ମୁକ୍ତି

ମ‌ୋନାଲିସା ମିଶ୍ର

ପୁଅ, ତମେ କ’ଣ ଚୋର?
ହଁ, ହେଇଥିବ ତମେ ଚୋର, ନ ହେଲେ ଘର ଭିତରେ କେମିତି ପଶିଥାନ୍ତ! ବାଡ଼ି କବାଟ, ଦାଣ୍ଡ କବାଟ ସବୁ ତ ବନ୍ଦ, ଖାଲି ଯାହା ଅନ୍ୟ ସବୁ ଘର ଖୋଲା, ଆଉ ମୁଁ ବି ସେମିତି ଖୋଲାମେଲା ଭଳିଆ ହେଇ ଅଗଣାଟାରେ ପଡ଼ିଛି ଅନ୍ଧାରି ଆକାଶକୁ ଚାହିଁ।
ନାଇଁ, ଲୁଚିଯାଅନି, ମୁଁ ଜାଣୁଛି ତମେ ଅଛ, ତମ ଛାଇ ଦିଶୁଛି। ତମେ ଟିକେ ପାଖକୁ ଆସିବ ପୁଅ! 
କ’ଣ କିଛି ପାଇଲ? କିଛି ମିଳିଲା ପଇସାପତ୍ର କି ଗହଣାଗାଣ୍ଠି? ଥିବ କିଛି ସେଇ ଯୋଉ ବାରଣ୍ଡାଟାରେ ଅଲଗୁଣି ଦେଖୁନ, ସେଥିରେ ଝୁଲିଥିବ ଗୋଟେ ଝୁଲାମୁଣି, ଝୁଲାମୁଣି ଭିତରେ ଗୋଟେ ଗାମୁଛା, ଗାମୁଛାରେ ବନ୍ଧା ହେଇଥିବ ଗଣ୍ଠିଟିଏ, ଗଣ୍ଠି ଭିତରେ ଗୋଟେ ନାଲିଆ ରଙ୍ଗର ସଟାପର୍ ଧଡ଼ିଆ କନା ଖଣ୍ଡେ... ସେଥିରେ ବନ୍ଧା ହେଇଥିବ ଗୋଟେ କରାଟ, ସେଇ କରାଟ ଭିତରେ କାଗଜରେ ଗୁଡ଼ା ହେଇଥିବ ହଳେ ଗୋଡ଼ମୁଦି ଆଉ ଗୋଟେ ପଥରବସା କାନଫୁଲ। ଗଣ୍ଠି ଖୋଲିପାରିବନି କି... ପାରୁନ ଯଦି ଆଣ ମୁଁ ଖୋଲିଦେବି। 

Advertisment


ହେଲେ ପୁଅ ଟିକେ ମୋ ଖଟିଆ ପାଖକୁ ଆସ। ମୋ ମୁଚୁଳା ତଳେ ବି ଥିବ କିଛି। ଏଇ ଦି’ ଦିନ ତଳେ ଜଣେ ଆସି ଦେଇ ଯାଇଥିଲା ମୋ ଭତ୍ତା। ବୁଢ଼ୀ ବେଳର ରୋଜଗାର। ତମେ ଚାହିଲେ ନେଇପାର। ମୁଁ ଆଉ କେତେଦିନ! ଆଜି କି କାଲି, ଘଣ୍ଟି ବାଜିଲାଣି, ମତେ ଅଶରୀରୀମାନେ ଦେଖାଦେଲେଣି, ଚମ ବାହାରିଲାଣି ଦେହରୁ।
ପୁଅ ଶୁଣୁଛ? ତମେ ଯୋଉଥିପାଇଁ ଆସିଥାଅ ପଛେ ତମ ପାଦ ଶବ୍ଦ ଶୁଣି ମତେ ଟିକେ ଆଶ୍ୱସ୍ତ ଲାଗିଲା, କେତେ ଦିନ ହେଲା ମଣିଷଟିଏର ପାଦ ପଡ଼ିନି ଏ ଘରେ। କ’ଣ ହେଇଛି ଯେ କେହି ଆସୁନାହାନ୍ତି କାହା ଘରକୁ। ମୋର ବା କିଏ ଅଛି ଯେ ଆସିବ! ଯୁଆନ ପୁଅ ମୋର କାମ କରିବାକୁ ଦୂର ରାଇଜକୁ ଗଲା ଯେ ଆଉ ଫେରିଲାନି, କେତେ ଖବରଟବର ନେଲି, ପୁଲିସି କଚେରି ଗଲି, ଆଖିରୁ ଯେତେ ପାଣି ବୁହାଇଲି ଜାଣ ଆଉ ଗୋଟେ ବୈତରଣୀ ହେଇଯିବ, ତଥାପି ମିଳିଲାନି, ଲୋକେ କହିଲେ ସେ ଆଉ ନାହିଁ, ସେଇଦିନଠୁ ଘରେ ଏକୁଟିଆ, ଭାରି ହୀନିମାନ ଜୀବନରେ ପୁଅ।
ଜୀବନ ତ ସେଇଆ, ଭାରି ଦହଗଞ୍ଜିଆ। କାହା ଜୀବନ ଦଲକାଏ ପବନରେ ଫୁଃକିନି ଯିବ ଲିଭି... ଆଉ କାହାର ଜଳୁଥିବ ଯେ ଜଳୁଥିବ, ଦିକିଦିକି ହେଇ, ହାଡ଼ମାଂସକୁ ଜାଳି ଜାଳି। ମରଣ ସିନା ଥରେ ଆସେ ପୁଅ, ହେଲେ ଜୀବନ ହଜାରେ ଥର ମରି ମରି ବଞ୍ଚିଥାଏ।


