Advertisment

Radhe Radhe: ପ୍ରଥମ ସ୍ତମ୍ଭ: ରାଧେ ରାଧେ

Advertisment

ଯେଉଁ ସେଲୁନ୍‌କୁ ମୁଁ ନିୟମିତ ଯାଏ, ସେଠାରେ ଚୁଟି କାଟୁଥିବା ପିଲାଟିର ନାଁ ମନୀଷ। ତା’ ଘର ବିହାର, କିନ୍ତୁ ଚାକିରି ପାଇଁ ସ୍ତ୍ରୀ ଓ କୁନିଝିଅକୁ ସଙ୍ଗରେ ଧରି ସେ ଅନେକ ଦିନ ହେବ ଭୁବନେଶ୍ୱରରେ ରହୁଛି।

ଯେଉଁ ସେଲୁନ୍‌କୁ ମୁଁ ନିୟମିତ ଯାଏ, ସେଠାରେ ଚୁଟି କାଟୁଥିବା ପିଲାଟିର ନାଁ ମନୀଷ। ତା’ ଘର ବିହାର, କିନ୍ତୁ ଚାକିରି ପାଇଁ ସ୍ତ୍ରୀ ଓ କୁନିଝିଅକୁ ସଙ୍ଗରେ ଧରି ସେ ଅନେକ ଦିନ ହେବ ଭୁବନେଶ୍ୱରରେ ରହୁଛି।

radhe

ଯେଉଁ ସେଲୁନ୍‌କୁ ମୁଁ ନିୟମିତ ଯାଏ, ସେଠାରେ ଚୁଟି କାଟୁଥିବା ପିଲାଟିର ନାଁ ମନୀଷ। ତା’ ଘର ବିହାର, କିନ୍ତୁ ଚାକିରି ପାଇଁ ସ୍ତ୍ରୀ ଓ କୁନିଝିଅକୁ ସଙ୍ଗରେ ଧରି ସେ ଅନେକ ଦିନ ହେବ ଭୁବନେଶ୍ୱରରେ ରହୁଛି। ସ୍ବଭାବରେ ସେ ଅତ୍ୟନ୍ତ ଭଦ୍ର, ସବୁବେଳେ ହସ ହସ ମୁହଁ। ତା’ ଫୋନ୍‌ରେ ନୋଟିଫିକେସନ୍ ଆସିଲେ ଯେଉଁ ସ୍ୱର ବାଜେ, ତାହା ଚିରାଚରିତ ‘ଟୁଁ ଟୁଁ’ ଠାରୁ ଟିକେ ଭିନ୍ନ। ଏବେ ତ ମୁଁ ଅଭ୍ୟସ୍ତ, ହେଲେ ପ୍ରଥମଥର ଯେବେ ଗୋଟିଏ କୁନିଛୁଆର ଆକର୍ଷଣୀୟ ସ୍ବରରେ ‘ରାଧେ ରାଧେ’ ଧ୍ୱନି ଅକସ୍ମାତ୍ ସେ ରୁମ୍‌ରେ  ଗୁଞ୍ଜରିତ ହେଲା, ଶବ୍ଦଟି କେଉଁଠୁ ଆସିଲା ଭାବି ମୁଁ ଚାରିଆଡ଼କୁ ଚାହିଁଲି। ଟିକେ ହସିଦେଇ ମନୀଷ କହିଲା, ‘‘ଏଇଟା ମୋର ନୋଟିଫିକେସନ୍‌ ସାଉଣ୍ଡ୍। କଥା କ’ଣ କି, ଏତେ କାମ ଭିତରେ ଈଶ୍ୱରଙ୍କୁ ମନେପକେଇବା ପାଇଁ ସମୟ ମିଳୁନି। ସେଇଥିପାଇଁ ଏଇ ‘ରାଧେ ରାଧେ’ ଟୋନ୍ ଖଞ୍ଜିଦେଇଛି। ଦିନଯାକ ଯେତେଥର ନୋଟିଫିକେସନ୍‌ ଆସିବ ଅନ୍ତତଃ ସେତିକି ଥର ମୁଁ ଠାକୁରଙ୍କୁ ସ୍ମରଣ କରିପାରିବି।’’ ତା’ର ଏ ଅଭିନବ ଚିନ୍ତାଧାରା ମୋତେ ଖୁବ୍ ଭଲ ଲାଗିଥିଲା।

