ପୀଠ ଅନ୍ୟତମ। ଦେବୀ ସତୀଙ୍କର ଦକ୍ଷିଣହସ୍ତ ଏଠାରେ ପଡ଼ିଥିଲା ବୋଲି ପୁରାଣ କହେ। ତେଣୁ, ଏହା ଥିଲା କାଶ୍ମୀରୀ ପଣ୍ଡିତମାନଙ୍କର ପବିତ୍ରତମ ତୀର୍ଥସ୍ଥଳୀ। କିନ୍ତୁ, ଶାରଦା ପୀଠ କେବେ ସୃଷ୍ଟି ହୋଇଥିଲା ତାହା ଅଜ୍ଞାତ। କେତେକ ଐତିହାସିକଙ୍କ ମତରେ ଏହା କୁଶାଣ ସାମ୍ରାଜ୍ୟ ଅମଳରେ ନିର୍ମିତ ହୋଇଥିଲା। ଆଉ କେତେକଙ୍କ ମତରେ ଏହି ଅଷ୍ଟମ ଶତାବ୍ଦୀ ପୀଠର ନିର୍ମାତା ଲଳିତାଦିତ୍ୟ ମୁକ୍ତପଦ। ପୁଣି, ଆହୁରି କିଛି ବିଶ୍ବାସ କରନ୍ତି ଯେ ପାଞ୍ଚ ହଜାରରୁ ଅଧିକ ବର୍ଷ ପୂର୍ବେ ଶାରଦା ପୀଠ ନିର୍ମାଣ କରାଯାଇଥିଲା। ଆଉ କିଛି ଗବେଷକ କହନ୍ତି, ଶାରଦା ପୀଠ ଥର‌କରେ ନୁହେଁ, ପର୍ଯ୍ୟାୟକ୍ରମେ ନିର୍ମାଣ କରାଯାଇଥିଲା। ପରିବ୍ରାଜକ ଅଲ୍‌ ବେରୁନୀଙ୍କ ଭାରତ ଭ୍ରମଣରେ ଏହି ପୀଠ ସଂପର୍କରେ ଉଲ୍ଲେଖ ରହିଛି। ପ୍ରାୟ ପାଞ୍ଚହଜାର ବର୍ଷ ତ‌େଳ ଏହି ପୀଠର ଅୟମାରମ୍ଭ ହୋଇଥିଲା। ଦ୍ବାରିକା ପୀଠମ୍‌ ରେକର୍ଡରେ ଉଲ୍ଲେଖ ଅଛି ଯେ, ଖ୍ରୀଷ୍ଟପୂର୍ବ ୫୦୯ରୁ ୪୭୭ ମଧ୍ୟରେ ଆଦି ଶଙ୍କରାଚାର୍ଯ୍ୟ ଶାରଦା ପୀଠ ପୁନଃ ସଂସ୍ଥାପନ କରିଥିଲେ।

ଶ୍ରୀଙ୍ଗେରି ଶାରଦମ୍ବା 
କର୍ଣ୍ଣାଟକର ଶ୍ରୀଙ୍ଗେରି ସହରରେ ଅବସ୍ଥିତ ଶ୍ରୀଶାରଦମ୍ବା ମନ୍ଦିର ଦେଶର ଅନ୍ୟତମ ପ୍ରାଚୀନ ସରସ୍ବତୀ ପୀଠ ଭାବେ ଜଣାଶୁଣା। ଅଷ୍ଟାଦଶ ଶତାବ୍ଦୀରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ଏ ମନ୍ଦିର ସ୍ଥାପନା କରିବା ସହିତ ସେଥିରେ ଚନ୍ଦନକାଠରେ ନିର୍ମିତ ଶାରଦମ୍ବାଙ୍କର ଉଭା ପ୍ରତିମା ପ୍ରତିଷ୍ଠା କରିଥିଲେ। ଚତୁର୍ଦ୍ଦଶ ଶତାବ୍ଦୀରେ ବିଜୟନଗର ଶାସକ ଓ ଦ୍ବାଦଶ ଜଗଦ୍‌ଗୁରୁ ଶ୍ରୀବିଦ୍ୟାନାରାୟଣ ଏ ମନ୍ଦିରରେ ଉପବିଷ୍ଟା ମୁଦ୍ରାରେ ଥିବା ଶ୍ରୀ ଶାରଦାମ୍ବାଙ୍କର ସ୍ବର୍ଣ୍ଣ ବିଗ୍ରହ ସ୍ଥାପନ କରିଥିଲେ। ଶ୍ରୀଙ୍ଗେରୀ ଶାରଦା ପୀଠମ୍‌ରେ ଦେବୀ ସରସ୍ବତୀଙ୍କୁ ମାତା ପାର୍ବତୀଙ୍କ ଅବତାର ଭାବେ ପୂଜାର୍ଚ୍ଚନା କରାଯାଏ। 

