Snehangini Chhuria Photograph: (Sambad.in)
ଭୁବନେଶ୍ବର: ବିଫଳ ହେଲା ବିଜେଡ଼ି । ଦିନେ ସବୁ ନିର୍ବାଚନରେ ବାଜିମାତ୍ କରୁଥିବା ବିଜେଡି ଏଥର କିନ୍ତୁ ସାମାନ୍ୟ ଉପନିର୍ବାଚନରେ ପାଣି ପିଇଯାଇଛି । ବିଜେପି ତ ବହୁ ଭୋଟରେ ବିଜୟୀ ହୋଇଛି ହେଲେ ବିଜେଡି କଂଗ୍ରେସକୁ ବି ଟପି ପାରିନି । ଓଡିଶା ନିର୍ବାଚନର ଇତିହାସକୁ ଯଦି ଆପଣ ରୋମନ୍ଥନ କରିବେ ତେବେ କଂଗ୍ରେସ ପ୍ରାୟ ସ୍ଥାନରେ ୩ୟରେ ଥାଏ ହେଲେ ନୂଆପଡ଼ାରେ କଂଗ୍ରେସ ୨ୟ ସ୍ଥାନରେ ଥିବା ବେଳେ ବଡ଼ ଏବଂ ସକ୍ରିୟ ଦଳ ଭାବେ ବିଜେଡି କିନ୍ତୁ ୩ ନମ୍ବର ତାଲିକାକୁ ଖସି ଯାଇଛି । ଯାହା ବିଜେଡି ପାଇଁ ଏକ ସତର୍କଘଣ୍ଟି ।
ସ୍ନେହାଙ୍ଗିନୀଙ୍କୁ ମିଳିଲାନି ନୂଆପଡ଼ାବାସୀଙ୍କ ସ୍ନେହ
ନବୀନଙ୍କ ନୂଆପଡ଼ା ଗସ୍ତ ପରେ ବି ସ୍ନେହାଙ୍ଗିନୀଙ୍କୁ ମିଳିଲାନି ନୂଆପଡ଼ାବାସୀଙ୍କ ସ୍ନେହ । ମାମୁଘର ମାମୁଘର କହି ବଡ଼ ପାଟି କରୁଥିବା ସ୍ନେହାଙ୍ଗିନୀଙ୍କ ମୁହଁ ଚାହିଁଲେନି ମାମୁଘର ଭୋଟର । ଫଳରେ ନିଜ ମାମୁଘରେ ହିଁ ପରାଜୟର ମୁହଁ ଚାହିଁଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ତେବେ କାହିଁକି ୩ ନମ୍ବରକୁ ଖସିଗଲା ବିଜେଡି ? କେଉଁଠି ରହିଲା ଭୁଲ ? ସେନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଜାଣନ୍ତୁ ପରାଜୟର କିଛି ଫ୍ୟାକ୍ଟର…
ନୂଆପଡ଼ାରେ ଫସିଗଲେ 'ଅତାବିରା ଅତିଥି'
ବରଗଡ଼ ଅତାବିରାରେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଜଣେ ଚର୍ଚ୍ଚିତ ଚେହେରା । ୨୦୦୯ରୁ ଅତାବିରାରେ ବିଜେଡିର ପ୍ରାର୍ଥୀ ଭାବେ ଲଢି ଆସୁଛନ୍ତି ସ୍ନେହାଙ୍ଗିନୀ । ୨୦୧୪ ଏବଂ ୨୦୧୯ରେ ଅତାବିରାର ବିଧାୟିକା ବନିଥିଲେ ସ୍ନେହାଙ୍ଗିନୀ । ଅତାବିରାବାସୀଙ୍କ ଅତୁଟ ସ୍ନେହ ପାଇ ସ୍ନେହାଙ୍ଗିନୀ ଦୁଇ ଦୁଇ ଥର ବିଧାୟିକା ହେବାର ସୌଭାଗ୍ୟ ଅର୍ଜନ କରିବା ସହ ମନ୍ତ୍ରୀ ବି ବନିଥିଲେ । ହେଲେ ୨୦୨୪ରେ ସ୍ନେହାଙ୍ଗିନୀଙ୍କ ପ୍ରତି କମିଗଲା ଅତାବିରାବାସୀଙ୍କ ସ୍ନେହ ଆଉ ମନ ଜିଣିନେଲେ ମହାନନ୍ଦ । ସାଇଡ୍ ହେଲା ଶଙ୍ଖ, ଫୁଟିଥିଲା ଫୁଲ ।
ସ୍ନେହାଙ୍ଗିନୀ ନିଜ ନିର୍ବାଚନମଣ୍ଡଳୀରେ ପରାଜୟର ସ୍ବାଦ ଚାଖିଥିବା ବେଳେ ଏବେ ତାଙ୍କୁ ପୁଣିଥରେ ଜାଣିଜାଣି ପରାଜୟର କାଳଫାଶରେ ଫସେଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଶ୍ରୀମୟୀ ବି ସିଧାସିଧା ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କୁ ନେଇ ଲଦି ଦେଇଥିବାର ଅଭିଯୋଗ କରିଛନ୍ତି । ତେବେ ବିଜେପିରେ ଯେତେବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ସାମିଲ ହେଲେ ଆଉ ବିଜେପି ଜୟଙ୍କୁ ଯୋଦ୍ଧା ଘୋଷଣା କଲା ଠିକ୍ ସେତେବେଳେ ପ୍ରାର୍ଥୀ ନପାଇ ବିଜେଡି ପ୍ରାର୍ଥୀ ଚୋରିର ଅଭିଯୋଗ ଆଣି ତରବରିଆ ଭାବେ ହେଉ କି ପ୍ରାର୍ଥୀ ସଙ୍କଟ ପାଇଁ ସ୍ନେହାଙ୍ଗିନୀଙ୍କୁ ସିପାହୀ କରି ନୂଆପଡ଼ା ପଠାଇଲା । ଯାହା ନୂଆପଡ଼ାବାସୀଙ୍କ ପାଇଁ ଥିଲା ଆଉଟ୍ ଅଫ୍ ସିଲାବସ୍ ବା ଆପଣ କହିପାରନ୍ତି ସ୍ନେହାଙ୍ଗିନୀ ଥିଲେ ନୂଆପଡ଼ା ପାଇଁ ପରଦେଶୀ ପ୍ରାର୍ଥୀ ଅବା ଅତିଥି ପ୍ରାର୍ଥୀ...
