Photograph: (internet)
ଅଲୌକିକ
ସୁଦର୍ଶନ ମହାପାତ୍ର
ଭୃଗୁ ସ୍କୁଲରୁ ଫେରି ଘରେ ପଶୁ ପଶୁ କହିଲା - ‘‘ବୋଉ ନଈ ଉପରେ ରଚନା ଲେଖିବାକୁ ଗୁରୁ ମା’ କହିଛନ୍ତି। କାଲି ଖାତା ଦେଖିବେ। ନଈ ବିଷୟରେ କ’ଣ ଲେଖିବି? ଖାଲି ଲେଖିଦେବି ନଈରେ ଡଙ୍ଗା ଚାଲେ, ନଈରେ ମାଛ ରହନ୍ତି, ନଈପାଣି ଚାଷ କାର୍ଯ୍ୟରେ ଲାଗେ ଆଉ ନଈରେ ବଢିପାଣି ଆସେ। ଏତିକି ଲେଖିଲେ କ’ଣ ଦୁଇ ଫର୍ଦ୍ଦ ହେବ? ତୁ ମୋତେ ରଫ୍ ଖାତାରେ ଲେଖିଦେବୁ। ମୁଁ ରଚନା ଖାତାରେ ଲେଖିଦେବି।”
- “ଧୀରେ କଥା କହ। ମାମୁ ଟିକିଏ ଆଗରୁ ଆସି ସେ ଘରେ ଶୋଇଛନ୍ତି।” କହିଲା ନାନୀ।
ଭିତର ଘରେ ଥାଇ ମୁଁ ଶୁଣି ପାରୁଥିଲି ଭୃଗୁ ଆଉ ନାନୀର କଥା। ବିଛଣାରୁ ଉଠିପଡ଼ି ଭୃଗୁ କୁ ଦେଖିବାକୁ ବାହାରିଲା ବେଳକୁ ସେ ଧୀରେ ସ୍ବରରେ “ ବାଥ ରୁମ୍ ଯାଉଛି” ବୋଲି ନାନୀକୁ କହିଲା। ଥକିଲା ଦେହକୁ ମୁଁ ପୁଣିଥରେ ବିଛଣାରେ ଲୋଟାଇଦେଲି। ମୋ ନିଦ ଭାଙ୍ଗିଲା ବେଳକୁ “ ହେଇ ମାମୁ ଉଠିଲେଣି” କହି ମୋ ପାଖକୁ ଧାଇଁ ଆସିଲା ଭୃଗୁ। ସତେ ଯେମିତି କେତେବେଳୁ ମୋ ଆଖି ଖୋଲିବାକୁ ଅପେକ୍ଷା କରିଥିଲା ସେ।
-‘‘ମାମୁ, ମୋ ପାଇଁ ନଦୀ ବିଷୟରେ ଗୋଟିଏ ରଚନା ଲେଖିଦେବ?” ମୁଣ୍ଡିଆ ମାରି ଉଠୁ ଉଠୁ କହିଲା ମୋ ଗେହ୍ଲା ଭଣଜା।
ହେଲେ ମୋ ସମ୍ମତିକୁ ଅପେକ୍ଷା ନକରି ବିଜୁଳି ବେଗରେ ଛୁଟିଯାଇ ଗୋଟିଏ ଖାତା ଆଉ ଡଟପେନ ଧରି ଫେରି ଆସିଲା ଭୃଗୁ। ଏତିକି ବେଳକୁ ନାନୀ ମୋ ସାମନାରେ ଚା କପ୍ ରଖି ସାରିଥିଲା।
-‘‘ମାମୁ, ବୋଉ କୁ କହିଲି ରଚନା ଲେଖିଦେବାକୁ ତ ସେ କହିଲା ବାପାଙ୍କୁ କହ। ବାପାଙ୍କୁ କହିଲି ତ ସେ କହିଲେ ମାମୁ ଙ୍କୁ କହ।”
