ଭୁବନେଶ୍ବର: ସୂର୍ଯ୍ୟମୟୀ ମହାପାତ୍ର ! ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ନାୟିକା ଏବଂ ଦର୍ଶକଙ୍କ ଦ୍ବାରା ଆଦୃତ ଜଣେ ସଫଳ ଅଭିନେତ୍ରୀ । କେବଳ ଜଣେ ନାୟିକା ଭାବେ ଅଭିନୟର ଅଦୃଶ୍ୟ ଲକ୍ଷ୍ମଣରେଖା ଭିତରେ ନିଜକୁ ବାନ୍ଧିରଖିବାକୁ ସେ ଆଦୌ ଚେଷ୍ଟା କରିନାହାନ୍ତି କି ସେହି ଚିନ୍ତାଧାରାରେ ସିଏ ବିଶ୍ବାସ ବି କରନ୍ତିନି । ବରଂ ସେହି ଧାରାରୁ ଅଲଗା ହୋଇ କେବଳ ନାୟିକା ନୁହେଁ ବରଂ ସବୁ ଜୋନରର ଏବଂ ସବୁ ପ୍ରକାରର ଅଭିନୟ କରିବାକୁ ତାଙ୍କର ଇଚ୍ଛା । କାରଣ ସେ ଜଣେ ଅଭିନେତ୍ରୀ, ଆଉ ଜଣେ ଅଭିନେତ୍ରୀ ପାଇଁ ଅଭିନୟ ହିଁ ସବୁକିଛି… ସିଏ ସିନେମା ହେଉ କି ସଙ୍ଗୀତ… ସବୁଥିରେ ନିଜକୁ ସାମିଲ କରି ନିଜ ନିଖୁଣ ଅଭିନୟ ବଳରେ ଓଡିଶାବାସୀଙ୍କ ହୃଦୟ ଜିଣୁଥିବା ସୂର୍ଯ୍ୟମୟୀ, ନିକଟରେ ରିଲିଜ ହୋଇଥିବା ଏହ ହିନ୍ଦୀ ମ୍ୟୁଜିକ ଭିଡିଓରେ ବେଶ୍ ଚମତ୍କାର ଅଭିନୟ କରି ପୁଣି ଥରେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି । ନାୟିକାମାନେ ଯେ କେବଳ ରୂପେଲୀ ପରଦାରେ ଅଭିନୟ କରିବେ ତାହା ନୁହେଁ- ବରଂ ସଂଗୀତର ତାଳେ ତାଳେ ବି ଅଭିନୟ କରିପାରନ୍ତି । ସେହି ନ୍ୟାୟରେ ହିନ୍ଦୀ ମ୍ୟୁଜିକ ଭିଡିଓ ‘ସଜନା’ରେ ସୁନ୍ଦର ଅଭିନୟ କରି ଅନ୍ୟମାନଙ୍କ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୂର୍ଯ୍ୟମୟୀ ।
/filters:format(webp)/sambad/media/media_files/2025/11/20/sajna-song-2025-11-20-18-19-37.jpeg)
'ସଜନା' ସୂର୍ଯ୍ୟମୟୀଙ୍କ ପ୍ରଥମ ହିନ୍ଦୀ ଗୀତ
ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମିଶ୍ରଙ୍କ ହିନ୍ଦୀ ମ୍ୟୁଜିକ ଭିଡିଓ ‘ସଜନା’ ଏକ ହୃଦୟସ୍ପର୍ଶୀ ହିନ୍ଦୀ ପପ୍-କ୍ଲାସିକାଲ ଫ୍ୟୁଜନ ଯାହା ନିରୋଳା, ନିର୍ଭେଜାଲ ପ୍ରେମପଣ, ପ୍ରେମମନସ୍କ ଏବଂ ଅନ୍ତରର ଅଭିମାନକୁ ପ୍ରତିଫଳିତ କରୁଛି । ଯେଉଁଥିରେ ଓଲିଉଡ଼ ନାୟିକା ସୂର୍ଯ୍ୟମୟୀ ମହାପାତ୍ର ବିନା ଡାଇଲଗରେ, କେବଳ ଅଭିମାନ ଭରା ଆଖିର ଇସାରାରେ ଅତି ଚମତ୍କାର ଭାବେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ‘ସଜନା’ ସୂର୍ଯ୍ୟମୟୀଙ୍କ ପ୍ରଥମ ହିନ୍ଦୀ ଗୀତ ହୋଇଥିବା ବେଳେ ଏହି ମ୍ୟୁଜିକ ଭିଡିଓ କରି ସେ ବେଶ ଖୁସି ଅଛନ୍ତି ଏବଂ ଏହା ତାଙ୍କ କ୍ୟାରିୟରେ ସବୁଠାରୁ ସ୍ମରଣୀୟ ବୋଲି ସେ କହିଛନ୍ତି । ତେବେ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ରାମକୃଷ୍ଣ ବାରିକ…
/filters:format(webp)/sambad/media/media_files/2025/11/20/actor-suryamayee-2025-11-20-18-20-16.jpeg)
ସୂର୍ଯ୍ୟମୟୀଙ୍କ ସହ ସାକ୍ଷାତକାର
୧- ‘ସଜନା’ ଆପଣଙ୍କର ପ୍ରଥମ ହିନ୍ଦୀ ମ୍ୟୁଜିକ ଭିଡିଓ । ସଜନାକୁ ନେଇ ଅନୁଭୂତି କଣ ?
