ଭୁବନେଶ୍ବର: ଅଭିଜିତ ମିଶ୍ର ! ଓଡ଼ିଆ ସଂଗୀତ ଜଗତର ଜଣେ ଚିହ୍ନା ଚେହେରା, ଓଡ଼ିଶାର ଘରେ ଘରେ ପରିଚିତ ସ୍ବର । ସିଏ ଜଣେ ମେକାନିକାଲି ଇଞ୍ଜିନିୟର ମାତ୍ର ମ୍ୟୁଜିକରେ ଧୂରନ୍ଧର । ଲୋଭନୀୟ ଚାକିରି, ମୋଟା ଅଙ୍କର ଦରମାକୁ ଅଣଦେଖା କରି ସଙ୍ଗୀତ ପ୍ରେମରେ ପାଗଳ ହୋଇଥିବା ଅଭିଜିତ ଇତି ମଧ୍ଯରେ ସଙ୍ଗୀତରେ ୧୬ ବର୍ଷର ଯାତ୍ରା କରି ସାରିଲେଣି । ଏହି ଦେଢ ଦଶନ୍ଧିରେ ଅନେକ ଗୀତ ସେ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି । ପ୍ରଥମେ କଣ୍ଠଶିଳ୍ପୀ ଭାବେ ଆଉ ଏବେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କ ଶ୍ରୋତାଙ୍କୁ ସେ ଭେଟି ଦେଉଛନ୍ତି ଗୋଟେ ପରେ ଗୋଟେ ଭିନ୍ନ ସ୍ବାଦର ସଂଗୀତ । ଉଭୟ ଓଡ଼ିଆ ଏବଂ ହିନ୍ଦୀ ସଙ୍ଗୀତ କରିବାରେ ଅଭିଜିତ ସିଦ୍ଧହସ୍ତ । ସିଏ ସ୍ବରରେ ଈଶ୍ବରଙ୍କୁ ଦେଖନ୍ତି । ସଙ୍ଗୀତ ପ୍ରତି ସମର୍ପିତ ଥିବା ଅଭିଜିତଙ୍କ ଅନେକ ଭଜନ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ଘର କରି ରହିଛି । ଗୀତ ବିନା କାଳେ ତାଙ୍କ ଜୀବନ ଭୁଲ ବାଟରେ ପଳେଇଥାନ୍ତା ବୋଲି ସେ କୁହନ୍ତି । ଆଉ ସମସ୍ତେ ଯେତେବେଳେ ଶୋଇପଡନ୍ତି ସେତେବେଳେ ସିଏ ଈଶ୍ବରଙ୍କୁ ମୁଣ୍ଡିଆ ମାରି, ରାତି ଅନିଦ୍ରା ହୋଇ ଗୀତ କରନ୍ତି…
/filters:format(webp)/sambad/media/media_files/2025/11/28/sajna-song-poster-2025-11-28-19-03-29.jpeg)
ଆହୁରି ପଢନ୍ତୁ- Suryamayee Mohapatra Interview: ସବୁଥିରେ ସୁପରହିଟ୍ ସୂର୍ଯ୍ୟମୟୀ... ହିନ୍ଦୀ ମ୍ୟୁଜିକ୍ ଭିଡିଓ 'ସଜନା'ରେ ଅଭିନୟ କରି ଜିତିଲେ ଦର୍ଶକଙ୍କ ହୃଦୟ…
ନିକଟରେ ତାଙ୍କ ନୂଆ ହିନ୍ଦୀ ଗୀତ ‘ସଜନା’ରିଲିଜ ହୋଇଛି । ଏଥିରେ ଅଭିଜିତ ମିଶ୍ର ସଂଗୀତ ନିର୍ଦ୍ଦେଶନା ସହ କଣ୍ଠଦାନ ବି କରିଛନ୍ତି । ‘ସଜନାରେ ଓଲିଉଡ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଅଭିନୟ କରିଥିବା ବେଳେ ଅଭିଜିତଙ୍କ କଣ୍ଠର ଏ ଭିନ୍ନ ଧରଣର ହୃଦୟସ୍ପର୍ଶୀ ହିନ୍ଦୀ ପପ୍-କ୍ଲାସିକାଲ ଫ୍ୟୁଜନକୁ ଦର୍ଶକ ବେଶ ଭଲପାଇବା ଦେଉଛନ୍ତି । ସଂଗୀତରେ ସବୁବେଳେ ପରୀକ୍ଷା ନିରୀକ୍ଷାରେ ବିଶ୍ବାସ କରୁଥିବା ଅଭିଜିତଙ୍କୁ ଏହି ଗୀତ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ତେବେ ଜାତୀୟ ପୁରସ୍କାର ପ୍ରାପ୍ତ ମ୍ୟୁଜିକ କମ୍ପୋଜର ଏବଂ କଣ୍ଠଶିଳ୍ପୀ ଅଭିଜିତ ମିଶ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ରାମକୃଷ୍ଣ ବାରିକ
/filters:format(webp)/sambad/media/media_files/2025/11/28/singer-abhijeet-mishra-2025-11-28-19-08-27.jpg)
ଅଳ୍ପ ଆଳାପ: ଅଭିଜିତଙ୍କୁ ଆଠ ପ୍ରଶ୍ନ
୧- ଆପଣ ଅନେକ ହିନ୍ଦୀ ଗୀତ ଗାଇଛନ୍ତି ଏବଂ ତିଆରି କରିଛନ୍ତି ବି, ‘ସଜନା’ ପଛର ସିକ୍ରେଟ୍ କଣ ?