ମୁଁ ହସିଲି ଭୃଗୁ କଥା ଶୁଣି। ସେ ପୁଣି ପଚାରିଲା -”ମାମୁ,ତୁମ ଗାଁ ପାଖ ଦେଇ ଯେଉଁ ନଈ ବହି ଯାଇଛି ସେଥିରେ କୁଆଡେ କୁମ୍ଭୀର ରୁହନ୍ତି? ଗଙ୍ଗା ଯେମିତି ଶିବ ଙ୍କ ଜଟାରୁ ବାହାରିଛି, ତୁମ ଗାଁ ପାଖ ସେଇ ନଈ କେଉଁଠୁ ବାହାରିଛି ? ସେ ନଈରେ ବଢ଼ି ପାଣି ଆସେ? ମୁଁ ଚା ପିଇଲା ଭିତରେ ଏମିତି କେତେ ପ୍ରଶ୍ନ ଶୁଣୁଥିଲି ଏବଂ ତା ପ୍ରଶ୍ନ ସବୁର ଉତ୍ତର ଦେବାକୁ ଯଥାସାଧ୍ୟ ଚେଷ୍ଟା କରୁଥିଲି।
ନାନୀର ଡାକରେ ହଠାତ୍ ଚଞ୍ଚଳ ପାଦ ପକେଇ ଭୃଗୁ ଚାଲି ଯାଇଥିଲା ଠାକୁର ଘର ଆଡ଼କୁ। ସଂଧ୍ୟା ପ୍ରାର୍ଥନା କରିବାକୁ ସେ ଗଲା ବୋଲି ମୁଁ ଜାଣିଲି।
ଭୃଗୁ କଣ୍ଠରେ “ ଜୟ ଜଗଦୀଶ ହରେ..” ହନୁମାନ ଚାଳିଶା” “ ଗୀତା ପାଠ “ ଆଦି ମୋତେ ଅଭିଭୂତ କରି ଦେଉଥିଲା। ସତେ ଯେମିତି କେଉଁ ପ୍ରାଜ୍ଞ ବେଦାଚାର୍ଯ୍ୟ ପ୍ରାଞ୍ଜଳ ସ୍ତୋତ୍ର ପାଠରେ ଦେବାଦେବୀଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରୁଛି ! ଭୃଗୁ କଣ୍ଠରେ ଲାଳିତ୍ୟ ଥିଲା,ଶବ୍ଦ ମାନଙ୍କର ପ୍ରବହମାନତା ଛନ୍ଦମୟ ଥିଲା। ଆହୁରି ଛୋଟ ବେଳେ ସେ ପ୍ରାର୍ଥନା ବୋଲିବାବେଳେ ଶବ୍ଦ ଉଚ୍ଚାରଣରେ ଯେଉଁ ଅସ୍ପଷ୍ଟତା ଥିଲା ଏବେ ଆଉ ନଥିଲା।
ପ୍ରାର୍ଥନା ସାରି ଭୃଗୁ ମୋ ପାଖକୁ ଆସି ଆଉଥରେ ରଚନା ଲେଖିବା କଥା ମନେ ପକେଇ ଦେଲା।” ଆହୁରି ବହୁତ ପାଠ ଲେଖିବାକୁ ଅଛି” କହି ଚାଲିଗଲା ସେ ଆର ରୁମକୁ। ନଈ ବିଷୟରେ ରଚନା ଲେଖିବାକୁ ମନ ସ୍ଥିର କରିବା ପୂର୍ବରୁ, ମନେ ପଡ଼ିଗଲା ନଈ ସଂଲଗ୍ନ ଅତୀତର ଘଟଣାଟିଏ। ସେ ଘଟଣା କି ଜୀବନରେ ଭୁଲି ହୁଏ? ଘଟଣା ନୁହେଁ ତ ଅଲୌକିକ ଘଟଣା କହିଲେ ଠିକ୍ ହେବ। ସେଇ ଘଟଣାଟି ପୁଣି ଏଇ ଭୃଗୁକୁ ନେଇ..!
