ଲିଙ୍ଗରାଜ ସାହୁ

ପୁରୁଣା ଭୁବନେଶ୍ୱର: ଏକାମ୍ରକ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳନାଥ ମହାଦେବଙ୍କ ମନ୍ଦିର ପରିଚାଳନାକୁ ନେଇ ବିଭିନ୍ନ ସମୟରେ ବିବାଦ ଉପୁଜିଛି। ଏକାମ୍ର ଅଧିପତି ଶ୍ରୀଲିଙ୍ଗରାଜଙ୍କ ବହୁ ନୀତିକାନ୍ତିରେ ସାମିଲ ହେଉଥିବା କପିଳନାଥ ବା କପିଳେଶ୍ବର ହେଉଛନ୍ତି ପୁରୁଣା ଭୁବନେଶ୍ବରର ଅନ୍ୟତମ ଆରାଧ୍ୟ ଦେବତା। ଏବେ ଏହି ପୀଠର ସେବାୟତମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲା ପ୍ରଶାସନ ଉପରେ ଖପ୍‌ପା ଥିବା ଜଣାପଡ଼ିଛି। ବିଶେଷକରି ଏହି ମନ୍ଦିର ପରିସରରେ ପୂଜା ପାଉଥିବା ପ୍ରତ୍ୟକ୍ଷ ଠାକୁରାଣୀ ମା’ ଦକ୍ଷିଣକାଳୀଙ୍କୁ ସୁନା ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର ସବୁ କେଉଁଠି ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି କପିଳେଶ୍ବର ମହାଦେବଙ୍କ ଭୂସମ୍ପତ୍ତି ବିକ୍ରି ନିଷ୍ପତ୍ତି ଉପରେ ମଧ୍ୟ କିଛି ସେବାୟତ ଆପତ୍ତି ଉଠାଇଛନ୍ତି। ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ମନ୍ଦିର ପରିଚାଳନା ଉପରେ ନେଉଥିବା ନିଷ୍ପତ୍ତି ସବୁକୁ ସାର୍ବଜନୀନ କରିବାକୁ ସେବାୟତମାନେ ଦାବି କରିଛନ୍ତି।  

Advertisment

  🔴 LIVE | News Updates 2nd Jan 2026: ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜର୍ମାନୀରେ କୋଠାରୁ ଡେଇଁଲେ ଭାରତୀୟ ଛାତ୍ର

ସେବାୟତମାନଙ୍କ ଅଭିଯୋଗ ଅନୁସାରେ ବାବା କପିଳନାଥଙ୍କ ଅଚଳାଚଳ ଭୂସମ୍ପତ୍ତି ରହିଛି। କିନ୍ତୁ ମନ୍ଦିରର ଆୟ କମିଗଲାଣି। ଫଳରେ ସେବାୟତମାନେ ନିୟମିତ ପାଉଣା ପାଇପାରୁ ନାହାନ୍ତି। ସେହିଭଳି ମନ୍ଦିରର ବିଦ୍ୟୁତ୍ ବିଲ୍ ଠିକଣା ସମୟରେ ପଇଠ କରିହେଉନାହିଁ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ପ୍ରଭୁ କପିଳନାଥ ଓ ମା’ ଦକ୍ଷିଣକାଳୀଙ୍କ ସୁନା, ରୁପା ଅଳଙ୍କାରର ହିସାବ ସେବାୟତମାନଙ୍କ ନିକଟରେ ନାହିଁ। ମା’ ଦକ୍ଷିଣକାଳୀଙ୍କ ୧୩୦ ଭରି ଓଜନର ସୁନା ମୁକୁଟ ଏବେ କେଉଁଠି, ତାହା ସେବାୟତମା‌ନେ ଜାଣିନାହାନ୍ତି। ବିଭିନ୍ନ ପର୍ବପର୍ବାଣୀରେ ମା’ଙ୍କୁ ବିନା ମୁକୁଟରେ ଦେଖିବାକୁ ମିଳୁଛି। ପୂର୍ବରୁ ମା’ ଦକ୍ଷିଣକାଳୀ ଏହି ମୁକୁଟ ପିନ୍ଧି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଥିଲେ। ଏହି ସୁନା ମୁକୁଟ ବ୍ୟତୀତ ଗୋଟିଏ ରୁପା ମୁକୁଟ, ରୁପା ଖଣ୍ଡା ଖର୍ପର, ସୁନା ନାକଫୁଲ, ରୁପା ଚୁଡ଼ି, ରୁପା ମାଳ ଆଦି ଥିଲା।