ଉ- କ୍ଲାସିକାଲ ସହ ଓ୍ୱେଷ୍ଟର୍ଣ୍ଣ ଏବଂ ବଲିଉଡ ଷ୍ଟାଇଲରେ ରୋମାଣ୍ଟିକ ଗୀତଟେ କରିବାକୁ ମୋର ଇଚ୍ଛା ଥିଲା । ‘ସଜନା’ ଗୀତଟି ୨୦୨୧ରେ କମ୍ପୋଜ୍ କରିଥିଲି । ପ୍ରଥମେ ଏହାର ଟ୍ୟୁନ୍ ହୋଇଥିଲା । ମୁମ୍ବାଇରେ ଥିବା ବେଳେ ଗୀତିକାର ରାଜକୁମାର ମାହାତୋଙ୍କ ଘରେ ହିଁ ଗୀତ ଫାଇନାଲ୍ ହେଇଥିଲା । ପୂର୍ବରୁ ଏହି ଗୀତ ରେକର୍ଡ କରିଥିଲି କିନ୍ତୁ ମତେ ଠିକ୍ ଠାକ୍ ଲାଗିନଥିଲା ଏବେ ଭଲ ଲାଗିବା ପରେ ରିଲିଜ ହେଲା । ‘ସଜନା’ ଏକ ଭିନ୍ନ ଧରଣର ରୋମାଣ୍ଟିକ ଗୀତ । ମଣିଷ ଯାହା କଥାରେ କହି ପାରେନି ତାକୁ ମୁଁ ଗୀତରେ କହିବାକୁ ଚେଷ୍ଟା କରିଛି ।
୨- ସଜନା ପାଇଁ ଆପଣ ସୂର୍ଯ୍ୟମୟୀଙ୍କୁ କାହିଁକି ବାଛିଲେ ?
ଉ- ମୁଁ ସୂର୍ଯ୍ୟମୟୀଙ୍କୁ ବାଛିନି । ଏଇଟା ଆମେ ମିଶିକି କରିଛୁ । ଯେତେବେଳେ ମୁଁ ଜାଣିଲି ସୂର୍ଯ୍ୟମୟୀଙ୍କୁ କ୍ଲାସିକାଲ୍ ପସନ୍ଦ ସେତେବେଳେ ତାଙ୍କୁ ‘ସଜନା’ ଶୁଣେଇଥିଲି । ବାସ୍ ତାପରେ ଭିଡିଓ କରିବାକୁ ଆମେ ନିଷ୍ପତ୍ତି ନେଲୁ । ସୂର୍ଯ୍ୟମୟୀଙ୍କ ଭଉଣୀ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି । ସୂର୍ଯ୍ୟମୟୀଙ୍କୁ ଧନ୍ୟବାଦ, ଏହି ମ୍ୟୁଜିକ ଭିଡିଓରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାରୁ । ସୂର୍ଯ୍ୟମୟୀଙ୍କ ପାଇଁ ମୋ ଗୀତ ଆଜି ଲୋକଙ୍କ ପାଖରେ ପହଞ୍ଚୁଛି ଆଉ ଗୀତକୁ ପ୍ରଚୁର ଭଲପାଇବା ମିଳୁଛି…
୩- ଆପଣ ନିଜ ଗୀତରେ ସବୁବେଳେ ପରୀକ୍ଷା ନିରୀକ୍ଷା କରିବାକୁ ଚେଷ୍ଟା କରନ୍ତି କାହିଁକି ?
