ଫୁଲ
ଛନ୍ଦା ମିଶ୍ର
ଆପାର୍ଟମେଣ୍ଟରେ ଆସି ରହିଲାଦିନୁ ନିତିଦିନ ସକାଳେ ଘରେ ଅଶାନ୍ତି। ଆଗ ଆଗ ତ ବଡ଼ପାଟିରେ ବୋଉ ବିରକ୍ତି ପ୍ରକାଶ କରୁଥିଲା। ଆଜିକାଲି ଗାରୁଗାରୁ ହୋଇ ଏପଟସେପଟ ହେଉଥାଏ। ତା’ର କଣ୍ଟାଟି ସେଇ ପୁରୁଣା ରେକର୍ଡ ପରି ଗୋଟିଏ ଜାଗାରେ ପିଟିହେଉଥାଏ, ତା’ ଠାକୁରଘର ଆଉ ତା’ ଠାକୁରଙ୍କ ପୂଜା ପାଇଁ ଫୁଲକୁ ନେଇ। ଆପାର୍ଟମେଣ୍ଟରେ ଝାଡୁ କରୁଥିବା ବିଳାସ ଆସି ଠିକ୍ ସମୟରେ ଫୁଲ ଦେଇଯାଏ। କିନ୍ତୁ ବୋଉକୁ ତା’ ଫୁଲ ପସନ୍ଦ ହେଲେ ତ! “ଦେଖିଲୁ କେମିତି କଳା କଳା ଚିହ୍ନ ସବୁ ପଡ଼ିଚି ଫୁଲ ଦେହରେ, କଢ଼ ସବୁ ଆଗରୁ ତୋଳି ପାଣିରେ ପକେଇ ଆଣି ଦେଇଚି ଯେ, ଅଧା ପଚରା, ଯୋଉ ଫୁଲକୁ ହାତରେ ଧରିବାକୁ ଅସୁକ ଲାଗୁଛି ତାକୁ ମୋ ଦିଅଁଙ୍କୁ ଦେବି କେମିତି କହିଲୁ! ପୁଣି ଆଠ ଦଶଟି ଫୁଲକୁ ନଉଛି ଦଶଟଙ୍କା... ଆରେ ଏମାନଙ୍କୁ ଧର୍ମ ସହିବ ତ।”
“ମୁଁ ତ କହିଲି, ରାତିରେ ଅଫିସ୍ରୁ ଫେରିଲା ବେଳେ ଫୁଲ ଆଣିଦେବି, ବାସିଫୁଲ ଦେବି ନାହିଁ କହି ମନା କଲୁ, ଏବେ ଆଉ ଆପାର୍ଟମେଣ୍ଟରେ ମୁଁ ତୋ ପାଇଁ ଫୁଲ କେଉଁଠୁ ଆଣିବି!’’ ମୁଁ ମୋ ପକ୍ଷ ରଖିଲି।
“କିରେ ମୁଁ କ’ଣ ତତେ ଦୋଷ ଦେଉଛି, ମୋର ତ ରାଗ ଆସୁଚି ସେ ବଦମାସଟା ଉପରେ, ଯିଏ ଲାଗିପଡ଼ି ତୋ କ୍ୱାର୍ଟର୍ଟି ନେବ ବୋଲି କେତେ ଫନ୍ଦି ଫିସାଦି କଲା। ଏବେ ଠିକ୍ ହେଲା, ମୋ ନିଃଶ୍ବାସ ପଡ଼ିଲା, ଦେଖିଲୁ ମାସ ଦି’ଟାରେ କେମିତି ବଦଳି ହୋଇ ଚାଲିଗଲା!’’ ବୋଉ ନିଜ ଅସନ୍ତୋଷ ବ୍ୟକ୍ତ କଲା।
ବିଜେବି ନଗରରେ ଥିଲା ବେଳେ, କ୍ୱାର୍ଟର୍ଟି ମୋର ଅନେକଙ୍କ ପାଇଁ ଥିଲା ଏକ ଆକର୍ଷଣ। କ୍ୱାର୍ଟର୍ଟି ଛୋଟ, କିନ୍ତୁ ଆଗରେ ଥିବା ବଗିଚାଟି ଏତେ ସୁନ୍ଦର ଥିଲା ଯେ, ବାକି ସବୁ କ୍ୱାର୍ଟର୍ଠାରୁ ତାହା ବାରିହୋଇ ପଡୁଥିଲା। ଅନେକ ସମୟରେ ଘରକୁ ଆସୁଥିବା ସାଙ୍ଗସାଥୀ କୁହନ୍ତି, ତୁମେ କ୍ୱାର୍ଟର୍ ଛାଡ଼ିବାର ହେଲେ ଆମକୁ ଆଗ କହିବ। ତା’ଛଡ଼ା ଘରକୁ ଆସୁଥିବା ବନ୍ଧୁବାନ୍ଧବ ବଗିଚାରେ ଫଟୋ ଉଠାଇବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି। ତେବେ ତା’ ପଛରେ ଥିଲା ମୋର ବ୍ୟକ୍ତିଗତ ଆଗ୍ରହ ଓ ପରିଶ୍ରମ। ଟଗର ମନ୍ଦାର କନିଅର ତ ଯାହାକୁ ଯେତେ, ତା’ଛଡ଼ା ଋତୁ ଅନୁସାରେ ଫୁଲଗୁଡ଼ିକ ଫୁଟି ଛୋଟ ବଗିଚାଟିର ଶୋଭା ବଢ଼ାଇଥିଲେ। ପୁଣି ବୋଉ ତା’ ଚଉଁରା ମୂଳରେ ଛୋଟକାଟର ଏକ ତୁଳସୀ ବଣ ଅତି ଯତ୍ନର ସହିତ କରିଥିଲା। ସକାଳୁ ଉଠି ଡାଲାରେ ଡାଲାଏ ଫୁଲ ତୋଳି ତା’ ଠାକୁରଙ୍କୁ ସଜାଇ ବୋଉ ମୋର ଖୁବ୍ ଶାନ୍ତି ପାଉଥିଲା। କିନ୍ତୁ ସେଇ ସୁନ୍ଦର ବଗିଚା ଆଉ ସୁଦୃଶ୍ୟ କ୍ୱାର୍ଟର୍ଟି ହିଁ ମତେ ଚକ୍ଷୁଃଶୂଳ କଲା।
ମୋର ବଦଳି ହେଉ ହେଉ ମୋ’ଠାରୁ କ୍ୱାର୍ଟର୍ଟି ନେବା ପାଇଁ ଜଣେ ବ୍ୟକ୍ତି ଅଡ଼ିବସିଲେ। ଯଦିଓ ସେଠାରେ ଆଉ କ୍ୱାର୍ଟର୍ ବି ଖାଲି ଥିଲା, ଆଉ ମୋ ପିଲାଙ୍କ ପଢ଼ା ସରି ନଥିଲା ବୋଲି ମୁଁ ବଜାର ଦରରେ ଭଡ଼ା ଦେବା ପାଇଁ ରାଜି ଥିଲି। ମନକୁ ମୋର କଷ୍ଟ ହୋଇଥିଲେ ବି ମୁଁ ନିଜକୁ ବୁଝାଇ ଦେଇଥିଲି। କିନ୍ତୁ ମୋ ପିଲାଏ ଓ ବୋଉ ବିଲକୁଲ ରାଜି ନଥିଲେ କ୍ୱାର୍ଟର୍ ଛାଡ଼ିବା ପାଇଁ। ଆସିଲା ଦିନ ମୋ ବୋଉର ଯୋଉ କାନ୍ଦ। ଅବଶ୍ୟ ଗୋଟିଏ କ୍ୱାର୍ଟର୍ରେ ପନ୍ଦର ବର୍ଷ ରହି, ତାକୁ ଏକରକମ ଆମେ ନିଜ ଘର ବୋଲି ଭାବିନେଇଥିଲୁ। ଆପାର୍ଟମେଣ୍ଟକୁ ଆସିବାର ଅନେକ ଦିନ ପର୍ଯ୍ୟନ୍ତ, ବୋଉ ଆମ ଘର ଆମ ଘର ବୋଲି ଝୁରି ହେଉଥିଲା କ୍ୱାର୍ଟର୍କୁ।
