ଭୁବନେଶ୍ବର: ଆ କା ମା ବୈ ପାନଗୁଆ ଥୋଇ… ମାସକ ଧରମ ତୋର ଦିନକ ଧରମ ମୋର... କାର୍ତ୍ତିକ ପୁନେଇଁ ଦିନ ବଡ଼ି ଭୋରୁ ନଦୀ ବା ପୋଖରୀ କୂଳରେ ହାତରେ ଗୋଟେ ଡଙ୍ଗା ସହିତ ସଭିଙ୍କ ମୁହଁରେ ଏହି ପଦ ଉଚ୍ଚାରଣ ଏକ ଅନନ୍ୟ ଶିହରଣ ସୃଷ୍ଟି କରେ ସତରେ। କାର୍ତ୍ତିକ ପୁନେଇଁ ଦିନ ବଡ଼ି ଭୋରୁ ହାତରେ ଡଙ୍ଗା ଧରି ଆପଣ ବି ଭସାଇବାକୁ ଯାଉଥିବେ ନିଶ୍ଚେ। ତେବେ ଏ ପରମ୍ପରା କେବେଠୁ ? ଭାରତୀୟ ସଂସ୍କୃତିରେ ଏହା କେବେଠୁ ଆସିଛି ସେ ବିଷୟରେ ସମ୍ୟକ୍‌...

Advertisment
boita
boita Photograph: (sambad.in)

ବୋଇତ ବନ୍ଦାଣ ପରମ୍ପରା ମୁଖ୍ୟତଃ ବେପାର ବଣିଜ ସ୍ମୃତି ଉପରେ ଆଧାରିତ। ଅନେକ ରାଜ୍ୟରେ ନୌବାଣିଜ୍ୟ ପରମ୍ପରା ଥିଲେ ବି ବିଶେଷଧରଣର ବୋଇତ ଭସାଣ ଉତ୍ସବ ଏକ ଗଣପର୍ବ ଭାବେ କେବଳ ଓଡ଼ିଶାରେ ଦେଖିବାକୁ ମିଳେ। ଅର୍ଥାତ୍‌ ଉତ୍କଳ ହିଁ ବୋଇତ ତଥା ନୌବାଣିଜ୍ୟ ଉଦ୍ଭାବନ କରିବାରେ ମୂଳ ରାଷ୍ଟ୍ର। କିମ୍ବଦନ୍ତି ଆଧାରରେ, ଆଗକାଳରେ ସାଧବ ପୁଅମାନେ ବାଣିଜ୍ୟ ବ୍ୟବସାୟ ପାଇଁ ବୋଇତ ନେଇ ଜାଭା, ସୁମାତ୍ରା, ବାଲି ଆଦି ଦ୍ବୀପକୁ ଯାଉଥିଲେ। ସେମାନେ ବର୍ଷ ବର୍ଷ ଧରି ଜଳପଥରେ ଯାତ୍ରା କରୁଥିଲେ। ସେହି ପରମ୍ପରାର ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଓଡ଼ିଶାରେ ଡଙ୍ଗାଭସା ପ୍ରଥା ଚଳିଆସୁଛି।

ଡଙ୍ଗାଭସା ପରମ୍ପରା

ଓଡ଼ିଶାରେ କାର୍ତ୍ତିକ ମାସ ଆସିଲେ ହବିଷ ଅନ୍ନ ଘରେ ଘରେ ମ‌ହକେ। ପୂର୍ଣ୍ଣମୀ ଦିନ ଏହା ଶେଷ ହୁଏ। ମହାଦେବଙ୍କୁ ସମର୍ପିତ ଏହି ବ୍ରତ କଲେ ଅନେକ ପାପରୁ ମୁକ୍ତି ମିଳେ ବୋଲି ପୌରାଣିକ ମତ ରହିଛି। ପଞ୍ଚୁକ ପାଞ୍ଚଦିନ ପରେ ପୂର୍ଣ୍ଣମୀରେ ଡଙ୍ଗାଭସା ହୋଇଥା‌ଏ। ଆଗରୁ ଲୋକେ କଦଳୀ ପାଟୁଆରେ ଡଙ୍ଗା ତିଆରି କରି ମାସକର ଧର୍ମକୁ ସମର୍ପଣ କରି ଜଳରେ ଡଙ୍ଗାଟିକୁ ଭସାଇ ଦେଉଥିଲେ। ଡଙ୍ଗାରେ ଧୂପ, ବିଡ଼ିଆପାନ, ଗୁଡ଼, ବଳିତା, ଫୁଲ ଆଦି ଦେଇ ଆ କା ମା ବୈ.. ଗୀତ ଗାଇ ଭସାଯାଉଥିଲା। ଯଦିଓ କାଳକ୍ରମେ କଦଳୀ ପାଟୁଆ ଡଙ୍ଗାର ବିକ୍ରି କମିଛି ତଥାପି ତାର ଏକ ଅଲଗା ଚାହିଦା ରହିଛି। ଏବେ କାଠ, ସୋଲ, ପେପର ଆଦି ଜିନିଷରେ ଡଙ୍ଗା ତିଆରି କରାଯାଉଛି । ଏବେ ବାହାର ରହୁଥିବା ପ୍ରବାସୀମାନେ ଓଡ଼ିଶାର କଳାସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଡଙ୍ଗାଭସା, ରଜ ଆଦି ପର୍ବ ପାଳନ କରୁଛନ୍ତି। 

boita 1
boita 1 Photograph: (sambad.in)