fhsfshfxbbv

ପୁଷ୍କରର ସରସ୍ବତୀ ମନ୍ଦିର
ରାଜସ୍ଥାନ ଅନ୍ତର୍ଗତ ପୁଷ୍କରରେ ଥିବା ଏକ ସୁଦୃଶ୍ୟ ମନ୍ଦିର ବ୍ରହ୍ମାପତ୍ନୀ ଦେବୀ ସରସ୍ବତୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ‌ପୀଠ ସାବିତ୍ରୀ ମାତା ମନ୍ଦିର ଭାବେ ମଧ୍ୟ ପରିଚିତ। ରତ୍ନଗିରି ପର୍ବତରେ ଅବସ୍ଥିତ ଏ ମନ୍ଦିର ସହିତ ଗୋଟାଏ ପୌରାଣିକ ଆଖ୍ୟାନ ଜଡ଼ିତ। ପୁଷ୍କରରେ ଯଜ୍ଞ କରିବା ଲାଗି ବ୍ରହ୍ମା ଗାୟତ୍ରୀଙ୍କୁ ଦ୍ବିତୀୟ ବିବାହ କଲେ। ଏଥିକୁ ଦେବୀ ସାବିତ୍ରୀ କ୍ଷୁବ୍ଧହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଲେ। ତା’ପରେ ସେଠାରେ ବ୍ରହ୍ମାଙ୍କ ମନ୍ଦିର ତୋଳାଗଲା ଏବଂ ସାବିତ୍ରୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଗଲା। ଦେବୀ ସରସ୍ବତୀଙ୍କୁ କଳା, ବିଜ୍ଞାନ, କାରୁକଳା ଓ ମେଧା ଆଦି ସମସ୍ତ ଗୁଣର ଅବତାର ବୋଲି ସର୍ବମାନ୍ୟା। ସେଥିପାଇଁ ଯୁଗ ଯୁଗ ଧରି ଅନେକ ଶିଳ୍ପୀ, ଲେଖକ ଓ ସର୍ଜନାତ୍ମକ କାର୍ଯ୍ୟକଳାପରେ ବ୍ୟାପୃତ ବହୁଲୋକ ପୁଷ୍କର ଯାତ୍ରାରେ ଆସି ବ୍ରହ୍ମା ଓ ସରସ୍ବତୀଙ୍କୁ ପ୍ରେରଣା ଭିକ୍ଷା କରନ୍ତି। ସମ୍ପ୍ରତି ସେଠାରେ ଥିବା ମନ୍ଦିରଟିର କାରୁକାର୍ଯ୍ୟ ଅତୀବ ଚମତ୍କାର। ଏ ଆକର୍ଷଣୀୟ ମନ୍ଦିର ସମଗ୍ର ବିଶ୍ବ ଏବଂ ଭାରତର ପ୍ର‌େତ୍ୟକ ପ୍ରାନ୍ତରୁ ଭକ୍ତମାନଙ୍କୁ ଟାଣିଆଣେ।

