୬ ଜାନୁଆରି ୧୯୫୧ରେ ସମ୍ବଲପୁରର ପଟ୍ଟନାୟକପଡ଼ାରେ ତାଙ୍କ ଜନ୍ମ। ପିଲାଦିନ ବିତିଛି ସମ୍ବଲପୁର, କଳାହାଣ୍ଡି ଭଳି ଭିନ୍ନ ଭିନ୍ନ ସହରରେ। ରେଭେନ୍ସା ଓ ବାଣୀ ବିହାରେର ପାଠପଢ଼ା ପରେ ଭୋପାଳରେ ଦୁଇ ଦଶନ୍ଧିର ଅଧ୍ୟାପନା ଭିତରେ ଜାରି ରହିଥିଲା ସୃଜନଯାତ୍ରା। କବିତା, ଗଳ୍ପ, ଉପନ୍ୟାସ ସବୁଥିରେ ଧୁରୀଣା ସେ। ତାଙ୍କର କ୍ଷୁଦ୍ର ଗଳ୍ପ ‘ବର’ ୨୦୦୭ରେ ଦୂରଦର୍ଶନ ଦ୍ବାରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଚୟନ ହୋଇଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ ଯଶୋଧାରା ମିଶ୍ର ମଧ୍ୟ ‘ଇଣ୍ଡିିଆନ୍ ଲିଟରେଚର’ର ପ୍ରଥମ ମହିଳା ସଂପାଦିକା। ତାଙ୍କ ସହ ଆଳାପ କରିଛନ୍ତି ଶୁଭଶ୍ରୀ ଲେଙ୍କା
ଆପଣଙ୍କ ଜନ୍ମ ସମ୍ବଲପୁରରେ। ପିଲାଦିନ ଓ ପଶ୍ଚିମ ଓଡ଼ିଶାର ସ୍ମୃତି କେମିତି ମନେ ପକେଇବେ?
ମୋ ପିଲାଦିନ ସାଧାରଣ ଓଡ଼ିଆ ପରିବାରର ପିଲାଟିଏ ତୁଳନାରେ ବେଶ୍ ଭିନ୍ନ ଭାବେ କଟିଛି। ଜନ୍ମ ଅଜା ଭାରତ ଚନ୍ଦ୍ର ନାୟକଙ୍କ ଘରେ, ସମ୍ବଲପୁର ସହରରେ। ବାପାଙ୍କ ଘର କଳାହାଣ୍ଡି, ଏବଂ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ହୀରାକୁଦ ବନ୍ଧ ନିର୍ମାଣରେ ଇଂଜିନିୟର ଭାବେ। ତାହାରି ଛୋଟ ଛୋଟ କଲୋନିରେ ମୋର ଶୈଶବ କଟିଲା। ଛଅ ସାତ ବର୍ଷର ହେବା ଯାଏ ମୁଁ ସ୍କୁଲ୍ ମାଡ଼ି ନଥିଲି। ଘରେ ମା’ କିଛିକିଛି ପଢ଼ାଉଥିଲେ। ବାପା ବୁର୍ଲା ଇଂଜିନିୟରିଂ କଲେଜରେ ଅଧ୍ୟାପନାରେ ଯୋଗ ଦେଲେ। ମୋ ନାଁ ଲେଖାଗଲା ହୀରାକୁଦ ହାଇସ୍କୁଲ ବୁର୍ଲାରେ, ଏକାବେଳକେ ଚତୁର୍ଥ ଶ୍ରେଣୀରେ। ସେତେବେଳେ ସ୍କୁଲର ଅଧାଅଧି ଛାତ୍ର ଛାତ୍ରୀ ଓ ଶିକ୍ଷକ ଅଣଓଡ଼ିଆ ଥିଲେ। ହେଡମାଷ୍ଟର ନିହାଲ୍ ଚାନ୍ଦ ଥିଲେ ଦେଶ ବିଚ୍ଛେଦ ବେଳେ ପାକିସ୍ତାନରୁ ଆସିଥିବା ପଞ୍ଜାବୀ, ଓ ଆସିଷ୍ଟାଣ୍ଟ ହେଡମାଷ୍ଟର କାଚରୁ ସାର ଥିଲେ କାଶ୍ମୀରରୁ। ଉଭୟେ ଓଡ଼ିଆ କହି