health problem Photograph: (Google)
ଆଜିକାଲି ହାଇହିଲକୁ ଫ୍ୟାସନର ଏକ ମୁଖ୍ୟ ଅଙ୍ଗ ବୋଲି ଧରାଯାଉଥିଲେ ବି ଏହା ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟାର କାରଣ ହେଉଛି। ଆଣ୍ଠୁ ଯନ୍ତ୍ରଣା ଠାରୁ ଆରମ୍ଭ କରି ପାଦ ଓ ଲିଗାମେଣ୍ଟ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି। ସେ ଷ୍ଟିଲେଟୋ ହେଉ କିମ୍ବା ସ୍ୟାଣ୍ଡେଲ୍ ଅନ୍ୟ ଯେକୌଣସି ପ୍ରକାରର ହିଲ୍, ଏମାନଙ୍କ ବିନା ଜଣେ ମହିଳାଙ୍କର ଷ୍ଟାଇଲ୍ ଓ ଫ୍ୟାସନ୍ ଅସମ୍ପୂର୍ଣ୍ଣ କୁହାଯାଉଥିଲେ ମଧ୍ୟ ଏହି ହିଲ୍ଗୁଡ଼ିକ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ। ହାଇହିଲ୍ ଜୋତା ବ୍ୟବହାରରୁ ଦେଖାଯାଇଥାଏ ନିମ୍ନଲିଖିତ ସ୍ୱାସ୍ଥ୍ୟ ସମସ୍ୟା...
ଅଣ୍ଟା ଯନ୍ତ୍ରଣା ବା ଲୋ ବ୍ୟାକ୍ ପେନ୍:
ସମ୍ପୂର୍ଣ୍ଣ ଶରୀରର ଓଜନର ଭାର ଅଣ୍ଟା ଓ ଦୁଇ ଗୋଡ଼ ଉପରେ ହିଁ ପଡ଼ିଥାଏ। ହାଇ ହିଲ୍ ପିନ୍ଧିବା ଦ୍ୱାରା ଶରୀରର ଓଜନ ଅଣ୍ଟା ଓ ଗୋଡ଼ ଉପରେ ଅସନ୍ତୁଳିତ ଭାବରେ ପଡ଼ିଥାଏ। ଫଳରେ ପିଠି ଓ ଅଣ୍ଟା ପାଖରେ ଅପ୍ରାକୃତିକ ବକ୍ରତା ସୃଷ୍ଟି ହୁଏ, ଯାହା କି ଅଣ୍ଟାଫୁଲା, ଦରଜ ଓ ବିନ୍ଧା କରାଏ। ଚିକ୍କଣ ରାସ୍ତା କିମ୍ବା ଅଫିସ/ ହୋଟେଲ/ ରାମ୍ପରେ ଚାଲିବା ଛଡ଼ା ଯଦି ସାମାନ୍ୟ ଅସମତଳ କିମ୍ବା ଆବୁଡ଼ା-ଖାବୁଡ଼ା ରାସ୍ତାରେ ଚାଲିବାକୁ ପଡ଼େ ତା’ହେଲେ ହିଲ୍ ଯୋଗୁଁ ଗୋଇଠି ମକଚି ହେବା ସ୍ବଭାବିକ। ଯାହାଦ୍ବାରା ବ୍ୟାକ୍ ପେନ୍ ବାହାରିଥାଏ।
ଆହୁରି ପଢ଼ନ୍ତୁ: ଠାକୁରଙ୍କୁ ମଧ୍ୟ ଶୀତ ଲାଗେ!
