ଭାରତର ବାୟୁ ପ୍ରଦୂଷଣ ସଙ୍କଟ ଆଉ କେବଳ ଶୀତକାଳୀନ ସମସ୍ୟା ହୋଇ ନାହିଁ। ବର୍ତ୍ତମାନ ବର୍ଷର ପ୍ରାୟ ୧୦ ମାସ ପିଏମ୍୨.୫ ସ୍ତର (ଜାତୀୟ ପାରିବେଶିକ ବାୟୁ ଗୁଣବତ୍ତା ମାନକ) ସୀମା ଅତିକ୍ରମ କରିଯାଉଛି। ଦେଶର ବହୁ ଅଂଶରେ ବାୟୁ ପ୍ରଦୂଷଣ ଏକ ସ୍ଥାୟୀ ବାସ୍ତବତାରେ ପରିଣତ ହୋଇଛି ବୋଲି ସେଣ୍ଟର୍ ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏଆର (ସିଆର୍ଇଏ)ର ଏକ ନୂତନ ମୂଲ୍ୟାଙ୍କନରୁ ଜଣାପଡ଼ିଛି। ପାରମ୍ପରିକ ଭାବରେ ସ୍ୱଚ୍ଛ ସମୟ ଭାବରେ ପରିଗଣିତ ଗ୍ରୀଷ୍ମ ଓ ମୌସୁମୀ ପରବର୍ତ୍ତୀ ମାସଗୁଡ଼ିକରେ ଇଟା ଭାଟି, ଶିଳ୍ପ, ଡିଜେଲ ଜେନେରେଟର, ନଡ଼ା ପୋଡ଼ି ଆଦିରୁ ନିରନ୍ତର କାର୍ବନ ନିର୍ଗମନ ଦ୍ୱାରା ପିଏମ୍୨.୫ ସୁରକ୍ଷିତ ସୀମା ଅତିକ୍ରମ କରୁଛି। ୨୦୧୮ରୁ ୨୦୨୫ ମଧ୍ୟରେ ଉଚ୍ଚ-ରିଜୋଲ୍ୟୁସନ୍ ବିଶିଷ୍ଟ ସାଟେଲାଇଟ୍ ଚିତ୍ର ଉପରେ ଆଧାରିତ ଏହି ରିପୋର୍ଟ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୪୯ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ଏପରି ନିର୍ଯାସ ପାଇଛି।
ବାୟୁ ପ୍ରଦୂଷଣ ଆଉ ଏକ ସହରାଞ୍ଚଳ ଘଟଣା ନୁହେଁ। ‘ସିଆର୍ଇଏ’ ତଥ୍ୟ ଅନୁଯାୟୀ ଦେଶର ପ୍ରାୟ ୬୦% ଜିଲ୍ଲା ଏବେ ବାର୍ଷିକ ପିଏମ୍୨.୫ର ଜାତୀୟ ପାରିବେଶିକ ବାୟୁ ଗୁଣବତ୍ତା ମାନକ ଲଂଘନ କରୁଛି।
ଶିଳ୍ପ, ତାପଜ ବିଦ୍ୟୁତ୍ କେନ୍ଦ୍ର, ଘରୋଇ ଜାଳେଣି ବ୍ୟବହାର, ଆବର୍ଜନା ପୋଡ଼ିବା ଏବଂ ପରିବହନ ଭଳି ପ୍ରମୁଖ କ୍ଷେତ୍ରରୁ ମୂଳ ନିର୍ଗମନ ବର୍ଷସାରା ଉଚ୍ଚ ରହୁଛି। ଏହି ନିର୍ଗମନ ଶୀତକାଳୀନ ମାସଗୁଡ଼ିକରେ ମଧ୍ୟ ପିଏମ୍୨.୫ ସ୍ତରକୁ ଉଚ୍ଚ ରଖୁଛି। ବର୍ଷସାରା ପ୍ରଦୂଷଣ ବୃଦ୍ଧି ମୁଖ୍ୟତଃ ସ୍ଥାନୀୟ ପରିବହନ ନିର୍ଗମନ ସହିତ ଗ୍ରାମୀଣ ଏବଂ ଛୋଟ ସହରରେ ଆବାସିକ ବାୟୋମାସ ଦହନ ଯୋଗୁଁ ହେଉଛି। ଅଧ୍ୟୟନର ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଷ୍କର୍ଷ ହେଉଛି, ବାୟୁ ପ୍ରଦୂଷଣ ଆଉ ଏକ ସହରାଞ୍ଚଳ ଘଟଣା ନୁହେଁ। ସିଆର୍ଇଏ ତଥ୍ୟ ଅନୁଯାୟୀ, ୭୪୯ ଜିଲ୍ଲା ମଧ୍ୟରୁ ୪୪୭ଟି ଜିଲ୍ଲା(ପ୍ରାୟ ୬୦%) ଏବେ ବାର୍ଷିକ ପିଏମ୍୨.