ସେ ସେତେବେଳକୁ ତିନି ବର୍ଷର ହୋଇଥାଏ। ଦୁର୍ଗାପୂଜାରେ ନାନୀ ସହିତ ଯାଇଥିଲା ଆମ ଘରକୁ। ସେଇ କଳା ମୁଚୁମୁଚୁ ସୁଗଭୀର ବ୍ରାହ୍ମଣୀ ନଦୀକୁ ନାନୀ ଭୃଗୁ କୁ ପ୍ରଥମ ଥର ପାଇଁ ନେଇ ଯାଇଥିଲା ଗାଧୋଇ ଦେବାକୁ।ବିଧି ପୂର୍ବକ ନଦୀ ଭିତରକୁ ପଇସା ଫୋପାଡି ଭୃଗୁ ଛୁଇଁଥିଲା ନଦୀକୁ। ଆଃ.. କି ଖୁସି ତା’ର।ନାନୀ ଗାଧେଇ ସାରିଲେ ପୁଅକୁ ଗାଧେଇ ଦେବ ବୋଲି ତାକୁ ବସେଇ ଦେଇଥିଲା ନଈକୂଳ ବାଲିରେ।
ଆହୁରି ପଢ଼ନ୍ତୁ- India vs South Africa, 2nd ODI: ବିରାଟ-ଋତୁରାଜଙ୍କ ଧୂଆଁଧାର ବ୍ୟାଟିଂ: ଶତକ ହାସଲ କଲେ ଉଭୟ ବ୍ୟାଟ୍ସମ୍ୟାନ
ଗାଧୋଇବା ବେଳେ ନଈରେ କେମିତି ପହଁରୁଛି ବୋଲି ଭୃଗୁ କୁ ମୁଁ ଦେଖାଉଥିଲି। ସେ ମୋ ଆଡେ ଅପଲକ ନୟନରେ ଚାହିଁ ରହିଥିଲା । ଟିକିଏ ସମୟ ପରେ ଦେଖିଲି ସେ କୂଳରେ ବସି ପାଣିରେ ଗୋଡ଼ ବାଡ଼େଇ ଚୁବୁରୁ ଚୁବୁରୁ ହେଉଛି।
ସେ ଖୁସି ହେବ ବୋଲି ନାନୀ ଅଜଣାତରେ ତାକୁ ମୁଁ ନଈ ଭିତରକୁ ନେଇଗଲି। ଗୋଟିଏ ହାତରେ ତାକୁ ଛାତିରେ ଜାବୁଡ଼ି ଧରିଥିଲି ଆଉ ଆର ହାତ ଏବଂ ଗୋଡ଼ରେ ଆହୁଲା ଦେଇ ମୁଁ ପହଁରୁଥିଲି।କୂଳଠୁ ପ୍ରାୟ ତିରିଶ ଫୁଟ ଦୂରରେ ମୁଁ ଥିଲି ଆଉ ଏତିକି ବେଳକୁ ନାନୀର ନଜର ପଡିଲା ଆମ ଉପରେ।
ଚିଲେଇ ଉଠିଲା ନାନୀ। ଭୟରେ ସେ ଦିଶୁଥିଲା ଆକ୍ତାମାକ୍ତା।କଂସ ମାମୁ ସତେକି ଛଡ଼େଇ ନେଇଛି ତା ଏକୋଇରବଳା ବିଶିକେଶନକୁ! ତା ଜୀବନ ଯେମିତି ଅଟକିଥିଲା ପୁଅ ପାଖରେ।
-”ପୁଅକୁ ଆଣ” ପୁଅକୁ ଆଣ..”ବୋଲି ନାନୀର ଚିତ୍କାରରେ ମୁଁ ଡରିଗଲି।ତା ପରକୁ କିନ୍ତୁ ନାନୀର କାତର ସ୍ବର..! ମୋ ପାଖରେ ଗୁହାରି କରୁଥିଲା ତା ପୁଅକୁ କୂଳକୁ ନେବାକୁ।
ଆଉ ଆଗକୁ ନଯାଇ କୂଳକୁ ଫେରିବାର ଉପକ୍ରମ କଲି। ପଛକୁ ବୁଲି ପଡିଲି ଭୃଗୁ କୁ ସେମିତି ଛାତିରେ ଜାକି ଧରି।
ଅଘଟଣଟିଏ ଘଟିଗଲା। ସୋରିଷ ତେଲ ମାଲିସ ହୋଇଥିବା ଭୃଗୁ ର ଦେହ ମୋ ହାତରୁ ଖସିଗଲା।
ହୃଦସ୍ପନ୍ଦନ ମୋର ବନ୍ଦ ହୋଇଯିବ କି ଆଉ !
