ସ୍ବାଦିଷ୍ଠ ଭୋଜନ କରିବାରେ ଭାରତୀୟମାନେ ନିଶ୍ଚିତ ଭାବେ ପୃଥିବୀର ଅନ୍ୟ ଦେଶର ନାଗରିକଙ୍କୁ ପଛରେ ପକାଇଦେବେ! ସେ କାର୍ଯ୍ୟବ୍ୟସ୍ତ ଭରା ଦିନ ହେଉ, ଅଥବା ବିଳମ୍ବିତ ରାତ୍ରୀକାଳୀନ ମଜାମଉଜ, କିମ୍ବା ଉତ୍ସବାଦି କି ସମାବେଶ ହେଉ- ସବୁ ଅବସରରେ ଭାରତୀୟମାନେ ଖୋଜନ୍ତି ମନମତାଣିଆ ସୁସ୍ବାଦୁ ଖାଦ୍ୟ। ଆଉ ଆଜିକାଲି ସ୍ବିଗି ଓ ଜମାଟୋ ଭଳି ଡିଜିଟାଲ୍‌ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମଗୁଡ଼ିକର ଆଗମନ ପରେ ସବୁଦିନ ଖିଆପିଆର ଆସର ଜମିଯାଉଛି।  ସକାଳୁ  ମଧ୍ୟରାତ୍ରିଯାଏ ଯେକୌଣସି ସମୟରେ ଇଚ୍ଛା ମୁତାବକ ଖାଦ୍ୟଦ୍ରବ୍ୟ ମଗାଇ ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ। ଘରେ ବସି ଠିକଣା ସମୟରେ ପହଞ୍ଚିଯାଉଥିବା ବରାଦଦିଆ ଭୋଜନର ଆନନ୍ଦ ନେବା ସମ୍ପ୍ରତି ସହରୀ ଭାରତୀୟଙ୍କ ଜୀବନଧାରାରେ ସାମିଲ ହୋଇଗଲାଣି।

Advertisment

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସହର ବଜାରରେ ସ୍ବିଗି ଓ ଜମାଟୋର ଅଭ୍ୟୁଦୟ ପରେ ଯଦିଓ ସବୁ ଧରଣର ଖାଦ୍ୟ ଭାରତୀୟ ଗ୍ରାହକ ବରାଦ କରୁଛନ୍ତି, କିନ୍ତୁ କେତୋଟି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟର ଚାହିଦା ଶୀର୍ଷରେ ରହୁଛି। ଏହି କ୍ରମରେ ଚଳିତବର୍ଷକୁ ମିଶାଇ ଶେଷ ଦଶ ବର୍ଷ ହେବ କ୍ରମାଗତ ଶ୍ରେଷ୍ଠ ସ୍ଥାନରେ ରହିଛି ଗୋଟାଏ ବ୍ୟଞ୍ଜନ। ତାହା ଭାରତୀୟଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ବୋଲି ପୁନଃପ୍ରମାଣିତ ହୋଇଛି। ନିକଟରେ ବରାଦି ଭୋଜନ ଯୋଗାଣକାରୀ ପ୍ରତିଷ୍ଠାନ ‘ସ୍ବିଗି’ର ୨୦୨୫ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି ଯେ ଏ ବର୍ଷ ଭାରତୀୟମାନେ ୯୩ ନିୟୁତ ପ୍ଲେଟ୍‌ ବିରିୟାନୀ ବରାଦ ଦେଇଛନ୍ତି। ବର୍ଷାନ୍ତ ରିପୋର୍ଟରେ ‘ସ୍ବିଗି’ କହିଛି- ଭାରତୀୟ ଖାଦ୍ୟ ବଜାରର ନିର୍ବିବାଦୀୟ ରାଜା ହେଉଛି ବିରିୟାନୀ। ୨୦୨୫ର ସମୁଦାୟ ବରାଦକୁ ସମୟ ଅନୁଯାୟୀ ଭାଗକଲେ ଜଣାଯାଏ ଯେ ପ୍ରତି ମିନିଟ୍‌ରେ ୧୯୪ ପ୍ଲେଟ୍‌ ବିରିୟାନୀ ବରାଦ ହୋଇଥିଲା ବା ପ୍ରତି ୩ ସେକେଣ୍ଡ୍‌ରେ ଗୋଟିଏ ପ୍ଲେଟ୍‌ ବରାଦ ମିଳିଛି। ତେବେ ବିରିୟାନୀ ଭିତରେ ସର୍ବାଧିକ ଚାହିଦା ରହିଛି ‘ଚିକେନ୍‌ ବିରିୟାନୀ’ର।

