Photograph: (google)
ବଡ଼ଦିନ ଆସିଲେ ଯେମିତି ସାଣ୍ଟା କ୍ଲଜ୍ ମନେପଡ଼ନ୍ତି, ଠିକ୍ ସେମିତି ସୁସଜ୍ଜିତ କ୍ରିସ୍ମସ୍ ଟ୍ରିର ଛବି ଆଖି ସାମ୍ନାରେ ନାଚିଯାଏ। ସାଧାରଣତଃ ପାଇନ୍ ବା ଫର୍ ଗଛ କିମ୍ବା ଚେରି ଗଛରେ କ୍ରିସ୍ମସ୍ ଟ୍ରି ପ୍ରସ୍ତୁତ ହୋଇଥାଏ। ତ୍ରିଭୂଜାକାର ଗଛ ଡାଳରେ ରଙ୍ଗିନ ବଲ୍, ଝିଲିମିଲି ଝାଲେରୀ, ଚକୋଲେଟ୍, ମିଷ୍ଟାନ୍ନ ଓ ତାରା ଖଞ୍ଜାଯାଇ ସଜ୍ଜିତ କରାଯାଏ। ଗଛର ଶୀର୍ଷଭାଗରେ ଥିବା ତାରା ଯିଶୁଙ୍କ ଜନ୍ମସ୍ଥାନ ବେଥେଲ୍ହାମ୍ରେ ଉଦିତ ତାରାର ପ୍ରତୀକ ବହନ କରିଥାଏ।
ଇତିହାସ କହେ, ଏହି ପ୍ରଥା ଉତ୍ତର ୟୁରୋପର ଲିଭୋନିଆ ଅଞ୍ଚଳରୁ ଉଦ୍ଭୁତ। ମଧ୍ୟଯୁଗୀୟ ୟୁରୋପରେ ଲୋକେ ଯିଶୁଙ୍କ ଜନ୍ମଦିନରେ ଗଛ ଆଣି ଘର ସଜାଉଥିଲେ। ପରେ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ପ୍ରଥା ଅନୁସରଣକରି ଅନ୍ୟ ଦେଶରେ ପ୍ରସାର କରିଥିଲେ। ୧୫୭୬ ମସିହାର ଏକ ପ୍ରସ୍ତର ଖୋଦିତ କାରୁକାର୍ଯ୍ୟରେ କ୍ରିସ୍ମସ୍ ଟ୍ରି ଥିବା କଥା ପ୍ରମାଣ ଦିଏ କି, ଷୋଡ଼ଶ ଶତାବ୍ଦୀରେ ଏହାର ପ୍ରଚଳନ ଥିଲା। ତତ୍କାଳୀନ ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟ ନେତା ମାର୍ଟିନ୍ ଲୁଥର୍ଙ୍କ ଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିଲା ବୋଲି କେହି କେହି ବିଶ୍ୱାସ କରନ୍ତି। ସେ ପ୍ରଥମେ ଯିଶୁଙ୍କ ଜନ୍ମଦିନରେ ଏକ ଚିରହରିତ ଗଛରେ ମହମବତି ରଖି ସଜାଇଥିଲେ। ଊନବିଂଶ ଶତାବ୍ଦୀରେ ବାଲ୍ଟିକ୍ ଦେଶମାନେ ଏହି ପ୍ରଥା ଗ୍ରହଣ କରିଥିଲେ।
ଆହୁରି ପଢ଼ନ୍ତୁ: ରୋଗୀଙ୍କୁ ମୁଥ ମାରିଥିବା ଡାକ୍ତର ନିଲମ୍ବିତ, ତଦନ୍ତ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ
ପ୍ରାଚୀନ କାଳରେ କ୍ରିସ୍ମସ୍ ଟ୍ରିକୁ କାଗଜଫୁଲ, ସେଓ, ୱେଫର୍ ଓ ମିଷ୍ଟାନ୍ନ ଦ୍ୱାରା ସଜାଯାଉଥିଲା। ଅଷ୍ଟଦଶ ଶତାବ୍ଦୀରେ ବିଦ୍ୟୁତ୍ ଆଲୋକମାଳାର ପ୍ରୟୋଗ କ୍ରିସ୍ମସ୍ ଟ୍ରିକୁ ଅଧିକ ଆକର୍ଷଣୀୟ କରିଥିଲା। ଏବେ ରିବନ୍, ଚକୋଲେଟ୍, ଜିଞ୍ଜର୍ ବ୍ରେଡ଼୍ ଇତ୍ୟାଦି ଦ୍ୱାରା ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ସଜାଯାଉଛି। ଦେଶ ଅନୁଯାୟୀ କ୍ରିସ୍ମସ୍ ଟ୍ରିକୁ କେବେ ଲଗାଯିବ ଓ କେବେ ବିସର୍ଜନ କରାଯିବ, ତାହା ସ୍ଥାନୀୟ ପରମ୍ପରା ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। କେଉଁଠି ଯିଶୁଙ୍କ ଆଗମନ ଆରମ୍ଭରେ ଏହା ଲଗାଯାଏ ତ ଆଉ କେଉଁଠି ବଡ଼ଦିନ ପରେ ଦ୍ୱିତୀୟ ସପ୍ତାହରେ ଏହାକୁ ଅପସାରିତ କରାଯାଏ। କେତେକ ଏହାକୁ ‘ୟୁଲ୍ ଟ୍ରି’ ଭାବେ ଅଭିହିତ କରନ୍ତି, ଯାହାର ଉଲ୍ଲେଖ ପୁରାତନ ଲୋକକଥାରେ ମିଳେ।
ଆହୁରି ପଢ଼ନ୍ତୁ: ରୋଗ ଉପଶମ କରେ ଶୀତଦିନିଆ ଖାଦ୍ୟ...
Follow Us