ଆଉ ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ ଲୋକ ପତ୍ର କି କାର୍ଡର ବ୍ୟବହାର କରୁନାହାନ୍ତି। କାହିଁକି ନା, ସେ ସବୁର ସ୍ଥାନ ମୋବାଇଲ୍‌ ନେଇସାରିଛି। ଏବେ ଡିସେମ୍ବର ଶେଷ ସପ୍ତାହରୁ ନେଇ ଜାନୁଆରି ପ୍ରଥମ ସପ୍ତାହ ମଧ୍ୟରେ କୁଢ଼ କୁଢ଼ ମେସେଜ୍‌ରେ ଇନ୍‌ବକ୍ସ ଭରିଯିବ। ପୁଣି ଘନ ଘନ କଲ୍‌ ଆସିବ। ହେଲେ ସବାଧାନ! ସେ ସବୁ କଲ୍‌ କି ମେସେଜ୍‌ ଆପଣଙ୍କ ଶୁଭେଚ୍ଛୁଙ୍କର ହୋଇ ନଥାଇପାରେ। କିଛି କଲ୍‌ ଓ ମେସେଜ୍‌ ଏପରି ସ୍କାମର୍‌ଙ୍କର ବି ହୋଇପାରେ, ଯାହାକୁ ଗ୍ରହଣ କରିବାର ମାତ୍ର କେଇ ସେକେଣ୍ଡ୍‌ ଭିତରେ ଖାଲି ହୋଇଯିବ ପୂରା ବ୍ୟାଙ୍କ୍‌ ଆକାଉଣ୍ଟ୍‌। ବର୍ଷ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ଉପାର୍ଜନ କରିଥିବା ଅର୍ଥକୁ ଆପଣ ନିମିଷକରେ ହରାଇବସିବେ। 

Advertisment

4007 Families Without Light: ୩୪୪ ଗାଁରେ ଅନ୍ଧାର ରାଜୁତି

ଏଇ କିଛିଦିନ ହେବ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି ‘ୟେସ୍‌ ସ୍କାମ୍‌’। କଲ୍‌ ଆସିବ, ସେପାଖରୁ କେହି ଜଣେ ଆପଣଙ୍କ ନା ଧରି ପ୍ରଶ୍ନ ପଚାରିବ। ଆପଣ ନିଜ ପରିଚୟ ଦେବାକୁ ‘ୟେସ୍‌’ ବୋଲି କହିଦେବେ। ବାସ୍‌, ସେତିକିରେ ଖେଳ ଖତମ୍। ସେତିକି ସମୟ ଭିତରେ ଆପଣଙ୍କ ଆକାଉଣ୍ଟ୍‌ରେ କଳାକନା ବୁଲାଇ ସାରିଥିବେ ଅନ୍‌ଲାଇନ୍‌ ଠକ। ଏହା ହେଉଛି ଠକମାନଙ୍କର ଏକ ନୂଆ କୌଶଳ। ଏହି ଠକାମିରେ ନା ଆପଣଙ୍କୁ ଓଟିପି ଦେବାକୁ ପଡ଼ିବ ନା, କେଉଁ ଲିଙ୍କ୍‌ରେ କ୍ଲିକ୍‌ କରିବାକୁ ପଡ଼ିବ। ସେମାନେ ଫୋନ୍‌ କରି ଏପରି କିଛି ପଚାରିବେ, ଯାହାର ଉତ୍ତର ‘ୟେସ୍‌’ ବା ‘ହଁ’ ହୋଇଥବ। ବାସ୍‌ ସେଇ ଗୋଟାଏ ଶବ୍ଦକୁ ଦେଇ ସେମାନେ ନିଜର ଲକ୍ଷ୍ୟ ସାଧନ କରିଦେବ। ଠକମାନେ ପଚାରିବା ବେଳେ ଆପଣ ଯେଉଁ ‘ୟେସ୍‌’ କିମ୍ବା ‘ହଁ’ କହନ୍ତି‌; ସେତେବେଳେ ସେମାନେ ଆପଣଙ୍କ କଣ୍ଠସ୍ବରକୁ ରେକର୍ଡ କରନ୍ତି। ସେହି ରେକର୍ଡ ହୋଇଥିବା କଣ୍ଠସ୍ବରକୁ ନେଇ ସେମାନେ ଆପଣଙ୍କ ନାମରେ ନୂଆ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲନ୍ତି। ସେଥିରେ ସେ ଏକ ବଡ଼ ଧରଣର ନେଣଦେଣକୁ ଅନୁମତି ଦିଅନ୍ତି ଅଥବା ଏକ ବଡ଼ ରକମର ‌ଋଣ ପାଇଁ ଆବେଦନ କରନ୍ତି। କାରଣ ଏଠାରେ ଆପଣଙ୍କ କଣ୍ଠସ୍ବର ଏକ ପ୍ରମାଣସ୍ବରୁପ କାମ କରିଥାଏ। ଏବେ ଆମ ଦେଶରେ ଭଏସ୍‌ ବାୟୋମେଟ୍ରିକ୍ସ ସିଷ୍ଟମ୍‌କୁ ଅନୁମତି ମିଳିସାରିଥିବାରୁ ଭଏସ୍‌ କଲ୍‌ ଜରିଆରେ ଋଣ ପାଇବା ବି ଏକ ସାଧାରଣ କଥା ପାଲଟି ସାରିଛି। ଏପରିକି ବ୍ୟକ୍ତିର କଣ୍ଠସ୍ବର ଆବଶ୍ୟକ ପଡ଼ିଲେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ପାସ୍‌ୱାର୍ଡ ବି ହୋଇପାରେ।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ଏହି ଠକାମିରୁ ବର୍ତ୍ତିବା ପାଇଁ କେଉଁ ବି ଅଜଣା କଲ୍‌ ରିସିଭ୍‌ କରିବା ପରେ ‘ୟେସ୍‌’ କିମ୍ବା ‘ହଁ’ କହନ୍ତୁ ନାହିଁ। ଯେଉଁ ବି ବ୍ୟାଙ୍କ୍‌ରେ ଆକାଉଣ୍ଟ ଅଛି, ସେଠି ‌ଯାଇ ଭଏସ୍‌ ବାୟୋମେଟ୍ରିକ୍ସ ଅଥେଣ୍ଟିକେସନ୍‌ ସିଷ୍ଟମ୍‌ ଅନ୍‌ ଥିଲେ, ତାହାକୁ ଡିଜାବଲ୍‌ କରିବାକୁ ପଡ଼ିବ। ତା’ହେଲେ ଯାଇ ‘ୟେସ୍‌ ସ୍କାମ୍‌’ରୁ ମୁକ୍ତି ମିଳିବ। ‘ୟେସ୍‌ ସ୍କାମ୍‌’ ପରି ଆଉଏକ ଅନ୍‌ଲାଇନ୍‌ ଠକାମି ହେଉଛି ‘ଜାମ୍‌ ଡିପୋଜିଟ୍‌ ସ୍କାମ୍‌’। ଧରାଯାଉ ଆପଣଙ୍କ ଫୋନ୍‌କୁ ଏକ ନୋଟିଫିକେସନ୍‌ ଆସିବ ଯେ ଆପଣଙ୍କ ଆକାଉଣ୍ଟ୍‌ରେ ୧୦୦୦ ଟଙ୍କା କ୍ରେଡିଟ୍‌ ହୋଇଛି। କିଏ ୧୦୦୦ ଟଙ୍କା