ଗୁଣ୍ଡିଚାଘାଗି
ନାଁ ଅଜଣା ଚଢ଼େଇଟିଏ ଆଗେ ଆଗେ ଉଡ଼ି ସେମାନଙ୍କୁ ବାଟ ବତେଇ ଦେଉଥିଲାବେଳେ ପାଖ ପଡ଼ାର କେତେଜଣ ବଢ଼ିଲା ଝିଅ ଓ ବୟସ୍କା ମହିଳା ସେମାନଙ୍କ ଗାଡ଼ିର ବାଟ ଓଗାଳିଦେଲେ। ପଉଷର ମ୍ଳାନ ଅଥଚ ଉଷ୍ମ ଅପରାହ୍ଣରେ, ଶାଳଗଛରୁ ଝଡ଼ିଯାଉଥିବା ଝରାପତ୍ରଗୁଡ଼ିକର ମର୍ମର ଏବଂ ରାସ୍ତାଧାର ଘାସଫୁଲର ହସ ଦେଖିବାରେ ମୁଗ୍ଧ ସିଦ୍ଧାର୍ଥ ‘କ’ଣ ହେଲା’ କହି ଚମକିପଡ଼ିଲେ। ଗାଡ଼ି ଆଗରେ ଠିଆହୋଇ ଏହି ମହିଳାମାନେ ମକର ସଂକ୍ରାନ୍ତିର ଖର୍ଚ୍ଚ ଲାଗି ଚାନ୍ଦା ମାଗଣ କରୁଥିଲେ। ସିଦ୍ଧାର୍ଥ ଲକ୍ଷ୍ୟ କଲେ, ଅପରିଚିତଙ୍କ ଆଗରେ ହାତ ପାତିବାରେ ସେମାନଙ୍କର ସଙ୍କୋଚ କିମ୍ବା ଲଜ୍ଜା ନ ଥିଲା, ବରଂ ଥିଲା ଏକ ଦୁର୍ବିନୀତ ଅଧିକାରପଣ। ଗାଡ଼ିଚାଳକ ଦଶଟଙ୍କିଆ ନୋଟ୍ ଖଣ୍ଡେ ସେମାନଙ୍କ ଥାଳିକୁ ଫିଙ୍ଗିଦେଲା ବିରକ୍ତି ଓ ବିତୃଷ୍ଣାରେ। ସିଦ୍ଧାର୍ଥ କିନ୍ତୁ ବିରକ୍ତ ହେଲେ ନାହିଁ। ଅନ୍ୟ ଆଗରେ ହାତପାତିବା ଆଉ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସୀମାବଦ୍ଧ ହୋଇ ରହିନାହିଁ, ଅନ୍ୟ ବହୁ ବହୁ କଥା ପରି ଏହାର ମଧ୍ୟ ସାଧାରଣୀକରଣ ହୋଇସାରିଲାଣି ଭାରତୀୟ ସମାଜରେ। ତଥାପି ସେ ଆଶା କରୁଥିଲେ ଏହି ମକର ମାଗଣର ମୁଦ୍ରାଟି ଆଉ ଟିକେ ସଂଯତ ଓ ଭଦ୍ର ହୋଇପାରିଥାନ୍ତା!