ପାରୁନଥିଲେ। ଓଡ଼ିଆ ଓ ହିନ୍ଦୀ ମାଧ୍ୟମରେ ଭିନ୍ନଭିନ୍ନ ସେକ୍ସନରେ ପଢ଼ାଯାଉଥିଲା। ମୋର ଅଷ୍ଟମ ଶ୍ରେଣୀ ପରେ ବାପା ରାଉରକେଲା ଇଂଜିନିୟରିଂ କଲେଜରେ ଯୋଗ ଦେବାରୁ ମୁଁ ପଢ଼ିଲି ସହରର ଇସ୍ପାତ ହାୟର ସେକେଣ୍ଡାରି ବିଦ୍ୟାଳୟରେ। ସେଠି ମଧ୍ୟ ଅଧାଅଧି ଛାତ୍ର ଓ ଶିକ୍ଷକ ଅଣଓଡ଼ିଆ। ଓଡ଼ିଆ ଓ ଇଂରେଜୀ ମିଡିୟମ୍ ସେକ୍ସନ ଭିନ୍ନଭିନ୍ନ ଥିଲା କିନ୍ତୁ ନବମ ପରେ କେତେକ ବିଷୟରେ ପିଲାଏ ଏକାଠି ବସୁଥିଲେ। ଆଜି ଲାଗେ ମୋର କେଡ଼େ ସୌଭାଗ୍ୟ ଯେ ଜୀବନର ଆରମ୍ଭରୁ ଏତେ ପ୍ରକାର ଭାଷା, ସଂସ୍କୃତି ଓ ବିଭିନ୍ନତାର ଅନୁଭବ ମୋତେ ଗଢ଼ିଲା। ଏହା ସହିତ ମୋ ବାପା ଓ ମା’ ଉଭୟଙ୍କ ପରିବାର ଅତି ବିଶାଳକାୟ ଓ ପରସ୍ପର ପାରିବାରିକ ସମ୍ବନ୍ଧ ଏକ ଅବିଚ୍ଛିନ୍ନ କୁଟୁମ୍ବ ଭଳି ଥିଲା କହିଲେ ଚଳେ। ଅଧିକାଂଶ ପରିବାର ପଶ୍ଚିମ ଓଡ଼ିଶାରେ ରହୁଥିଲେ ବି ଅନେକେ ଉପକୂଳବର୍ତ୍ତୀ ଓଡ଼ିଶା ତଥା ରାଜ୍ୟ ବାହାରେ ମଧ୍ୟ ରହୁଥିଲେ। ଆତ୍ମୀୟ ସ୍ୱଜନଙ୍କ ସହ ପୂଜା ପର୍ବ, ବିବାହ ବ୍ରତ ଆଦିରେ ବିରାଟ ଉତ୍ସବ ଭଳି ପରିବେଶ ହୁଏ। ପୁଣି ପ୍ରତି ବର୍ଷ ଖରାଛୁଟି, ଦଶହରା ଛୁଟିରେ ଜେଜେ ବାପାଙ୍କ ଘର କଳାହାଣ୍ଡି ଓ ସମ୍ବଲପୁର ମାମୁଘରକୁ ଯିବା ପାଇଁ ମୁଁ ଓ ମୋ ତିନି ଭାଇ ଅନାଇ ବସିଥାଉ। ପରବର୍ତ୍ତୀ ଜୀବନରେ ମୋର ଅନେକ ଲେଖା ଏଇ ଆଦ୍ୟ ଜୀବନର ଅନୁଭବ ନିଃସୃତ। ପକ୍ଷୀ ଜନ୍ମ ଓ ଇଷ୍ଟରୂପ ଉପନ୍ୟାସ ଦୁଇଟି ମୋ ମାମୁଘର ପୃଷ୍ଠଭୂମିରେ ଲେଖାଯାଇଛି। କଳାହାଣ୍ଡିର ଅନୁଭବକୁ ନେଇ ବର, ପୁଅ, କରା ଡଙ୍ଗରୀର ଦେବୀ ଆଦି ଅନେକ ଗଳ୍ପ ଲେଖିଛି। ହୀରାକୁଦ ବନ୍ଧର ପାଣି ତଳୁ ମୁଣ୍ଡ ଟେକିଥିବା ଜଳମଗ୍ନ ଗାଁର ମନ୍ଦିର ଚୂଡ଼ାକୁ ନେଇ ଲେଖା ଉପନ୍ୟାସିକାରେ ପିଲାଦିନର ଅନେକ ବିସ୍ମୃତ ଛବି ଆପେ ଚିତ୍ରିତ ହୋଇଯାଇଛି। ରାଉରକେଲାରେ ୧୯୬୪ରେ ଘଟିଥିବା ଭୟାବହ ସାଂପ୍ରଦାୟିକ ଦଙ୍ଗାର ପୃଷ୍ଠଭୂମିରେ ଲେଖା ମୋର ଉପନ୍ୟାସିକା, ଝିରପାଣିରେ ନିଆଁ।