ଉ- ସଂଗୀତରେ ପରୀକ୍ଷା ନିରୀକ୍ଷା କରିବାର ସେ ଶକ୍ତି କି ଯୋଗ୍ୟତା ଏଯାଏଁ ମୋର ହେଇନି, କିନ୍ତୁ ହଁ କିଛି ନୂଆ କରିବାକୁ ମୋର ସବୁବେଳେ ଇଚ୍ଛା ଆଉ ଚେଷ୍ଟା କରେ ବି । ଦୁନିଆର ସବୁ ପ୍ରକାରର ଗୀତ ମୁଁ ଶୁଣୁଥାଏ । ମୋର ସବୁ ଗୀତ ଗୋଟେ ଅନ୍ୟଠୁ ଯେମିତି ଭିନ୍ନ ଥିବ ସେ ଦିଗ ପ୍ରତି ମୁଁ ସଦା ସଚେତନ ଥାଏ । ଶ୍ରୋତାଙ୍କୁ ଭେରାଇଟି ଗୀତ ଶୁଣାଇବାରେ ମୁଁ ବିଶ୍ବାସ କରେ ।
୪- ନୂଆ ହିନ୍ଦୀ ଗୀତରେ ଆପଣ କଣ ଭିନ୍ନ କରିବାକୁ ଚେଷ୍ଟା କରିଛନ୍ତି ?
ଉ- ‘ସଜନା’ରେ କ୍ଲାସିକାଲ୍, ଓ୍ୱେଷ୍ଟର୍ଣ୍ଣ, ବଲିଉଡର ଛୁଙ୍କ ଦେବାକୁ ଚେଷ୍ଟା କରିଛି । କିଛି କ୍ଲାସିକାଲ୍ ବାଦ୍ୟଯନ୍ତ୍ର ବି ବ୍ୟବହାର ହୋଇଛି । ସ୍ବରମଣ୍ଡଲ୍ ବି ବ୍ୟବହାର କରିଛି ।
/filters:format(webp)/sambad/media/media_files/2025/11/28/suryamayee-and-abhijeet-2025-11-28-19-10-11.jpeg)
୫- ମ୍ୟୁଜିକ ଭିଡିଓ କରି ଜଣେ କଣ୍ଠଶିଳ୍ପୀ, ଜଣେ ସଂଗୀତ ନିର୍ଦ୍ଦେଶକ କଣ ଲାଭ ପାଏ ?
ଉ- ଜଣେ କଣ୍ଠଶିଳ୍ପୀ ଏବଂ ମ୍ୟୁଜିକ କମ୍ପୋଜର ହିସାବରେ ମୁଁ ଭାବେ ମ୍ୟୁଜିକ ଭିଡିଓ ହିଁ ଏକମାତ୍ର ମାଧ୍ୟମ ନିଜ ଭିତରେ ଥିବା ଗୀତ ଓ ଭାବକୁ ବାହାରକୁ ଆଣିବା ଏବଂ ଲୋକଙ୍କୁ ଦେଖାଇବା ପାଇଁ… ମାଇକେଲ ଜାକସନ୍ ହୁଅନ୍ତୁ, ସୋନୁ ନିଗମ୍ ହୁଅନ୍ତୁ କି ଅରିଜିତ୍ ସିଂ, ସେମାନେ ନିଜ ଗୀତକୁ ଆହୁରି ଭଲ ଭାବରେ ଉପସ୍ଥାପନା କରିବା ପାଇଁ ମ୍ୟୁଜିକ ଭିଡିଓର ସାହାର ନିଅନ୍ତି…
୬- ଅଭିଜିତ୍ ମିଶ୍ର ଟିକେ ଚୁଜି ଆଉ ମୁଡି ? ଏହା କେତେ ଠିକ୍ ?