ହାତ ବୁଲେଇ ଖୋଜିଲି ମୋ ହଜିଲା ଧନକୁ। ହେଲେ ହତାଶ। ସେଇଠି ଡୁବ ପକେଇଲି ତତକ୍ଷଣାତ୍।
ହଠାତ୍ ମୋ ଦେହରେ ବାଜିଲା ଭଳି ଲାଗିଲା କିଛି। ତାପରକୁ ମୋ ଦେହ ଛୁଇଁ ଆହୁରି ତଳକୁ।ଫୁଟବଲକୁ କିକ୍ ମାରିଲା ଛାଟିଦେଲି ପାଦକୁ।
ମୋ ଧନ ଆସିଗଲା ମୋ ହାତ ପାଖକୁ। ସମୁଦାୟ ଘଟଣା କେଇ ସେକେଣ୍ଡ ଭିତରେ ସମାହିତ ହୋଇଗଲା।ମୋ ଆଖିରେ ଲୁହ। ନାନୀ ଆଖି ବିସ୍ଫାରିତ !
ଏଥର ଦୁଇ ହାତରେ ଜାବୁଡି ଧରିଲି ତାକୁ କୋଟିନିଧି ପାଇଲା ପରି। କେବଳ ଗୋଡ଼ରେ ଆହୁଲା ମାରି ମାରି କୂଳରେ ପହଞ୍ଚିଲି। ଭୃଗୁ କିନ୍ତୁ ଖୁବ୍ ଖୁସି ଥିଲା।
କେମିତି କ’ଣ ଘଟଣାଟି ଘଟିଗଲା ମୁଁ ଆଦୌ ବିଶ୍ବାସ କରି ପାରୁନଥିଲି। କେମିତି ସେ ଉଦ୍ଧାର ହେଲା ? କିଏ ତାକୁ ଉଦ୍ଧାର କଲା? କିଏ ମୋତେ ଉଦ୍ଧାର କଲା କୁତ୍ସାରଟନାରୁ ? ମୁଁ ସତକୁ ସତ ଆଖ୍ୟାୟିତ ହୋଇଯାଇଥାନ୍ତି କଂସାସୁର ନାମରେ..!
ଅନ୍ତସ୍ଥଃ ହେଲି ଯେତେବେଳେ ଭୃଗୁ ଆସି ମୋତେ ରଚନା କଥା ପଚାରିଲା। ଅଧଘଣ୍ଟାଏ ଭିତରେ ନଈକୁ ନେଇ ରଚନାଟିଏ ଲେଖି ତାକୁ ଧରେଇ ଦେଲି ଏବଂ ବୁଝେଇ ଦେଲି ରଚନାର ବିଷୟବସ୍ତୁକୁ।
ପିଲାଦିନରୁ ପ୍ରାର୍ଥନା, ଶ୍ଳୋକ ଇତ୍ୟାଦି ଆବୃତ୍ତି କରୁ କରୁ ଭୃଗୁ ଧିରେ ଧିରେ ଈଶ୍ଵର ମନସ୍କ ହୋଇ ଯାଇଥିଲା।ଦାନ,ଧର୍ମ, ଭକ୍ତି ଆଦିରେ ଥିବା ତା’ର ରୁଚି ସେଇ ପିଲାଦିନରୁ ବାରି ହୋଇ ପଡୁଥିଲା।
ଏମିତି ଥରେ ଭୃଗୁ ବିଷୟରେ କଥାବାର୍ତ୍ତା ହେଉଥିବା ବେଳେ ନାନୀ ଯାହା କହିଥିଲା ମୋର ଏବେ ବି ମନେଅଛି। ଭୃଗୁ ତା ଗର୍ଭରେ ଥିଲାବେଳେ ପ୍ରାୟ ଧ୍ୟାନସ୍ଥ ଥାଏ ବୋଲି ନାନୀ କେତେଥର ସ୍ବପ୍ନରେ ଦେଖିଥିଲା।ସେତେବେଳେ ନାନୀର ସେ କଥା ମୋ ମନରେ ଗଭୀର ରେଖାପାତ କରିଥିଲା।
ଘରେ ସମସ୍ତେ ଆଇଁଷ ଖାଉଥିବା ବେଳେ ଭୃଗୁ ହିଁ ହଠାତ୍ ଆଇଁଷ ବର୍ଜନ କରିଦେଇଥିଲା। ସେତେବେଳକୁ ତାକୁ ଆଠବର୍ଷ ହେବ। ଏମିତି ପଢାପଢିରେ ସେ ଖୁବ୍ ଭଲ ଥିଲା।