: ଗୁଣ୍ଡିଚାଘାଇ ଆଉ କେତେ ଦୂର? - ସେ ପଚାରିଲେ।
: ଘାଇ ନୁହେଁ ଘାଗି। ଜାଗାଟାର ନାମ ଗୁଣ୍ଡିଚାଘାଗି। ଅପୂର୍ବ ସୌନ୍ଦର୍ଯ୍ୟର ଗନ୍ତାଘର, ଆପଣ ଦେଖିବେ। ଆହା, ଜାଗାଟି କେଡ଼େ ଅପୂର୍ବ ଶୋଭାବନ୍ତ! ମୁଁ ଦଶବର୍ଷ ତଳେ ଥରେ ଏଠାକୁ ଆସିଥିଲି। ଆମେ ସେ ଜାଗାରେ କିଛିକ୍ଷଣ ବିତେଇ କେନ୍ଦୁଝର ଯିବା। - ସହଯାତ୍ରୀ ଅନନ୍ତ କହିଲେ।
ସବୁଜ ଶ୍ୟାମଳ ଘନ ବନାନୀ ଓ ତା’ ମଝିରେ ଉଚ୍ଛନ୍ନ ଅନୂଢ଼ାସମ ଗୁଣ୍ଡିଚାଘାଗି ଜଳପ୍ରପାତର ଦର୍ଶନ ଲାଗି ସିଦ୍ଧାର୍ଥ କିଶୋରଟିଏ ପରି ଅସ୍ଥିର ହୋଇପଡୁଥିଲେ। ସହରର କୋଳାହଳ ଭିତରେ ଦିନ କାଟୁଥିବା ସବୁ ମଣିଷଙ୍କ ପରି ତାଙ୍କର ଅବସ୍ଥା। ଚାରିଆଡ଼େ କୋଳାହଳ, ଲୋକଭିଡ଼, ଗାଡ଼ିମଟର ହାଉଯାଉ। ଏସବୁ ଭିତରେ ତାଙ୍କ ପରି ଏକଲା ମଣିଷ ଓ ତାଙ୍କର ନିଃସଙ୍ଗତା। ସେହି ନିଃସଙ୍ଗତା ଓ ଶୂନ୍ୟପଣର ଭରଣା ପାଇଁ ସେ ପାହାଡ଼ତଳ, ନଈକୂଳ କି ସମୁଦ୍ର ବେଳାଭୂମିକୁ ଧାଇଁଅାସନ୍ତି। ନିର୍ଜନ ପରିବେଶରେ ଆକାଶକୁ ଚାହିଁଲେ କି ପୂର୍ଣ୍ଣଗର୍ଭା ନଦୀ, ସମୁଦ୍ର ବା ଚାରିପଟର ଅରଣ୍ୟ ସନ୍ଦର୍ଶନ କଲେ ସେଗୁଡ଼ିକର ପୂର୍ଣ୍ଣତା ନିଜ ଭିତରର ଶୂନ୍ୟତାକୁ ଭରିଦିଏ। ଜଖମ ମନଟା ସଜାଡ଼ିହେଇଯାଏ, ଆଉଥରେ ଆଗକୁ ଆଗେଇବା ଲାଗି ସାହସ ଆସେ। ସେଥିପାଇଁ ଅନନ୍ତ ଗୁଣ୍ଡିଚାଘାଗି ଆସିବାର ପ୍ରସ୍ତାବ ଦେବା କ୍ଷଣି ଶୀତ ଓ କୁହୁଡ଼ିକୁ ଭ୍ରୂକ୍ଷେପ ନ କରି ସେ ବାହାରିଆସିଥିଲେ। ଆଗରୁ କେତେଥର ସେ ଘଟଗାଁ ଦେଇ କେଉଁଝର ଯାଇଥିବେ, ମାତ୍ର ତା’ ଭିତରେ କେହି କେମିତି ଏ ଗୁଣ୍ଡିଚାଘାଗି କଥାଟି ତାଙ୍କୁ କହି ନ ଥିଲେ ସେକଥା ଭାବି ସେ ବିସ୍ମିତ ହେଉଥିଲେ।
: ଏଇ ଆସିଗଲା ଗୁଣ୍ଡିଚାଘାଗି। ଆଗରେ ବୋଧହୁଏ ବସ୍ଟିଏ ଅଟକିଛି। ଆଗରୁ ତ ଏଠିକି ଏତେ ଗାଡ଼ିମୋଟର ଆସୁ ନ ଥିଲା। ହେଉ, ଆମେ ଏଇଠି ଓହ୍ଲେଇପଡ଼ିବା। - ପ୍ରସ୍ତାବ ଦେଲେ ଅନନ୍ତ।
