ଏଥର ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେଉଥିବା ପରେଡ୍‌ରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଆର୍‌ପିଏଫ୍‌ ଅଫିସର ୧୪୦ ଜଣରୁ ଅଧିକ ପୁରୁଷ ଯବାନଙ୍କର ନେତୃତ୍ବ ନେଉଛନ୍ତି। ସେ ହେଉଛନ୍ତି ୨୬ ବର୍ଷୀୟା ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସିମରନ ବାଲା। ସିମରନ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ପ୍ରଥମ ମହିଳା ଭାବେ ସିଆର୍‌ପିଏଫ୍‌ ଅଫିସର ହୋଇଛନ୍ତି। ତାଙ୍କ ଘର ଭାରତ-ପାକିସ୍ତାନ ସୀମାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ସୀମାର ଅସ୍ଥିରତା ଓ ସଂଘର୍ଷ ବିଷୟରେ ସେ ଛୋଟ ବେଳୁ ସୁପରିଚିତ। ସିମରନ ଜାମ୍ମୁର ଗାନ୍ଧୀନଗର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରୁ ରାଜନୀତ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୟୁପିଏସ୍‌ସି ଦ୍ବାରା ଆୟୋଜିତ ସିଏପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗୁରୁଗ୍ରାମର ସିଆର୍‌ପିଏଫ୍‌ ଏକାଡେମିରେ ପ୍ରଶିକ୍ଷଣ ନେଇଥିଲେ। ସେ ୨୦୨୫ ମସିହାର ଏପ୍ରିଲ୍‌ରେ ସିଆର୍‌ପିଏଫ୍‌ ଅଫିସର ଭାବେ ଯୋଗ ଦେଇଥିଲେ ଏବଂ ଛତିଶଗଡ଼ରେ ନକ୍ସଲ ଦମନ ପାଇଁ ଉଦ୍ଦିଷ୍ଟ ‘ବସ୍ତରୀୟା’ ବାଟାଲିଅନ୍‌ରେ ପ୍ରଥମେ କାର୍ଯ୍ୟ କରିଥିଲେ। 

Advertisment

Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମହିଳା ଅଫିସରମାନେ ଦଳର ନେତୃତ୍ବ ନେବାର ପୂର୍ବ ଉଦାହରଣ ରହିଛି ସତ ହେଲେ ସିମରନ ପ୍ରଥମ ଥର ପାଇଁ ଏତେ ବଡ଼ ପୁରୁଷ ଦଳର ନେତୃତ୍ବ ନେଉଛନ୍ତି। ତାଙ୍କ ପରିବାର ଏ ନେଇ ଖୁବ୍ ଉତ୍ସାହିତ। ତାଙ୍କ ଉଭଣୀ ଶୈଲ ବାଲା କହିଛନ୍ତି, ‘ସୀମାନ୍ତ ଗାଁ ନୌସେରାରୁ କର୍ତ୍ତବ୍ୟ ପଥ ଯାଏ ସିମରନଙ୍କ ଯାତ୍ରା ଆହ୍ବାନପୂର୍ଣ୍ଣ ଥିଲା, କିନ୍ତୁ ସେ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି।’ ତାଙ୍କ ମା’ ଶ୍ରେଷ୍ଠା ଦେବୀ ଦେଶର ସବୁ ପିତାମାତାଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ସେମାନେ ନିଜ ଝିଅମାନଙ୍କୁ ସମର୍ଥନ କରନ୍ତୁ। ଝିଅମାନେ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି, ସେମାନଙ୍କୁ କେବଳ ପ୍ରୋତ୍ସାହନ ଓ ସମର୍ଥନ ଦେବା ଦରକାର। ସିମରନଙ୍କ ଉଦାହରଣ ଅଧିକରୁ ଅଧିକ ଝିଅଙ୍କୁ ତାଙ୍କ ପରି ସାହସିକ ପଥ ଅନୁସରଣ କରିବା ଲାଗି ଅନୁପ୍ରାଣିତ କରିବ ବୋଲି ଆଶା।

Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