ଉ- ଅଭିଜିତ ମିଶ୍ରଙ୍କ ସ୍ବରର ମୁଁ ଜଣେ ବଡ଼ ପ୍ରଶଂସକ । ମୁଁ ତାଙ୍କ ସ୍ବରରେ ଭାବଭକ୍ତି ଖୋଜିପାଏ । ଜଗନ୍ନାଥଙ୍କ ଭଜନ ଯେତେବେଳେ ସେ ଗାଆନ୍ତି ମତେ ଭାରି ଭଲଲାଗେ । ଯେହେତୁ ମୁଁ ଜଣେ କ୍ଲାସିକାଲ୍ ଡ୍ୟାନ୍ସର ତେଣୁ ତାଙ୍କର କ୍ଲାସିକାଲ୍ ମ୍ୟୁଜିକ ସବୁ ଭଲଲାଗେ । ସେ ମୁମ୍ବାଇରେ ଥିବା ବେଳେ ‘ସଜନା’ କଥା କହିଥିଲେ । ଆମେ ଭେଟ ହେଲୁ, ଯୋଜନା କଲୁ ଆଉ ୨ ଦିନରେ ସୁଟ୍ କରିଥିଲୁ ।
୨- ସିନେମାରେ ଅଭିନୟ କରୁଥିବା ଜଣେ ନାୟିକା ମ୍ୟୁଜିକ ଭିଡିଓରେ ଅଭିନୟ କରିବା ପାଇଁ କାହିଁକି ରାଜି ହେଲେ ? ସଜନାରେ କଣ ଏମିତି ଖାସ୍ ଥିଲା କି ?
ଉ- ମୋ ପାଇଁ କାମ ସବୁବେଳେ କାମ- ସେଥିରେ ଛୋଟ ବଡ଼ ନଥାଏ । ମୁଁ ଭାବେ ଜଣେ କଳାକାର ସବୁ ପ୍ରକାର ପ୍ଲାଟଫର୍ମ ପାଇଁ ପ୍ରସ୍ତୁତ ରହିବା ଦରକାର । ଟେଲି ଫିଲ୍ମ ହେଉ କି ସିରିଏଲ ଅବା ହେଉ ମ୍ୟୁଜିକ ଭିଡିଓ । ମୁଁ ଯେଉଁ କେତେଟା ମ୍ୟୁଜିକ ଭିଡିଓ କରିଛି ସବୁଥିରେ କିଛି ନା କିଛି ଥିମ୍, କନସେପ୍ଟ ରହିଛି । ‘ସଜନା’ର ଗୀତ ଭାରି ଭଲଲାଗିଥିଲା ତେଣୁ ମୁଁ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲି ।
୩- ଅଭିଜିତଙ୍କ ସ୍ବର, ଆପଣଙ୍କ ଅଭିନୟ ସଜନାକୁ ନୂଆ ପରିଚୟ ଦେଇଛି । ଦୁହିଁଙ୍କ ଯୋଡ଼ିକୁ ନେଇ କଣ କହିବେ ?