ଗାଡ଼ିରୁ ଓହ୍ଲେଇପଡ଼ିବା କ୍ଷଣି ଦୀର୍ଘ ସମୟ ଧରି କାଚବନ୍ଦ ଗାଡ଼ିର ନିରବତା ଭିତରେ ବସିଥିବା ସିଦ୍ଧାର୍ଥ କାନଫଟା କୋଳାହଳରେ ବିବ୍ରତ ହୋଇଉଠିଲେ। ଏ ଶବ୍ଦ ସବୁ କୋଉଠୁ ଆସୁଛି - ଏଇ କଥାଟି ସେ ପଚାରିବାକୁ ଯାଉଥିଲେ; ମାତ୍ର ସାମ୍ନାରେ ଏକ ଛୋଟକାଟ ହାଟର ଦୃଶ୍ୟ ଦେଖି ସେ ଆଉ ତାହା ପଚାରିବାର ପ୍ରୟୋଜନ ଅନୁଭବ କଲେ ନାହିଁ। ଗୁଣ୍ଡିଚାଘାଗି ଜଳପ୍ରପାତ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦି’କଡ଼େ ଦୁଇଟା ଜେନେରେଟର ଘଡ଼ଘଡ଼ ଶବ୍ଦ କରି ଚାଲୁଥିଲା। ତା’ ପାଖରେ ଏକାଧିକ ଆଖୁପେଡ଼ା କଳ, ଜଳଖିଆ, ପରିବା, ବେଲୁନ୍, ପ୍ଲାଷ୍ଟିକ୍ ସାମଗ୍ରୀ ଓ ଆହୁରି କେତେ ଦୋକାନ। ବୁଲିବାକୁ ଆସିଥିବା ଭ୍ରମଣକାରୀମାନଙ୍କ ଦାମୀ ଗାଡ଼ି ଓ ବସ୍ ସବୁ ସେଇ ଜଳପ୍ରପାତର ତୁଠ ଉପରେ। ସେଗୁଡ଼ିକର ଇଂଜିନ ଶବ୍ଦ କୋଳାହଳକୁ ଉତ୍ସାହ ଦେଉଥିଲା। ଜିନିଷବିକାଳିଙ୍କ ଆମନ୍ତ୍ରଣ ଓ ଗ୍ରାହକମାନଙ୍କ ମୂଲଚାଲ ଭିତରେ ସେ ଜାଗାଟି ଲାଗୁଥିଲା ଭୁବନେଶ୍ବର ଏକନମ୍ବର ହାଟର ଏକ କ୍ଷୁଦ୍ର ସଂସ୍କରଣ, ଯୋଉଠି ସବୁକିଛି ଥିଲା ମାତ୍ର ସିଦ୍ଧାର୍ଥଙ୍କର ଚିରଈପ୍ସିତ ନିର୍ଜନତା ନ ଥିଲା।
ମୂଷଳ ନଦୀରୁ ପର୍ଯ୍ୟାୟକ୍ରମେ ପଚାଶ ଫୁଟ ତଳକୁ ପଡୁଥିବା ଛୋଟ ଛୋଟ ଜଳପ୍ରପାତର ସମାହାର ଗୁଣ୍ଡିଚାଘାଗି। ଏହାର ପରିବେଶ ଆକର୍ଷଣୀୟ। ପଥର ଉପରେ ଜଳଧାର ପଡ଼ିବାବେଳେ ଯୋଉ କ୍ଷୁଦ୍ର ଜଳକଣାମାନ ସୃଷ୍ଟି ହେଉଥିଲା ତାହା ମନେହେଉଥିଲା ରୁପାଫୁଲର ମାଳ ପରି। ଉପରେ ପଉଷର ଆକାଶ, ତଳେ ପଥର ବିଛଣା - ତାଆରି ଭିତରେ ଗୁଣ୍ଡିଚାଘାଗି। ଅଥଚ ଏସବୁ ଶୋଭା, ସୁଷମା ଓ ସୌନ୍ଦର୍ଯ୍ୟକୁ ନିର୍ମମ ଆତତାୟୀ ପରି ତିଳ ତିଳ କରି ହତ୍ୟା କରୁଥିଲା ଅସ୍ଥାୟୀ ହାଟର କୋଳାହଳ। ସିଦ୍ଧାର୍ଥ ଚିନ୍ତା କରିପାରୁ ନ ଥିଲେ, ଗୋଟେ ସୁନ୍ଦର ରମଣୀୟ ପ୍ରାକୃତିକ ଜଳପ୍ରପାତର ଏତେ ନିକଟକୁ ଗାଡ଼ିମୋଟର ଆସିବା ଓ ଏଠି ରୀତିମତ ଗୋଟାଏ ବଜାର ଖୋଲିବା ପାଇଁ ନିର୍ମମ ଆଦେଶ କିଭଳି କୋଉ କର୍ତ୍ତୃପକ୍ଷ ଦେଇପାରିଲେ!