‘ସମୁଦ୍ରକୂଳ ଘର’ ଗଳ୍ପ ସଂକଳନ ପାଇଁ ଆପଣ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି କିନ୍ତୁ ଆପଣଙ୍କ ଉପନ୍ୟାସର ଲୋକପ୍ରିୟତା ବେଶ୍ ଅଧିକ। ଏ ବିଷୟରେ ଆପଣଙ୍କ ବ୍ୟକ୍ତିଗତ ମତ କ’ଣ?
ଛାତ୍ର ଜୀବନରୁ ଲେଖିବା ଆରମ୍ଭ କରି ବିବାହ ପରେ ମୁଁ ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ରହିଛି। ଆଜୀବନ ଲେଖାଲେଖି ଜାରି ରଖି ନାନା ଭାବେ ପାଠକୀୟ ପ୍ରତିକ୍ରିୟା ପାଇ ଆସିଥିଲେ ବି କେଉଁ କୃତୀ କେତେ ଆଦୃତ ହୋଇଛି ସେକଥା ଜାଣିବାର ସୁଯୋଗ ମୁଁ ପ୍ରାୟତଃ ପାଇପାରେନି। ମୋର ଉପନ୍ୟାସ ବେଶୀ ଆଦୃତ ନା ଗଳ୍ପ, ସେ ବିଷୟରେ ବି ମୁଁ ନିଶ୍ଚିତ ନୁହେଁ। ତେବେ ଅଧିକାଂଶ ଲେଖା ପ୍ରକାଶିତ ହେବା ପରେ ଅନେକ ପାଠକଙ୍କ ପ୍ରତିକ୍ରିୟା ମୋ ପାଖେ ପହଂଚେ ଓ ମୁଁ କୃତାର୍ଥ ହୁଏ।
ଭୋପାଳରେ ପାଖାପାଖି କୋଡ଼ିଏ ବର୍ଷର ଅଧ୍ୟାପନା ଜୀବନ ବିତେଇଛନ୍ତି। ସେଠାକାର ସାଂସ୍କୃତିକ ଅନୁଭବକୁ କେଉଁ ରଚନାରେ ଫୁଟାଇଛନ୍ତି?
ମୋର ‘ହାତ ପାପୁଲିରେ ଖରା’ ଉପନ୍ୟାସଟି ସଂପୂର୍ଣ୍ଣ ଭାବେ ଭୋପାଳ ଉପରେ ଆଧାରିତ। ତାହା ପ୍ରଥମେ ‘କଥା’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହୋଇଥିଲା ଏବଂ ପଶ୍ଚିମା ପ୍ରକାଶକଙ୍କ ଦ୍ୱାରା ଉପନ୍ୟାସ ରୂପେ ପାଠକଙ୍କ ପାଖେ ପହଂଚିଥିଲା। ସାେଢ଼ ତିନି ଶହ ପୃଷ୍ଠା ବ୍ୟାପୀ ଏଇ ଉପନ୍ୟାସଟି ଭୋପାଳରେ ରହୁଥିବା ବେଳେ ମୋ ଜୀବନ ପରିସରକୁ ଆସିଥିବା ବିଭିନ୍ନ ବର୍ଗର ଚରିତ୍ରମାନଙ୍କ ସହ ସେଠାକାର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଇତିହାସକୁ ମଧ୍ୟ କିଛି ମାତ୍ରାରେ ରୂପ ଦେବାକୁ ପ୍ରୟାସ।
ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା ବେଳର ଅନୁଭବ କିପରି ଥିଲା? ଏହା ରେଭେନ୍ସା ଓ ବାଣୀବିହାର ବେଳର ଅନୁଭବଠାରୁ କିପରି ଭିନ୍ନ?
