ସନ୍ତୋଷ ମିଶ୍ର 

ବାପା କଲିକତାରୁ ଗୋଟେ ହମ୍ବର୍ ସାଇକେଲ ଆଣିଥିଲେ। ରଙ୍ଗ କଳା। ସିଟଟା ଏତେ ଉଚ୍ଚା ଥିଲା ଯେ ବାପା ସାଇକେଲ ଚଲାଉ ଥିଲାବେଳେ ଲାଗୁଥିଲା ଯେମିତି ସେ ପବନରେ ପହଁରୁଛନ୍ତି। ସାହି ପଡ଼ିଶା ଲୋକେ ଆଚମ୍ବିତ ହେଉଥିଲେ। ବାପାଙ୍କ ଦୁଇଚକ ବିଶିଷ୍ଟ ଯାନଟି ଦେଖି ବେଶ୍ ପ୍ରଲୁବ୍ଧ ହେଉଥିଲା ଅଭିଜିତ। କଳ୍ପନା କରୁଥିଲା- କେବେ ଥରେ ସେ ବାପାଙ୍କ ଯାନରେ ଉଡ଼ିଉଡ଼ି ଯାଆନ୍ତା! ସ୍କୁଲରେ ସମସ୍ତେ ତାକୁ ଦେଖି ତାଜୁବ ହୋଇ କହନ୍ତେ- ଉଡ଼ନ୍ତା ଯାନରେ ଅଭିଜିତ! ବାଃ।

Advertisment

ଅଭିଜିତ ଦେଖିଲା- ବାପା ସାଇକେଲରେ ହାଟରୁ ମନ୍ଥର ବେଗରେ ଫେରୁଚନ୍ତି। ହାଣ୍ଡେଲରେ ୪/୫ ଟା ବ୍ୟାଗ। ମାଛ, ପନିପରିବା ଭର୍ତ୍ତି। ଷ୍ଟାଣ୍ଡକରି ବାପା ବ୍ୟାଗଗୁଡ଼ିକ କାଢ଼ିଲେ।

ସନ୍ଧ୍ୟାରେ ତାୱାରେ ମାଆ ମାଛ ଭାଜୁଥିଲା ବେଳେ ଚୁଲି ମୁଣ୍ଡରେ ବସିଥାନ୍ତି ବାପା। କହିଲେ- ସତରେ କଲିକତା ଯିଏ ନଦେଖିଚି ସିଏ ମାଆ ପେଟରୁ ବାହାରି ନାହିଁ ବୋଲ। ସେଠି ତ ରାତି ନାହିଁ। ସବୁବେଳେ ଦିନ। ସୂର୍ଯ୍ୟ ସେଠି ଅସ୍ତମିତ ହୁଅନ୍ତି ନାହିଁ। ରାସ୍ତାରେ ଲକ୍ଷ ଲକ୍ଷ ଲୋକ। ହଳଦିଆ ଟ୍ୟାକ୍ସି, ଟ୍ରାମ, ଘୋଡାଗାଡି, କାର, ଦୁଇ ମହଲା ବିଶିଷ୍ଟ ବସ୍, ମେଟ୍ରୋ ଟ୍ରେନ ସବୁ କିଛି ଦୃଶ୍ୟମାନ। ଦ୍ୱିପ୍ରହର ବେଳେ ହୋଟେଲକୁ ଖାଇବାକୁ ଗଲି। ହଜାର ହଜାର ଲୋକ। ଯେମିତି ବାହାଘରିଆ ଭୋଜିଭାତ ଚାଲିଛି। ଯିବା ଆସିବା ଲାଗିଚି। ଖାଇବା ପାଇଁ ବରାଦ କରିଥିଲି ଭାତ,ଡାଲି,ମାଛ ମୁଣ୍ଡ, ଖଟା। ମଣିଷ ମୁଣ୍ଡ ଆକାରର ମୁଣ୍ଡ। ଆତ୍ମା ତୃପ୍ତି ହୋଇଗଲା। ସନ୍ଧ୍ୟାବେଳେ ମଣ୍ଡା ପିଠା ସଦୃଶ ମିଠା, ସିଙ୍ଗଡ଼ା,ଆଳୁଚପ୍। ଶୁନ୍ୟରେ ନିର୍ମିତ ହାୱଡାବ୍ରିଜ। ଇଞ୍ଜିନ୍ ଚାଳିତ ନୌକାଭ୍ରମଣ। ବେଶ୍ ଉପଭୋଗ୍ୟ!!! ପରଦିନ ସାଇକେଲ କିଣିବାକୁ ଯାଇ ଦୋକାନ ମାଲିକକୁ କହିଲି - ଦାଦା, ତମ ଦୋକନରେ ସର୍ବମୋଟ କେତୋଟି ସାଇକେଲ ଅଛି। 