ପଠାଇଲା ଭାବି ଆପଣ ତୁରନ୍ତ ନିଜର ୟୁପିଆଇ ଆକାଉଣ୍ଟ୍‌ ଖୋଲିବେ ଚେକ୍‌ କରିବା ପାଇଁ। ଖୋଲୁ ଖୋଲୁ ଆପଣଙ୍କ ଆକାଉଣ୍ଟ୍‌ ପୂରା ଫାଙ୍କା ହୋଇଯିବ। କାରଣ ଅନ୍‌ଲାଇନ୍‌ ଠକ ଆପଣଙ୍କୁ ପୂର୍ବରୁ ହିଁ ଏକ ବଡ଼ ଧରଣର କ୍ୟାସ୍‌ ୱିଥ୍‌ଡ୍ରୟାଲ୍‌ ରିକ୍ୟୁଏଷ୍ଟ୍‌ ପଠାଇ ସାରିଥିବେ। ଆପଣ ଯେତେବେଳେ ନିଜ ପିନ୍‌ ଦେବେ ତ ସେ ରିକ୍ୟୁଏଷ୍ଟ୍‌ ଆପେ ଆପେ ଆକ୍‌ସେପ୍ଟ ହୋଇଯିବ। ଯାହାଫଳରେ ୧୦ ସେକେଣ୍ତ୍‌ ଭିତରେ ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟିବା ଆରମ୍ଭ ହୋଇଯିବ। ଏହି ଠକାମିରୁ ବର୍ତ୍ତିବା ପାଇଁ କେତୋଟି କୌଶଳ ମାନିବାକୁ ପଡ଼ିବ। ଯଦି ବି ଆପଣଙ୍କ ଆକାଉଣ୍ଟ୍‌କୁ ଟଙ୍କା କ୍ରେଡିଟ୍‌ ହେଉଛି ତ ଆପଣ ଚେଷ୍ଟା କରିବେ ତୁରନ୍ତ ତାହାକୁ ନଦେଖି ୧୫-୨୦ ମିନିଟ୍‌ ପରେ ଦେଖିବାକୁ। ତା’ଭିତରେ ଠକର କ୍ୟାସ୍‌ ୱିଥ୍‌ଡ୍ରୟାଲ୍‌ ରିକ୍ୟୁଏଷ୍ଟ୍‌ ଇନ୍‌ଭାଲିଡ୍‌ ହୋଇଯାଇ ସାରିଥିବ। ଆଉ ଏକ କୌଶଳ ହେଉଛି ପ୍ରଥମ ଥର ଜାଣି ଜାଣି ଭୁଲ୍‌ ପିନ୍‌ ମାରନ୍ତୁ। କାହିଁକି ନା ପ୍ରଥମ ପିନ୍‌ରେ ହିଁ ଠକ ତା’ ରିକ୍ୟୁଏଷ୍ଟ୍‌ ଆକ୍‌ସେପ୍ଟ କରିବାକୁ ଜାଲ ବିଛେଇଥାଏ। ଭୁଲ୍‌ ପିନ୍‌ ମାରିବା ଦ୍ବାରା ସେ ରିକ୍ୟୁଏଷ୍ଟ୍‌ କ୍ୟାନ୍‌ସେଲ୍‌ ହୋଇଯାଏ।

ଆପ୍‌ ଇନ୍‌ଷ୍ଟଲ୍‌ ପୂର୍ବରୁ ସତର୍କ ରୁହନ୍ତୁ
ଯେଉଁମାନେ ବି ୟୁପିଆଇ ବ୍ୟବହାର କରୁଛନ୍ତି, ପ୍ରଥମେ ପେମେଣ୍ଟ୍‌ ରିକ୍ୟୁଏଷ୍ଟ୍‌ କ’ଣ ବୁଝନ୍ତୁ। କୌଣସି ବି ମେସେଜ୍‌ ପଢ଼ି ତୁରନ୍ତ ମନ ଇଚ୍ଛା ତାହାର ନିର୍ଦ୍ଦେଶ ମାନନ୍ତୁ ନାହିଁ। ସେହି ମେସେଜ୍‌ରେ ବି ଏପରି କିଛି ଲିଙ୍କ୍‌ ଥାଇପାରେ, ଯାହାକୁ ଟଚ୍‌ କଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ବେଳେ ବେଳେ ସ୍କାମର୍‌ମାନେ ନକଲି ଏସ୍‌ଏମ୍‌ଏସ୍‌ ଗେଟ୍‌ୱେ ବ୍ୟବହାର କରି ଆକାଉଣ୍ଟକୁ ଟଙ୍କା ଆସିବା ଭ୍ରମ ସୃଷ୍ଟି କରନ୍ତି। ସେହି ଏସ୍‌ଏମ୍‌ଏସ୍‌ରେ ୟୁପିଆଇ ଆକାଉଣ୍ଟ୍‌ ଖୋ‌ଲିବାର ଅପ୍‌ସନ୍‌ ବି ରହିଥାଏ। ସେଠାରୁ ଭୁଲ୍‌ରେ ବି ନିଜର ୟୁପିଆଇ ଆକାଉଣ୍ଟ୍‌ ଖୋଲିବେ ନାହିଁ।  ତା’ ଛଡ଼ା ମେସେଜ୍‌ଗୁଡ଼ିକ କେଉଁ ଅଥେଣ୍ଟିକ୍‌ ସେଣ୍ଟର୍‌ରୁ ଆ‌ସିଛି ତାହା ଯାଞ୍ଚ କରିବା ବ୍ୟବହାରକାରୀଙ୍କ ପ୍ରଥମ କାମ। ଏକା ପରି ଦିଶୁଥିବା ମେସେଜ୍‌ ସବୁ ଅସଲି ହୋଇନଥାଏ।

ହାକର୍‌ମାନେ ଅଧିକାଂଶ ଆଇଭିଆର୍‌ କଲ୍‌ ଜରିଆରେ ସାଧାରଣ ଜନତାଙ୍କୁ ଠକୁଛନ୍ତି। ଆଇଭିଆର୍‌ କଲ୍‌ଗୁଡ଼ିକ ଟ୍ରାଇ ଦ୍ବାରା ନିୟନ୍ତ୍ରିତ ହୋଇ ମଧ୍ୟ ଠକମାନେ ତାହାକୁ ବ୍ୟହାହାର କରୁଛନ୍ତି, ସରକାର ଏଥିପ୍ରତି କଡ଼ା ଅଭିମୁଖ୍ୟ ଗ୍ରହଣ କରିବା ଉଚିତ। ବିଭିନ୍ନ ପ୍ରକାରର ଥାର୍ଡ ପାର୍ଟି ଆପ୍‌ ଦ୍ବାରା ଠକମାନେ ସହଜରେ ଟଙ୍କା ଶୋଷଣ କରିଥାନ୍ତି। ସେଥିପାଇଁ ଆମେ ଆପ୍‌ ଷ୍ଟୋର୍‌ରୁ ଆପ୍‌ ଇନ୍‌ଷ୍ଟଲ୍‌ କରିବା ପୂର୍ବରୁ ସେ ଆପ୍‌ର ଡେସ୍କ୍ରିପ୍‌ସନ୍‌ ପଢ଼ିବା ସହ ଭଲ କରି ପରଖିବା ଉଚିତ। କୌଣସି ବି ପରିସ୍ଥିତିରେ ‌କାହାକୁ ମୋବାଇଲ୍‌କୁ ଆସିଥିବା ଓଟିପି କହିବେ ନାହିଁ। ଏଭଳି କିଛିଟା ସତର୍କତା ଅବଲମ୍ବନ କଲେ, ଆମେ କିଛି ମାତ୍ରାରେ ନିଜକୁ ସୁରକ୍ଷା ଦେଇପାରିବା। ସାଧାରଣତଃ ସହଜରେ ଟଙ୍କା ପାଇବା ଲୋଭରେ ଲୋକେ ଠକାମିର ଶିକାର ହୁଅନ୍ତି। ସହଜରେ ଟଙ୍କା ଉପାର୍ଜନ କରିବାର କୌଣସି ଉପାୟ ପୃଥିବୀରେ ନାହିଁ। ଏଇ କଥା ଥରେ ବୁଝିଗଲେ ଆଉ କେହି ଆମକୁ ଠକିପାରିବେ ନାହିଁ। 

-ଚନ୍ଦ୍ରଶେଖର ବିଶ୍ବାଳ, ସାଇବର୍‌ ସିକ୍ୟୁରିଟି ଏକ୍ସପର୍ଟ, ନିର୍ଦ୍ଦେଶକ, ଡେଫିଗୋ ସଲ୍ୟୁସନ୍‌ସ୍‌