ବାସର ଜ୍ଞାନ ସରସ୍ବତୀ ମନ୍ଦିର
ତେଲେଙ୍ଗାନାର ବାସରଠାରେ ପ୍ରବାହମାନ ଗୋଦାବରୀ ନଦୀତୀରରେ ଅବସ୍ଥିତ ସରସ୍ବତୀ ମନ୍ଦିର ବେଶ୍‌ ପ୍ରାଚୀନ। ଜମ୍ମୁ ଓ କାଶ୍ମୀରର ଶାରଦା ପୀଠ ଭଳି ଏଠାକାର ମନ୍ଦିର ବି ପ୍ରସିଦ୍ଧ। କିମ୍ବଦନ୍ତୀ ରହିଛି, ମହାଭାରତ ଯୁଦ୍ଧ ପ‌େର ଦଣ୍ଡକାରଣ୍ୟର ଏହି ସ୍ଥାନରେ ମହର୍ଷି ବ୍ୟାସ ଦୀର୍ଘକାଳ ଅତିବାହିତ କରିଥିଲେ। ତେଣୁ ଉକ୍ତ ସ୍ଥାନର ନାମ ବ୍ୟାସର ହୋଇଥିଲା। କାଳକ୍ରମେ ଲୋକମୁଖରେ ତାହା ବାସର ହୋଇଗଲା। ଇତିହାସ କହେ, ଷଷ୍ଠ ଶତାବ୍ଦୀରେ ନନ୍ଦଗିରି ଓ ନାନ୍ଦେଦ୍‌ ପ୍ରଦେଶରେ ରାଜୁତି କରୁଥିବା ବିଜିଆଲୁଦୁ ନାମରେ ଜଣେ ରାଜା ଏ ମନ୍ଦିର ନିର୍ମାଣ କରାଇଥିଲେ। ମୁସଲ୍‌ମାନ ଆକ୍ରମଣକାରୀମାନେ ଏ ମନ୍ଦିରରେ ସ୍ଥାପିତ ବିଗ୍ରହ ନଷ୍ଟ କରି ଦେଇଥିଲେ। ତେଣୁ, ସପ୍ତଦଶ ଶତାବ୍ଦୀରେ ନାନ୍ଦେଦର ଜଣେ ମୁଖିଆ ଏ ମନ୍ଦିରରେ ନୂଆ ବିଗ୍ରହ ସଂସ୍ଥାପନ କଲେ। ବିଦ୍ୟାରମ୍ଭ ପ୍ରଥା ‘ଅକ୍ଷର ଅଭ୍ୟାସମ୍‌’ ଲାଗି ଏ ମନ୍ଦିର ବେଶ୍‌ ପ୍ରସିଦ୍ଧ।

ପନାଚିକ୍କଡ଼ ମୁକାମ୍ବିକା ସରସ୍ବତୀ ମନ୍ଦିର
କେରଳର ପନାଚିକ୍କଡ଼ ମନ୍ଦିର ଦକ୍ଷଣ ମୁକାମ୍ବିକା ସରସ୍ମତୀ ମନ୍ଦିର ଭାବେ ଖ୍ୟାତ। ଏହାର ଅଧିଷ୍ଠାତ୍ରୀ ହେଉଛନ୍ତି ଦେବୀ ସରସ୍ବତୀ। କେରଳ ରାଜ୍ୟର କୋଟ୍ଟୟାମ୍‌ସ୍ଥିତ ପନାଚିକ୍କଡ଼ରେ ଅବସ୍ଥିତ ଏହି ମନ୍ଦିରରେ ଶିବ, ଗଣପତି, ଆୟାପ୍ପାନ୍, ସର୍ପଦେବତା ଓ ଯକ୍ଷୀ ମଧ୍ୟ ପାର୍ଶ୍ବଦିଅଁ ଭାବେ ପୂଜା ପାଉଛନ୍ତି। ଏହି ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ବିଷ୍ଣୁ ଏବଂ ପରବର୍ତ୍ତୀ କାଳରେ ସେଠାରେ ସରସ୍ବତୀଙ୍କ ମନ୍ଦିର ସ୍ଥାପନା ହୋଇଥିଲା। କୋଟ୍ଟାରତିଲ୍‌ ସଙ୍କୁନ୍ନି କର୍ତ୍ତୃକ ‘ଐତିହ୍ୟମାଳା’ରେ ଥିବା ବର୍ଣ୍ଣନାରୁ ଜଣାପଡ଼େ ଏ ମନ୍ଦିର ସହସ୍ର ବର୍ଷରୁ ଅଧିକ ପୁରାତନ।