: ହଁ, ଏମିତି ଲକ୍ଷେରୁ ଅଧିକ। କାହିଁକି କଣ ହେଲା କି।
: ମୋର ଗୋଟେ ସାଇକେଲ ଦରକାର ଥିଲା। ଆଛା, ସବୁଠୁଁ ଭଲ ଏବଂ ଦାମିକା ସାଇକେଲ କୋଉଟା।
: ନିଃସନ୍ଦେହରେ ହମ୍ବର୍ ସାଇକେଲ। ରୂପ ଯେମିତି, ଗୁଣ ସେମିତି। କାମ ଯେମିତି ଦାମ ସେମିତି।

କିଛି ସମୟ ପରେ ଦାଦା ଗୋଟିଏ ହମ୍ବର୍ ସାଇକେଲ ଆଣି ମୋ ସାମ୍ନାରେ ଥୋଇଲେ। ଦାଦା ହସି ହସି କହିଲେ - ୟାକୁ ଟିକେ ସଜେଇବାକୁ ପଡ଼ିବ। ମୁଁ କହିଲି- ଯେମିତି ଖୁବ୍ ସୁନ୍ଦର ଦେଖା ଯିବ, ସେମିତି ସଜାଡ଼।
ସଜେଇ ସାରିବା ପରେ ସାଇକେଲ ଟି ଦେଖା ଯାଉଥିଲା ଗୋଟେ ନବବଧୂ ଭଳି। ପେଡାଲ, ସିଟ କଭର ସବୁଜ ରଙ୍ଗ। ଫୁଲ ସବୁ ନାଲି ରଙ୍ଗ। ପୁଣି ଅନ୍ଧାରରେ ଆଲୋକ ପାଇଁ ଡାୟନମା। ବାଃ ଚମତ୍କାର !!

ତାପରେ ସିଧା କଲିକତାରୁ ଘର। ଲାଗୁଥିଲା ଯେମିତି ବ୍ୟମଜାନରେ ଉଡ଼ି ଉଡ଼ି ଆସୁଚି।
ମାଛଭଜା ସରିବା ପରେ ମା’ ଗୋଟିଏ କଂସା ଵେଲାରେ ପଖାଳ ଆଉ କଂସା ଥାଳିରେ ମାଛଭଜା ପରସି ଦେଲା।

