ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଆଜି ଏହାର ସମୀକ୍ଷା କରିଛନ୍ତି। ନବୀନ ନିବାସରେ ଆୟୋଜିତ ଏହି ସମୀକ୍ଷାରେ ନୂଆପଡ଼ା ଜିଲ୍ଲା ସଭାପତି, ପରାଜିତ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପରାଜୟର କାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

Advertisment

ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ। ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ପଡ଼ିବ।

ବିଜେପିକୁ ଟାର୍ଗେଟ୍‌

ଏହି ଆଲୋଚନା ପରେ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ନେହାଙ୍ଗିନୀ ଛୁରିଆ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି। ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରଶାସନର ସହାୟତାରେ ବୁଥ୍ ରିଗିଂ କରି ବିଜେପି ଏହି ବିଜୟ ହାସଲ କରିଛି। ବର୍ତ୍ତମାନ ପ୍ରଶାସନ ବିଜେପିର ହାତବାରିସି ସାଜି କାମ କରୁଛି ଏବଂ ବିଜେଡିର ଅଭିଯୋଗ ଶୁଣାଯାଉ ନାହିଁ। ରାଜ୍ୟରେ ଚାଷୀଙ୍କ ଧାନ କିଣାଯାଉ ନାହିଁ ଏବଂ ସରକାରଙ୍କ କଥା ଓ କାମରେ ଆକାଶ ପାତାଳ ଫରକ ରହିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: In Odisha BJP Govt Encouraging Anarchy: ବିଜେପି ସରକାର ଅରାଜକତା-ଗୁଣ୍ଡାରାଜକୁ ପ୍ରୋତ୍ସାହିତ କରୁଛନ୍ତି: ନବୀନ ପଟ୍ଟନାୟକ

ବିଜେଡି ଦଖଲରେ ନୂଆପଡ଼ା

ବିଜେଡି ପକ୍ଷରୁ କୁହାଯାଇଛି ଯେ, ପରାଜୟ ସତ୍ତ୍ୱେ ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗିନାହିଁ। ନୂଆପଡ଼ାର ୬ରୁ ୫ଟି ଜିଲ୍ଲା ପରିଷଦ ଆସନ ଏବେ ବି ବିଜେଡି ଦଖଲରେ ରହିଛି, ଯାହା ଦଳର ଦବଦବାକୁ ପ୍ରମାଣିତ କରୁଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଇଭିଏମ ବଦଳରେ ବାଲାଟ ପେପରରେ ଭୋଟ ହେବ ଏବଂ ସେତେବେଳେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ ବୋଲି ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: A Story translated by Pravat Kumar Mohapatra: ପ୍ରଭାତ କୁମାର ମହାପାତ୍ରଙ୍କ ଅନୁଦିତ ଗଳ୍ପ ‘ଟୁକୁଡ଼ାଏ କାଗଜ’