ବିଭିନ୍ନ କିସମ ବିରିୟାନୀରୁ କେବଳ ‘ଚିକେନ୍‌ ବିରିୟାନୀ’ ପାଇଁ ‘ସ୍ବିଗି’ ପାଇଛି ୫୭.୭ ନିୟୁତ ପ୍ଲେଟ୍‌ ବରାଦ। ପୁଣି ବହୁ ଗ୍ରାହକ ମଧ୍ୟ ବାରମ୍ବାର ‘ଚିକେନ୍‌ ବିରିୟାନୀ’ ନିମନ୍ତେ ବରାଦ ଦେଇଛନ୍ତି। ୨୦୨୫ର ଶ୍ରେଷ୍ଠ ଲୋକପ୍ରିୟ ସୁଖାଦ୍ୟ ବନିଥିବା ବିରିୟାନୀ ବ୍ୟତୀତ ଆଉ କେତେକ ବ୍ୟଞ୍ଜନର ଆଦର ବି ବୃଦ୍ଧି ପାଉଛି। ବିରିୟାନୀ ତଳକୁ ରହିଛି ବର୍ଗର୍‌। ଏଥିପାଇଁ ୪୪.୨ ନିୟୁତ ବରାଦ ମିଳିଛି। ସେମିତି ତୃତୀୟ ସ୍ଥାନ‌ ଦଖଲ କରିଛି ପିଜ୍ଜା। ପିଜ୍ଜା ପାଇଁ ‘ସ୍ବିଗି’ ପାଇଛି ୪୦.୧ ନିୟୁତ ବରାଦ। ତା’ଛଡ଼ା ସକାଳ ଜଳଖିଆ ଭାବେ ନିରାମିଷ ଦୋସା ଓ ଇଡ୍‌ଲି ବି ବିଶେଷ ଲୋକପ୍ରିୟ ହୋଇଛି। ଦୋସା ପାଇଁ ୨୬.୨ ନିୟୁତ ଓ ଇଡ୍‌ଲି ପାଇଁ ୧୧ ନିୟୁତ ବରାଦ ମିଳିଛି। ସେହିପରି, ବିଳମ୍ବିତ ରାତ୍ରି ବା ରାତି ୧୨ଟାରୁ ୨ଟା ମଧ୍ୟରେ ‘ଚିକେନ୍‌ ବର୍ଗର୍‌’ ପାଇଁ ସର୍ବାଧିକ ୨.୩ ନିୟୁତ ବରାଦ ମିଳିଛି। ଏତଦ୍‌ଭିନ୍ନ, ଚକ୍‌ଲେଟ୍‌ କେକ୍‌, ଗୁଲାବ୍‌ ଜାମୁନ୍‌, କାଜୁବର୍ଫି ଓ ବେସନ ଲଡୁ ଭଳି ମିଷ୍ଟାନ୍ନ ବା ଡେଜର୍ଟ ବରାଦ ବି ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଇଛି।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ସେହିପରି ଜମାଟୋର ୨୦୨୫ ରିପୋର୍ଟରେ ମଧ୍ୟ ସବୁଠୁ ଅଧିକ ବରାଦ ହୋଇଥିବା ଖାଦ୍ୟ ହେଉଛି ବିରିୟାନୀ। ଏଥିପାଇଁ ୯୩ ନିୟୁତ ଅର୍ଡର କମ୍ପାନି ପାଇଛି। ୩.୪୨ ମିଲିଅନ୍‌ ବରାଦ ସହ ଏହା ପଛକୁ ରହିଛି ସମୋସା ବା ସିଙ୍ଗଡ଼ା। କୌତୂହଳପ୍ରଦ କଥା ହେଲା,  ୨.୯ ମିଲିଅନ୍‌ ଖାଦ୍ୟପ୍ରେମୀ ଅଦ୍‌ରକ୍‌ ଚା ଅର୍ଡର୍‌ କରିଛନ୍ତି। ମୁମ୍ବାଇର ଜଣେ ଖାଦ୍ୟରସିକ ଏ ବର୍ଷ ‘ସ୍ବିଗି’ରେ ୩,୧୯୬ ଥର ଖାଦ୍ୟ ବରାଦ କରି ଭାରତରେ ରେକର୍ଡ କରିଛନ୍ତି। ତାଙ୍କ ବରାଦକୁ ଭାଗକଲେ ଦିନକୁ ସେ ୯ଥର ବରାଦ ଦେଇଛନ୍ତି ବୋଲି ଧରିନେବାକୁ ପଡ଼ିବ।