Photograph: (sambad.in)
ଅତର କାହାକୁ ବା ଭଲ ନ ଲାଗେ? କିଏ ଝାଳ ଦୁର୍ଗନ୍ଧ ତ ଆଉ କିଏ ସତେଜ ଅନୁଭବ କରିବାକୁ ଅତର ଲଗାଇଥାଏ। ଏବେ ବଜାରରେ ଦେଶୀବିଦେଶୀ ବ୍ରାଣ୍ଡ୍ର ହଜାର ହଜାର ପ୍ରକାର ଅତର ବିକ୍ରି ହେଉଛି। ତା’ଭିତରେ ପୁଣି ଏପରି ଅନେକ ଅତର/ଫର୍ଫ୍ୟୁମ୍ ଅଛି ଯାହାର ଦର ଆକାଶଛୁଆଁ। ବେଳେେବଳେ ଏପରି ପର୍ଫ୍ୟୁମ୍ ବ୍ୟବହାର କରିବାକୁ ଇଚ୍ଛା ଥିଲେ ମଧ୍ୟ କିଣିବାକୁ ସମ୍ବଳ ନଥାଏ। ସେମିତି ସମସ୍ୟାର ସମ୍ମୁଖୀନ ହୋଇଥିଲେ ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ବିଶ୍ବରଞ୍ଜନ ସାହୁ। ଫର୍ଫ୍ୟୁମ୍ କିଣିବାକୁ ପାଖରେ ଟଙ୍କା ନଥିବାରୁ ସେ ନିଜେ ପର୍ଫ୍ୟୁମ୍ ବ୍ୟବସାୟକୁ ଓହ୍ଲାଇ ଆସିଛନ୍ତି।
ଏମ୍ବିଏ ପଢ଼ା ସାରି ସେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। କିଛିଦିନ କାମ କଲାପରେ ସେଠି ତାଙ୍କର ମନ ଲାଗି ନଥିଲା। ଇଚ୍ଛା ଥିଲା ବ୍ୟବସାୟ କରିବେ। ବ୍ୟକ୍ତିଗତ ଭାବେ ଅତରପ୍ରିୟ ହୋଇଥିବାରୁ ସେ ଏହାକୁ ରୋଜଗାର ପନ୍ଥା କରିବାକୁ ନିଷ୍ପତ୍ତିନେଲେ। ବଜାର ସ୍ଥିତି ତର୍ଜମା କଲେ ଏବଂ ବହୁ ଗବେଷଣା ପରେ ସେ ଅତର ତିଆରି କରିବା ଶିଖିଲେ। ବିଶ୍ବରଞ୍ଜନ କହନ୍ତି,‘‘ଅତରରେ ମୋର ବହୁତ ସଉକ। ମଧ୍ୟବିତ୍ତ ଘରର ପିଲା ହୋଇଥିବାରୁ ଦାମୀ ପର୍ଫ୍ୟୁମ୍ କିଣିପାରୁ ନଥିଲି। ତେଣୁ ଅତର ତିଆରି କରିବା ପାଇଁ ଚେଷ୍ଟାକଲି। ବାଙ୍ଗାଲୋର୍ରେ ପର୍ଫ୍ୟୁମ୍ ଉପରେ କୋର୍ସ କଲି। ପ୍ରଥମେ ନିଜ ପାଇଁ ଅତର ତିଆରି କଲି। ଧୀରେ ଧୀରେ ଏହା ମୋ ବନ୍ଧୁ ଓ ପରିବାରବର୍ଗଙ୍କ ଦ୍ବାରା ଆଦୃତ ହେଲା। ସମସ୍ତଙ୍କ ପ୍ରୋତ୍ସାହନ ପାଇ ମୁଁ ଏହାକୁ ବ୍ୟବସାୟ ରୂପଦେଲି, ଆଉ ନୀତି ରଖିଲି- ପେକଟ୍କୁ ସୁହାଇଲା ଭଳି ଦରରେ ଦାମୀ ଅତର ବିକ୍ରି କରିବି। ବଜାରରେ ୨୦ରୁ ୪୦ ହଜାର ଟଙ୍କାରେ ମିଳୁଥିବା ପର୍ଫ୍ୟୁମ୍କୁ ମୁଁ ଏଠାରେ ତିଆରିକରି ୨ ହଜାର ଟଙ୍କା ଭିତରେ ବିକ୍ରି କରୁଛି। ପ୍ରଥମେ ମାଆଙ୍କଠାରୁ ୧୦ ହଜାର ଟଙ୍କା ନେଇ ପର୍ଫ୍ୟୁମ୍ ତିଆରି ସାମଗ୍ରୀ ଓ ସରଞ୍ଜାମ କିଣିଥିଲି। ଅନେକ ଦିନ ପ୍ରୟାସକରି ବିଫଳ ହେବାପରେ ଶେଷରେ ଉପଯୁକ୍ତ ମିଶ୍ରଣର ଭାଗମାପ ଜାଣିପାରିଲି।’’
