ଟୁକୁଡ଼ାଏ କାଗଜ

ମୂଳ ହିନ୍ଦୀ: ରଣଯୋଦ୍ଧ ସିଂହ
ଅନୁସୃଜନ: ପ୍ରଭାତ କୁମାର ମହାପାତ୍ର

ସ୍ନେହା ଘରକୁ ପ୍ରବେଶ କରିବା ମାତ୍ରେ ସାମ୍ନାରେ  ମାଉସୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ତାକୁ ଅନୁମାନ କରିବାକୁ ଅଧିକ ସମୟ ଲାଗିଲା ନାହିଁ ଯେ ମାଉସୀ କାହିଁକି ଆସିଛନ୍ତି।

Advertisment

ସେ କାହାକୁ ନ ଦେଖି ସିଧା ତା’ ରୁମ୍‌କୁ ଚାଲିଗଲା। ମାଉସୀ ପ୍ରକୃତରେ ବିବାହ ପ୍ରସ୍ତାବ ନେଇ ଆସିଥିଲେ। ପୁଅର ବାପାମା’ ସହ ପୁଅଟି ନିଜେ ମଧ୍ୟ ସାଙ୍ଗରେ ଆସିଥିଲା। ପୁଅଟି ଥିଲା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ଲମ୍ବା, ଗୋରା ରଙ୍ଗର। ବାପାମା’ଙ୍କର ଏକମାତ୍ର ସନ୍ତାନ।

ସ୍ନେହାର ବାପାମା’ ମଧ୍ୟ ପୁଅଟିକୁ ପସନ୍ଦ କରୁଥିଲେ। ମାଉସୀ ଚାହୁଥିଲେ ପୁଅ ଝିଅ ପରସ୍ପରକୁ ଦେଖା କରନ୍ତୁ କିନ୍ତୁ ସ୍ନେହା ବାହାରକୁ ଆସିବାକୁ ସ୍ପଷ୍ଟ ମନା କରିଦେଲା। ମାଉସୀଙ୍କୁ ବହୁତ ଖରାପ ଲାଗିଲା। ସେ ହଠାତ୍ ଉଠିପଡ଼ି ସ୍ନେହାର ରୁମ୍ ଭିତରକୁ ପଶିଗଲେ।

‘‘ଆଜି ପର୍ଯ୍ୟନ୍ତ କୌଣସି ବାପାମା’ ତାଙ୍କ ଝିଅକୁ ତାଙ୍କ ପଣତରେ ବାନ୍ଧିପାରିନାହାନ୍ତି। ଆଜି ଲୋକମାନେ ନିଜେ ତୁମ ପାଖକୁ ଆସୁଛନ୍ତି, କାଲି ଯେତେବେଳେ ସମୟ ହାତରୁ ବାଲି ପରି ଖସିଯିବ, ସେତେବେଳେ ତୁମେ କେବଳ ଅନୁତାପ କରିବା ହିଁ ସାର ହେବ।’’ ମାଉସୀ ଗୋଟିଏ ନିଃଶ୍ୱାସରେ ସବୁକିଛି କହିଦେଲେ। 
ସ୍ନେହାର ନିରବତା ଦେଖି ସେ ବାହାରକୁ ଚାଲିଗଲେ। ସ୍ନେହା ତା’ର ସ୍ନାତକ ମଧ୍ୟ ସମାପ୍ତ କରି ନ ଥିଲା, ଦୂରଦୂରାନ୍ତରୁ ବିବାହ ପ୍ରସ୍ତାବ ଆସିବା ଆରମ୍ଭ ହୋଇଯାଇଥିଲା। ସେ ତା’ର ପିତାମାତାଙ୍କୁ ସ୍ପଷ୍ଟ ଭାବରେ କହିଥିଲା, ସେ ଏବେ ପାଠ ପଢ଼ିବାକୁ ଚାହୁଛି, ତେଣୁ ସେମାନେ ତା’ର ବିବାହ କରିବା କଥା ଆଦୌ ଚିନ୍ତା କରନ୍ତୁ ନାହିଁ। ପ୍ରଥମେ ସେମାନେ ତା’ର ପ୍ରସ୍ତାବକୁ ଗ୍ରହଣ କରିଥିଲେ କିନ୍ତୁ ଯେତେବେଳେ ବିବାହ ପ୍ରସ୍ତାବ ବାରମ୍ବାର ଆସିବା ଆରମ୍ଭ ହେଲା, ସେମାନେ ଚିନ୍ତିତ ହୋଇ ଭାବିବାକୁ ଲାଗିଲେ, କିଛି ଭୁଲ୍ ହେଉ ନାହିଁ ତ... ଝିଅର ଜିଦ୍ ଯୋଗୁଁ ତା’ ଭବିଷ୍ୟତକୁ ନଷ୍ଟ କରୁ ନାହାନ୍ତି ତ? ଏଭଳି ସନ୍ଧିକ୍ଷଣରେ ମଧ୍ୟ ସମ୍ପର୍କୀୟମାନେ ତାଙ୍କୁ ତାଚ୍ଛଲ୍ୟ କରିବା ଆରମ୍ଭ କରିଦେଲେ, ‘ତୁମେ ଝିଅକୁ ବିବାହ ଦେବାକୁ ଚାହୁଛ ନା ନାହିଁ, ତା’ର ବୟସ ହୋଇଗଲାଣି। ତାକୁ ଖୁବ୍‌ ସ୍ୱାଧୀନତା ଦେଲ, ଏଣିକି ଆଉ ନୁହେଁ।’ ଶୁଭେଚ୍ଛୁମାନେ ବୁଝାଇଲେ, ‘ଝିଅଟି ଅନ୍ୟ କାହାର ସମ୍ପତ୍ତି, ତାକୁ ଅନ୍ୟ ଘରକୁ ଯିବାକୁ ହିଁ ପଡ଼ିବ। ଆଜି ତା’ ଲାଗି ପ୍ରସ୍ତାବ ଆସୁଛି, କାଲି ନ ଆସିପାରେ।’