ଉତ୍ତର ପାରାବୁର୍‌ ଦକ୍ଷିଣ ମୁକାମ୍ବିକା ମନ୍ଦିର
କେରଳର ଦକ୍ଷିଣ ଏର୍ଣ୍ଣାକୁଲମ୍‌ ଜିଲ୍ଲା ଅନ୍ତର୍ଗତ ଉତ୍ତର ପାରାବୁର୍‌ରେ ଅବସ୍ଥିତ ଦକ୍ଷିଣ ମୁକାମ୍ବିକା ମନ୍ଦିର ମଧ୍ୟ ପ୍ରଖ୍ୟାତ ସରସ୍ବତୀ ପୀଠ। ଏ ମନ୍ଦିରର ଗର୍ଭଗୃହ ‌େଗାଟାଏ ପଦ୍ମବନ ମଧ୍ୟସ୍ଥଳରେ ଅବସ୍ଥିତ। ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ସରସ୍ବତୀ। ତାଙ୍କ ବ୍ୟତିରେକେ, ଏଠାରେ ପାର୍ଶ୍ବ ଦେବତା ରୂପେ ଗଣପତି, ସୁବ୍ରମଣିୟାନ୍‌, ମହାବିଷ୍ଣୁ, ଯକ୍ଷୀ, ହନୁମାନ ଓ ବୀରବର୍ଦ୍ଧନ ଆଦି ପୂଜା ପାଉଛନ୍ତି। ଏହାର ଦକ୍ଷିଣପଶ୍ଚିମ କୋଣରେ ଯକ୍ଷୀଙ୍କୁ ନିବେଦିତ ହୋଇଥିବା ବେଦିଟିଏ ରହିଛି। ସାରାବର୍ଷ ଏ ମନ୍ଦିରରେ ବିଦ୍ୟାରମ୍ଭ ଉତ୍ସବ ଚାଲେ। ଏହା ବ୍ୟତିରେକେ, ଏଠାରେ ପ୍ରତିବର୍ଷ ନବରାତ୍ରୀ ଉତ୍ସବ ଅନୁଷ୍ଠିତ ହୁଏ। ସୁଶୋଭନ ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରରେ ବର୍ଷ ତମାମ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଆୟୋଜନ କରାଯାଏ। କିଂବଦନ୍ତି କହେ, ପାରାବୁର୍‌ର ତାମ୍ପୁରାନ୍‌ ଶାସକ ଥିଲେ ଦେବୀ ମୁକାମ୍ବିକାଙ୍କର ପରମ ଭକ୍ତ। ଦେବୀଙ୍କୁ ଅର୍ଘ୍ୟ ଅର୍ପଣ କରିବା ନିମନ୍ତେ ସେ ପ୍ରତିବର୍ଷ ମାଙ୍ଗାଲୁରସ୍ଥିତ କୋଲ୍ଲୁର୍‌ ମନ୍ଦିର ଅଭିମୁଖେ ଯାଉଥିଲେ। ବାର୍ଦ୍ଧକ୍ୟଜନିତ ଭଗ୍ନସ୍ବାସ୍ଥ୍ୟା ଯୋଗୁଁ ସେ ଆଉ କୋଲ୍ଲୁର୍‌ ଯାତ୍ରା କରିପାରିଲେ ନାହିଁ। ତେଣୁ, ରାଜ ପ୍ରାସାଦ ନିକଟରେ ମନ୍ଦିର ତୋଳିବାକୁ ରାଜାଙ୍କୁ ଦେବୀ ସ୍ବପ୍ନାଦେଶ ଦେଲେ। ଦେବୀଙ୍କ ଆଦେଶ ମୁତାବକ ତାମ୍ପୁରାନ୍‌ ଶାସକ ଏ ମନ୍ଦିର ତୋଳି ଦେବୀଙ୍କୁ ସ୍ଥାପନ କଲେ।