ଉ- ଆମେ ଦୁଇ ଜଣ କଳାକୁ ଏବଂ ସଂଗୀତକୁ ବହୁତ ଭଲପାଉ । ଅଭିଜିତ ମିଶ୍ରଙ୍କ ସ୍ବରରେ ଗୋଟେ ଅଲଗା ପ୍ରକାରର ଆବେଦନ ଥାଏ । ସଂଗୀତ ଜଗତ ପାଇଁ ତାଙ୍କର ଭିଜନ ଭିନ୍ନ । ସେ ବହୁତ କମ୍ କାମ କରନ୍ତି ମାତ୍ର ଯେତିକି ବି କରନ୍ତି କ୍ଵାଲିଟି କାମ କରନ୍ତି । ସଜନା ସେହି ସ୍ତରର ସଂଗୀତଟିଏ ହୋଇଥିବାରୁ ମୁଁ ଏଥିରେ ନିଜକୁ ଭାଗୀଦାର କଲି । ଏଥିରେ ମୋ ଭଉଣୀ କୋରିଓଗ୍ରାଫି କରିଛନ୍ତି ।
୪- ପ୍ରଥମ ହିନ୍ଦୀ ମ୍ୟୁଜିକ ଭିଡିଓରେ ଅଭିନୟ ପଛର ସିକ୍ରେଟ୍ କଣ ? ଯାହା କେହି ଜାଣନ୍ତିନି…
ଉ- ସଜନା ମୋର ପ୍ରଥମ ହିନ୍ଦୀ ମ୍ୟୁଜିକ ଭିଡିଓ । ଆହୁରି ୨ଟା ଏଯାଏଁ ରିଲିଜ ହୋଇନି । ଅଭିଜିତ ମିଶ୍ର ‘ସଜନା’କୁ ୪ ବର୍ଷ ତଳୁ ଗାଇଥିଲେ, ସେତେବେଳେ ତାଙ୍କର ଭଏସ ଅଲଗା ଥିଲା ଏବେ ଆଉ ଥରେ ରେକର୍ଡିଂ କରିଛନ୍ତି । ଗୀତରେ ନିଖୁଣତା ଆଣିବାକୁ ସେ ପ୍ରାୟ ୫୦ ଥର ଗାଇଛନ୍ତି । ୫୧ ନମ୍ବର ଟ୍ରାକଟା ଫାଇନାଲ ହେଲା ଯେଉଁଟା ଆପଣ ଏବେ ଶୁଣୁଛନ୍ତି ।
/filters:format(webp)/sambad/media/media_files/2025/11/20/suryamayee-mohapatra-2025-11-20-18-22-12.jpeg)
ଆହୁରି ପଢନ୍ତୁ- ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିରେ ଓଡ଼ିଆ ଅଭିନେତ୍ରୀ: ଦେଶର ସର୍ବକନିଷ୍ଠ ଜୁରି ଭାବେ ପ୍ରକୃତି ମିଶ୍ର ଆଣିଲେ ଓଡ଼ିଶା ପାଇଁ ଗୌରବ…
୫- ବଲିଉଡରେ ଅନେକ ନାୟକ ନାୟିକା ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳୁଛନ୍ତି । ଅଭିନେତ୍ରୀ ସୂର୍ଯ୍ୟମୟୀ ‘ସଜନା’ ପରେ ଆଉ ଅନ୍ୟ ମ୍ୟୁଜିକ ଭିଡିଓରେ ନଜର ଆସିବେ ନା ନାହିଁ ?
ଉ- ମ୍ୟୁଜିକ ଭିଡିଓରେ ଅଳ୍ପ ସମୟରେ ଏକ ସୁନ୍ଦର କାହାଣୀ କହିହୁଏ। ତେଣୁ ଆଗକୁ ଏମିତି କିଛି ମ୍ୟୁଜିକ ଭିଡିଓ ମିଳିଲେ କରିବି ।
୬- ସିନେମା ଓ ସଂଗୀତ... ଆପଣଙ୍କ ପାଇଁ କେଉଁଟା କେତେ ଗୁରୁତ୍ବ ?