ଆହୁରି ପଢ଼ନ୍ତୁ- 🔴 LIVE | News Updates 17th Dec 2025: ଆଗାମୀ ୩ ବର୍ଷରେ ୪୫ ହଜାର ଶିକ୍ଷକ ପଦବି ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ସ୍ନେହା ବହୁତ ସମୟ ଧରି ଚିନ୍ତା କରି ବିଚଳିତ ହେଲା। ତାଙ୍କ ମାଉସୀଙ୍କ କଥାରେ ସତ୍ୟତା ଥିଲା, ତେଣୁ ସେ ତାଙ୍କ ଉପରେ ରାଗି ମଧ୍ୟ ପାରିଲା ନାହିଁ। ତା’ ମନ ଅସ୍ଥିର ହେବାକୁ ଲାଗିଲା। ସେ ଭାବିବାକୁ ଲାଗିଲା, ଝିଅମାନଙ୍କର ଜୀବନ କି ପ୍ରକାରର, ସେମାନେ ଯେଉଁ ଘରେ ଜନ୍ମ ହୁଅନ୍ତି, ସେମାନଙ୍କୁ ଅନ୍ୟ କାହାର ସମ୍ପତ୍ତି ବୋଲି ବିବେଚନା କରାଯାଏ। ଟିକେ ବଡ଼ ହେବା ମାତ୍ରେ, ବାପାମା’ ସେମାନଙ୍କ ବିବାହ କରିବା ପାଇଁ କେତେ ଯେ ପରିଶ୍ରମ କରନ୍ତି ତା’ର ଠିକଣା ନାହିଁ। ଯେତେବେଳେ କୌଣସି ବରପକ୍ଷ ସ୍ନେହା ଘରକୁ ବିବାହ ପ୍ରସ୍ତାବ ନେଇ ଆସୁଥିଲା, ସେ ହଠାତ୍ ଉତ୍ତେଜିତ ହୋଇ ଯାଉଥିଲା। ସେ କିଛି ଭାବି ପାରୁ ନ ଥିଲା କ’ଣ କରିବ। ସିଧା ଅମିତଙ୍କ ଘରକୁ ପଳାଇଯାଉଥିଲା।