School Bus: ନଗଡ଼ାକୁ ସ୍କୁଲବସ୍‌ ସେବା ଶୁଭାରମ୍ଭ

ସେସବୁ କେଉଁଠି ରଖାଯାଇଛି ଏବଂ କି ଅବସ୍ଥାରେ ରହିଛି, ତାହା ସାର୍ବଜନୀନ କରାଯାଉନାହିଁ। ମାତ୍ର ପ୍ରାୟ ୧୨/୧୩ ବର୍ଷ ହେଲାଣି ସେହି ମୁକୁଟ ଆଉ ଦେଖାଯାଉନାହିଁ। ଏନେଇ କପିଳନାଥଙ୍କ ସେବାୟତ ହଳଧର ମଲିଆ, ଦେବୋତ୍ତର ଆୟୁକ୍ତ, ସହକାରୀ ଦେବୋତ୍ତର ଆୟୁକ୍ତ, ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ମା’ ଦକ୍ଷିଣକାଳୀଙ୍କ ୧୩୦ ଭରି ଓଜନର ସୁନା ମୁକୁଟ ଏବେ କେଉଁଠି ବୋଲି ସେ ଚିଠିରେ ପ୍ରଶ୍ନ କରିଛନ୍ତି। ୧୯୯୦ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୩ ବର୍ଷ ଧରି ମ୍ୟାନେଜିଂ ଟ୍ରଷ୍ଟି ଭାବେ ହରିହର ମଲିଆ କାର୍ଯ୍ୟ ତୁଲାଇଥିଲେ। ୨୦୧୩ ମାର୍ଚ୍ଚ ୧୩ରେ ସେ ଟ୍ରଷ୍ଟ ବୋର୍ଡରୁ ଅବ୍ୟାହତି ନେଲେ ଏବଂ ତତ୍କାଳୀନ ଦେବୋତ୍ତର ନୀରିକ୍ଷକ ନିରୋଜ ଛୋଟରାୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।

୨୦୨୦ ମସିହାରୁ ଦେବୋତ୍ତର ଆୟୁକ୍ତ କପିଳେଶ୍ୱର ମନ୍ଦିରର ସ୍ଥାୟୀ ଟ୍ରଷ୍ଟ ବୋର୍ଡ ଗଠନ କରି ଆସୁଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ରହୁଛନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଉପଜିଲ୍ଲାପାଳ ଦାୟିତ୍ବ ବହନ କରୁଛନ୍ତି। ମାତ୍ର ପରିତାପର କଥା ୨୦୧୩ ମସିହାରୁ ମନ୍ଦିରର ଅଡିଟ୍‌ ହେଉନାହିଁ ବୋଲି ସେବାୟତ ହଳଧର ଅଭିଯୋଗ କରିଛନ୍ତି। ଏନେଇ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧା ସଙ୍ଗୀତା କହିଛନ୍ତି ଯେ ଏସବୁ ପ୍ରସଙ୍ଗକୁ ନେଇ ଟ୍ରଷ୍ଟ ବୋର୍ଡ ବୈଠକରେ ଆଲୋଚନା କରାଯିବ। ଠାକୁରଙ୍କ ସମସ୍ତ ଅଳଙ୍କାର ରାଧାବଲ୍ଲଭ ମଠରେ ରହିଛି ବୋଲି ସେ କେବଳ ଶୁଣିଛନ୍ତି। ସେ ଦାୟିତ୍ୱ ନେବାବେଳେ ତାଙ୍କୁ ଅଳଙ୍କାରଗୁଡ଼ିକ ଚାର୍ଜ ଦିଆଯାଇନି ବୋଲି ସେ କହିଛନ୍ତି।