ଉ- ଯେହେତୁ ମୁଁ ଓଡ଼ିଶୀ ନୃତ୍ୟଶିଳ୍ପୀ ତେଣୁ ଗୋଟେ ସମୟ ଥିଲା ନୃତ୍ୟକୁ ମୁଁ ବହୁତ ଭଲପାଉଥିଲି କିନ୍ତୁ ଏବେ ଅଭିନୟକୁ ଅଧିକ ଗୁରୁତ୍ବ ଦେଉଛି । ମତେ ଲାଗେ ସଙ୍ଗୀତ-ନୃତ୍ୟ-ଅଭିନୟ ମୋ ସହ କେଉଁଠି ନା କେଉଁଠି ସଂଯୋଗ ହୋଇ ରହିଛି ।
୭- କେଉଁ ପ୍ରକାରର ଗୀତ ଶୁଣିବାକୁ ଭଲପାଆନ୍ତି ? ପ୍ରିୟ ଗୀତ କଣ ?
ଉ- ମତେ ଗଜଲ ଶୁଣିବାକୁ ଭଲଲାଗେ । କ୍ଲାସିକାଲ୍ ମ୍ୟୁଜିକ, ଭଜନ, ଗୀତଗୋବିନ୍ଦ ଶୁଣିବାକୁ ପସନ୍ଦ କରେ । ମୁଁ ଭାବେ ସଂଗୀତ ସବୁ ଯନ୍ତ୍ରଣାର ଔଷଧ... ‘ମୟୂର ଚନ୍ଦ୍ରିକା’ କ୍ୟାସେଟର ସବୁ ଗୀତ ମୋର ପ୍ରିୟ… ତାପରେ ଅଭିଜିତ ମିଶ୍ରଙ୍କ ‘ଜଗା ତୁ ଯାଦୁଗର’ ମୋର ବହୁତ ପସନ୍ଦ । ମୁଁ ସବୁବେଳେ ତାଙ୍କୁ କୁହେ ଆପଣଙ୍କ ଭଏସ ବନାହେଇଛି କେବଳ ଭଗବାନଙ୍କ ପାଇଁ… ଜଗନ୍ନାଥ ଚାହାନ୍ତି ଆପଣ ଆପଣଙ୍କ ସ୍ବରରେ ତାଙ୍କ ଗୀତ ଗାଆନ୍ତୁ ବୋଲି…
୮- ଦୁଃଖ ବେଳେ କେଉଁ ଗୀତ ଶୁଣନ୍ତି, ଖୁସି ବେଳେ କେଉଁ ଗୀତ ଗାଆନ୍ତି ?
ଉ- ମୁଁ ଭାଙ୍ଗିପଡ଼ିଲେ କି ସମସ୍ୟାରେ ପଡିଥିଲେ ଜଗନ୍ନାଥଙ୍କର ଏବଂ ଶିବଙ୍କର ଗୀତ ଶୁଣେ । ମତେ ଲାଗେ କୋରାପୁଟ ଦାମନଯୋଡ଼ି ପରି ଜାଗାରୁ ଆସି ସିନେମାରେ କାମ କରିବା ପଛରେ କେବଳ ଭଗବାନଙ୍କ ଆଶୀର୍ବାଦ ଅଛି । ଖୁସି ଥିଲେ ଲତା ଜୀ, କିଶୋର କୁମାରଙ୍କ ଗୀତ ଶୁଣେ…
୯- ସୂର୍ଯ୍ୟମୟୀ ଗୀତ ଗାଆନ୍ତି ନା ନାହିଁ ?
ଉ- ଗୋଟେ ସମୟ ଥିଲା ମୁଁ ଗୀତ ବି ଗାଉଥିଲି । ଗୀତ ପାଇଁ ରିଆଲିଟି ସୋ’ରେ ଭାଗ ବି ନେଇଥିଲି । ମାତ୍ର ଅଭ୍ୟାସ ନଥିଲେ ସବୁ ଛାଡିବାକୁ ପଡେ । ଏବେ ଅଭିନୟ ଏବଂ ନୃତ୍ୟ ମୋ ସହ ରହିଛି…
୧୦- ସୂର୍ଯ୍ୟମୟୀ କେମିତି ?