୫ର (ଘନମିଟର ପିଛା ୪୦ ମାଇକୋଗ୍ରାମ୍) ଲଂଘନ କରୁଛି। ଅନେକ ଗ୍ରାମୀଣ ଅଞ୍ଚଳରେ ପ୍ରଦୂଷଣ ସ୍ତର ପ୍ରମୁଖ ମହାନଗରଗୁଡ଼ିକର ନିକଟତର କିମ୍ବା ସମାନ। ଯଦିଓ ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶ ପରି ଉତ୍ତର ଭାରତୀୟ ରାଜ୍ୟ ପ୍ରଦୂଷଣର ହଟ୍ସ୍ପଟ୍ ଭାବରେ ଜଣାଶୁଣା, ତେବେ ସବୁଠାରୁ ନାଟକୀୟ ପରିବର୍ତ୍ତନ ଉତ୍ତର-ପୂର୍ବ ଭାରତରେ ଘଟୁଛି ବୋଲି ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି। ଆସାମରେ ଏବେ ଦିଲ୍ଲୀ ପରି ଅନେକ ପ୍ରଦୂଷିତ ଜିଲ୍ଲା ଅଛି। ବାୟୁ ପ୍ରଦୂଷଣ ଏକ ଜାତୀୟ ଅର୍ଥନୈତିକ ଓ ସ୍ୱାସ୍ଥ୍ୟଗତ ବିପଦ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତେଣୁ ରାଜ୍ୟ ସରକାରମାନେ ଶୀତକାଳୀନ ସର୍ବୋଚ୍ଚ ସ୍ତର ଯାଏଁ ଅପେକ୍ଷା କରିବା ପରିବର୍ତ୍ତେ ଶିଳ୍ପ, ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ପରିବହନ ଭଳି ମୂଳ ନିର୍ଗମନକାରୀ ଉପରେ କଠୋର ନିୟନ୍ତ୍ରଣକୁ ପ୍ରାଥମିକତା ଦେବା ଉଚିତ। ନିର୍ଗମନ ମାନଦଣ୍ଡକୁ ଲାଗୁ କରିବା, ସ୍ୱଚ୍ଛ ଇନ୍ଧନ ଓ ପ୍ରଯୁକ୍ତିବିଦ୍ୟାକୁ ତ୍ୱରାନ୍ୱିତ କରିବା ଏବଂ କ୍ଷୁଦ୍ର ଶିଳ୍ପରେ ପ୍ରଦୂଷଣ ନିୟନ୍ତ୍ରଣକୁ ସୁଦୃଢ଼ କରିବା ଜରୁରି। ବିଶେଷକରି ଶିଳ୍ପ କ୍ଷେତ୍ର ଓ ଗ୍ରାମାଞ୍ଚଳରେ ଭୂମି ନିରୀକ୍ଷଣକୁ ସୁଦୃଢ଼ କରିବା ଉଚିତ। ସେଥିପାଇଁ ଶିଳ୍ପ ପ୍ରତିଷ୍ଠାନ ଥିବା ଜିଲ୍ଲାଗୁଡ଼ିକରେ ମନିଟରିଂ ବଢ଼ାଇବା ପ୍ରକୃତ ହଟସ୍ପଟ୍ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/02/hsfhfsfhhsfxvb-2025-12-02-01-18-26.jpg)