ସିଦ୍ଧାର୍ଥଙ୍କର ମନଟି ଏ କୋଳାହଳର ସଂଘାତରେ, ତଳେ ପଡ଼ି ଭାଙ୍ଗିଯାଇଥିବା କାଚଗିନା ପରି ଭାଙ୍ଗିରୁଜି ଚୂରମାର େହାଇଯାଇଥିଲା। ଅନନ୍ତଙ୍କଠାରୁ ଗୁଣ୍ଡିଚାଘାଗିର ପ୍ରସଙ୍ଗଟି ଶୁଣିବାଦିନୁ ସେ ମନେ ମନେ କେତେ କଥା କଳ୍ପନା କରିଥିଲେ। ଭାବିଥିଲେ, ଗାଡ଼ିରୁ ଓହ୍ଲେଇବା କ୍ଷଣି ଏଠାକାର ଶୀତଳ ଶ୍ୟାମଳ ପରିବେଶ ତାଙ୍କୁ ଶଙ୍ଖୋଳି ନେଇଥାନ୍ତା ଜଳପ୍ରପାତ ପାଖକୁ। ସେଇ ନିର୍ଜନ ସୁନ୍ଦର ପରିବେଶରେ ଘଡ଼ିଏ ବସି ସେ ଉପଭୋଗ କରିଥାେନ୍ତ ପ୍ରକୃତିର ସଂଗୀତାୟନ। ପଥର ଚଟାଣ ଉପରେ ପାଣି ପଡ଼ିବାର ଶବ୍ଦ, ତା’ ସାଙ୍ଗକୁ ଶାଳବଣ ଦେଇ ବୋହିଆସୁଥିବା ଶୀତୁଆ ପବନର ଗୀତ ତାଙ୍କର ଅଥୟ ଅସ୍ଥିର ମନ ଉପରେ କୋମଳ ଅନୁଭବର ମଲମ ଲଗେଇ ଦେଇଥାଆନ୍ତା। ଘଡ଼ିଏ ପାଇଁ ନିର୍ଜନତା ତାଙ୍କ ସାଙ୍ଗରେ ଏଇଠି କାନ୍ଧ ଉପରେ ହାତ ରଖି ବସିଥାଆନ୍ତା। କହିଥାଆନ୍ତା, ଯିଏ ଏକଲାପଣକୁ ଉପଭୋଗ କରିନାହିଁ ସିଏ ସ୍ବାଧୀନତାର ଅର୍ଥ ବୁଝିପାରିବ ନାହିଁ। ସତକଥା, ନିଃସଙ୍ଗତା ଆଉ ନିର୍ଜନତା ତ ଏକା କଥା ନୁହେଁ। ନିଃସଙ୍ଗତା ଯଦି ଏକଲାପଣର ଯନ୍ତ୍ରଣା ହୁଏ, ନିର୍ଜନତା ଏକାନ୍ତବାସର ଗୌରବ। ଗୋଟିକରେ ଅଛି ଆଦରର ଦାରିଦ୍ର୍ୟ, ଅନ୍ୟଟିରେ ପରିତୃପ୍ତିର ପ୍ରାଚୁର୍ଯ୍ୟ। ଯୋଉ ନିର୍ଜନତା ଶଅଁବାଳୁଆକୁ ପରିଣତ କରେ ପ୍ରଜାପତିରେ, ଶବ୍ଦକୁ ରୂପାନ୍ତରିତ କରିଦିଏ କବିତାରେ ଏବଂ ମନ ଭିତରର କ୍ଷୁଦ୍ର ଅସ୍ତିତ୍ବକୁ ଅନନ୍ତ ଅସୀମ ବିସ୍ତୀର୍ଣ୍ଣତା ସହ ଏକାତ୍ମ କରିଦିଏ ସେହି ନିର୍ଜନତା ଟିକକ ପାଇବାଲାଗି ସେ ଏଠାକୁ ଧାଇଁ ଆସିଥିଲେ।