ଖାଇସାରି ବାପା ମଝିବାହାର ବାରଣ୍ଡାରେ ଦଉଡ଼ିଆ ଖଟ ଉପରେ ବସିଲେ। ମାଆ ଖାଇ ସାରିବା ପରେ ବାପା ଉଭୟଙ୍କର ବିଛଣା ପାରିଦେଲେ। ମାଆର ବିଛଣା ପାରିବା ବାପାଙ୍କ ନିତି ଦିନିଆ କାମ। ଭାବନ୍ତି, ବିଚାରି ଦିନସାରା ଘରକାମ କରୁଛି। କଷ୍ଟ ଲାଗୁଥିବ। ଟିକିଏ ସାହାଯ୍ୟ କରିଦେଲେ ତା ମନଟା ତ ଖୁସି ହେବ!!
ଅଭିଜିତ ବାପା ମା’ଙ୍କ ଝଗଡ଼ା କେବେହେଲେ ଦେଖି ନାହିଁ। କେବଳ ଅନୁଭବ କରିଛି ସେମାନଙ୍କ ଭିତରେ ଭଲ ପାଇବାର ଗଭୀରତା। ବାପା ଯେତେବେଳେ ହମ୍ବର୍ ସାଇକେଲ ବିଷୟରେ କହନ୍ତି ମାଆ ଧ୍ୟାନ ଦେଇ ଶୁଣେ। ବାପା ଉତଫୁଲ୍ଲିତ ହୁଅନ୍ତି। ବାପା ଯେବେ ମାକୁ ଗାଳି ଦିଅନ୍ତି ମା’ ଚୁପ୍ ରହେ। କିଛି ସମୟ ପରେ ବାପା ଥଣ୍ଡା ହୋଇଗଲେ ମା’ ରାଗେ,ଅଭିମାନ କରେ। ବାପା ହସନ୍ତି। ମା’ କୁ ମନେଇବାକୁ ଉଦ୍ୟମ କରନ୍ତି। ମା ବି ମୁହୂର୍ତ୍ତକେ ବରଫ ଭଳି ତରଳି ଯାଏ।

ବାପା ସବୁବେଳେ ବିଲ ବାଡି କାମରେ ବ୍ୟସ୍ତ ରହନ୍ତି। ତାଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ଅଭିଜିତ ପ୍ରଥମେ ଗୋଡ଼ଗଳା , ତାପରେ ସିଟରେ ବସି ସାଇକେଲ ଚଲାଇବା ଶିଖିଗଲା। ବଡ଼ଭାଇ ସୁରଜିତ ଉଭୟ ସାଇକେଲ, ସ୍କୁଟର ଚଳାଇ ପାରନ୍ତି। ଅଭିଜିତ ଭାବୁଥିଲା ଏଥର ବଡ଼ଭାଇ ଆସିଲେ ସ୍କୁଟର ଚଲାଇବା ଶିଖିଯିବ।

ଗ୍ରୀଷ୍ମ ଛୁଟିରେ ବଡ଼ ଭାଇ ସ୍କୁଟର ନେଇ ଘରକୁ ଆସିଲେ। ଗାଁ ରେ ସେତେବେଳେ କେବଳ ବୁଲୁ ଭାଇଙ୍କର ସ୍କୁଟର ଚଲାଇବାର ଅଭିଜ୍ଞତା ଥିଲା। ଅଭିଜିତର ଅନୁରୋଧ କ୍ରମେ ବୁଲୁଭାଇ ତାକୁ ସ୍କୁଟରଚଳା ଶିଖେଇବା ପାଇଁ ରାଜି ହେଲେ। ଅଭିଜିତ ଘରର ଦୁଇଟି ଘର ଛାଡ଼ି ବୁଲୁଭାଇଙ୍କ ଘର।