ଧୀରେ ଧୀରେ ଏଠିକାର ପରିବେଶକୁ ସେ ଆରେଇ ନେଇଥିଲା। କିନ୍ତୁ ଏତେ ଛୋଟଘରେ ମୁଁ ଫୁଲଗଛ କୋଉଠୁ ଆଣି ଲଗାଇବି! ତଥାପି ଛୋଟ ଟଗର ଗଛ ଦୁଇଟି ଆଣି କୁଣ୍ଡରେ ଲଗାଇ ଦେଇଥିଲି। କିନ୍ତୁ ବୋଉର ଏତେ ଠାକୁର ଯେ ଗୋଟିଏ ଗୋଟିଏ ଫୁଲ ଦେଲେ ବି କମ୍ ପଡୁଥିଲା। ପାଖରେ ତ କେଉଁଠି ଫୁଲ ଦୋକାନ ନାହିଁ। ତେଣୁ ଅଫିସ୍ରୁ ଫେରିଲା ବେଳକୁ ଫୁଲ ଆଣିଦେବି ବୋଲି ପ୍ରସ୍ତାବ ଦେଲି ମୁଁ। ମୋ କଥା ଶୁଣି ବୋଉ ଚିହିଁକି ଉଠିଲା, “ନାଇଁ ନାଇଁ ମୋ ଦିଅଁଙ୍କୁ ସେଇ ତୁଳସୀପତ୍ରଟିଏ ଦେବି ପଛେ, ବାସିଫୁଲରେ ପୂଜା କରିବି ନାହିଁ।”
ସବୁଦିନେ ଫୁଲ ପାଇଁ ଅଶାନ୍ତି ଶୁଣି ଶୁଣି ମୋ ପାଖରେ ଥିବା ଡ୍ରାଇଭର କରିମ୍ ଦିନେ କହିଲା, “ସାର୍ ଆମ ଘରେ ବହୁତ ଫୁଲଗଛ, କହିବେ ଯଦି ମୁଁ ଆସିଲା ବେଳେ କିଛି ଫୁଲ ଆଣିଦେବି।”
ତା କଥା ମୁଁ ବୋଉକୁ କହିବାରୁ ବୋଉ କହିଲା, ‘‘ତତେ ମୁଁ କ’ଣ କହିବି କିଛି ବୁଝିପାରୁନି। କିରେ ତୁ କ’ଣ ଜାତି ଅଜାତି ମୋର ସବୁ ସାରିଦେବୁ! ବ୍ରାହ୍ମଣ ଘରେ ଜନ୍ମ ହୋଇଛୁ ବୋଲି ଭୁଲିଗଲୁଣି ବୋଧେ!”
କ’ଣ ବା ତାକୁ ମୁଁ କହିଥାନ୍ତି, ଯୋଉ ବିଶ୍ବାସ ନେଇ ସେ ଏତେଦିନ ଚଳିଆସିଲା, ଏଇ ବୟସରେ ତାକୁ ତ ଆଉ ବଦଳେଇ ପାରିବି ନାହିଁ। ଶେଷରେ ଠିକ୍ ହେଲା, ତିନି ମହଲା ଉପରକୁ ଆଣିବା ପାଇଁ, ଯତ୍ନ ନେବା ପାଇଁ ଆମକୁ ପଛେ ଟିକେ ଅସୁବିଧା ହେଉ, କିନ୍ତୁ ବୋଉ ପାଇଁ ଆଉ କେତୋଟି ଫୁଲକୁଣ୍ଡ କିଣି ବାଲ୍କୋନିରେ ରଖାହେବ। ଶାଶୂ ବୋହୂଙ୍କୁ ଧରି ମୁଁ ବାହାରିଲି ନର୍ସରୀରୁ ଫୁଲଗଛ କିଣିବା ପାଇଁ। ଆମ ଛକ ଉପରେ ହିଁ ଭଲ ନର୍ସରୀଟିଏ ଦେଖି ଗାଡ଼ି ଅଟକାଇଲି। ବୋଉ ମୋ ହାତ ଧରି ଧରି ଚାଲୁଥିବାର ଦେଖି ଦୋକାନୀଟି ଚୌକିଟିଏ ଆଣି ବୋଉକୁ ବସାଇଦେଲେ। ଆଉ ବୋଉ ପାଖକୁ ନେଇ ଗଛଗୁଡ଼ିକୁ ଦେଖାଇଲେ- କୋଉଟା ଜଗନ୍ନାଥଙ୍କ ପ୍ରିୟ ମାଳତୀ ଫୁଲ, ମଙ୍ଗଳାଙ୍କ ପାଇଁ ନାଲି ମନ୍ଦାର ଆଉ ହନୁମାନଙ୍କ ପାଇଁ ନାରଙ୍ଗୀ ମନ୍ଦାର। ତାଙ୍କ କଥା ଶୁଣି ପ୍ରାୟ ଦଶଟି ଗଛ ଆମେ କିଣିଲୁ। ସେ ଲୋକ ନିଜେ ପିଲାଙ୍କ ହାତରେ ଗଛ ଆଣି ଡିକିରେ ରଖିଦେଲେ। ବୋଉର ଖୁସି