ବୋଇତ ଭସାଣ, ବଣିଜ ଓ ବାଲିଯାତ୍ରା 

ବୋଇତ ବନ୍ଦାଣର ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ସେହିକ୍ରମରେ କଟକ ସହରରେ ବାଲିଯାତ୍ରା ମଧ୍ୟ ଆୟୋଜନ କରାଯାଏ। ବାଲିଯାତ୍ରାର ଆରମ୍ଭ କେବେ ତା‌ହା କେଉଁଠା‌ରେ ଉଲ୍ଲେଖ ନାହିଁ। ତଥାପି ଲୋକଶୃତି ଅନୁସାରେ, ସାଧବମାନେ ବଣିଜ ସାରି ଏହିଦିନ ଉତ୍କଳକୁ ଫେରି ଆସିଥିଲେ। ସେମାନଙ୍କ ସ୍ବାଗତ ପାଇଁ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ନଦୀ ପଠାର ବିସ୍ତୁତ ବାଲିଶଯ୍ୟା ଉପରେ ଖୋଲା ଆକାଶ ତଳେ ମେଳା ଲାଗୁଥିବାରୁ ଏହାକୁ ବାଲିଯାତ୍ରାର ନାଁ ଦିଆଯାଇଥିଲା। 

boita 2
boita 2 Photograph: (sambad.in)

ଅନ୍ୟଏକ ତଥ୍ୟ ଆଧାରରେ, ସାଧବମାନେ କାର୍ତ୍ତିକ ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ବାଣିଜ୍ୟ ବ୍ୟବସାୟର ପ୍ରସ୍ତୁତିକାର୍ଯ୍ୟ ଆରମ୍ଭ କରନ୍ତି। ଏହା ପରଦିନ ସୂର୍ଯ୍ୟୋଦୟ ପରେ ଘରର ବୟୋଜ୍ୟେଷ୍ଠ ମହିଳାଙ୍କ ଦ୍ବାରା ବୋଇତ ବନ୍ଦାଣ ହୋଇ ବାଣିଜ୍ୟ ସାମଗ୍ରୀ ବୋଇତକୁ ଚଢ଼ାହୁଏ। ୧୫ଦିନ ଧରି ଏହା ଚାଲେ। କାର୍ତ୍ତିକ ପୂର୍ଣ୍ଣମୀ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ବୋଇତ ବନ୍ଦାପନା କରି ଲକ୍ଷ୍ୟପଥର ବାହାରି ଯାଆନ୍ତି ସାଧବ।

ଆହୁରି ପଢନ୍ତୁ-

Supermoon Tonight: ଆଜି ଆକାଶରେ ଦେଖାଯିବ ଏବର୍ଷର ସବୁଠାରୁ ବଡ଼ ଜହ୍ନ… ଜାଣନ୍ତୁ କେତେବେଳେ ଦିଶିବ, କେଉଁଠି ଦୃଶ୍ୟମାନ ହେବ ?

ଗୀତରେ ଡଙ୍ଗା

ଯା’ ଯା’ ରେ ଭାସି ଭାସି ଯା’ ନଉକା ମୋର ଭାସିଯା... ଖୋକା ଭାଇଙ୍କ ଏ ଗୀତଟି ଆଜି ବି କାହା‌ ମନରୁ ଲିଭିନି। ସେମିତି ସାତ ଦରିଆ ପାରେ ବୋଇତ ଭାସିଯା’... ମାଝିରେ... ଇତ୍ୟାଦି ଗୀତରେ ଡଙ୍ଗା ଓ ବୋଇତକୁ ଭେଟିବାକୁ ହୁଏ।

ସମୟ ବଦଳୁଛି। ଜୀବନଧାରଣ ମାନ ବି ବଦଳୁଛି। କିନ୍ତୁ ଆମ ସଂସ୍କୃତି ଓ ପରମ୍ପରାର ଢାଞ୍ଚା ଓ ମାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉତ୍କଳୀୟ ପରମ୍ପରା ତେଜୀୟାନ ହୋଇ ସେମିତି ନିଜର ଗରିମା‌ ବଜାୟ ରଖିଛି।

ରିପୋର୍ଟ- ପ୍ରଜ୍ଞା ନିବେଦିତା ନାୟକ

ଆହୁରି ପଢନ୍ତୁ-

🔴LIVE News And Updates 5th November 2025: ପଢ଼ନ୍ତୁ ଅପ୍‌ଡେଟ୍‌ ଖବର: ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା, ଆମେରିକା ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