ଅମିତ ଯେତେବେଳେ ସ୍ନାତକୋତ୍ତର ଶେଷବର୍ଷରେ ପଢୁଥିଲା,ସ୍ନେହା ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲା। ସ୍ନେହାର ବାପାଙ୍କ କଥାରେ ସେ କିଛିଦିନ ପାଇଁ ତାକୁ ଗଣିତ ପଢ଼ାଉଥିଲେ। ଯେହେତୁ ସେ ଜଣେ ମେଧାବୀ ଛାତ୍ର ଥିଲେ, ସ୍ନେହା ପ୍ରଥମ ଦିନରୁ ହିଁ ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇଥିଲା। ତେଣୁ ସେମାନେ ପରସ୍ପର ବନ୍ଧୁ ହେବା ଆଶ୍ଚର୍ଯ୍ୟଜନକ ନ ଥିଲା। ଅମିତ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଲେ ଏବଂ ଶୀଘ୍ର ସେହି ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ ନିଯୁକ୍ତି ପାଇଲେ ଯେଉଁଠାରେ ସ୍ନେହା ଦର୍ଶନରେ ଉଚ୍ଚଶିକ୍ଷା ପାଠ ପଢୁଥିଲା। ଅମିତ ଆରମ୍ଭରୁ ଜଣେ ଅନ୍ତର୍ମୁଖୀ ବ୍ୟକ୍ତିତ୍ବ ଥିଲେ। ସେ ଖୋଲାଖୋଲି ହସୁ ନ ଥିଲେ।  ଯେତେବେଳେ ସେ କଥା ହେଉଥିଲେ ଯଥାସମ୍ଭବ କମ୍ ଶବ୍ଦ ବ୍ୟବହାର କରୁଥିଲେ। ସ୍ନେହା ତାଙ୍କ ପ୍ରତି ହୃଦୟର ଗଭୀରତାରୁ ପ୍ରେମରେ ପଡ଼ିଯାଇଥିଲା। ଅମିତ ପ୍ରାୟତଃ ସ୍ନେହାକୁ ଗୋଟିଏ କଥା କହୁଥିଲେ, ‘‘ତୁମେ ଏକ ଧନୀ ପରିବାରର ଝିଅ, ମୋ ଘରେ ଆଡଜଷ୍ଟ ହୋଇପାରିବ ତ...?’’ ‘‘ଆଉ ଅନ୍ୟ ବିକଳ୍ପ କ’ଣ?’’ କହି ସ୍ନେହା ହସି ହସି ଉତ୍ତର ଦେଉଥିଲା। ସେମାନଙ୍କ ହସରେ ସମଗ୍ର ପରିବେଶ ସଙ୍ଗୀତମୟ ହୋଇଯାଉଥିଲା। ସେଦିନ ମଧ୍ୟ ସେ କିଛି ସମୟ ଅମିତଙ୍କ ସାମ୍ନାରେ ଥିଲା। ଅମିତ ତା’ର ମୁହଁ ଦେଖିବା ମାତ୍ରେ ସବୁକିଛି ବୁଝିପାରୁଥିଲେ। ଉଭୟ କିଛି ସମୟ ଏପରି ଭାବପ୍ରବଣତାରେ ପରସ୍ପରକୁ ଚାହିଁରହିଥିଲେ। ସେଦିନ ମଧ୍ୟ ସେ ସମାନ କଥା କହୁଥିଲେ, କିନ୍ତୁ ସ୍ନେହା ସନ୍ତୁଷ୍ଟ ନ ଥିଲା। ସେ ଅଧିକ ନର୍ଭସ ଜଣାପଡୁଥିଲା। ସେ ଜିଦ୍ ଧରି କହିଲା, ‘‘ଅମିତ, ଏହା କେତେଦିନ ଚାଲିବ? ତୁମେ ତୁମର ବାପାମା’ଙ୍କ ସହ କାହିଁକି କଥା ହେଉନାହଁ? ମୁଁ ତୁମ ପାଇଁ କେତେଦିନ ଅପେକ୍ଷା କରି ରହିବି?’’ ହଠାତ୍ ଅମିତ ଗମ୍ଭୀର ହୋଇଗଲେ। ‘‘ତୁମେ ଭଲ ଭାବରେ ଜାଣ ଯେ ମୁଁ ନୂଆ ଚାକିରି ପାଇଛି। ମୁଁ ସମ୍ପୂର୍ଣ୍ଣ ସ୍ଥିର ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସହ କଥା ହୋଇପାରିବି ନାହିଁ।’’ ସ୍ନେହା କୌଣସି ପ୍ରତିକ୍ରିୟା ଦେଇ ନ ଥିଲା, ସେ ନିରବରେ ତାଙ୍କ ମୁହଁର ଭାବକୁ ପଢ଼ିଚାଲିଥିଲା।