ଅନନ୍ତ ପାଖକୁ ଆସି ପଚାରୁଥିଲେ, ‘‘କ’ଣ ହେଲା? ହଠାତ୍ ତୁମେ ବିଷଣ୍ଣ ହୋଇପଡ଼ିଲା ପରି ଲାଗୁଛ। ବିଶ୍ବାସ କର, ଆଗରୁ ଏଠାରେ ଏଭଳି ଭିଡ଼ଭାଡ଼ ନ ଥିଲା।’’
ସାମ୍ନାରେ ଚୀନାବାଦାମ ବିକାଳିଟି ଆସି ତାଙ୍କୁ ତା’ର ସାମଗ୍ରୀ କିଣିବା ପାଇଁ ପ୍ରସ୍ତାବ ରଖୁଥିଲା। ସିଦ୍ଧାର୍ଥ ପିଲାଟି ଆଡ଼େ ଚାହିଁ ଭାବିଲେ, ଏହାର ବା ଦୋଷ କ’ଣ? ସିଏ ତ ତା’ର ଜୀବିକା ଅର୍ଜନ ପାଇଁ ଏ କାମଟି କରୁଛି। ଏକଥା ଭାବିଲାବେଳେ ସେ ଏକଥା କଳ୍ପନା କରୁଥିେଲ, ଏଇ ହାଟ କି ବଜାରଟିକୁ କ’ଣ ତିନି କିଲୋମିଟର ଦୂରକୁ ନିଆଯାଇପାରି ନ ଥାନ୍ତା? ଗାଡ଼ିମୋଟର ରଖିବାର ଜାଗାଟିକୁ ଘୁଞ୍ଚାଯାଇପାରି ନ ଥାନ୍ତା ଅନ୍ତତଃ ଆଉ ଗୋଟିଏ କିଲୋମିଟର। ସେଇଠାରୁ ହୁଏତ ପରିଦର୍ଶକମାନେ ବ୍ୟାଟେରିଗାଡ଼ିରେ ଆସିଥାନ୍ତେ ନ ହେଲେ ଚାଲି ଚାଲି। ବନ୍ୟ ପ୍ରପାତର ଛାତି ପର୍ଯ୍ୟନ୍ତ କାର୍ରେ ଆସିବା ପାଇଁ ଯୋଉ ପର୍ଯ୍ୟଟକମାନେ ଆଗ୍ରହୀ ସେମାନଙ୍କ ବିନା ସହଯୋଗରେ ତ ଗୁଣ୍ଡିଚାଘାଗି ଦୀର୍ଘବର୍ଷ ତିଷ୍ଠିରହିଥିଲା।
ଅନନ୍ତ ତାଙ୍କ ମନ ବୁଝେଇବା ଲାଗି ଆଉ କିଛି କହିବାକୁ ଯାଉଥିଲେ।
ମାତ୍ର ସିଦ୍ଧାର୍ଥ ଏହି ବନ୍ଧୁଟିକୁ ତାଙ୍କର ମୋହଭଙ୍ଗର ଅନୁଭବକୁ କ’ଣ କହି ବୁଝେଇପାରିବେ ତାହା ଭାବିପାରୁ ନ ଥିଲେ। ଆଜି ଭାରତର ପ୍ରତ୍ୟେକଟି ପ୍ରାକୃତିକ ସୁନ୍ଦର ସ୍ଥାନର ଦୁର୍ଦ୍ଦଶା ଊଣାଅଧିକେ ଏଇଆ। ପ୍ରକୃତି ମଣିଷକୁ ଫୁଲ, ସୁଗନ୍ଧ, ପତ୍ର, ଫଳ, ପବନ, ଝରଣା, ଚଢ଼େଇ ଓ ସବୁଜିମା ଦେଇଥିଲା। ମଣିଷ ତାକୁ ଏସବୁ ବଦଳରେ ପଲିଥିନ୍, କାଚ-ପ୍ଲାଷ୍ଟିକ୍ ବୋତଲ, ପେଟ୍ରୋଲ ଡିଜେଲ୍ ଦୁର୍ଗନ୍ଧ, ପ୍ରଦୂଷଣ, ଧୂସରିମା, କାନତାବ୍ଦା କ୍ୟାସେଟ୍ ଗୀତ ଏବଂ ବଜାରର ଅଶ୍ଳୀଳ ଚିତ୍କାର ଉପହାର ଦେଇଛି। ଶବ୍ଦର ଅର୍ଥ ବୁଝିବାର ସାମର୍ଥ୍ୟ ହୁଏତ ମଣିଷ ଅର୍ଜନ କରିପାରିଛି; ମାତ୍ର ବିଜନତାର ଅର୍ଥ ବୁଝିବାରେ ସମର୍ଥ ହୋଇନାହିଁ। ସେ ବୁଝିବାରେ ସମର୍ଥ ହୋଇନାହିଁ କେମିତି ଗୋଟେ ନିରବ ଜହ୍ନରାତିର ମାୟାଚ୍ଛନ୍ନ ରୂପ ତା’ର ମସ୍ତିଷ୍କକୁ ଦିବ୍ୟ ପ୍ରଶାନ୍ତିରେ ପୂର୍ଣ୍ଣ କରିଦିଏ, ନିର୍ଜନ ଅରଣ୍ୟର ସବୁଜ ଓ ନିବିଡ଼ ଆଲିଙ୍ଗନ ତାହାର ପ୍ରାଣର ଏକାକୀପଣକୁ ଦୂର କରିଦିଏ ନିମିଷକରେ।
ଅନନ୍ତ ଆଉ ଥରେ ଗୁଣ୍ଡିଚାଘାଗି ହାଟ ଆଡ଼େ ଚାହିଁବା ପରେ ସିଦ୍ଧାର୍ଥଙ୍କୁ କହିଲେ, ‘‘ଆଉ ଟିକେ ରହିବ ନା ଫେରିଯିବା?’’
ସିଦ୍ଧାର୍ଥ କହିବାକୁ ଚାହି ସୁଦ୍ଧା କହିପାରୁ ନ ଥିଲେ ଯେ ଏଠିକି ସେ ଆଦୌ ଆସି ନ ଥିଲେ ହୁଏତ ଭଲ ହୋଇଥାନ୍ତା। ତାହାହେଲେ, ଗୁଣ୍ଡିଚାଘାଗି ସଂପର୍କରେ ତାଙ୍କ କଳ୍ପନାର ଶ୍ୟାମଳ ସବୁଜ ସ୍ବପ୍ନଟି ଅନ୍ତତଃ ଏଭଳି କରୁଣ ସମାଧି ନେଇ ନ ଥାନ୍ତା!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/01/20/pp-2026-01-20-18-30-26.jpg)