ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ବଢୁଥିବା ଆଭ୍ୟନ୍ତରୀଣ ଅସନ୍ତୋଷ ଓ ବିକ୍ଷୋଭ ମଧ୍ୟରେ ପାକିସ୍ତାନର ରାଜନୈତିକ ଓ ସାମରିକ ନେତୃତ୍ୱ ପୁଣି ଥରେ ଭାରତବିରୋଧୀ କାହାଣୀକୁ ଇନ୍ଧନ ଦେବା ଆରମ୍ଭ କରିଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପିଓକେ ଗସ୍ତ ଓ ସେମାନଙ୍କର ଉତ୍ତେଜନାମୂଳକ ଭାଷଣ ଦକ୍ଷିଣ ଏସିଆରେ ସାମରିକ ତଥା ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି।
ଗୁଇନ୍ଦା ସୂତ୍ରକୁ ଉଦ୍ଧୃତ କରି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ନିୟନ୍ତ୍ରଣ ରେଖା (ଏଲ୍ଓସି) ଗସ୍ତ ସମୟରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ମୁନିର ଖୋଲାଖୋଲି ଭାବେ ‘ଜିହାଦ’କୁ ପ୍ରୋତ୍ସାହିତ କରି ବିବୃତି ଦେଇଥିଲେ। କାଶ୍ମୀର ଖୁବ୍ ଶୀଘ୍ର ସ୍ୱାଧୀନ ହେବ ବୋଲି ସେ ଦାବି କରିଥିଲେ। ସେଠାରେ ମୁତୟନ ଅଧିକାରୀ ଓ ସୈନିକମାନଙ୍କ ‘ଯୁଦ୍ଧ ପ୍ରସ୍ତୁତି’ ଓ ‘ବୃତ୍ତିଗତ ଉତ୍କର୍ଷ’କୁ ସେ ପ୍ରଶଂସା କରିଥିଲେ। କାଶ୍ମୀର ଲୋକଙ୍କ ଆତ୍ମ-ନିର୍ଣ୍ଣୟ ଅଧିକାର ପାଇଁ ପାକିସ୍ତାନର ଅତୁଟ ରାଜନୈତିକ, ନୈତିକ ଓ କୂଟନୈତିକ ସମର୍ଥନକୁ ମୁନିର ଦୋହରାଇଛନ୍ତି, ଯାହାକୁ ବିଶେଷଜ୍ଞମାନେ ସିଧାସଳଖ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛନ୍ତି।
ଅଧିକପଢ଼ନ୍ତୁ:୧୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଉଦ୍ୟୋଗପତି, ସିସିଟିଭିରେ କଏଦ ହେଲା ଦୃଶ୍ୟ
ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏକ ସମାବେଶକୁ ସମ୍ବୋଧିତ କରି ଭାରତ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଗୁଇନ୍ଦା ସୂତ୍ର ଅନୁଯାୟୀ, ସରିଫ କହିଛନ୍ତି ଯେ, କାଶ୍ମୀରବାସୀଙ୍କୁ ଆତ୍ମନିର୍ଣ୍ଣୟ ଅଧିକାର ଦେବା ବ୍ୟତୀତ ଭାରତର କୌଣସି ବିକଳ୍ପ ନାହିଁ। ଭାରତ ଏହାର ‘ଆକ୍ରମଣାତ୍ମକ, ବିସ୍ତାରବାଦୀ ଉଦ୍ଦେଶ୍ୟ ଓ ଘୃଣ୍ୟ ଷଡଯନ୍ତ୍ର’ ପରିତ୍ୟାଗ ନ କରିବା ପର୍ଯ୍ୟନ୍ତ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ସମ୍ଭବ ନୁହେଁ।
ଭାରତ ବିରୋଧରେ ବିଷ ଉଗାଳିଲେ
ଯଦିଓ ଇସଲାମାବାଦରୁ ବୟାନବାଜି ଉଚ୍ଚ ସ୍ୱରରେ ଶୁଣାଯାଉଛି, ତଥାପି ପିଓକେ ମଧ୍ୟରେ ଥିବା ସ୍ଥାନୀୟ ଲୋକଙ୍କ ମତ ସମ୍ପୂର୍ଣ୍ଣ ବିପରୀତ। ଏହି ଆକ୍ରମଣାତ୍ମକ ବୟାନବାଜି ସୀମାରେ ରହୁଥିବା ଲୋକଙ୍କ ଜୀବନ ଉପରେ ସିଧାସଳଖ ଓ ନକାରାତ୍ମକ ପ୍ରଭାବ ପକାଉଛି। ପିଓକେ ବାସିନ୍ଦାମାନେ ବିଶ୍ୱାସ କରନ୍ତି ଯେ, ଏସବୁ କେବଳ ‘ରାଜନୈତିକ ବାର୍ତ୍ତା’। ନେତାମାନେ ସେମାନଙ୍କର ପ୍ରକୃତ ସମସ୍ୟା ସହିତ ଜଡିତ ନୁହନ୍ତି। ନାଗରିକ ସମାଜ, ବ୍ୟବସାୟୀ ଓ ଯୁବ ଗୋଷ୍ଠୀ ସ୍ପଷ୍ଟ କରିଛନ୍ତି ଯେ, ଏଭଳି ଉତ୍ତେଜନାପୂର୍ଣ୍ଣ ପରିବେଶ ସ୍ଥାନୀୟ ପର୍ଯ୍ୟଟନ, ଶିକ୍ଷା ଓ ନିଯୁକ୍ତି ସୁଯୋଗକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଭୟ କରୁଛନ୍ତି ଯେ ଏହି ଉତ୍ତେଜନାମୂଳକ ବିବୃତି ଅନୁପ୍ରବେଶ ଓ ହିଂସା ସୃଷ୍ଟି କରିବ, ନିରୀହ ସାଧାରଣ ନାଗରିକମାନେ ଏହାର ଶିକାର ହେବେ।
ଅଧିକପଢ଼ନ୍ତୁ:ଅଫିସରେ କାମ କରିବ ଏଆଇ ଟିମ୍, ବଢ଼ିବ କି ଛଟେଇ?
Follow Us