ସେଦିନ ଗାଁରେ ଥିବା ମାମୁ ଘରକୁ ସୁରଜିତ ବୁଲିବାକୁ ଯାଇଥିଲା। ଏଇଟା ସୁବର୍ଣ୍ଣ ସୁଯୋଗ ଭାବି ଅଭିଜିତ ବୁଲୁଭାଇଙ୍କୁ ଡାକି ଆଣିଲା। ସ୍କୁଟର ଚଳେଇବା ପାଇଁ ଅଭିଜିତ ଫୁଲ୍ ପ୍ୟାଣ୍ଟ୍, ସାର୍ଟ ଇନ୍ କରି ପିନ୍ଧିଥିଲା। ବୁଲୁଭାଇ ପ୍ରଥମେ ସ୍କୁଟର ଷ୍ଟାର୍ଟ କରିବା ତଥା ଗିଅର୍ ଚେଞ୍ଜ ସମ୍ପର୍କରେ ଭଲ ଭାବେ ବୁଝେଇ ଦେଲେ। ତାପରେ ଅଭିଜିତ ସ୍କୁଟର ସିଟରେ ବସି ଷ୍ଟାର୍ଟ କଲା। ଗିଅର ଚେଞ୍ଜ କରି କ୍ଲଚ୍ ନଛାଡ଼ି ଏକ୍ସିଲେରେଟର ଜୋରରେ ମୋଡ଼ି ଦେବାରୁ ସ୍କୁଟରଟି ଭୟଙ୍କର ଗର୍ଜନ ଛାଡ଼ିଲା। ଠିକ୍ ସେହି ସମୟରେ କୁଆଡେ ଥିଲେ ଦୌଡ଼ି ଦୌଡ଼ି ଆସିଲା ବଡ଼ଭାଇ ସୁରଜିତ। ଅଭିଜିତର ତଣ୍ଟିକୁ ଧରି ରୁକ୍ଷ କଣ୍ଠରେ କହିଲା - ଶଳା ! ମୋ ସ୍କୁଟର ଛୁଇଁବାକୁ ତୋତେ କିଏ କହିଲା ବେ। ଭାଙ୍ଗିବା ମତଲବରେ ଅଛୁନା କଣ। ଭାଗ୍ ଶଳା। ଆଉ ଦିନେ ମୋ ସ୍କୁଟର ଛୁଇଁବୁନି। ନହେଲେ ହାଣି ପକାଇବି। କାନ୍ଦିକାନ୍ଦି ଅଭିଜିତ ସେହି ସମୟରେ ମନେମନେ ପ୍ରତିଜ୍ଞା କଲା - ନିଜେ ଦୁଇ ଚକିଆ ଗାଡ଼ି କିଣିଲା ପରେ ହିଁ ଡ୍ରାଇଭିଂ ଶିଖିବି। ଅନ୍ୟଥା ନୁହେଁ।

କିଛିବର୍ଷ ପରେ ଏମ୍. ଏ. ପାସ୍ କରି ଅଭିଜିତ ସରକାରୀ ଚାକିରୀରେ ନିଯୁକ୍ତି ପାଇଲା। ସଞ୍ଚିତ ଅର୍ଥରେ ଗୋଟିଏ ମୋଟର ସାଇକେଲ କିଣି ଚଳାଇବା ମଧ୍ୟ ଶିଖିଗଲା। ତଥାପି ବାପାଙ୍କ ହମ୍ବର୍ ସାଇକେଲ ପ୍ରତି ତାର ଅହେତୁକ ଆକର୍ଷଣ ଥିଲା। କେବଳ ଦୂର ସ୍ଥାନକୁ ସେ ମୋଟର ସାଇକେଲରେ ଯାଉଥିଲା। ଅନ୍ୟ ସବୁଠିକୁ ସାଇକେଲରେ। ପ୍ରତି ରବିବାରରେ ସାଇକେଲ ସର୍ଫମିଶା ପାଣିରେ ଭଲଭାବେ ଧୋଇ,ଶୁଖିଲା ସଫା କନାରେ ପୋଛେ। ତାପରେ ନଡ଼ିଆ ତେଲ ମାରି ଘସିଲେ ଚକ୍ ଚକ୍ ଦେଖାଯାଏ। ଲାଗେ ଯେମିତି ନୂଆ ସାଇକେଲ। ବାପା ଖୁସି ହୁଅନ୍ତି। ବିଶ୍ଵକର୍ମା ପୂଜା ଦିନ ବାପା ମୋଟର ସାଇକେଲ ସହିତ ହାମ୍ବର ସାଇକେଲ ବି ପୂଜା କରନ୍ତି !!

