ଉପକୂଳବର୍ତ୍ତୀ ମହାସାଗରଗୁଡ଼ିକ ପୂର୍ବ ଅନୁମାନ ଅପେକ୍ଷା କଳ୍ପନାତୀତ ଭାବରେ ଅଧିକ ଅମ୍ଳୀୟ ହୋଇଯିବ ବୋଲି ସେଣ୍ଟ ଆଣ୍ଡ୍ର୍ୟୁଜ୍ ବିଶ୍ୱବିଦ୍ୟାଳୟର ଏକ ନୂତନ ଗବେଷଣାରେ ଆକଳନ କରାଯାଇଛି। ଏହା ସାମୁଦ୍ରିକ ଜୀବନ ଏବଂ ତାହା ଉପରେ ନିର୍ଭରଶୀଳ ଉପକୂଳୀୟ ଅର୍ଥନୀତି ପାଇଁ ଗଭୀର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ବର ଅନେକ ବୈଜ୍ଞାନିକ ମଡେଲ ଅପେକ୍ଷା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ମହାସାଗର ଅମ୍ଳତା ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ସହିତ ଘନିଷ୍ଠ ଭାବରେ ଜଡ଼ିତ। ‘ଅପ୍ୱେଲିଂ’ ଭାବରେ ଜଣାଶୁଣା ଏକ ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ କିଛି ମହାସାଗର ଅଞ୍ଚଳ ଅଧିକ ଦ୍ରୁତ ଭାବେ ଅମ୍ଳୀକୃତ ହୋଇଥାଏ। ‘ଅପ୍ୱେଲିଂ’ ପ୍ରକ୍ରିୟା ଗଭୀର-ସମୁଦ୍ରରୁ ଅମ୍ଳୀୟ ଜଳକୁ ପୃଷ୍ଠକୁ ଆଣେ। ଯେତେବେଳେ ସଂପୃକ୍ତ ଜଳ ପୃଷ୍ଠକୁ ଉଠିଥାଏ, ତାହା ବାୟୁମଣ୍ଡଳରୁ ଅତିରିକ୍ତ ଅଙ୍ଗାରକାମ୍ଳ ସହିତ ପାରସ୍ପରିକ ପ୍ରତିକ୍ରିୟା କରି ଅଧିକ ଅମ୍ଳୀୟ ହୋଇଯାଏ। ପେରୁ ନିକଟବର୍ତ୍ତୀ ହମ୍ବୋଲ୍ଟ ସ୍ରୋତ ଏବଂ ପଶ୍ଚିମ ଆଫ୍ରିକାର ବେଙ୍ଗୁଏଲା ଓ କାନାରି ସ୍ରୋତ ଭଳି ‘ଅପ୍ୱେଲିଂ’ କ୍ଷେତ୍ର ଏପରି ବିପଦର ସମ୍ମୁଖୀନ ହେଉଛନ୍ତି।
ଏଥିରୁ ସ୍ପଷ୍ଟ ହୋଇଛି ଯେ ମେରୁ ବରଫ ତରଳିବାରୁ ଆରମ୍ଭ କରି ଚରମ ଉତ୍ତପ୍ତୀକରଣ ପରି ଜଳବାୟୁ ପ୍ରକ୍ରିୟାଗୁଡ଼ିକ ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ର ଅମ୍ଳୀୟତା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ସ୍ବଚ୍ଛ ଇନ୍ଧନ ଓ ବିଜୁଳି ଉତ୍ପାଦନ କରିବା ଉପରେ ଗୁରୁତ୍ବାରୋପ କରିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି।
Weather | Punascha Pruthibi
Follow Us