ଆହୁରି ପଢ଼ନ୍ତୁ- School Principal Pays Fee: ସ୍କୁଲ ଫି’ ଭରି ପଢ଼ିବାର ଆଉ ଏକ ସୁଯୋଗ ଦେଲେ ପ୍ରିନ୍ସିପାଲ

ଅମିତ କିଛି ସମୟ ପାଇଁ ଅଟକିଗଲେ ଏବଂ ତା’ପରେ କହିବାକୁ ଲାଗିଲେ, ‘‘ଦେଖ ସ୍ନେହା, ଆମର ବିବାହ ଏତେ ସହଜ ନୁହେଁ। ପ୍ରଥମତଃ, ପରିବାରର ସଦସ୍ୟମାନଙ୍କୁ ଆନ୍ତଃଜାତି ବିବାହ ପାଇଁ ରାଜି କରାଇବା ଏକ କଷ୍ଟକର କାମ। ଦ୍ୱିତୀୟତଃ, ମୋ ବାପା ଜ୍ୟୋତିଷଶାସ୍ତ୍ରରେ ଗଭୀର ବିଶ୍ୱାସ କରନ୍ତି। ସେ ଆମର କୁଣ୍ଡଳୀ ମେଳ କରିବା ପରେ ହିଁ ଆମର ବିବାହ ସମ୍ଭବ।’’

ସ୍ନେହାର ରକ୍ତ ଗରମ ହୋଇଗଲା। ସେ ଚିତ୍କାର କରି କହିବାକୁ ଚାହୁଥିଲା, ‘‘ପ୍ରେମରେ ପଡ଼ିବା ସମୟରେ ତୁମର ବାପାମା’ଙ୍କ ଅନୁମତି ନେଇଥିଲ କି? ସେତେବେଳେ ହିଁ ତୁମର କୁଣ୍ଡଳୀ ମେଳାଇବା ଉଚିତ ଥିଲା।’’ କିନ୍ତୁ ସେ କେବଳ ଏତିକି କହିପାରିଲା, ‘‘ଯଦି କୁଣ୍ଡଳୀ ମେଳ ନ ହୁଏ ତେବେ କ’ଣ ହେବ?’’ ଅମିତ ଟିକେ ସଂକୋଚ କରି କହିଲା, ‘‘ତେବେ ମୁଁ ସବୁଠାରୁ ଅଧିକ ଦୁଃଖିତ ହେବି କାରଣ ମୁଁ ତୁମକୁ ବହୁତ ଭଲପାଏ। ତୁମ ବିନା ମୋ ଜୀବନର ଅର୍ଥ କ’ଣ? କିନ୍ତୁ ମୁଁ କେବେ ମୋ ବାପାମା’ଙ୍କ ଇଚ୍ଛା ବିରୁଦ୍ଧରେ ଯିବାକୁ ସାହସ କରିପାରିବି ନାହିଁ।’’