ଆଙ୍ଗୁଠି ଯନ୍ତ୍ରଣା
ହିଲ୍ ଜୋତାଗୁଡ଼ିକରେ ସାଧାରଣତଃ ଅଗ୍ର ଭାଗ ସରୁ ଓ ଗୋଜିଆ ହୋଇଥାଏ। ଏଥିରେ ପାଦର ଆଙ୍ଗୁଠିଗୁଡ଼ିକ ଅପ୍ରାକୃତିକ ଓ ଅତ୍ୟଧିକ ଜାକି ହୋଇ ରୁହେ। ଜୋତା ଭିତରେ ବାରମ୍ବାର ଓ ଲଗାତାର ପାଦ ଆଙ୍ଗୁଠି ଏମିତି ଜାକିହୋଇ ଓ ମୂଳ ପାଖରୁ ବଙ୍କା ହୋଇ ରହିବା ଦ୍ୱାରା ହାମର ଟୋ ନାମକ ସମସ୍ୟା ଦେଖାଯାଏ। ସାଧାରଣତଃ ବୁଢ଼ା ଆଙ୍ଗୁଠି ପାଖକୁ ଥିବା ଦ୍ୱିତୀୟ ଆଙ୍ଗୁଠିଟି ଏଥିରେ ଆକ୍ରାନ୍ତ ହୋଇ ମଝି ଯୋଡ଼ା ବା ଜଏଣ୍ଟ୍ ପାଖରୁ ବଙ୍କା ହୋଇଯାଏ। ଏଥିରେ କେବଳ ଯନ୍ତ୍ରଣା ନୁହେଁ, ମହିଳାମାନଙ୍କ ଚାଲି ମଧ୍ୟ ପ୍ରଭାବିତ ହୋଇଥାଏ। ଏ ପରିସ୍ଥିତିରେ ଚଉଡ଼ା ଅଗ୍ରଭାଗ ବା ୱ୍ୱାଇଡ ଟୋ ବକ୍ସ କିମ୍ବା ଖୋଲା ଟୋ ଜୋତା ବ୍ୟବହାର ଓ ଫିଜିଓଥେରାପି କିଛି ମାତ୍ରାରେ ଉପଶମ ଦେଇଥାଏ।
ଆହୁରି ପଢ଼ନ୍ତୁ: ଶୀତଦିନେ ଗିଜର ବ୍ୟବହାର କରୁଛନ୍ତି କି ? ଜାଣି ରଖନ୍ତୁ ଏହି ସବୁ କଥା
ପାଦ ଯନ୍ତ୍ରଣା
ହାଇହିଲ୍ ଜୋତାଗୁଡ଼ିକ ପାଦକୁ ସବୁବେଳେ ଅସ୍ୱାଭାବିକ ଭାବେ ବଙ୍କା, ଜାକି କରି, ମୋଡ଼ିକରି ରଖେ। ଏଗୁଡ଼ିକୁ ପିନ୍ଧି ଚାଲିବା ଦ୍ୱାରା ସମ୍ପୂର୍ଣ୍ଣ ପାଦ ଉପରେ ସମାନ ଭାବେ ଚାପ ନ ପଡ଼ି କିଛି ଅ°ଶରେ ଅଧିକ ଓ କିଛି ଅ°ଶରେ କମ୍ ପଡ଼ିଥାଏ। ଏହା ଦ୍ୱାରା ପାଦର ଗଠନ ପ୍ରଣାଳୀ ପ୍ରଭାବିତ ହୁଏ। ପାଦର ଆଙ୍ଗୁଠି, ମଝି ଅ°ଶ ଓ ଗୋଇଠି ଦରଜ ହୋଇଯାଏ। ପାଦର ଅନେକ ଅ°ଶରେ ବିଣ୍ଡି ମଧ୍ୟ ପଡ଼ିଯାଏ। ପାଦକୁ ତଳେ ଥାପିବା, ଚାଲିବା କଷ୍ଟସାଧ୍ୟ ଲାଗେ।
ଲିଗାମେଣ୍ଟ୍ ଦୁର୍ବଳ ହେବା
ବାରମ୍ବାର ଗୋଇଠି ଓ ପାଦ ମକଚି ହେବା, ଆଘାତ ଲାଗିବା, ପାଦ ଓ ଆଙ୍ଗୁଠି ଗୁଡ଼ିକର ବଙ୍କା ଓ ହାଇପର ଏକ୍ସଟେଣ୍ଟ୍ ପୋଶ୍ଚର ପାଦ ଓ ଗୋଡ଼ର ଲିଗାମେଣ୍ଟସ ଉପରେ ଅସ୍ୱାଭାବିକ ଚାପ ପକାଏ ଓ ଆଘାତ କରେ। ଲିଗାମେଣ୍ଟ୍ଗୁଡ଼ିକ ମା°ସପେଶୀ ଓ ଜଏଣ୍ଟ୍କୁ ଧରି ରଖେ। କିନ୍ତୁ ହାଇହିଲ୍ ପିନ୍ଧିବା ଦ୍ୱାରା ଲିଗାମେଣ୍ଟ୍ଗୁଡ଼ିକ ବାରମ୍ବାର ଆଘାତ ପାଇ ଦୁର୍ବଳ ହୋଇଯାଆନ୍ତି ଓ ଭୀଷଣ ଯନ୍ତ୍ରଣା ମଧ୍ୟ ହୁଏ।
