ଭଦ୍ରକ (ହରିହର ନାୟକ): ବିଜୁ ଜନତା ଦଳ (ବିଜେଡି)ର ଅନ୍ୟତମ ଗଡ଼ କୁହାଯାଉଥିବା ଭଦ୍ରକରେ ରାଜନୈତିକ ବାତାବରଣ ଅସ୍ଥିର ହୋଇଯାଇଛି। ଦେଢ଼ ବର୍ଷ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେଡି ଯେଉଁ ସ୍ଥିତିରେ ଥିଲା, ଏବେ ଆଉ ତାହା ହୋଇ ରହିନାହିଁ। ୭ଟି ବ୍ଲକ୍କୁ ନେଇ ଗଠିତ ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ଟାଣୁଆ ନେତା ଏବେ ବିଜେପି ଶିବିରରେ ସାମିଲ ହୋଇସାରିଛନ୍ତି। ସ୍ଥାନୀୟ ନେତାମାନେ ବିଜେପିରେ ସାମିଲ ହେବା ଦ୍ବାରା ବିଜେଡି କ୍ରମାଗତ ଭାବେ ଦୁର୍ବଳ ହୋଇଯାଉଥିବା ଚର୍ଚ୍ଚା ଚାଲିଛି। ଅନେକ କହୁଛନ୍ତି ଭଦ୍ରକରେ ‘ଶଙ୍ଖ’ ଭାଙ୍ଗିଯିବ। ତେବେ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି (ବିଜେପି)ର କାୟା ବିସ୍ତାର ହେଉଛି। ଏଠାରେ ପଦ୍ମ ସମୃଦ୍ଧ ହେବାରେ ଲାଗିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶ ଦଳୀୟ କର୍ମୀଙ୍କୁ ଅଟକାଇପାରି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଭଦ୍ରକ ଜିଲ୍ଲାର ୪ ଜଣ ବିଜେଡି ନେତା ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଦୁଇ ଜଣ ଅଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ପୁଅ। ଏତଦ୍ ବ୍ୟତୀତ ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଫୁଲ୍ଲଙ୍କ ପୁଅ ତଥା ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ (ଲୁଲୁ), ତାଙ୍କର ସାନ ଭାଇ ତଥା ଭଣ୍ଡାରିପଖୋରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ (ଜୁଲୁ), ଉଭୟଙ୍କର ପୀଉସୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ ବିଜେପିରେ ଯୋଗଦେଇଛନ୍ତି।
ବିଜେପି ଶିବିରରେ ୪ବ୍ଲକ ଅଧ୍ୟକ୍ଷ
ସେହିପରି ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ ବିଶ୍ବାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପୂର୍ବରୁ ଏମାନେ ସମସ୍ତେ ବିଜେଡିରେ ଥିଲେ। କଂଗ୍ରେସର ଯୁବନେତା ପ୍ରକାଶ ଜ୍ୟୋତି ମହାକୁଡ଼ ମଧ୍ୟ ବିଜେପିରେ ଯୋଗ ଦେଇଥିବା ବେଳେ ଜିଲ୍ଲାର ୩୦ ଜଣ ସରପଞ୍ଚ ଓ ୩୫ ଜଣ ସମିତି ସଭ୍ୟଙ୍କ ସମେତ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଆଜି ପଦ୍ମ ଧରିଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନୋମହନ ସାମଲ, ଭଦ୍ରକ ସାସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବାସୁଦେବପୁର ବିଜେପି ନେତା ବାଣୀକଲ୍ୟାଣ ମହାନ୍ତି, ଭଦ୍ରକ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା, ଭଣ୍ଡାରିପୋଖରୀର ବିଜେପି ନେତା ବଦ୍ରୀନାରାୟଣ ଧଳ, ଡ, ସୁଧାଂଶୁ ନାୟକ, ଭୁବନେଶ୍ବର ବିଧାୟକ ବାବୁ ସିଂହ ଏମାନେ ସବୁ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ
୩ବ୍ଲକ ଉପରେ ବିଜେପିର ନଜର
ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା, ବନ୍ତ ବ୍ଲକ ଅଧ୍ୟକ୍ଷ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ବିଜେପିରେ ସାମିଲ ହୋଇଛନ୍ତି। ଚାନ୍ଦବାଲି, ତିହିଡ଼ି ଓ ଧାମନଗରରେ ବିଜେଡିର ବ୍ଲକ ଅଧ୍ୟକ୍ଷ ଅଛନ୍ତି। ଭାରତୀୟ ଜନତା ପାର୍ଟି ଏମାନଙ୍କୁ ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏହି ତିନି ବ୍ଲକ ଅଧ୍ୟକ୍ଷା ଆଗାମୀ ଦିନରେ ଦଳ ପରିବର୍ତ୍ତନ କରିବେ ନା ନାହିଁ, ତାହା ଦେଖିବାକୁ ରହିଲା।
ଆହୁରି ପଢ଼ନ୍ତୁ: Thirunelli Temple Devaswom: ମନ୍ଦିର ପାଣ୍ଠି ଦେବତାଙ୍କର: ବ୍ୟାଙ୍କକୁ ଦିଆଯାଇପାରିବ ନାହିଁ
ବିଜେଡି ସୁପ୍ରିମୋଙ୍କ ପରାମର୍ଶକୁ ଅଣଦେଖା
ଭଦ୍ରକ ଜିଲ୍ଲାରେ ବିଜେଡି ସଂଗଠନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଉଛି। ଅଧାରୁ ଅଧିକ ବ୍ଲକକୁ ବିଜେପି ଅକ୍ତିଆର କରିସାରିଛି। ଏତଦ୍ ଦୃଶ୍ୟ ଦେଖ କିଛି ଦିନ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ବିଜେଡି ଦଳର ସମସ୍ତ ବରିଷ୍ଠ ନେତା ଓ ବିଧାୟକଙ୍କୁ ଦାଡ଼ି ଦଳକୁ ସଂଗଠିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଦଳରୁ ୪ ବ୍ଲକ ଅଧ୍ୟକ୍ଷ କିଭଳି ବିଜେପିକୁ ନଯିବେ ଓ ସରପଂଚ ଓ ସମିତି ସଭ୍ୟମାନେ କିଭଳି ଦଳ ନଛାଡ଼ିବେ ସେଥି ପାଇଁ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ଵ ଦିଆଯାଇଥିଲା। ତେବେ ପ୍ରଫୁଲ୍ଲଙ୍କୁ ଏତେ ବଡ଼ ଦାୟିତ୍ବ ମିଳିଥିଲା ବେଳେ ତାଙ୍କର ପୁଅ ଓ ଭଉଣୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି, ଯାହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/06/bhadrak-2025-12-06-18-35-46.jpg)