ମୁହଁ ମୋଡ଼ିଦେଲା ମାମୁଘର
ଯଦିଓ ସ୍ନେହାଙ୍ଗିନୀ ପ୍ରାର୍ଥୀ ହେଉ ହେଉ ସେ ନୂଆପଡା ପାଇଁ ନୂଆ ନୁହେଁ ବରଂ ନୂଆପଡ଼ା ତାଙ୍କ ମାମୁଘର ବୋଲି ଚର୍ଚ୍ଚା ହେଲା ଏବଂ ପ୍ରତିକ୍ରିୟା ଆସିଲା । ମାତ୍ର ଫଳାଫଳ ଆସିବା ପରେ ଜଣାପଡିଲା ଯେ- ମାମୁଘର ଶେଷରେ ପର କରିଦେଲା । ନିଜ ନିର୍ବାଚନମଣ୍ଡଳୀର କେହି ଯୋଗ୍ୟ ପ୍ରାର୍ଥୀଙ୍କୁ ନଦେଇ ବିଜେଡି ଅତାବିରାରୁ ପ୍ରାର୍ଥୀ କରେଇବା ହୁଏତ ସେମାନଙ୍କ ପାଇଁ ଘାତକ ସାଜିଲା ।
ମାମୁଘରେ ସ୍ନେହାଙ୍ଗିନୀ ପଛରେ
କାମ ଦେଲାନି ମାମୁଘର ରାଜନୀତି । ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଏହି ମାମୁଘର ରାଜନୀତି କଥା ସାମ୍ନାକୁ ଆସିଥିଲା । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁଘର ନୂଆପଡ଼ା ବୋଲି ବାରମ୍ବାର କୁହାଯାଇଥିଲା । ହେଲେ ଏବେ କିନ୍ତୁ ନିର୍ବାଚନ ରେଜଲ୍ଟରେ ଏହି ମାମୁଘର ପଲିଟିକ୍ସ କାମ କରିନଥିବା କୁହାଯାଉଛି । ସ୍ନେହାଙ୍ଗିନୀ ଛୁରିଆ ଅତାବିରାର ବିଜେଡି ପ୍ରାର୍ଥୀ ଥିଲେ । ୨୦୨୪ରେ ତାଙ୍କୁ ଅତାବିରାରୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ବିଜେପି ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ସେ ନିର୍ବାଚନ ହାରିଯାଇଥିଲେ । ଏହାପରେ ନୂଆପଡ଼ା ଉପ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ନିର୍ବାଚନ ଟ୍ରେଣ୍ଡରେ କିନ୍ତୁ ସେ ବହୁତ ପଛରେ ପଡ଼ିଥିଲେ ଆଉ ଶେଷରେ ପରାଜୟ ବରଣ କଲେ ।
ଆହୁରି ପଢନ୍ତୁ- BJP Win Nuapada Bye Election: ନୂଆପଡ଼ା: ବିଜେଡ଼ି ହାତରୁ ଖସିଲା, ବିଜେପି ହାତକୁ ଫେରିଲା... 'ପଦ୍ମ' ଫୁଟିବାକୁ ୧୧ ବର୍ଷ ଲାଗିଗଲା
ସ୍ନେହର ଦୂରତା ୧୬୦ କି.ମି
ଅତାବିରାରୁ ନୂଆପଡ଼ା ମାତ୍ର ୧୬୦ କିଲୋମିଟର । ୩ ଘଣ୍ଟାର ରାସ୍ତା । ଏଇ ରାସ୍ତା ସାଧାରଣ ଲୋକ ପାଇଁ ସହଜ ହୋଇପାରେ ସତ କିନ୍ତୁ ରାଜନେତା ପାଇଁ ରାଜନୀତିର ଏ ରାସ୍ତା ସେତେ ବି ସହଜ ନୁହେଁ । ଯାହାର ବଡ଼ ଉଦାହରଣ ସ୍ନେହାଙ୍ଗିନୀ ଛୁରିଆ । ୧୬୦ କି.ମି ଦୂର ଯାଇ ଭୋଟ୍ ପାଇଁ ପ୍ରଚାର କରି ବି ତାଙ୍କୁ ଗ୍ରହଣ କଲେନି ଲୋକେ । ନବୀନ ତାଙ୍କ ପାଇଁ ଭୋଟ୍ ମାଗି ବି ସେ ବିଫଳ ହେଲେ ।
ଆହୁରି ପଢନ୍ତୁ- Nuapada Bye Election: ଜୟଙ୍କ ମଥାରେ ବିଜୟ ଟୀକା: କିଏ କହିଲା ବାପା ନାହାନ୍ତି ବୋଲି… ବାପା ଆମ ସହ ଥିଲେ… ଅଛନ୍ତି… ଆଉ ରହିଥିବେ ମଧ୍ୟ…
Follow Us