ଏହି ପ୍ରଶ୍ନର ଉତ୍ତର ଏହି ସଂକ୍ଷିପ୍ତ ସାକ୍ଷାତ୍କାରରେ ଦେବା ସମ୍ଭବ ନୁହେଁ। ତେବେ ଆଗ୍ରହୀ ପାଠକ ଏହାର ଉତ୍ତର ନିଶ୍ଚିତ ରୂପେ ମୋର ‘ହାତ ପାପୁଲିରେ ଖରା’ ଉପନ୍ୟାସଟିରେ ପାଇପାରିବେ। ମୋର ଛାତ୍ର ଜୀବନର ଅନୁଭବଠାରୁ ଭୋପାଳରେ ଅଧ୍ୟାପନା କାଳର ଅନୁଭବର ଭିନ୍ନତା ଯେ କେବଳ ସ୍ଥାନ ବା ଓଡ଼ିଆ ଓ ହିନ୍ଦୀ ଭାଷୀ ଅଞ୍ଚଳର ଭିନ୍ନତା ତା’ ନୁହେଁ, ଇତି ମଧ୍ୟରେ ମୋ ସମୟ ଓ ତା’ପରେ ଆସି ଚାଲିଯାଇଥିବା କେଇ ଦଶକର ସାମାଜିକ ଜୀବନ ତଥା ରାଜନୈତିକ ଇତିହାସର ପରିବର୍ତ୍ତିତ ଅବସ୍ଥା ମଧ୍ୟ।
କେନ୍ଦ୍ର ସାହିତ୍ୟ ଏକାଡ଼େମୀରେ ଇଂରେଜୀ ତ୍ରୟମାସିକ ‘ଇଣ୍ଡିଆନ୍ ଲିଟେରେଚର’ ପତ୍ରିକାର ଆପଣ ପ୍ରଥମ ମହିଳା ସଂପାଦିକା ଥିଲେ। ଅନୁଭବ ଓ ଅନୁଭୂତି କେମିତି ଥିଲା?
ଦେଶର ଶୀର୍ଷସ୍ଥ ତଥା ପ୍ରାଚୀନତମ ଇଂରେଜୀ ସାହିତ୍ୟିକ ପତ୍ରିକାର ସମ୍ପାଦନା କରିବା ମୋ ଲାଗି ନିଃସନ୍ଦେହରେ ଏକ ଅନନ୍ୟ ଅନୁଭବ ଥିଲା। ଏହି ସମ୍ପାଦନା କେବଳ କେତୋଟି ଉତ୍କୃଷ୍ଟ ମାନର ଲେଖା ବାଛିନେଇ ପ୍ରକାଶ କରିବାରେ ସୀମିତ ନଥିଲା, ଅସଲ କାମ ଥିଲା ସମଗ୍ର ଦେଶର ବାଇଶଟି ଭାଷା ସାହିତ୍ୟକୁ ମାତ୍ର ଦୁଇ ଶହ ଅଢ଼େଇ ଶହ ପୃଷ୍ଠା ସମ୍ବଳିତ ଏକ ଦ୍ୱିମାସିକ ପତ୍ରିକାରେ ମୁଖ୍ୟତଃ ଅନୁବାଦ ଜରିଆରେ ଉଚିତ ରୂପେ ଉପସ୍ଥାପନା କରିବା। ସମ୍ପାଦନା ଜରିଆରେ ମୁଁ ପତ୍ରିକାଟିର ସଫଳତା ଲାଗି ପାରୁପର୍ଯ୍ୟନ୍ତ ନିଷ୍ଠାରେ କାମ କରିଛି, ଆଉ ତା’ଠାରୁ ବଳି ସାର୍ଥକତା ପାଇଛି ମୋ ଦେଶର ବିଭିନ୍ନ ପ୍ରାନ୍ତର ସାହିତ୍ୟ ଓ ସଂସ୍କୃତିର ପରିଚୟ ପାଇବାକୁ ଶ୍ରମ କରିବାରେ।
ଦିଲ୍ଲୀର ସାଂସ୍କୃତିକ ଆବହାୱାରେ ମଧ୍ୟ ବେଶ୍ କିଛି ବର୍ଷ ବିତାଇଛନ୍ତି। ରାଜଧାନୀର ସାଂସ୍କୃତିକ ବାତାବରଣ ବିଷୟରେ କ’ଣ କହିବେ?
