ଅସହଜ: ପାଞ୍ଚଟି ସ୍କେଚ୍
ସୁବ୍ରତ କୁମାର ସେନାପତି
ସ୍କେଚ୍: ୧
ଡେଲ୍ଟାରୁ ଫାୟାରଷ୍ଟେସନ୍ କେତେବା ବାଟ। ଚାଲିଚାଲି ଗଲେ ଦଶ-ବାର ମିନିଟ୍ରେ ଜଣେ ପହଞ୍ଚିଯିବ। କିନ୍ତୁ ଲ୍ୟାବ୍ କାମ ସରିବା ବେଳକୁ ଦିନ ଗୋଟାଏ ହୋଇଯାଇଥାଏ। ଆଉ ଏ ଖରାରେ ଚାଲିବାକୁ ଇଚ୍ଛା ହେଉ ନ ଥାଏ। ବାଧ୍ୟହୋଇ ଅଟୋରେ ବସିଲି। ଖୁନ୍ଦିଖାନ୍ଦି ହୋଇ ବସିଥାନ୍ତି ପଛ ସିଟ୍ରେ ତିନିଜଣ। ଜଣେ ବୃଦ୍ଧ ଓ ବୃଦ୍ଧା- ବୋଧହୁଏ ଦମ୍ପତି ଓ ଆଉ ଜଣେ ସ୍ତ୍ରୀଲୋକ। ମୋତେ ଲଗାଇ ହେଲେ ଚାରି। ଦୁଇ ପାଦ ଅଟୋ ଆଗକୁ ଯାଇଛି କି ନା ଅଟକିଗଲା ଏକ ତରୁଣୀର ହାତଠାରରେ। ଅଟୋବାଲା ପଛକୁ ବୁଲିପଡ଼ି କହିଲା- ଅନେଇଛନ୍ତି କ’ଣ ଯେ, ଆଗକୁ ଆସନ୍ତୁ ସାର୍। ମୁଁ କୁଣ୍ଠିତ ହୋଇ ଆଗରେ ବସିବା ବେଳେ ସେ ପୁଣି କହିଲା- ପଛ ସିଟ୍ଠୁ ଏଠି ସାର୍ ଆପଣ ଆହୁରି ଭଲରେ ବସିବେ। ଦେଖନ୍ତୁ ସେଥିପାଇଁ ତ ବାକ୍ସ ଭିଡ଼ିଚି ମୋ ସିଟ୍ ସହ।
ଅଟୋ ଚାଲିଲା ବେଳେ ତା’ ହାତ ମୋ ଛାତିରେ ବାରମ୍ବାର ବାଜିବା ବେଳେ ମୁଁ ଯେଉଁ ଅସହଜ ବୋଧ କରୁଥିଲି ତାହା କିନ୍ତୁ ତାକୁ ମୁଁ କହିପାରିଲିନାହିଁ।
ସ୍କେଚ୍: ୨
ମୋ କଥା ସେମାନେ ରଖିଲେ ନାହିଁ। ପିକ୍ନିକ୍ ସ୍ପଟ୍ ଭାବେ କପିଳାସ ମୁଁ ବାଛିଥିଲି। କିନ୍ତୁ ସେମାନେ ମନ୍ଦିର ଯିବାକୁ ରାଜି ନ ଥିଲେ। ବରଂ ମୋତେ ପରିହାସ କରି କହିଥିଲେ- ଏ ଏକତିରିଶ ବର୍ଷରେ ବୋଧେ ତୋତେ ଏକାଶୀ ବର୍ଷର ଚିନ୍ତା ମାଡ଼ି ଆସୁଛି। ସେଥିପାଇଁ ତୋତେ ଏବେଠୁ ଧର୍ମ, ତୀର୍ଥ ଏ ସବୁରେ ମାତିବାକୁ ଇଚ୍ଛା ହେଲାଣି। ଏମିତି କହି ମୋ କଥାକୁ ପ୍ରତ୍ୟାଖ୍ୟାନ କରି ସେମାନେ ସେଇ ଚିରାଚରିତ ସ୍ଥାନ ପୁରୀକୁ ହିଁ ବୁଲିଯିବାକୁ ମନସ୍ଥ କଲେ।
ଏବେ ଆମେ ପୁରୀ ସମୁଦ୍ର ବେଳାଭୂମିରେ। ଜଣଙ୍କ ପରେ ଜଣେ ନିଜ ଦେହରୁ ଡ୍ରେସ୍ ଖୋଲି ଚାଲିଗଲେଣି ସମୁଦ୍ରର ନୀଳ ଜଳରାଶି ଭିତରକୁ। ସେମାନେ ଢେଉ ଭାଙ୍ଗିବାରେ ବ୍ୟସ୍ତ। ମୋ ଭିତରେ ବି ଅସଂଖ୍ୟ ଢେଉ ଏବେ ଉଦ୍ବେଳିତ। ସେ ଢେଉ ଭୟର, ଆଶଙ୍କାର। ହୁଏତ ଆଉ କିଛି ସମୟ ପରେ ସେମାନେ ମୋତେ ଡାକିବେ ଏ ଜଳକ୍ରୀଡ଼ାରେ ସାମିଲ ହେବାକୁ। ମୁଁ କ’ଣ କହିପାରିବି- ସେମାନଙ୍କ ପରି ସମସ୍ତଙ୍କ ସାମ୍ନାରେ ମୋର ଏ ଖୋଲା ଛାତି ଦେଖେଇବା ମୋ ପକ୍ଷେ ସହଜ ନୁହଁ ବୋଲି!
ଆହୁରି ପଢ଼ନ୍ତୁ- Punjab Assembly Elections : ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୭ ପାଇଁ ରାଜ୍ୟ ରାଜନୀତି ଚଳଚଞ୍ଚଳ
ସ୍କେଚ୍: ୩
ମୋ ରୁମ୍ମେଟ୍ ମନୋଜର ମୋବାଇଲ୍ ହଠାତ୍ ଖରାପ ହୋଇଯାଇଥିଲା। ଓଏସ୍ ଅନ୍ଲାଇନ୍ ଲାଇଭ୍ କ୍ଲାସ୍ ପାଇଁ ମୋତେ ସେ ମୋବାଇଲ୍ ମାଗିଲା। ମୁଁ କିନ୍ତୁ ମନା କରିଦେଲି। ପାଖ ରୁମ୍ରୁ କୌସ୍ତୁଭଠୁ ମୋବାଇଲ୍ ଆଣି ସେ ୟୁଟ୍ୟୁବ୍ରେ କ୍ଲାସ୍ କଲା। କୌସ୍ତୁଭକୁ ଫୋନ୍ ଦେଲାବେଳେ ସେ କହୁଥିବାର ଶୁଣିଲି- ସାଙ୍ଗ ଦେଖୁଚୁ ତ, କେଡ଼େ ସ୍ୱାର୍ଥପର ରୁମ୍ମେଟ୍ଟିଏ ପାଇଛି। ତା’ ଫୋନ୍ କ’ଣ ମୁଁ ନେଇ ଯାଉଥିଲି କି? କ୍ଲାସ୍ ଟିକେ କରିବାକୁ ବି ଫୋନ୍ ଦେଲାନି। ହେଲେ ସାଙ୍ଗ ତୋ ମୋବାଇଲ୍ରେ କ୍ଲାସ୍ ତ କଲି କଲି ହେଲେ ସେଥିରେ ତୋ ହିଷ୍ଟ୍ରିରେ ଯାଇ ଯାହା ସବୁ ଦେଖିଲି, ଓଃ ଜମିଗଲା ଦୋସ୍ତ। ଓଃ! ଏୟା ସବୁ ଦେଖୁଚୁ ତା’ େହଲେ!
- ତୁ ଯେମିତି ଭାରି ସାଧୁଟା। ଜମା ଦେଖୁଥିବୁ କି ଏସବୁ...
ସେମାନଙ୍କ ହସ ଭିତରେ ମେଞ୍ଚାମେଞ୍ଚା ଦୀର୍ଘଶ୍ବାସ ବାହାରି ଆସୁଥିଲା ମୋ’ଠୁ। ମୋ ମୋବାଇଲ୍ର ହିଷ୍ଟ୍ରିକୁ ଏମିତି କ’ଣ ସହଜ ଭାବେ ଗ୍ରହଣ କରିପାରିଥାନ୍ତା କି ସେ?
ସ୍କେଚ୍: ୪
ଲୁନା ଫୋନ୍ କରିଥିଲା। ବଡ଼ବାପାଙ୍କ ସାନ ପୁଅ ଲୁନା। ମୋ’ଠୁଁ ଦୁଇବର୍ଷ ସାନ ହେବ। ବୁଦ୍ଧି ତା’ର ବିଚକ୍ଷଣ। ପିଲାଟି ଦିନରୁ ଆମେ କିନ୍ତୁ ସାଙ୍ଗ। ଅବଶ୍ୟ ତା’ ଦୁଷ୍ଟାମି ସବୁ ମୁଁ ଘରେ ସେତେବେଳେ କହିଦେଉଥିଲି ବୋଲି ତା’ର ମୋର ଅନେକ ଝଗଡ଼ା ବି ହୁଏ। ତଥାପି ସେସବୁକୁ ସେ ଭୁଲିଯାଇ ମୋ ସହ ହିଁ ସେ ସାଙ୍ଗ ହୁଏ ଆଉ ମୋତେ ଖୁବ୍ ଭଲପାଏ, ଏମିତି କି ବଡ଼ବାପାଙ୍କ ବଡ଼ ପୁଅ ଲିକୁନ୍ ନନାଠୁ ବି ମୋତେ ସେ ବେଶି ବିଶ୍ୱାସ କରେ ଓ ଭଲପାଏ। ଖୁବ୍ ଦୁଷ୍ଟ ବୋଲି କି କ’ଣ ତା’ ଦେଇ ପାଠ ବି ହେଲାନି। କେଷ୍ଟମଷ୍ଟେ ପ୍ଲସ୍ ଟୁ ପାସ୍ କରିବା ପରେ ଆଉ ବି ସେ ପଢ଼ିବା ପାଇଁ ଚାହିଲା ନାହିଁ। ଗାଆଁରେ ଡ୍ରେସ୍ ଦୋକାନଟି ତା’ ଲାଗି ବଡ଼ବାପା କରି ଦେଇଥିଲେ। ଲୁନାର ବ୍ୟାବସାୟିକ ବୁଦ୍ଧି କିନ୍ତୁ ଭଲ। ବ୍ୟାବସାୟିକ ଅଗ୍ରଗତି ସହ ଏବେ ସେ ପାରିବାରିକ ଜୀବନରେ ବି ଅଗ୍ରଗତି କରିବାକୁ ଯାଉଚି। ଫୋନ୍ କରି ସକାଳୁ ଖୁସି ଖବର ଜଣାଇଲା ସେ। ତା’ର ପୁଅଟେ ହୋଇଚି ବୋଲି ଆଉ ପୁଅ ଏକୋଇଶିଆକୁ ଯେମିତି ହେଲେ ମୋତେ ଆସିବାକୁ ପଡ଼ିବ ବୋଲି ସେ ନିମନ୍ତ୍ରଣ ଜଣାଇଲା। ତା’ ପୁଅକୁ ଦେଖିବାକୁ ମୋର ବି ଖୁବ୍ ଇଚ୍ଛା। କିନ୍ତୁ ଏ ଇଚ୍ଛା ଓ ଖୁସି ଭିତରେ କିଛିଟା ଅତୀତର ଆଭ୍ୟନ୍ତରୀଣ କ୍ଷତକୁ ଯେମିତି ପୁଣି କିଏ ଉଖୁରାଇ ଦେଉଥିଲା। ମୋର ମନେପଡୁଥିଲା ତା’ ବାହାଘରରେ କେମିତି ଆମ ବନ୍ଧୁବାନ୍ଧବମାନେ ମୋତେ ପ୍ରଶ୍ନ କରି ଚାଲିଥିଲେ: ଲୁନାଟା ତୋ’ଠୁ ସାନ ହୋଇ, ଚାକିରି ନ କରି ବି ଦେଖ କେମିତି ହାତେକୁ ଦି’ହାତ ହୋଇଗଲା ଆଗ, ତୁ କେବେ ପୁଣି ସଂସାର କରିବୁ? ତିରିଶ ଛୁଇଁଲାଣିପା ତୋତେ! କେଉଁଠି କ’ଣ ଠିକ୍ କରି ରଖିଚୁ ଯଦି ଆମକୁ କହୁନୁ, ନା ଲୁଚିଲୁଚି ବାହା ହୋଇଯାଇଛୁ କି? ନ ହେଲେ କେମିତିକା ଝିଅ ତୋର ପସନ୍ଦ ଆମକୁ କହୁନୁ, ଆମେ ଖୋଜି ଦେବୁନୁ?