ଯେ କହିଲେ ନସରେ। ବୋଉକୁ ଗାଡ଼ିରେ ବସେଇ ମୁଁ ପଇସା ଦେବାକୁ ଗଲି। ନାଇଁ ନାଇଁ ହୋଇ ଅତି କମ୍ରେ ହଜାରେ ଟଙ୍କାର ଗଛକୁ ଶହେଟି ଟଙ୍କା ସେ ରଖିଲେ। କହିଲେ, ‘‘ବାବୁ ଆପଣ ମୋ ପୁଅ କରିମ୍ର ଅଫିସର, ସେ ଆପଣଙ୍କ କଥା କେତେ କହେ। ଆପଣ ତାକୁ ଖୁବ୍ ସାହାଯ୍ୟ କରିଛନ୍ତି, ଆପଣଙ୍କଠାରୁ ଟଙ୍କା ରଖିଲେ ଖୁଦା ମତେ ଦଣ୍ଡ ଦେବେ।’’ ମୁଁ ଜାଣିଥିଲି, ଏଇଠି କୋଉଠି କରିମ୍ ଘର ଗୋଟେ ନର୍ସରୀ କରିଛନ୍ତି ବୋଲି, କିନ୍ତୁ ସଂଯୋଗକୁ ସେଇଠିକି ହିଁ ବୋଉକୁ ନେଇ ଆସିଛି ବୋଲି ଜଣା ନଥିଲା ମତେ।
କରିମ୍ ହାତରେ କେତେବେଳେ କିଛି ପଠେଇଦେବି ଭାବି ମୁଁ ଆସି ଗାଡ଼ି ଷ୍ଟାର୍ଟ କଲି। ବୋଉର ଖୁସି ଯେ କହିଲେ ନସରେ। ‘‘ପୁଅ ସେ ଦାଢ଼ିଆ ଲୋକଟିକୁ ଦେଖିଲୁ, ଏଇମାନଙ୍କୁ କହନ୍ତି ଋଷିପ୍ରତିମ ମଣିଷ। କୋଉଦିନ କୋଉ ଦିଅଁ କୋଉ ଫୁଲ ମାଖିବେ, ସେ ସବୁ ଜାଣିଛନ୍ତି। ମୁଁ ତାଙ୍କୁ କହି ଆସିଛି, ମଝିରେ ମଝିରେ ତୁମ ଦୋକାନକୁ ମୋ ପୁଅ ସାଙ୍ଗରେ ମୁଁ ଆସିବି ବୋଲି। ଏମିତି ଲୋକଙ୍କୁ ଦେଖିଲେ ମନ ଖୁସି ହୋଇଯାଏ। ସେ ନିଶ୍ଚେ ଜଣେ ବ୍ରାହ୍ମଣ ଲୋକ ହୋଇଥିବେ, ଖୁବ୍ ପୂଜାପାଠ କରୁଥିବେ। କେତେ କଥା ସେ ଜାଣିଛନ୍ତି!’’
“ତୁ ଖୁସି ତ? ତୁ ଖୁସି ହେଲେ ମୁଁ ଖୁସି’’ କହି ମୁଁ ଗାଡ଼ି ଗଡ଼େଇନେଲି। କେମିତି ତାକୁ କହିଥାନ୍ତି ଯେ, ବୋଉଲୋ ମଣିଷ ସିନା ଏଇ ଠାକୁରଙ୍କ ପାଇଁ ଏଇ ଫୁଲ, ସେଇ ଠାକୁରଙ୍କ ପାଇଁ ସେଇ ଫୁଲ କରେ, ହେଲେ ନିଜେ ଠାକୁର କରନ୍ତି ନାହିଁ, ସବୁ ତାଙ୍କରି ସୃଷ୍ଟି, ତାଙ୍କ ପାଇଁ ସବୁ ଫୁଲ ସମାନ। ସବୁପରା ତାଙ୍କରି ପ୍ରସାଦ, ନହେଲେ କି ଆଜିବି ସାଲବେଗଙ୍କ ପାଇଁ ବଳଗଣ୍ଡିଠାରେ ନନ୍ଦିଘୋଷ ଛିଡ଼ାହୁଅନ୍ତେ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/01/19/vv-2026-01-19-18-37-38.jpg)