ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ବର୍ଦ୍ଧିତ ଭତ୍ତା ନେବେ ନାହିଁ। ବିଧାୟକଙ୍କ ଭତ୍ତା ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେ ନାହିଁ ବୋଲି ଆଜି ପ୍ରସାଦ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଧିବିଧାନ ଅନୁଯାୟୀ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ନିଷ୍ପତ୍ତି ହୋଇଥାଏ। ଏପରି ସାମ୍ବିଧାନିକ ଅଧିକାରକୁ ଅତି ସଂଯମତା ଓ ସତର୍କତାର ସହ ପାଳନ କରାଯିବା ଉଚିତ୍। କିନ୍ତୁ ଡବଲ ଇଞ୍ଜିନ ସରକାରରେ ଏବେ ରାଜ୍ୟ ବିଧାନସଭାର ସଦସ୍ୟ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଓ ଭତ୍ତା ୩ ଗୁଣ ବଢ଼ାଯାଇଛି। ମାତ୍ର ଏହି ବୃଦ୍ଧି ସାଧାରଣ ଲୋକଙ୍କର ହଜମ ହୋଇପାରୁ ନାହିଁ। ଏ ଦରମା ଓ ଭତ୍ତା ବୃଦ୍ଧିକୁ ମୁଁ ନାପସନ୍ଦ କରୁନି, ମାତ୍ର ଭତ୍ତା କ୍ଷେତ୍ରରେ ରାଜ୍ୟରେ ଅନ୍ୟ ଏକ ବ୍ୟବସ୍ଥା ଅଛି, ଯାହାର କି ଅନୂପାଳନ ହେଉନାହିଁ। ଏହି ନିୟମ ଅନୁଯାୟୀ, ଦରମା ପ୍ରାପ୍ତ ସଦସ୍ୟମାନଙ୍କ ଦରମାରୁ ଭତ୍ତାକୁ ବାଦ ଦିଆଯାଇ ଦେୟ ପ୍ରଦାନ କରାଯାଏ। ଏହା ସହିତ ଜଣେ ସଦସ୍ୟ ଏକାଧିକ ଭତ୍ତା ନେଇ ପାରିବେ ନାହିଁ। କିନ୍ତୁ ବର୍ତମାନ ରାଜ୍ୟରେ ୩ ଶ୍ରେଣୀର ଭତ୍ତାଧାରି ପୂର୍ବତନ ସାଂସଦ ଓ ପୂର୍ବତନ ବିଧାନସଭା ସଦସ୍ୟ ଅଛନ୍ତି। ପ୍ରଥମତଃ ସରକାରୀ ଚାକିରିଆ ଅବସର ପରେ ଭତ୍ତା ପାଉଛନ୍ତି। ଏହାସହ ସେମାନେ ସାଂସଦ କିମ୍ବା ବିଧାୟକ ହେଲେ ମଧ୍ୟ ଭତ୍ତା ନେଉଛନ୍ତି। ଅନ୍ୟ ଶ୍ରେଣୀରେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଭାବରେ ୨ଟି ଭତ୍ତା ନେଉଛନ୍ତି। 

Advertisment

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମୁଁ ୨୦୦୯ ମସିହାରେ ଗୃହର ସଦସ୍ୟ ଭାବରେ ସତ୍ୟବାଦୀରୁ ନିର୍ବାଚିତ ହେବାପରେ ବିଧି ବିଧାନ ଅନୁଯାୟୀ, ଭତ୍ତାକୁ ବାଦ୍ ଦେଇ ଦରମା ଦେବା ପାଇଁ ବିଧାନସଭା ସଚିବାଳୟ, ପ୍ରମୁଖ ଲେଖାକାର ଓ ସରକାରଙ୍କୁ ଲିଖିତ ଆକାରରେ ଜଣାଇଥିଲି। କିନ୍ତୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା। ସେପରି ସ୍ଥଳେ ସେତେବେଳର ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇଙ୍କୁ ଏ ସମ୍ପର୍କରେ ମୌଖିକ ଓ ଲିଖିତ ଭାବେ ଜଣାଇଥିଲି। ସରକାର ମୋର ଟାଣ ମନୋଭାବକୁ ଲକ୍ଷ୍ୟ କରିବା ପରେ ବାଧ୍ୟ ହୋଇ ପଇସା ଫେରସ୍ତ ଦେବା ପାଇଁ ଅନୁମତି ଦେଇଥିଲେ। ଏହାପରେ ମୁଁ ସରକାରଙ୍କ ତହବିଲକୁ ଅର୍ଥ ଫେରାଇଥିଲି। ଏହା ଭିତରେ ୧୬ ବର୍ଷ ବିତିଗଲାଣି। ଆଉ କୌଣସି ମାନ୍ୟବର ସଦସ୍ୟ ହୁଏତ, ଏଭଳି ଅର୍ଥ ଫେରସ୍ତ କରିଥାଇ ପାରନ୍ତି। କିନ୍ତୁ ମୋ ପାଖେ ସେଭଳି ତଥ୍ୟ ନାହିଁ।  

ଆହୁରି ପଢ଼ନ୍ତୁ: In Odisha BJP Govt Encouraging Anarchy: ବିଜେପି ସରକାର ଅରାଜକତା-ଗୁଣ୍ଡାରାଜକୁ ପ୍ରୋତ୍ସାହିତ କରୁଛନ୍ତି: ନବୀନ ପଟ୍ଟନାୟକ

ମୋର ସମ୍ପତି ତାଲିକା ଯଥା ବିଧି ଦାଖଲ କରିଥିଲି: ପ୍ରସାଦ

ସେ ଆହୁରି କହିଛନ୍ତି, ମୁଁ ତ୍ରୟୋଦଶ ବିଧାନସଭାର ସଭ୍ୟ ଥିବାବେଳେ ସଦାଚାର କମିଟିର ମଧ୍ୟ ସଭ୍ୟ ଥିଲି ଏବଂ ବିଧାୟକମାନେ ସେମାନଙ୍କର ସମ୍ପତ୍ତି ତାଲିକା ପ୍ରତିବର୍ଷ ଓଡ଼ିଶା ବିଧାସଭା ଓ ସଂସଦୀୟ ବ୍ୟାପାର ବିଭାଗ ନିକଟରେ ଦାଖଲ କରିବା ପାଇଁ ସଦାଚାର କମିଟି ସୁପାରିଶ କରିଥିଲେ। ସରକାର ମଧ୍ୟ ତାହା ଗ୍ରହଣ କରିଥିଲେ। ମୁଁ ତୁରନ୍ତ ମୋର ସମ୍ପତି ତାଲିକା ଯଥା ବିଧି ଦାଖଲ କରିଥିଲି। କିନ୍ତୁ ତାହାର ଅନୁସରଣ କରାଯାଉ ନାହିଁ। ବିଧାୟକ ସାଂସଦ ମାନେ ନିଜ ନିଷ୍ପତି ନିଜେ ନେଉଛନ୍ତି, ତେଣୁ ଏଭଳି ନିଷ୍ପତ୍ତି ନେବା କଥା ନୁହେଁ। ରାସ୍ତାଉପରେ ସାଧାରଣ ତୃତୀୟ ଶ୍ରେଣୀ କର୍ମଚାରୀ ବସିଛନ୍ତି। ସେମାନଙ୍କ ଦରମା ବଢ଼ୁ ନାହିଁ। ତେଣୁ ଆମର କାହିଁକି ଦରମା ବଢ଼ିବ। ବର୍ତ୍ତମାନ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏହି ବିଲ୍‌ ରହିଛି। ରାଜ୍ୟପାଳ ଏହି ବିଲର ପୁନର୍ବିଚାର ପାଇଁ ଗୃହକୁ ଫେରେଇ ଦେଇପାରିବେ। ଏହା ହେଲେ ସରକାରଙ୍କ ଚେତା ପଶିବ ଓ ସରକାର ବିଚାର କରିବେ ବୋଲି ଆଶାପ୍ରକଟ କରୁଛି। 

ଆହୁରି ପଢ଼ନ୍ତୁ: Lalit Modi-Vijay Mallya : ଦେଶରୁ ଲୁଟି ବିଦେଶରେ ମଉଜ