Education: ଶ୍ରମିକ ବଦଳରେ ସାଜିଲେ ଛାତ୍ର, କାମ କରୁଥିବା ହାତରେ ଧରିଲେ ବହି-କଲମ

କୂତନୁର୍‌ ମହାସରସ୍ବତୀ ମନ୍ଦିର
ତାମିଲନାଡୁର ତିରୁବାରୁର୍‌ ଜିଲ୍ଲା ଅନ୍ତର୍ଗତ କୂତନୁର୍‌ ନଗରୀରେ ମହାସରସ୍ବତୀ ମନ୍ଦିର ବିଦ୍ୟମାନ। ଏହା ହେଉଛି ଅଧିଷ୍ଠାତ୍ରୀ ଦେବୀ ରୂପେ ସରସ୍ବତୀ ପୂଜିତ ହେଉଥିବା ତାମିଲନାଡୁର ଏକମାତ୍ର ମନ୍ଦିର। ଦ୍ବାଦଶ ଶତାବ୍ଦୀର ତାମିଲ ରାଜକବି ଓଟ୍ଟାକୁତର୍‌ ଓ କମ୍ବର୍‌ ମଧ୍ୟ ଏ ମନ୍ଦିରର ମହିମା ଗାନ କରିଛନ୍ତି। ଇତିହାସ କହେ, ଶାନ୍ତିରେ ବସି କବିତା ଲେଖିବା ଲାଗି ରାଜା ରାଜରାଜ ଚୋଳ ଏ ମନ୍ଦିର ପ୍ରଖ୍ୟାତ କବି ଓଟ୍ଟାକୁତର୍‌ଙ୍କୁ ଦାନ କରିଥିଲେ। ତାଙ୍କ ନାମାନୁସାରେ ନଗରୀର ନାଁ ହୋଇଗଲା କୂତନୁର୍‌। କିନ୍ତୁ, କିଂବଦନ୍ତି କହେ ଓଟ୍ଟାକୁତର୍‌ ଓ ତାଙ୍କ ନାତି ଓବାତକୁତର୍‌ ଦେବୀ ସରସ୍ବତୀଙ୍କ ଲାଗି ଏ ସୁନ୍ଦର ମନ୍ଦିର ସ୍ଥାପନ କରିଥିଲେ। ଏ ମନ୍ଦିରର ମୁଖ୍ୟ ଉତ୍ସବ ହେଉଛି ବିଜୟା ଦଶମୀ। ତେଣୁ, ଏ ମନ୍ଦିର ଦ୍ବାଦଶ ଶତାବ୍ଦୀରେ କବି ଓଟ୍ଟାକୁତର୍‌ଙ୍କ ଦ୍ବାରା ନିର୍ମିତ ବୋଲି ଧରାଯାଏ। 

ୱରଙ୍ଗଲ୍‌ ବିଦ୍ୟା ସରସ୍ବତୀ ମନ୍ଦିର
ତେଲେଙ୍ଗାନାର ମେଡ଼କ୍‌ ଜିଲ୍ଲାରେ ଅବସ୍ଥିତ ୱରଙ୍ଗଲ୍‌ ସରସ୍ବତୀ ମନ୍ଦିର ଅଥବା ଶ୍ରୀବିଦ୍ୟା ସରସ୍ବତୀ ମନ୍ଦିର ଅପେକ୍ଷାକୃତ ନୂଆ। ବାସ୍ତୁ ବିଶେଷଜ୍ଞ ମହାନ୍‌ ସରସ୍ବତୀ ଭକ୍ତ ପଣ୍ଡିତ ଜୟବରମ୍‌ ଚନ୍ଦ୍ରଶେଖର ଶର୍ମାଙ୍କ ଉଦ୍ୟମରେ ଏ ମନ୍ଦିର ନିର୍ମାଣ କାର୍ଯ୍ୟ ୧୯୮୯ ମସିହା ବସନ୍ତ ପଞ୍ଚମୀ ଦିନ ଆରମ୍ଭ ହୋଇଥିଲା। ୧୯୯୨ରେ ଶ୍ରୀ ଶ୍ରୀ ଶ୍ରୀ ବିଦ୍ୟା ନୃସିଂହ ଭାରତୀ ସ୍ବାମୀ ୱରଙ୍ଗଲ୍‌ ମୁଣ୍ଡିଆରେ ଦେବୀ ଶ୍ରୀ ବିଦ୍ୟା ସରସ୍ବତୀ ଏବଂ ଆଉ କେତେକ ପାର୍ଶ୍ବ ଦେବତାଙ୍କୁ ସ୍ଥାପନା କରିଥିଲେ। ପରେ ଏ ମନ୍ଦିର କାଞ୍ଚି ପେଟାମ୍‌କୁ ଉତ୍ସର୍ଗ କରାଗଲା। ୧୯୯୯ରେ ସେଠାରେ କାଞ୍ଚି ପେଟାମ୍‌ର ଶ୍ରୀ ଶଙ୍କରାଚାର୍ଯ୍ୟ ବିଜୟ ସରସ୍ବତୀ ବୈଦିକ ପାଠଶାଳା ଆରମ୍ଭ କରିଥିଲେ। ୨୦୦୧ରେ ସେଠାରେ ଉଦ୍‌ଘାଟିତ ହୋଇଥିଲା ଲକ୍ଷ୍ମୀ ଗଣପତିଙ୍କ ମନ୍ଦିର। କାଞ୍ଚି ଶଙ୍କର ମଠ ଦ୍ବାରା ପରିଚାଳିତ ଏ ସରସ୍ବତୀ ମନ୍ଦିର ତେଲେଙ୍ଗାନାରେ ଖୁବ୍‌ ଲୋକପ୍ରିୟ।