କଳ୍ପନାରେ ଉଡୁଥିବା ସମୟରେ ସ୍ନେହା ହଠାତ୍ ଏକ ଝଟ୍‌କାରେ ତଳେ ପଡ଼ିଗଲା; ତା’ ସ୍ୱପ୍ନର ଘର ଖଣ୍ଡ ଖଣ୍ଡ ହୋଇଗଲା।
ସେ ଭାବିବାକୁ ଲାଗିଲା, ‘‘ଏ କ’ଣ ସେହି ଅମିତ ଯାହାର ପ୍ରେମରେ ସେ ଦୁନିଆକୁ ପରାସ୍ତ କରିବାକୁ ଯାଉଥିଲା? ତା’ର ପ୍ରେମ କ’ଣ ଏତେ ଦୁର୍ବଳ ଯେ ସେ ପବନର ଟିକିଏ ଝଟକା ମଧ୍ୟ ସହ୍ୟ କରିପାରିଲା ନାହିଁ?’’ ସ୍ନେହା ପାଖରେ ପ୍ରତିକ୍ରିୟା ଦେବା ପାଇଁ ଶକ୍ତି ନ ଥିଲା। ସେ ଚୁପ୍‌ଚାପ୍ ସେ ସ୍ଥାନ ଛାଡ଼ି ଚାଲିଆସିଲା।
ପରଦିନ, ଯେତେବେଳେ ସ୍ନେହା ବିଶ୍ୱବିଦ୍ୟାଳୟ ଯିବାକୁ ବାହାରୁଛି, ଅମିତଙ୍କ ସାନ ଭଉଣୀ ପଲ୍ଲବୀ ଆସିଲେ। ଶୁଭେଚ୍ଛା ଜଣାଇବା ପରେ, ସେ ମଧୁର ସ୍ୱରରେ କହିଲେ, ‘‘ଗତ ରାତିରେ ତୁମେ ଭାଇ ସହିତ ବହୁତ ସମୟ ଧରି କଥା ହୋଇଥିଲ। ସେ ବାପାଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି, ସେଥିପାଇଁ ଭାଇ ଆଜି ତୁମକୁ ଫୋନ୍ କରିଛନ୍ତି। ତୁମର ଜାତକ ସାଙ୍ଗରେ ନେଇଯାଅ। ବାପା ମଧ୍ୟ କୁଣ୍ଡଳୀ ମେଳାଇବେ, ଆମେ ନିଜେ ଏହି କାମ କାହିଁକି ନ କରିବା। ଲାଲଟିକା ମନ୍ଦିରର ପୂଜାରୀ ଭାଇଙ୍କର ଖୁବ୍ ପରିଚିତ।’’

ଯଦି ଅନ୍ୟ କୌଣସି ଦିନ ହୋଇଥାନ୍ତା, ତେବେ ସେ ଅମିତଙ୍କ ପାଖକୁ ପଳାଇ ଯାଇଥାନ୍ତା, କିନ୍ତୁ ସେଦିନ ସେ ଚୁପ୍‌ଚାପ୍ ତା’ର ଜାତକ ବାହାର କରି ପଲ୍ଲବୀକୁ ଦେଇଦେଲା, କିନ୍ତୁ ତା’ ସହିତ ଯିବାକୁ ମନା କରିଦେଲା।

ଆହୁରି ପଢ଼ନ୍ତୁ- MEA Summons Bangladesh Envoy: ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ବାଂଲାଦେଶ ହାଇକମିଶନରଙ୍କୁ ସମନ