ଏ ଯେଉଁ ଘଟଣାବଳୀର ଉପସ୍ଥାପନା କଲି ଆଜିକୁ ଦୀର୍ଘ ପଚିଶ ତିରିଶ ବର୍ଷ ତଳର କଥା।
ପାଠପଢା ଶେଷ ହେଉ ହେଉ ଭୃଗୁ ଟି ସି ଏସ ରେ ଚାକିରି ପାଇଗଲା। ହେଲେ ତା ଗୁଣାବଳୀର କିଛି ବି ପରିବର୍ତ୍ତନ ହୋଇ ନଥିଲା। ଅସୁବିଧା ସମୟରେ କାହାକୁ ସାହାଯ୍ୟ କରିବା, ଗରିବ ସାଙ୍ଗମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଅକୁଣ୍ଠ ଚିତ୍ତରେ ଯୋଗାଇଦେବା ତା’ର ବଳବତ୍ତର ଥିଲା। ବହୁତ ସାଙ୍ଗ ତା ବଦାନ୍ୟତାର ଫାଇଦା ଉଠାଉଛନ୍ତି ବୋଲି ତାକୁ ଚେତେଇ ଦେଲେ ବି ସେ ସବୁକିଛି ବୁଝିଲା ପରି ଚୁପ୍ ରହୁଥିଲା ସିନା ନିଜ ଭିତରେ କିଛି ସଂଶୋଧନ ଆଣୁନଥିଲା।
ଆହୁରି ପଢ଼ନ୍ତୁ- Koraput Sloth Bear: କୋରାପୁଟ ବନାଞ୍ଚଳରୁ ଅଳସୁଆ ଭାଲୁର ଅସ୍ତିତ୍ୱ ଓ ଅନୁକୂଳନ
ଗୋଟିଏ ବର୍ଷର ଦୁର୍ଗାପୂଜା ସମୟ।ଜଣେ ସାଙ୍ଗକୁ ନେଇ ଭୃଗୁ ବାହାରିଗଲା ଭ୍ରମଣରେ। ଆଠଦିନ ପରେ ସାଙ୍ଗ ଜଣକ ଫେରି ଆସିଲା ସିନା ହେଲେ ଭୃଗୁ ରହିଗଲା ଋଷିକେଶ ରେ। ସେଇଠି ଥାଇ ଅନୁମତି ମାଗିଲା ସନ୍ୟାସୀ ଧର୍ମରେ ଦୀକ୍ଷିତ ହେବା ପାଇଁ।
ସେ ବୁଲିବାକୁ ଯିବା ପରେ ପରେ ଘର ଠିକଣାରେ ଆସିଥିବା ଟି ସି ଏସ୍ ର ଚିଠି ଆମେ ପାଇ ସାରିଥିଲୁ । ସେଇ ଚିଠିଟି ଥିଲା ଭୃଗୁ ର ଚାକିରି ରୁ ଅବ୍ୟାହତି ଆବେଦନର ସ୍ବୀକୃତି ଗ୍ରହଣ ଚିଠି। ସେ ଯେ ତିନି ମାସ ଆଗରୁ ଚାକିରି ଛାଡିବା ପାଇଁ ଆବେଦନ କରିଥିଲା ଆମେ ସେଇ ଚିଠିରୁ ବି ଜାଣିଲୁ।
ଅତଏବ ସେ ଅନୁମତି ପାଇଯାଇଥିଲା ତା’ ବାପା ବୋଉଙ୍କ ଠାରୁ। ପ୍ରକୃତରେ ବାପା ମାଆ ଙ୍କ ଠାରୁ ଅନୁମତି ନ ଆଣିଲେ ତାକୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ରାଜିନଥିଲେ ଗୁରୁ। ବାପା ମାଆ ଗୋଟିଏ ବୋଲି ପୁଅ କୁ ସନ୍ୟାସୀ ହେବାକୁ ଅନୁମତି ଦେଲେ ବୋଲି ସହଜରେ ବିଶ୍ବାସ କରି ନଥିଲେ ଗୁରୁଜୀ। ତେଣୁ ସେ ନିଜେ ଫୋନ୍ କରି ସତ୍ୟାସତ୍ୟ ଜାଣିଥିଲେ ନାନୀ ଏବଂ ଭାଇନାଙ୍କ ଠାରୁ। ସେମାନେ ସମ୍ମତି ଦେଇଥିଲେ ଏଇଥିପାଇଁ ଯେ, ବାଧ୍ୟବାଧ୍ୟକତାରେ ଭୃଗୁ ଯଦି ସଂସାର ଧର୍ମ ପାଳନ ପାଇଁ ରାଜି ହୁଏ ଏବଂ ପରକ୍ଷଣରେ ଗୌତମ ବୁଦ୍ଧଙ୍କ ପରି ସଂସାର ବିମୁଖ ହୋଇଯାଏ, ତେବେ ଗୋଟିଏ ଝିଅର ଜୀବନ ନଷ୍ଟ ହୋଇଯିବ।
ତଥାପି ଗୁରୁଜୀ ଭୃଗୁ କୁ ଗ୍ରାହାସ୍ଥ୍ୟ ଧର୍ମ ପାଳନ କରିବାକୁ ବୁଝାଇଥିଲେ। ତାକୁ ତିନି ମାସ ସମୟ ଦେଇଥିଲେ ପୁଣି ଥରେ ନିଜ ବିଚାରର ତର୍ଜମା କରିବାକୁ।
ଶେଷରେ ସନ୍ୟାସୀ ଧର୍ମରେ ଦୀକ୍ଷିତ ଭୃଗୁ, ଗୁରୁଙ୍କ ଦ୍ଵାରା ପ୍ରଦତ୍ତ ନୂଆ ନାମରେ ନାମିତ ହେଲା।
ଏଇ କେଇଦିନ ତଳେ ଉତ୍ତରାଖଣ୍ଡରେ ହୋଇଥିଲା ବାଦଲ ଫଟା ବର୍ଷା। ଭୃଗୁ ସେତେବେଳେ ସେଇଠି ଥିଲା ବୋଲି ଆମେ ଜାଣିଥିଲୁ। ହଠାତ୍ ଖବର ପାଇଲୁ ବର୍ଷା ଯୋଗୁଁ ହୋଇଥିବା ପାହାଡ ସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ।ତା ସହିତ ଶୁଣିଲୁ କେତେ ଲୋକଙ୍କର ଜୀବନାବସନ ବିଷୟରେ। ଦିନକୁ ଥରେ ଘର ସହିତ କଥାବାର୍ତ୍ତା କରୁଥିବା ଭୃଗୁ ତିନି ଦିନ ଧରି କଥା ହୋଇନଥିଲା। ସେଠିକୁ ଯିବାକୁ ସବୁ ପ୍ରକାର ରାସ୍ତା ବନ୍ଦ ଥିଲା।ଚିନ୍ତାରେ ଏବଂ ଦୁଃଖରେ ମ୍ରିୟମାଣ ଥିଲୁ ଆମେ ସମସ୍ତେ।
ହଠାତ୍ ଅଜଣା ନମ୍ବରରୁ ଫୋନ୍ ଆସିଲା। ଫୋନ୍ କରିଥିଲା ନିଜେ ଭୃଗୁ। ବଖାଣି ଥିଲା ନଦୀର ପ୍ରଖର ସ୍ରୋତରେ ସେ ଭାସିଯିବାର ଘଟଣା ଏବଂ ସଂଜ୍ଞାହୀନ ହେବାର ଦୀର୍ଘ ଦୁଇ ଦିନ ପରେ ନିଜକୁ ନିଜେ ଅଜଣା ଜାଗାରେ ଆବିଷ୍କାର କରିବାର କଥା।
କିଏ ପୁଣି ଥରେ ଭୃଗୁକୁ ପାଣିରୁ ଛାଣି ଆଣିଲା? କିଏ ତାକୁ ପୁଣି ଜୀବନ ଦାନ ଦେଲା ଏ ବିପର୍ଯ୍ୟୟ ସମୟରେ...?
ମୁଁ ଖୁସିରେ ଗଦଗଦ ହୋଇ ମୋର ପରମ ଆରାଧ୍ୟ ଜଗତର ନାଥ ଜଗନ୍ନାଥଙ୍କୁ ସୁମରଣା କଲି...! ଭୃଗୁ ଯୋଗଜନ୍ମା ହେଉ।
Follow Us