ଉ- ମୁଁ ନିଜକୁ ପଇଡ଼ ଭାବେ, ମାନେ ମୁଁ ବାହାରୁ କଠିନ ଦିଶେ ମାତ୍ର ଯିଏ ମୋ ସହ ମିଶେ ଆଉ କଥାବାର୍ତ୍ତା କରେ ଜାଣିପାରେ ମୁଁ କଣ ବୋଲି… ମୁଁ ଯେଉଁଠି ବି ଆଜି ପହଞ୍ଚିଛି କେବଳ ଆଉ କେବଳ ମୋ ପରିଶ୍ରମ ପାଇଁ । ମୁଁ ୧୦ ପ୍ରତିଶତ ଜାଗାରେ ସବୁବେଳେ ଶତ ପ୍ରତିଶତ କାମ କରିବାକୁ ବିଶ୍ବାସ କରେ ।
୧୧- ସୂର୍ଯ୍ୟମୟୀଙ୍କ ଆଗାମୀ ସିନେମା କଣ ?
ଉ- ଆଗକୁ ମନ୍ତ୍ରମୁଗ୍ଧ, ବରବଧୂ, ଯେ ପକ୍ଷୀ ଉଡ଼େ ଯେତେ ଦୂର… ପରି କିଛି ସିନେମା ଆସୁଛି । ଆଶା କରୁଛି ଦର୍ଶକ ପୂର୍ବପରି ଏସବୁକୁ ବି ଭଲପାଇବା ଦେବେ ଆଉ ମତେ ଆଶୀର୍ବାଦ କରିବେ…
/filters:format(webp)/sambad/media/media_files/2025/11/20/sambad-digital-alpa-alapa-2025-11-20-18-23-04.jpeg)
ଆହୁରି ପଢନ୍ତୁ- Dabangg 4: 'ବ୍ୟାଟଲ୍ ଅଫ୍ ଗଲୱାନ୍' ପରେ ସଲମାନ୍ 'ଦବଙ୍ଗ ୪' କରିବେ ବଡ଼ ଧମାକା, ଅରବାଜ୍ ଦେଲେ ସୂଚନା
ତେବେ କୋରାପୁଟ ଦାମନଯୋଡ଼ିରେ ଜନ୍ମିତ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଭିନ୍ନ ଭିନ୍ନ ସିନେମାରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି । ଚିରାଚରିତ ଧାରାରେ ବାନ୍ଧି ନହୋଇ, ଏହି ଧାରାକୁ ଭାଙ୍ଗି ନିଜକୁ ସବୁ ଜୋନରରେ ସାମିଲ କରାଇବାକୁ ଚେଷ୍ଟା କରିଛନ୍ତି ଆଉ ସଫଳ ବି ହୋଇଛନ୍ତି । 'ଭଲପାଏ ତତେ ଶହେରୁ ଶହେ' କୁହନ୍ତୁ କି 'ମାଲ୍ୟଗିରି', 'ପରବ', 'କର୍ମ', 'ଡାଲଚିନି', 'ରଙ୍ଗାସୁର', 'ଅନନ୍ତା' ଏବଂ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ସିନେମାରେ ନିଜ ଅଭିନୟର ମନ୍ତୁରା ପାଣି ଫିଙ୍ଗି ଦର୍ଶକଙ୍କ ମନ ଜିଣିଛନ୍ତି ସୂର୍ଯ୍ୟମୟୀ । ଯେଉଁଥି ପାଇଁ ତାଙ୍କୁ ‘ଡାଲଚିନି’ ସିନେମା ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧ୍ଯ ପୁରସ୍କାର ମିଳିସାରିଛି । ସୂର୍ଯ୍ୟମୟୀଙ୍କ ଅଭିନୟର ଏ ଯାତ୍ରା ଏମିତି ଲମ୍ବା ହେଉ, ଓଡିଆ ସିନେ ଜଗତକୁ ସେ ଏମିତି ନିଜ ବଳିଷ୍ଠ ଅଭିନୟ ଜରିଆରେ ସମୃଦ୍ଧ କରୁଥାନ୍ତୁ…
ଜୟ ଜଗନ୍ନାଥ...
ସଜନା ଶୁଣିବା ପାଇଁ ଲିଙ୍କ୍-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/20/suryamayee-mohapatra-2025-11-20-18-10-52.jpg)