Weekly Horoscope 2026 March 1 To 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଗତକାଲି ତା’ ଫୋନ୍‌ର ‘ରାଧେ ରାଧେ’ ଧ୍ୱନି ମୋ ମନରେ ଗୋଟାଏ ପ୍ରଶ୍ନ ସୃଷ୍ଟି କଲା। ଯଦି ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଏବଂ ଭକ୍ତ ପାଇଁ ଅନ୍ତିମ ଲକ୍ଷ୍ୟ, ତେବେ ରାଧାଙ୍କୁ କାହିଁକି କୃଷ୍ଣଙ୍କ ପୂର୍ବରୁ ସ୍ମରଣ କରାଯାଏ? କେବେ ତ କୃଷ୍ଣ-ରାଧା କୁହାଯାଏ ନାହିଁ, ସବୁବେଳେ ରାଧା-କୃଷ୍ଣ। ଏହାର ଏକାଧିକ ଉଦାହରଣ ଅଛି, ଯେପରି ସୀତା-ରାମ, ଲକ୍ଷ୍ମୀ-ନାରାୟଣ, ଗୌରୀ-ଶଙ୍କର, ସିଦ୍ଧି-ବିନାୟକ। ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଦର୍ଶନ ରାଧାଙ୍କୁ ହିଁ ସର୍ବୋଚ୍ଚ ଶକ୍ତିର ମାନ୍ୟତା ଦିଏ। ଏଭଳି ବିଚାର ସାର୍ବଜନୀନ ଭାବେ ସ୍ୱୀକୃତ ନ ହୋଇପାରେ ଓ ଅନେକ ସମ୍ପ୍ରଦାୟ ପ୍ରତ୍ୟକ୍ଷ ରୂପରେ କୃଷ୍ଣଙ୍କ ନାମ ଉଚ୍ଚାରଣକୁ (ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ) ପ୍ରାଧାନ୍ୟ ଦିଅନ୍ତି। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ଦ୍ବାରା ସ୍ଥାପିତ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଭକ୍ତି ପରମ୍ପରା ଶ୍ରୀରାଧାଙ୍କୁ ପବିତ୍ର, ନିଃସ୍ବାର୍ଥ, ନିଃସର୍ତ୍ତ ପ୍ରେମ ଓ ଭକ୍ତିର ପ୍ରତୀକ ବୋଲି ଗ୍ରହଣ କରିଥାଏ। ରାଧା ଦୟାର ସାଗର। କରୁଣାର ପ୍ରତୀକ। ସମସ୍ତ ଶକ୍ତିର ଉତ୍ସ ସେ। କୁହାଯାଇଛି, କୃଷ୍ଣଙ୍କୁ ରାଧାଙ୍କ କୃପା ମାଧ୍ୟମରେ ହିଁ ପ୍ରାପ୍ତ କରାଯାଇପାରେ, କାରଣ ସେ ହିଁ କୃଷ୍ଣଙ୍କର ସର୍ବଶ୍ରେଷ୍ଠ ଭକ୍ତ। ଏତେ ପ୍ରଚଣ୍ଡ ତାଙ୍କ ଭକ୍ତି ଓ ପ୍ରେମ ଯେ ସ୍ବୟଂ ଶ୍ରୀକୃଷ୍ଣ ମଧ୍ୟ ଅଭିଭୂତ ହୋଇପଡ଼ନ୍ତି, ବନ୍ଦୀ ହୋଇଯାଆନ୍ତି ତାଙ୍କ ପାଖରେ। ରାଧାଙ୍କ ନାମ ତତ୍‌କ୍ଷଣାତ୍‌ କୃଷ୍ଣଙ୍କୁ ଆକର୍ଷିତ କରିଥାଏ। ତାଙ୍କ ଭିତରେ ଅପାର କରୁଣା ଜାଗ୍ରତ କରିଥାଏ। ତାଙ୍କୁ ପ୍ରସନ୍ନ କରିଥାଏ। ରାଧା ହିଁ କୃଷ୍ଣଙ୍କ ଆତ୍ମା। କୃଷ୍ଣଙ୍କ ପାଖରେ ପହଞ୍ଚିବା ପାଇଁ ରାଧା ହେଉଛନ୍ତି ସିଂହଦ୍ବାର, ସବୁଠାରୁ ସରଳ ଓ ସହଜ ଉପାୟ। ରାଧା, ସୀତା, ଲକ୍ଷ୍ମୀ, ଏମାନେ ସମସ୍ତେ ଦିବ୍ୟ ନାରୀ-ଶକ୍ତିର ପ୍ରତୀକ। ଏମାନେ ମା’। ତ୍ୟାଗ, ପ୍ରେମ, ପୋଷଣ, ସହିଷ୍ଣୁତା, ଦୟା, ଧୈର୍ଯ୍ୟ, ସହନଶୀଳତା-ଏ ସବୁ ଦୈବୀଗୁଣର ଅଧିକାରିଣୀ ମା’। ସେଥିପାଇଁ ମା’ର ସ୍ଥାନ ସବୁବେଳେ ସବୁଠାରେ ଉଚ୍ଚରେ।