ତମେ କିଛି ପାଇଲ ପୁଅ! କିଛି ନ ଥିଲେ ତୋରାଣି ମୁନ୍ଦେ ଥିବ। ଦରପୋଡ଼ା କାଠ ଉପରେ ଜହ୍ନି କି ଆଳୁଟେ ବି ଥିବ। ତମେ ପୁଅ କିଛି ଖାଇଛ?
ମୁଁ ଜାଣୁଛି, ତମେ ସେଇ ଅାଲ୍‌ମିରା ଉପର ଟିଣ ବାକ୍‌ସଟିକୁ ଖୋଲିବାକୁ ଚାହୁଛ, ଆଣ ସେଇଟିକୁ ଧରି ଏଠିକି ଟିକେ ଆସ। କଥା କ’ଣ କି ପୁଅ। ଏଇ ତ କହୁଥିଲିନା ଜୀବନ କଥା। ବଞ୍ଚିବାକୁ ହେଲେ କେତେ ଗୋଟେଇପୋଟେଇ ସାଇତିସୁଇତି ତ ବଞ୍ଚିବାକୁ ହୁଏ, ଏଇ ଯେମିତି ଆଜି ଜହ୍ନିଟିଏ କି ଛତୁ ଟିକିଏ, ରତା କି ଗଡ଼ିଶା, କଳମ ଶାଗ କି ସୁନୁସୁନିଆ, ସେମିତି ମରିବା ପରର କାର୍ଯ୍ୟ ପାଇଁ ବି କୋଉ କୋଉ ଅଭାଗିଆମାନଙ୍କୁ ଜିନିଷ ସାଇତିବାକୁ ପଡ଼େ।
ମୁଁ ସେମିତି ଗୋଟେ ମଲାଭାଗ୍ୟ ମାଇପିଟିଏ ଗୋ...ବଞ୍ଚିଛି ସିନା କୋଉ କାଳୁ ମରିଯାଇଛି ମୋ ଭାଗ୍ୟ। ହେଲେ ମରିବି ତ! ମୋ ମଡ଼ାକୁ ଆଉ ସେମିତି ହୀନିମାନିଆ ଭାଗ୍ୟ ନ ମିଳୁ। ମଡ଼ାକୁ ହେଲେ ତା’ର ପ୍ରାପ୍ୟ ଟିକିଏ ମିଳୁ। ସେଇଥିପାଇଁ ସାଇତି ରଖିଛି ସବୁ, ସେଇ ଯୋଉ ଟ୍ରଙ୍କ୍‌ ଦେଖୁଛ ତା’ ଭିତରେ ଅଛି ଗୋଟେ ନୂଆ ଶାଢ଼ି, ଗଲାବେଳକୁ ପଡ଼ିବ ଦେହରେ, ଦାହ କାର୍ଯ୍ୟ ପାଇଁ ଅଛି କିଛି ଟଙ୍କା, ମାଲଭାଇମାନଙ୍କ ପାଇଁ ନୂଆ ଗାମୁଛା ବି ଥିବ। ବାଡ଼ିପଟେ ଅଛି ବାଉଁଶ, ନଡ଼ା। ଆଉ ଚଉଁରା ପଛପଟେ ଅଛି ଗୋଟେ ନାରାୟଣ ପାଇଯାଇଥିବା ତୁଳସୀ ଗଛ, ଖାଲି ଡାଙ୍ଗଟା, କୋକେଇ ଉପରେ ରଖିବା ପାଇଁ ଦରକାର ହବ ବୋଲି ରଖିଛି କୋଉ କାଳୁ। ଗଙ୍ଗା ପାଣି ବି ଅଛି ପୁଅ, ସେତିକି ଧରି ଏଠି ପଡ଼ିଯାଇଛି।