ଆମ ଦେଶର ରାଜଧାନୀ ଅନେକ ଭାଷା, ଅନେକ ସଂସ୍କୃତି ଓ ଅନେକ ପ୍ରକାର କାର୍ଯ୍ୟକଳାପର ଚିର ବ୍ୟସ୍ତ ସ୍ଥାନ। ଏଠାରେ ରହି ଜଣେଜଣେ ନିଜ ରୁଚି ଓ ପ୍ରତିଭା ଅନୁଯାୟୀ ନିଜ ସଫଳତା ଲାଗି ଚେଷ୍ଟା କରିବା ସହ ସମାଜକୁ ଅବଦାନ ମଧ୍ୟ ଦେଇପାରିବ।
ପୁରସ୍କାର ଓ ପାଠକପ୍ରିୟତା ଭିତରୁ ଆପଣ କେଉଁଟି ପସନ୍ଦ କରିବେ?
ପୁରସ୍କାର ଯେତେ ବଡ଼ ବା ମହତ୍ତ୍ୱପୂର୍ଣ୍ଣ ହେଉ ନା କାହିଁକି, ସମୟର ଛାପରେ ତା’ର ମହତ୍ତ୍ୱ ବଦଳିବ ନିଶ୍ଚୟ। ଏହା କିଛି ମାତ୍ରାରେ ପାଠକୀୟ ଆଦୃତି ବିଷୟରେ ମଧ୍ୟ ସତ ହୋଇପାରେ, କିନ୍ତୁ ଦେଖାଯାଇଛି ଯେ ବିଶ୍ୱ ବିଖ୍ୟାତ ସାହିତ୍ୟିକ କୃତିଟିଏ ସମସାମୟିକ ବିଚାର ବା ପୁରସ୍କାରକୁ ଭୁଲିଯାଇ ନିଜସ୍ୱ ସ୍ଥାନ ରଖିପାରେ। ଯୁଗଟିଏ ପରେ ମଧ୍ୟ ପାଠକର ହୃଦୟକୁ ଚହଲାଇ ଦେଇପାରେ। ଆମ ରାମାୟଣ, ଭାଗବତ ଓ ସେକ୍ସପିଅରଙ୍କ ନାଟକଠାରୁ ଆରମ୍ଭ କରି ଅଳ୍ପ କେଇ ପୃଷ୍ଠାରେ ଲେଖା ଟଲଷ୍ଟୟଙ୍କ !ହାଓ ମଚ୍ ଲ୍ୟାଣ୍ଡ...’, ରବୀନ୍ଦ୍ରନାଥଙ୍କ ‘କାବୁଲିବାଲା’ ଅଥବା କିଟସ୍ଙ୍କ ‘ନାଇଟିଙ୍ଗେଲ୍’ କବିତା ଏହାର ନିଦର୍ଶନ। ସବୁବେଳେ ପ୍ରାର୍ଥନା କରିବି ଯେ ମୋ ଲେଖା ପାଠକର ହୃଦୟକୁ ସ୍ପର୍ଶ କରୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/02/sfsfxxcxc-2026-03-02-03-27-42.jpg)