ଉ- ଚୁଜି ଆଉ ମୁଡି ତ ସବୁ କଳାକାର ହେବା ଦରକାର । ମୁଁ ସଙ୍ଗୀତକୁ ଯେତିକି ଜାଣିଛି, ଯେତିକି ଭଲପାଇଛି ସେହି ହିସାବରେ ଯଦି ଗୀତ ନମିଳେ ତାହାଲେ ମୁଁ ଖାଲି ଗାଇବା ପାଇଁ ଗାଇଦେବି ହେଲେ ହୃଦୟରୁ ଗାଇ ପାରିବିନି । ସବୁ କାମ ହୃଦୟରୁ କରିବାର ଅଛି । ତେଣୁ ମୋ ଭିତରର ଆତ୍ମା କୁହେ- କେଉଁଟାରେ ମୁଁ କରିବା ଦରକାର, କେଉଁଟା ନୁହେଁ । ଯଦି ମୋ ପ୍ୟାଟର୍ଣ୍ଣର କାମ ମିଳିଯାଉଛି ମତେ ଅଧିକ ଖୁସି ଦିଏ । ଖାଲି ପଇସା ଗୋଟେଇବା ପାଇଁ ମୁଁ ସଙ୍ଗୀତ କରୁନି… ମୁଡି ହେଲେ ହିଁ ଭଲ ଗୀତ ବାହାରିବ ।
୭- ନିଜ ସଫଳ ସଙ୍ଗୀତକୁ ନେଇ କେବେ ଗର୍ବ ଆସିଛି କି ?
ଉ- ମୁଁ କେତେଦୂର ସଫଳ ତାହା ଜାଣିନି । ଯେଉଁଦିନ ମୁଁ ଗୀତ ମାଧ୍ଯମରେ ଶ୍ରୋତାଙ୍କ ମନରେ ଘରଟେ କରିପାରିବି, ତାଙ୍କ ଭଲପାଇବା ପାଇପାରିବି ସେହିଦିନ ଲାଗିବ କି ମୁଁ ସଫଳ ବୋଲି । ସଫଳତାର ମାପକାଠି କିଛି ନାହିଁ । ମୁଁ ମୋ ଗୀତକୁ ସବୁବେଳେ ତର୍ଜମା କରୁଥାଏ । ଗୀତ ରିଲିଜ ପରେ ଯାହା ଯାହା ଅଭାବ ଅନୁଭବ ହୁଏ ତାକୁ ମୁଁ ପରବର୍ତ୍ତୀ ଗୀତରେ ପୂରା କରିବାକୁ ଚେଷ୍ଟା କରେ । ଗୀତକୁ ନେଇ ଗର୍ବ କରିବା ଭୁଲ । ସବୁ ଠାକୁରଙ୍କ ଆଶୀର୍ବାଦ… ସିଏ ଦେଇଛନ୍ତି, ସିଏ ଚାହିଁଲେ ନେଇଯିବେ । ମୋ ବାପା ସବୁବେଳେ କୁହନ୍ତି- ଯେଉଁଦିନ ସଂଗୀତରେ ‘ମୁଁ’ ସବୁ କିଛି ବୋଲି କହିବୁ ସେହିଦିନ ତୋ ଠାରୁ ସବୁକିଛି ପଳେଇବ… ଭଗବାନ ସବୁକିଛି ନେଇଯିବେ । ତାନସେନ୍ ବି ସମୁଦ୍ରରୁ ଟୋପେ ଜଳ ଦେଖାଇ ସେ ସଂଗୀତର ସାଗରରୁ ଟୋପେ ହିଁ ଶିଖିଛନ୍ତି ବୋଲି କହିଥିଲେ । ତେଣୁ ଗର୍ବର ପ୍ରଶ୍ନ ହିଁ ଉଠୁନି…
୮- ଆଗାମୀ ଦିନରେ କଣ ସବୁ ଗୀତର ପ୍ଲାନିଂ ଅଛି ?
