ଶେଷ ପ୍ରେମିକା
ରଜନୀ ଶତପଥୀ
ସନ୍ଧ୍ୟାର ବିପଣୀରେ ବୁଲୁଥିବା ଅଭ୍ର ରୂପସୀମାନେ
ଜଣେ ଜଣେ ପ୍ରେମିକା
ଖରା ପରି ତାଙ୍କ ସୁନାଦେହ ସତେ ଯେମିତି
ରାତିର ଖରାରେ ଫୁଟିଥିବା ସୂର୍ଯ୍ୟମୁଖୀ।
ସେମାନଙ୍କ ଭିତରୁ କେହି କେବେ ବୟସ ଭୁଲି
ମୋ ପ୍ରେମରେ ପଡ଼ିଲେ
ମୋ ହାତ ଧରି ଏ ସହରରେ ବୁଲୁଥିଲେ
ବିତିଯାଏ ମୋର ସନ୍ଧ୍ୟାବେଳ।
ସକାଳଟା ମୋର ଭାରି ଏକା
ମୁଁ ବସି ମନେପକାଏ
ସେମାନଙ୍କ ଭିତରୁ କାହାକୁ ନୁହଁ
ପାଞ୍ଚଫୁଟର ଆଉ ଜଣେ ଛାଇ ରଙ୍ଗର ପ୍ରେମିକାକୁ
ତା’ର ଶୀତଳ ଛୁଆଁ ଟିକେ ଖୋଜେ
ଆମ ପ୍ରେମ ସରିବାର ପାଞ୍ଚ ଦଶନ୍ଧି ପରେ।
ଏବେଠୁଁ କହିପାରୁନି କିଏ ହେବ
ମୋର ଶେଷ ପ୍ରେମିକା
ଡରଲାଗେ ସେଦିନକୁ କାଳେ
ସରିଆସିଥିବ ମୋ ପ୍ରେମ
ମୋ ଭିତରୁ ସରିଥିବ ସବୁ ଗପ
ଆଖିରେ ନ ଥିବ ପ୍ରେମିକ ଆଖିର ଚମକ।
ଆମ ଚାରିଦିନ ଜୀବନରୁ ଦି’ଦିନ ଯୌବନ
ଦି’ଘଡ଼ି ନ ପୂରି ହଜିଗଲେ ପ୍ରେମ
ଭାଙ୍ଗିଯାଏ ମନ
ନ ହଜିଲେ ସେ ଜୀବନ ସମାନ।
ମୋ ବୟସ ମତେ ବୁଝେଇ ଦେଇଛି
ଏଠି ହଜିଯାଏନି କିଛି
ସବୁ ଫେରେ ଭିନ୍ନ ଭିନ୍ନ ରୂପରେ
ନୂଆ ମୁହଁଟିଏ ହୁଏତ ସେମିତି ଫେରିବ
ହେବାକୁ ମୋର ଶେଷ ପ୍ରେମିକା
ପ୍ରେମ ବଦଳରେ ମତେ ମାଗିବନି ପ୍ରେମ
ତା’ ହାତ ଝୁଲାରେ ମୋ ପାଇଁ ଲୁଚେଇ ଆଣିଥିବ
ଗଲାଦିନର ମୋର ଯେତେ ହଜିଲା ପ୍ରେମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/11/29/bbb-2025-11-29-20-32-41.jpg)