ପ୍ରତି ଯୁଗରେ ଗୋଟିଏ ସମାନ ସତ୍ୟ; ସମସ୍ତେ  କୃଷ୍ଣଙ୍କୁ ପାଇବାକୁ ଚାହାନ୍ତି। କଳିଯୁଗରେ ବି ଆମେ କୃଷ୍ଣଙ୍କୁ ଲାଭ କରିବାକୁ ଚାହୁଁ। ହେଲେ ମନେହୁଏ, ଏଇ ଦୌଡ଼ରେ ଯେମିତି ଆମେ ରାଧାଙ୍କୁ ଭୁଲିଯାଉଛେ। ଆଜିର ଦୁନିଆରେ ଆମେ ସମସ୍ତେ  ବେପାରୀ ପାଲଟି ଯାଇଛୁ। ସବୁର ମୂଳରେ ସେଇ ଗୋଟିଏ କଥା- ‘‘ଏଥିରୁ ମତେ କ’ଣ ମିଳିବ? ମୋର କ’ଣ ଫାଇଦା ହବ?’’

Weekly Horoscope 2026 March 1 To 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଅସରନ୍ତି ଅଭିଳାଷ, ଲୋଭ ଓ ଲାଭର ଚଷମା ପିନ୍ଧି ଆମେ ଅନ୍ଧ ହୋଇଯାଇଛୁ। ଠିକ୍-ଭୁଲ୍, ନୈତିକ-ଅନୈତିକ ଓ ଧର୍ମ-ଅଧର୍ମ; ଏସବୁ ବିଚାର କରିବାପାଇଁ ଆମେ ଅସମର୍ଥ। ଏମିତି ନୁହେଁ ଯେ ଏ ସବୁକଥା ଆମେ ବୁଝିପାରୁନାହୁଁ ବା ଜାଣିପାରୁନାହୁଁ। ସବୁ ବୁଝି, ଜାଣି ବି ଆମେ ଅସହାୟ। ଆମେ ବା କ’ଣ କରିପାରିବା? ସାରା ଦୁନିଆ ତ ଏ ବାଟର ବାଟୋଇ ହେଇସାରିଛି! ହେଲେ ଏଥିରୁ ମୁକୁଳିବାର ରାସ୍ତା କ’ଣ ହୋଇପାରେ?

ରାଧା ହିଁ ଏକମାତ୍ର ବାଟ। ନିର୍ଭେଜାଲ ଭକ୍ତି, ନିଃସ୍ୱାର୍ଥ ପ୍ରେମ, ସଂପୂର୍ଣ୍ଣ ସମର୍ପଣ ଓ ଅସୀମ କ୍ଷମା। କୃଷ୍ଣଙ୍କ ପାଇଁ ତାଙ୍କ ଭଲପାଇବା କୌଣସି ଅଧିକାର, ପୁରସ୍କାର ବା ପ୍ରତିଫଳ ଉପରେ ନିର୍ଭର କରେନାହିଁ। ଆଜିର ନେଣଦେଣ ଦୁନିଆରେ ରାଧା ଆମକୁ ଶିଖାନ୍ତି ଯେ ପ୍ରକୃତ ସନ୍ତୋଷ ମିଳେ ଅହଂକାରକୁ ତ୍ୟାଗ କରି, ହୃଦୟରୁ ଭଲପାଇ, ଅନ୍ୟକୁ କ୍ଷମାଦେଇ। ଏ ଯୁଗରେ କେବଳ ବୁଦ୍ଧିମତା କୃତ୍ରିମ ନୁହଁ, ସବୁ କିଛି ଧୀରେ ଧୀରେ କୃତ୍ରିମ ହୋଇଉଠିଲାଣି। ରାଧାଙ୍କ ପଥକୁ ଆପଣେଇଲେ ଆମେ ଅବାଟରୁ ବାଟକୁ ଫେରିବାର ସମ୍ଭାବନା ରହିଛି, ଏହା ମୋର ଦୃଢ଼ ବିଶ୍ୱାସ।

ତନୟା ପଟ୍ଟନାୟକ
ସଂପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe