ଉପସ୍ଥାପନା: ଐଶ୍ବର୍ଯ୍ୟା ପରିଜା

ଯେଉଁ ମହିଳାମାନେ ପୂର୍ବରୁ ସାର୍ବଜନୀନ ସ୍ଥଳରେ କଥା ହେବାକୁ ସଂକୋଚବୋଧ କରୁଥିଲେ ସେମାନେ ଏବେ ନିଜ ସମ୍ପ୍ରଦାୟ ପାଇଁ ଉଦାହରଣ ସାଜିଛନ୍ତି। ଆଜିର ଏଆଇ ଯୁଗରେ ସବୁକିଛି ସମ୍ଭବ ଲାଗୁଥିଲେ ବି ଆଦିବାସୀ ମହିଳାଟିଏ ପାଇଁ ଏହି ଯାତ୍ରା ଖୁବ୍ ଲମ୍ବା ଓ ସଂଘର୍ଷପୂର୍ଣ୍ଣ। ଅଗମ୍ୟ ଅଞ୍ଚଳରୁ ଇଣ୍ଟର୍‌ନେଟ୍‌ ଓ ଜଙ୍ଗଲରୁ ଡିଜିଟାଲ୍ ଦୁନିଆକୁ ଥିଲା ସେମାନଙ୍କର ଯାତ୍ରା। ଆଦିବାସୀ ଭାଷା, ପରମ୍ପରାକୁ ଆଧୁନିକ ସମାଜ କେମିତି ଗ୍ରହଣ କରିବ ସେହି ଅଜଣା ଭୟ ଘାରୁଥିଲା ସତ; କିନ୍ତୁ ନିଜ ସଂସ୍କୃତିର ନିଆରାପଣକୁ ବିଶ୍ବକୁ ଦେଖାଇବାର ଲାଳସା ସେମାନଙ୍କୁ ଟାଣି ଆଣିଥିଲା ଇଣ୍ଟର୍‌ନେଟ୍‌ ଜଗତକୁ। ସାମାଜିକ ଗଣମାଧ୍ୟମରେ ନିଜ ପରମ୍ପରାର କାହାଣୀ, ଫଟୋଗ୍ରାଫି ଓ ନିଜ ଅଞ୍ଚଳର ସମସ୍ୟା ହେଉ ଅବା ମହିଳାମାନଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ସେମାନଙ୍କ ହାତ ପାହାନ୍ତାରେ ସହଜରେ ଉପଲବ୍ଧ କରାଇ ନିଜ ସଂପ୍ରଦାୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ରାଣୀ ଓ ମଞ୍ଜୁଲତା।

Advertisment

Road accident: ସଡ଼କ ଦୁର୍ଘଟଣାରେ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

 ରାଣୀଙ୍କ ପାଇଁ ମୋବାଇଲ୍‌ ସାଜିଛି ବରଦାନ
ଜଙ୍ଗଲ ଭିତରର ଅଭାବ ଅନଟନଭରା ଜୀବନରେ ଡିଜିଟାଲ୍‌ ଦୁନିଆ ଦେଖାଇଛି ନୂତନ ସମ୍ଭାବନା। ସାମାଜିକ ଗଣମାଧ୍ୟମ କେବଳ ରୋଜଗାର ଦେଇନି, ଉଚ୍ଚଶିକ୍ଷା ପାଇଁ ମଧ୍ୟ ବାଟ ଦେଖାଇଛି। ପାହାଡ଼, ପର୍ବତ ଓ ଘଞ୍ଚ ଜଙ୍ଗଲ ଭିତରେ ଜୀବନ ବିତାଉଥିବା ଭୂମିଜ ସମ୍ପ୍ରଦାୟର ଝିଅ ରାଣୀଙ୍କ ପାଇଁ ଡିଜିଟାଲ୍‌ ଦୁନିଆ ଆଣିଦେଇଛି ପରିବର୍ତ୍ତନର ଧାରା। କେନ୍ଦୁଝରଜିଲ୍ଲା ଆନନ୍ଦପୁର ବ୍ଲକ୍‌ ପଣସିଝରଣ ଗାଁର ରାଣୀ ସିଂ। ବୟସ ୧୮। ଘରର ଆର୍ଥିକ ଦୁରବସ୍ଥା ଯୋଗୁଁ ୟୁଟ୍ୟୁବ୍‌ରେ ଭିଡିଓ କରି ରୋଜଗାର କରିବାର ସ୍ବପ୍ନ ଦେଖିଥିଲେ। ସେଥିପାଇଁ ହାତରେ ଖଣ୍ଡେ ମୋବାଇଲ୍‌ ନଥିଲା, ଗାଁରେ ନେଟ‌୍ୱର୍କ ନ ଥିଲା। ଫଳରେ ଭିଡିଓ କରିବା ସହଜ ନଥିଲା। ବାପା ପୀତାମ୍ବର ସିଂ ନିଜ ମାଲିକଙ୍କଠାରୁ କିସ୍ତିରେ ଏକ ମୋବାଇଲ୍‌ ଆଣିଥିଲେ। ପରେ ରାଣୀ ନିଜ ସମ୍ପ୍ରଦାୟ ତଥା ଅଞ୍ଚଳର ଖାଦ୍ୟପେୟ, ପରମ୍ପରା, ପର୍ବପର୍ବାଣି ସାଙ୍ଗକୁ ଗୁରୁଜନମାନଙ୍କ କଥାକୁ ନେଇ ଭିଡିଓ କରି ଲୋକଙ୍କ ପାଖରେ ପହଞ୍ଚାଇଲେ। ଏଥିପାଇଁ ସେ ‘ଟ୍ରାଇବ୍‌ ବ୍ଲଗର୍ ରାଣୀ’ ନାମରେ ଏକ ଚ୍ୟାନେଲ୍‌ କରିଥିଲେ। ଏମିତିକି ଭିଡିଓ କରିବା ପାଇଁ ତାଙ୍କୁ ନିଜ ଗାଁଠାରୁ ୧୫ କିଲୋମିଟର ଦୂରକୁ ଆସିବାକୁ ପଡୁଥିଲା। ପରବର୍ତ୍ତୀ ସମୟରେ କେବଳ ଭିଡିଓ କରି ପାଠପଢ଼ିବା ଉଦ୍ଦେଶ୍ୟରେ ଗାଁଠାରୁ କିଛି ଦୂରକୁ ଆସି ନିଜ ପରିବାର ସହ ରହୁଛନ୍ତି। ଭିଡିଓ କରିବା ପାଇଁ ପ୍ରତି ସପ୍ତାହରେ ଗାଁକୁ ଯାଆନ୍ତି। କେତେବେଳେ ଆଦିବାସୀ ସମ୍ପ୍ରଦାୟଙ୍କ ଖାଦ୍ୟ ସମ୍ଭାର ତ ଆଉ କେତେବେଳେ ପର୍ବପର୍ବାଣିର ଭିଡିଓକୁ ମୋବାଇଲରେ କଏଦ୍ କରି ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛନ୍ତି।
ଡିଜିଟାଲ୍‌ ପ୍ଲାଟ୍‌ଫର୍ମରୁ ରୋଜଗାର ହେଉଥିବା ମାସକୁ ୮-୧୦ ହଜାର ଟଙ୍କାରେ ରାଣୀ ନିଜର ଓ ନିଜ ଭାଇର ପାଠପଢ଼ା ଖର୍ଚ୍ଚ ତୁଲାଉଛନ୍ତି। ଏବେ ତାଙ୍କ ଚ୍ୟାନେଲ୍‌ରେ ୧ ମିଲିୟନ୍‌ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ବାପାଙ୍କ ହାତ ହରାଇବା ପରେ ସେ ଏପରି ପଦକ୍ଷେପ ନେଇଥିଲେ। ଏହାପରେ ଲୋକଙ୍କ ଭଲପାଇବା ଯୋଗୁଁ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଛନ୍ତି। ଏହି ଡିଜିଟାଲ୍‌ ମାଧ୍ୟମରେ ଆଗକୁ ଆହୁରି ଅଧିକ ପାଠପଢ଼ି ସଫଳତା ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି।

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

 ଡିଜିଟାଲ୍‌ ବାଟ ଦେଖାଉଛନ୍ତି ମଞ୍ଜୁଲତା
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଚତୁରଞ୍ଜଳି ଗ୍ରାମପଞ୍ଚାୟତର ମଞ୍ଜୁଲତା ଚତର। କେବଳ ଘରକୋଣରେ ଲୁଚିରହିଥିବା ଏହି କୋହ୍ଲ ସମ୍ପ୍ରଦାୟର ମହିଳା ମଞ୍ଜୁଲତାଙ୍କ ପାଇଁ ଡିଜିଟାଲ୍‌ ଦୁନିଆ ଆଣିଦେଇଛି ନୂତନ ପରିଚୟ ଓ ସମ୍ଭାବନା। ଏକଦା ନେଟ୍‌ୱର୍କ ପାଇଁ ଶହେ ଫୁଟ ଗଛ ଉପରେ ଦିନ ଦିନ ବିତାଇବାକୁ ପଡ଼ୁଥିଲା କିମ୍ବା ବାଉଁଶରେ ମୋବାଇଲ୍‌ ବାନ୍ଧିବାକୁ ପଡୁଥିଲା। ଏମିତିକି ବ୍ୟାଙ୍କ୍‌ ସେବାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଗାଁ ଠାରୁ ୧୦-୧୫ କିଲୋମିଟର ଦୂରକୁ ଆସିବାକୁ ପଡୁଥିଲା। ମାତ୍ର ଏବେ ମଞ୍ଜୁଲତାଙ୍କ ହାତ ପାହାନ୍ତାରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ। ନିଜ ଗ୍ରାମରେ ଜନ ସେବା କେନ୍ଦ୍ର କରି ଲୋକଙ୍କୁ ସେବା ଯୋଗାଉଛନ୍ତି। ଯୁକ୍ତ ୩ ପାଠ ପଢ଼ିଥିବା ମଞ୍ଜୁଲତା ଏବେ ବି ଯୋଗାଯୋଗ ଅପହଞ୍ଚ ଥିବା ୧୨ଟି ଗ୍ରାମର ଲୋକଙ୍କୁ ସରକାରୀ ଯୋଜନା, ବୃତ୍ତି, ବ୍ୟାଙ୍କିଂ ସେବା, ଟିକେଟ୍‌ ଆଦି କରିବାରେ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ୧୭୦୦ରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବାରେ ସେ ସହାୟକ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ନିଜ ଭଳି ଅନ୍ୟ ଝିଅମାନଙ୍କୁ ଡିଜିଟାଲ୍‌ କ୍ଷେତ୍ରରେ ସଶକ୍ତ କରିବାରେ ସେ ସଫଳ ହୋଇପାରିଛନ୍ତି। ଏଥିପାଇଁ ସେ ୧୦ ଜଣ ଝିଅଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦେଇ ରୋଜଗାରର ବାଟ ଦେଖାଇଛନ୍ତି। ଉପାନ୍ତ ଅଞ୍ଚଳରେ ମଞ୍ଜୁଲତାଙ୍କ ଏହି ଉଦ୍ୟମ ପାଇଁ ତାଙ୍କୁ ଜାତୀୟସ୍ତରରେ ପୁରସ୍କୃତ ମଧ୍ୟ କରାଯାଇଛି। ଏ ସମ୍ପର୍କରେ ମଞ୍ଜୁଲତା କହନ୍ତି, ପୂର୍ବରୁ ନେଟ୍‌ୱର୍କ ପାଇଁ ଯେଉଁସବୁ ପ୍ରତିବନ୍ଧକ ଥିଲା, ତାହା ଏବେ ସହଜ ହୋଇପାରିଛି ଏବଂ ଗୋଟିଏ କ୍ଲିକ୍‌ରେ ଲୋକଙ୍କ ପାଖରେ ସେବା ପହଞ୍ଚିପାରୁଛି।