୧୫୦ରୁ ଅଧିକ ପ୍ରକାର ପରଫ୍ୟୁମ୍ର ମାଲିକ
ବିଶ୍ବରଞ୍ଜନ ତାଙ୍କ ପର୍ଫ୍ୟୁମ୍ ବ୍ରାଣ୍ଡ୍ର ନାମ ରଖିଛନ୍ତି- ଇଣ୍ଡିଏସେନ୍ସ୍। ଏବେ ସେ ଘରେ ପର୍ଫ୍ୟୁମ୍ ତିଆରି କରୁଛନ୍ତି ଏବଂ କ୍ରେତା ଆସି କିଣି ନେଉଛନ୍ତି। ସୋସିଆଲ୍ ମିଡିଆ ଜରିଆରେ ତାଙ୍କ ପାଖକୁ ଅର୍ଡର୍ ଆସୁଛି ଏବଂ ସେ ନିଜେ ନେଇ ଲୋକଙ୍କ ଘରେ ପର୍ଫ୍ୟୁମ୍ ପହଞ୍ଚାଉଛନ୍ତି। ସେ କହନ୍ତି,‘‘ମୋ ପାଖରେ ଫିଲିଙ୍ଗ୍ ମେସିନ୍ ଓ ବ୍ଲେଣ୍ଡିଙ୍ଗ୍ ମେସିନ୍ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାର ଜିନିଷ ମିଶାଇ ମୁଁ ପର୍ଫ୍ୟୁମ୍ ତିଆରି କରୁଛି। ଏହା ଚର୍ମର କୌଣସି କ୍ଷତି ବା ଆଲର୍ଜି କରିବନାହିଁ। ଅହମଦାବାଦ, କନ୍ନୌଜ ଓ କୋଲ୍କାତାରୁ କଞ୍ଚାମାଲ୍ ଆଣୁଛି। ୨୦୨୨ରେ ପର୍ଫ୍ୟୁମ୍ ତିଆରି ଆରମ୍ଭ କରିଥିଲି ଏବଂ ୨୦୨୪ରେ ଏହାକୁ ବ୍ୟବସାୟ ରୂପ ଦେଇଛି। ଏବେ ମୋ ବ୍ରାଣ୍ଡ୍ରେ ୧୫୦ରୁ ଅଧିକ ପ୍ରକାର ପର୍ଫ୍ୟୁମ୍ ଅଛି। ଗୁଚିଫ୍ଲୋରା ଭଳି ଦାମୀ ବ୍ରାଣ୍ଡ୍ର ସୁଗନ୍ଧକୁ ମୁଁ ଫ୍ଲୋରା ନାମରେ ବିକ୍ରି କରୁଛି। ସେହିପରି ଗେମ୍ ଅନ୍, ଖାମାରା, ଆମେରିକାନ୍ ଡ୍ରିମ୍, ବ୍ଲୁବେରି, କ୍ୟାଣ୍ଡି କିସ୍, ଗିଲି ମିଟି, ଜାଜ୍ ରୟାଲ୍, ଲଭ୍ଲି, ମେଲୋଡ଼ି, ୱାନ୍ ମିଲିୟମ୍, ଡ୍ରାଗନ୍ ବ୍ଲଡ୍, ଏଣ୍ଟ୍ ମ୍ୟାନ୍ ଭଳି ହାତତିଆରି ପର୍ଫ୍ୟୁମ୍ ମଧ୍ୟ ମୋ ପାଖରେ ରହିଛି। ୫୦୦ ଟଙ୍କାରୁ ନେଇ ୨୦୦୦ ଟଙ୍କାରେ ଏହା ବିକ୍ରି କରୁଛି। ଆଗକୁ ସୋ’ରୁମ୍ ଖୋଲି ବ୍ୟବସାୟ କରିବି ବୋଲି ଯୋଜନା କରିଛି।’’
ଆହୁରି ପଢ଼ନ୍ତୁ: ଫୁଲର ଋତୁ ଶୀତ ଋତୁରେ ଏସବୁ ଫୁଲଗଛ ଲଗାନ୍ତୁ, ସୁନ୍ଦର ସହ ସୁଗନ୍ଧରେ ପୂରି ଉଠିବ ଘର...
Follow Us