ଦିନେ ଅଚାନକ ଘରେ ପହଞ୍ଚିଲା ସୁରଜିତ। ବାପାଙ୍କୁ କହିଲା - ବାପା, ଗଞ୍ଜାମ ବ୍ରହ୍ମପୁର ଠାରେ ମୋର ଟ୍ରେନିଂ ପଡ଼ିଛି। ଯିବାଆସିବା ପାଇଁ ଗୋଟେ ସାଇକେଲ ଦରକାର।ମୁଁ ମୋ ସ୍କୁଟର ନେବାପାଇଁ ଭାବୁଥିଲି। ହେଲେ ଏତେ ଦୂର ବାଟ... ମୟୂରଭଞ୍ଜ ରୁ ବ୍ରହ୍ମପୁର ପ୍ରାୟ ୪୦୦ କିମି। ସ୍କୁଟର ରେ ଯିବାକୁ ସାହାସ ପାଉନାହିଁ।ସାଇକେଲ ବସ୍ ଉପରେ ଲଦି ନେଇଯାଇ ପାରିବି। ଟ୍ରେନିଂ ସରିଲେ ପୁଣି ନେଇ ଆସିବି। ବାପା କହିଲେ - ହଁ ଯେ ,ଏଇଟା କଲିକତାର ହମ୍ବର ସାଇକେଲ। ମୋର ଅତି ପ୍ରିୟ... ପୁଅ ଭଳି। ସୁରଜିତ କହିଲା - ତୁମେ ବ୍ୟସ୍ତ ହୁଅନି।ମୁଁ ଖୁବ୍ ଯତ୍ନ ସହକାରେ ରଖିବି। ସାଇକେଲ ଫେରାଇଲା ବେଳକୁ ଦେଖିବ କେମିତି ନୂଆ ସାଇକେଲ ଭଳି ଚକ୍ ଚକ୍ କରୁଥିବ। ବାପା ଜାଣନ୍ତି ସୁରଜିତ ବହୁତ ଲୋଭୀ , ଜିଦଖୋର୍ ଆଉ ସ୍ୱାର୍ଥପର। ନିଜ ସ୍ବାର୍ଥ ପୁରଣ ପାଇଁ ସେ କିଛି ବି କରିପାରେ। ଯୋଉ ଜିନିଷ ପ୍ରତି ତାର ଲୋଭ ଉତ୍ପନ୍ନ ହୁଏ, ତାହା ଯେମିତି ହେଲେ ହାସଲ କରେ। ବାପା ବୁଝି ପାରିଲେ ସୁରଜିତର ପାପ ଦୃଷ୍ଟି ତାଙ୍କର ପ୍ରିୟ ହମ୍ବର୍ ସାଇକେଲ ଉପରେ ପଡ଼ି ସାରିଲାଣି। ଅତଏବ ନୀରବତାକୁ ହିଁ ସେ ଶ୍ରେୟ ମଣିଲେ।

ଟ୍ରେନିଂ ପରେ ସୁରଜିତ ଘରକୁ ଆସି ବାପାଙ୍କୁ କହିଲା - ବାପା !! ବସରେ ସାଇକେଲ ଆଣୁଥିବା ସମୟରେ କୋଉଠି କେଜାଣି ଖସି ପଡ଼ିଲା। ବାପା ସୁରଜିତର ପ୍ରକୃତି ଭଲ ଭାବେ ଜାଣନ୍ତି। ସେ ବୁଝି ପାରିଲେ ସୁରଜିତ ସାଇକେଲଟିକୁ ବ୍ରହ୍ମପୁରରେ ବିକ୍ରିକରି ଏଠାରେ ହଜିବାର ବାହାନା କରୁଛି। ତେଣୁ ସେ କିଛି କହିଲେ ନାହିଁ। କେବଳ ତାଙ୍କ ଆଖିରୁ ଦୁଇଟୋପା ଲୁହ ଝରି ପଡ଼ିଲା !!!!

ଉଦଳା, ମୟୂରଭଞ୍ଜ
ମୋ: ୭୦୦୮୨୩୭୬୫୦