ଆହୁରି ପଢ଼ନ୍ତୁ- 🔴 BUDGET LIVE UPDATES: ବିଧାନସଭାକୁ ଆସିଲେ ମୁଖ୍ୟମନ୍ତ୍ରୀ, ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନା
ଏମିତି କେତେ ପ୍ରଶ୍ନ ସବୁ ଏବେ ବି ମୋ ମୁଣ୍ଡରେ ଚଡ଼କ ସୃଷ୍ଟି କରୁଛି। ଆଉ ଏବେ ପୁଣି ସେମିତି ଏକ ବନ୍ଧୁମିଳନ ହେବ ଘରେ। ସମସ୍ତେ ଖୁସିରେ ଉତ୍ଫୁଲ୍ଲିତ ହୋଇ ଉଠୁଥିବା ବେଳେ ମୋତେ ଆତ୍ମଗୋପନ କରିବାକୁ ପଡ଼ିବ। ସେଇ କାରଣ ପାଇଁ ଇଚ୍ଛା ଥିଲେ ବି ଲୁନାକୁ ମୋତେ ଆଉ କିଛିଦିନ ପରେ ମିଛ କହିବାକୁ ପଡ଼ିବ ଏକ ଜରୁରି କାମର ବାହାନା ଦେଖାଇ। ବାରମ୍ୱାର ଏ ବାହାଘର ସଂପର୍କିତ ପ୍ରଶ୍ନ ସବୁକୁ ସାମ୍ନା କରିବା ଓ ତା’ର ପ୍ରକୃତ ଉତ୍ତର ରଖିବା ମୋ ପକ୍ଷେ ସହଜ ନୁହଁ ଜମା।
ସ୍କେଚ୍: ୫
ବାପୁନ ଓ ମୁଁ ଦୁହେଁ ସାଙ୍ଗ ହୋଇ ଛୁଟିରେ ଘରକୁ ଯାଉ ଆଉ ଫେରିବା ବେଳେ ବି ବସ୍ରେ ସାଙ୍ଗ ହୋଇ ଫେରୁ। ଦୀର୍ଘ ସାଢ଼େ ପାଞ୍ଚଘଣ୍ଟାର ରାସ୍ତା। ତଥାପି ଗପୁଗପୁ ଅତିକ୍ରମି ଯାଇଥାଏ ଅଧା ରାସ୍ତା ଆଉ ଅଧା ରାସ୍ତା ସେ ଶୋଇଶୋଇ ଯାଏ। ତେବେ ମଝିରେ ତାକୁ ଉଠେଇ ଦେବାକୁ ସେ କହିଥାଏ, ଯେଉଁ ଷ୍ଟପେଜ୍ରେ ବସ୍ ଅଧିକ ସମୟ ଟିକେ ରଖେ। ଯାତ୍ରୀମାନେ ଓହ୍ଲାଇ ଯାଆନ୍ତି ସେଇଠି ପରିସ୍ରା କରିବାକୁ। ମୋତେ ତ ନିଦ ଆସେନା। ଫିଲ୍ମ ମାଗାଜିନ୍ କି ଗପ ବହିଟିଏ ପଢୁପଢୁ ସେ ଷ୍ଟପେଜ୍ ଆସିଲେ ମୁଁ ତାକୁ ଡାକିଦିଏ। ସେ ଯାଉଯାଉ ପ୍ରତିଥର ମୋତେ ଡାକେ ପରିସ୍ରା କରି ଆସିବାକୁ। ମୁଁ କିନ୍ତୁ ମନାକରେ। କିନ୍ତୁ କେବେ ବି କହିପାରେନା: ତା’ ପରି ଖୋଲାମେଲାରେ ପରିସ୍ରା କରିବା ମୋ ପାଇଁ ଏତେ ସହଜ ନୁହଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/20/dd1-2026-02-20-16-04-09.jpg)