ଆଜି ଅମିତ ବହୁତ ଖୁସି ଥିଲା। ସେ ତାଙ୍କର ଏବଂ ସ୍ନେହାର କୁଣ୍ଡଳୀ ମେଳ କରାଇଥିଲେ। ଲାଲଟିକା ମନ୍ଦିରର ପୂଜାରୀ ୩୬ ପଏଣ୍ଟରୁ ୩୨ ପଏଣ୍ଟ ମେଳ କରି କହିଥିଲେ, ‘‘ବାଃ, ଭଗବାନ କି ଯୋଡ଼ି ତିଆରି କରିଛନ୍ତି, ମନେ ହେଉଛି ଏ ଦୁହେଁ ପରସ୍ପର ପାଇଁ ତିଆରି।’’ ଅମିତଙ୍କ ଖୁସିର ସୀମା ନ ଥିଲା। ସେ ଏହି ଖୁସି ଖବର ବାଣ୍ଟିବା ପାଇଁ ରାତିରେ ହିଁ ସ୍ନେହାଙ୍କୁ ଭେଟିବାକୁ ଚାହୁଥିଲା, କିନ୍ତୁ କୌଣସି ପ୍ରକାରେ ସେ ସକାଳ ପାଇଁ ଅପେକ୍ଷା କଲା। ଯେଉଁଠାରୁ ସେମାନେ ଏକାଠି ବିଶ୍ୱବିଦ୍ୟାଳୟ ଯାଉଥିଲେ, ସେଠାରୁ ଆଠଟାରୁ ନଅଟା ମଧ୍ୟରେ ତାଙ୍କ ଘରେ ପହଞ୍ଚି ଯାଉଥିଲେ। କିନ୍ତୁ ଆଜି ସ୍ନେହା ଆସି ନ ଥିଲା। ତାଙ୍କ ମନରେ ବିଭିନ୍ନ ଚିନ୍ତା ଜାତ ହେଲା, ‘‘ସ୍ନେହା କ’ଣ ମୋ ଉପରେ ରାଗିଛି, ଏହା କେବେ ହୋଇପାରିବ ନାହିଁ, ସେ ମୋତେ ନ ଭେଟି ଗୋଟିଏ ଦିନ ମଧ୍ୟ ରହିପାରିବ ନାହିଁ। କଥା କ’ଣ ହୋଇପାରେ, ସେ ଗତକାଲି ଏବଂ ଆଜି ମଧ୍ୟ ଆସି ନ ଥିଲେ। ସେ ଅସୁସ୍ଥ କି?’’ ବହୁତ ସମୟ ଅପେକ୍ଷା କରିବା ପରେ, ସେ ଅନିଚ୍ଛାରେ ଉଠି ଭାରୀ ପାଦରେ ବିଶ୍ୱବିଦ୍ୟାଳୟ ଆଡ଼କୁ ଚାଲିଗଲେ। ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ମାତ୍ରେ ସେ ଏକ ବଡ଼ ଆଘାତ ପାଇଲେ। ସ୍ନେହା ତାଙ୍କ ବନ୍ଧୁମାନଙ୍କ ଗହଣରେ ଚିନ୍ତାହୀନ ଭାବରେ ହସୁଥିଲେ। ସେହି ମୁହୂର୍ତ୍ତରେ ହିଁ ସେ ସ୍ନେହାକୁ ଏକାନ୍ତରେ ଡାକି କହିଲେ, ‘‘ସ୍ନେହା, ତୁମେ ଗତକାଲି କାହିଁକି ଆସିଲ ନାହିଁ? ମୁଁ ଆଜି ମଧ୍ୟ ସକାଳରୁ ତୁମ ପାଇଁ ଅପେକ୍ଷା କରିଥିଲି। ତୁମେ କଳ୍ପନା ମଧ୍ୟ କରିପାରିବ ନାହିଁ ଯେ ମୁଁ ଆଜି ତୁମକୁ କେତେ ଭଲ ଖବର ଦେବି। ତୁମେ ଜାଣ ଆମର ରାଶିଫଳ ପୂରା ମେଳ ଖାଇଯାଇଛି।’’ ଅମିତ ଗୋଟିଏ ନିଃଶ୍ୱାସରେ ସବୁକିଛି କହିଦେଲା। 

ସେ ଶୀଘ୍ର ସ୍ନେହା ହାତରେ କୁଣ୍ଡଳୀ ମେଳ ଖାଉଥିବା କାଗଜଟି ଧରେଇ ଦେଲା। ହଠାତ୍ ସ୍ନେହାର ମୁହଁ ରାଗରେ ଲାଲ ହୋଇଗଲା। ସେ କାଗଜଟିକୁ ଚିରି ଖଣ୍ଡ ଖଣ୍ଡ କରି କହିଲା, ‘‘ମୁଁ ଜାଣିନାହିଁ ତୁମେ ମୋତେ ଭଲପାଅ କି ନାହିଁ, କିନ୍ତୁ ମୁଁ ପ୍ରେମକୁ ସର୍ତ୍ତ ଉପରେ ଆଧାରିତ ବୋଲି ମାନିନାହିଁ। ଆମ ପ୍ରେମର ଆଧାର କ’ଣ, କେବଳ ଖଣ୍ଡେ କାଗଜ?’’ଏହା କହି ସେ କାଗଜ ଟୁକୁରାଗୁଡ଼ିକୁ ସେଠାରେ ବିଞ୍ଚିଦେଇ ଦ୍ରୁତଗତିରେ ଆଗକୁ ବଢ଼ିବାକୁ ଲାଗିଲା, ଆଉ ସ୍ନେହାର ଯିବା ବାଟକୁ ନିର୍ଜୀବ ପରି ଅନେଇ ରହିଥିଲା ଅମିତ।

ମୋ: ୭୮୯୪୦୦୫୪୫୫