କିନ୍ତୁ ଏତେ ସବୁ ଯୋଗାଡ଼ ସିନା କରିଦେଲି, ଜୀବ ଛାଡ଼ିବ ଛାଡ଼ିବ ହେଲାଣି ସିନା ହେଲେ ମୋ ମନ ଘାଣ୍ଟିହେବା ସରୁନି, ପାଟିରେ ଗଙ୍ଗା ପାଣି ଟିକେ କିଏ ଦେବ? ମୁହଁରେ ନିଆଁ ଦବ କିଏ? ଏଇଆ ଭାବି ଭାବି ମରିପାରୁନିି। ଆଖିଟା ଅଚଳ ହେଇ ଖାଲି ଚାହିଁରହିଛି ଯାହା ଆକାଶକୁ। 
ତମେ ଯିଏ ହୁଅ, ଚୋର ହୁଅ କି ଡକାୟତ, ମତେ ଗୋଟେ ମଣିଷର ହାତ ମିଳିଯାଇଚି ସେତିକି ଯଥେଷ୍ଟ। ମୋ କଥା ଟିକେ ଶୁଣ ଚୋରପୁଅ, ମୋ ମଡ଼ାକୁ ଟିକେ ଦୟା କରିବ? ଯେମିତି ବାସି ନ ହୁଏ। ନ ହେଲେ ମୁଁ ମୁକ୍ତି ପାଇବିନି। 


ତମେ କିଛି ପାଇଲ ପୁଅ? କିଛି ନ ହେଲେ ନାଇଁ ମୋ ନାକରେ ନାକଗୁଣାଟିଏ ତ ଅଛି। ମୁଁ ମଡ଼ା ହେଇଗଲେ ସେଇଟା ତମର। ହେଇ! ମୁଁ ଚାଣ୍ଡାଳୁଣୀ ଖାଲି ନିଜ କଥା କହିଚାଲିଛି। ଚୋରପୁଅ! ତମେ କିଛି ଖାଇଛ? ଯାଅ, ରନ୍ଧାଘରକୁ ଯାଅ, ତୋରାଣି ମୁନ୍ଦେ ଥିବ।
ଚୋରଟି କାଠଖୁମ୍ବଟେ ପରି ଠିଆ ହେଇ ରହିଥିଲା, ନା ପାଚିରି ଡେଇଁ ପଳେଇ ପାରୁଥିଲା ନା ବୁଢ଼ୀର ଖଟିଆ ପାଖକୁ ଯାଇପାରୁଥିଲା। ତେବେ ତୋରାଣି ନାଆଁଟି ଶୁଣି ତା’ ଶୋଷ ବଢ଼ିଗଲା। ସତେ ରନ୍ଧାଘରେ ଥୁଆ ହେଇଛି ପଖାଳ ହାଣ୍ଡି, କରଡ଼ି ଆଚାର, ଛେଚା ରଶୁଣ, ଜହ୍ନିପୋଡ଼ାର ବାସ୍ନା, ପେଟ ଗୁରାଣ୍ଡି ଦେଲା ପରି ବାସୁଛି ମହମହ। ଏଇତ ଜୀବନକୁ ଗଣ୍ଠିଧନ କରି ସାଇତି ରଖିପାରୁଥିବା ଭଳି ଚିରନ୍ତନ ମହକ। 
ହେଲେ ବୁଢ଼ୀଟି ଏମିତି ପାଟି ମେଲା କରି ରହିଛି କାହିଁକି? ଆଉ ତ କହୁନି କିଛି! ତୋରାଣି ଟୋପେ ତା’ ପାଟିରେ ବି ଦିଏ। ମରଣ ପାଇଁ ସବୁ ଜିନିଷ ସାଇତିବା ସାଙ୍ଗେ ଜୀବନର ମହକ ଟିକେ ବି ଥାଉ। 


ଚୋରଟି ତୋରାଣି ମୁନ୍ଦେ ପାଟିରେ ଦେଲାବେଳକୁ ବୁଢ଼ୀ ଢକ୍‌କିନା ଗିଳିଦେଲା, ହେଲେ ଆଉ ବୁନ୍ଦେ ଦେଲା ବେଳକୁ ବାହାରି ଆସିଲା କାହିଁକି?
ଚୋରଟି କାହାକୁ ଏକଥା ପଚାରିବ ବୋଲି ଭାବି ଭାବି ଖାଲି ଆକାଶକୁ ଚାହିଁ ରହିଲା। 
ନାରାୟଣ ପାଇଥିବା ତୁଳସୀ ଗଛଟିକୁ ଆଣି ବୁଢ଼ୀର ମୁଣ୍ଡ ପାଖେ ରଖିଲା। 

 ମୋ: ୯୯୩୭୩୮୪୭୫୯