ରକ୍ତ ପ୍ରବାହ ଓ ରକ୍ତନଳୀର ସମସ୍ୟା
ପାଦ ହାଇହିଲ୍ ଜୋତା ଭିତରେ ରହିବା କାରଣରୁ ପାଦର ଅନେକ ଅ°ଶରେ ରକ୍ତ ପ୍ରବାହ ଓ ବାହକ ନଳୀ ଚାପିହୋଇ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ଏହାଦ୍ୱାରା ସାଧାରଣତଃ ପାଦ ପିଡ଼ା, ଝିମ୍ଝିମ୍ ହେବା ଓ ଫୁଲା ଦେଖାଯାଏ। କିଛି ମହିଳାଙ୍କ ପାଦରେ ଇସ୍କେମିକ୍ ଅଲ୍ସର୍ ଘା’ ଦେଖାଯାଏ।
ଗୋଡ ପେଣ୍ଡା ଦରଜ ଓ ଯନ୍ତ୍ରଣା ବା କାଲ୍ଫ ସୋର୍ନେସ୍
ହାଇହିଲ୍ କେବଳ ପାଦ ନୁହେଁ ଗୋଡ଼ର ପେଣ୍ଡାଗୁଡ଼ିକ ଉପରେ ମଧ୍ୟ ଅସ୍ୱାଭାବିକ ଓ ଅତ୍ୟଧିକ ଚାପ ପକାଇଥାଏ। ଅନେକ ସମୟରେ ପେଣ୍ଡାର ଶୀରାପ୍ରଶିରାଗୁଡ଼ିକ ଅସ୍ୱାଭାବିକ ଭାବରେ ଫୁଲି ଯାଏ। ଏହା କେବଳ ଗୋଡ଼କୁ ଅସୁନ୍ଦର କରେନି ବର° ଅନେକ ସମୟରେ ଭାରିକୋଜ୍ ଭେନ୍, ଗୋଡ଼ ବିନ୍ଧାର କାରଣ ମଧ୍ୟ ହୋଇଥାଏ।
ମେରୁଦଣ୍ଡର ଅସ୍ୱାଭାବିକ ବକ୍ରତା
ହାଇହିଲ୍ ଜୋତା ଆପଣଙ୍କ ଅଣ୍ଟା ଓ ପୃଷ୍ଠଭାଗକୁ ପଛପାଖକୁ ବକ୍ର କରି ଆୱାର ଗ୍ଲାସ୍ ସେଫ୍ ଦେଇଥାଏ। ଏହି ଅପ୍ରାକୃତିକ ବକ୍ରତା ମହିଳାମାନେ ଚାଲିଲା ବେଳେ ଅଣ୍ଟା ପାଖରେ ଗୋଟିଏ ପ୍ରକାର ଦୋଳାୟମାନ ଗତି ଦିଏ। ଅନେକ ଏହାକୁ ନାରୀ ସୌନ୍ଦର୍ଯ୍ୟର ମାପକାଠି ମାନି ନିଅନ୍ତି। କିନ୍ତୁ ଏହି ଅସ୍ୱାଭାବିକ ବକ୍ରତା ଓ ଦୋଳାୟମାନ ଗତି ପାଇଁ ମହିଳାମାନେ ଚାଲିବା ସମୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ନିଜ ପ୍ରାକୃତିକ ଚାଲିକୁ ବଦଳାଇବା ପାଇଁ ବାଧ୍ୟ ହୁଅନ୍ତି, ଯାହା ସମ୍ପୂର୍ଣ୍ଣ ଗୋଡ଼, ଅଣ୍ଟା ଓ ମେରୁଦଣ୍ଡ ଉପରେ କୁପ୍ରଭାବ ପକାଏ।
ଆହୁରି ପଢ଼ନ୍ତୁ: ଶୀତ ଦିନେ ଏମିତି ଦେଖାଯା’ନ୍ତୁ ସ୍ମାର୍ଟ ଓ ଷ୍ଟାଇଲିଶ୍
Follow Us