ଉ- ଆଗକୁ ବହୁତ ପ୍ରୋଜେକ୍ଟ ଅଛି । ଡିସେମ୍ବରରେ ଗୋଟେ ହିନ୍ଦୀ ଗୀତ ରିଲିଜ ହେବାର ଅଛି, ତା ପାଇଁ କାମ ଚାଲିଛି । ଜାନୁଆରୀରେ ଜଗା ତୁ ଯାଦୁଗର ପାର୍ଟ-୨ ଆସିବ, ଯାହାର ନାଁ ‘ଜଗା ତୁ ଥାଉ ଥାଉ’ । ଜଗନ୍ନାଥଙ୍କୁ ନେଇ ୨ ବର୍ଷ ପରେ ପୁଣି ଥରେ ସେମିତି କିଛି ନିଆରା ଭଜନ ଶ୍ରୋତାଙ୍କୁ ଭେଟିଦେବାକୁ ଚେଷ୍ଟା କରୁଛି । କିଛି ସିନେମା ଗୀତ ରହିଛି । ଆପଣମାନଙ୍କର ଆଶୀର୍ବାଦ ଏମିତି ମୋ ଉପରେ ରହିଥାଉ, ମୁଁ ଏମିତି ଆପଣମାନଙ୍କୁ ନୂଆ ନୂଆ ଗୀତ ଶୁଣାଉଥାଏ… ଜୟ ଜଗନ୍ନାଥ…
/filters:format(webp)/sambad/media/media_files/2025/11/28/517431917_10233228837297186_7139509815384415322_n-2025-11-28-19-10-48.jpg)
ଆହୁରି ପଢନ୍ତୁ- ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିରେ ଓଡ଼ିଆ ଅଭିନେତ୍ରୀ: ଦେଶର ସର୍ବକନିଷ୍ଠ ଜୁରି ଭାବେ ପ୍ରକୃତି ମିଶ୍ର ଆଣିଲେ ଓଡ଼ିଶା ପାଇଁ ଗୌରବ…
ଅଭିଜିତଙ୍କ ଅଜଣା କଥା: ପାଇଛନ୍ତି ଜାତୀୟ ପୁରସ୍କାର
କେବଳ ସଜନା ନୁହେଁ ପୂର୍ବରୁ- ଲୁଟ ଗଏ, ନାରୀ, ତୁମ ଔର ହମ୍, କରାର୍ ଦେ, ମେଁ ତେରା ହୋନେ ଲଗାହୁଁ, ସଓ୍ଵାଲ, ତେରେ ଲିଏ ପରି ଅନେକ ଗୀତରେ ନିଜ ଯାଦୁଗରୀ ସ୍ପର୍ଶ ଦେଇଥିବା ଅଭିଜିତ ଲୋକପ୍ରିୟ ଭଜନ ‘ଜଗା ତୁ ଯାଦୁଗର’ ପାଇଁ ଗତବର୍ଷ ଜାତୀୟ ପୁରସ୍କାର ଲାଭ କରିଥିଲେ । ମେକାନିକାଲ ଇଞ୍ଜିନିୟରରୁ ମ୍ୟୁଜିକର ମାୟାରେ ପଡିଥିବା ଅଭିଜିତ ୧୫ରୁ ଅଧିକ ସିନେମାରେ କଣ୍ଠଦାନ କରିଛନ୍ତି, ଅନେକ ଯାତ୍ରା ଏବଂ ସିଲିଏଲର ଟାଇଟେଲ୍ ଟ୍ରାକ୍ ଗାଇଛନ୍ତି । ରସଗୋଲା ଆନଥେମ୍ ପରି ଅନେକ ଆନଥେମ୍ ଗାଇଛନ୍ତି । ୩୦୦ରୁ ଅଧିକ ଗୀତରେ ନିଜ ନିଆରା ଅନ୍ଦାଜ ପାଇଁ ଦର୍ଶକଙ୍କ ପ୍ରିୟ ପାଲଟିଛନ୍ତି ଅଭିଜିତ ମିଶ୍ର ।
/filters:format(webp)/sambad/media/media_files/2025/11/28/national-award-to-abhijeet-2025-11-28-19-12-50.jpg)
ଅଭିଜିତଙ୍କ ଚର୍ଚ୍ଚିତ ଗୀତ
-ସାତସୁରେ ବନ୍ଧା ଏ ଜୀବନ
-ଶ୍ରୀମନ୍ଦିର
-ଦେବଦାସୀ
-ଜଗା ତୁ ଯାଦୁଗର
-ମାଗୁଣିର ଶଗଡ଼
-ମୁଁ ସେଇ କଳିଙ୍ଗ
-କାହିଁକି ଏମିତି ହୁଏ (ଶୁକ ଭାଇର ସୋଲେ ଫିଲ୍ମ)
-ଜଗବନ୍ଧୁ ହେ ଗୋସାଇଁ
-ଝୁଲି ଝୁଲି ଆସ କାଳିଆ ସାଆନ୍ତ
-କଟି ଯାଇଥିବା କାଗଜ ଗୁଡ଼ିର କି ଅବା ଠିକଣା ଥାଏ…
ସଜନା ଶୁଣିବା ପାଇଁ ଲିଙ୍କ୍-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/28/singer-abhijeet-mishra-2025-11-28-18-57-00.jpg)