ପାଦରେ ଘୁଙ୍ଗୁର ପିନ୍ଧି ନାଚିବା ନିଶାରେ ବିତିଗଲାଣି ପଚାଶ ବର୍ଷରୁ ଊର୍ଦ୍ଧ୍ବ ସମୟ। ତଥାପି ଓଡ଼ିଶୀକୁ ନେଇ ତାଙ୍କର ଭଲପାଇବା ତିଳେ ବି କମିନି। ଓଡ଼ିଶୀ ତାଙ୍କ ଜୀବନଯାତ୍ରାର ସାଥୀ, ସହଚରୀ। ତାଙ୍କ ସ୍ବପ୍ନ, ସୃଜନ ଓ ସଫଳତାର ସହଭାଗୀ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ସହ ତାଙ୍କ ନୃତ୍ୟ ଜୀବନକୁ ନେଇ ଆଲୋଚନା କରିଛନ୍ତି ଶୁଭଶ୍ରୀ ଲେଙ୍କା
ହାରାହାରି ପାଞ୍ଚ ଦଶନ୍ଧିର ନୃତ୍ୟଯାତ୍ରା ଆପଣଙ୍କର। ଏବେ ପାଦରେ ଘୁଙ୍ଗୁର ବାନ୍ଧିଲେ କ’ଣ ଅନୁଭବ କରନ୍ତି?
ସେଦିନ ପ୍ରଥମେ ଘୁଙ୍ଗୁର ପିନ୍ଧିଲା ବେଳେ ମନଟା ଯେମିତି ଆକାଶରେ ଉଡ଼ିବୁଲୁଥିଲା। ସତେ ଯେମିତି ଏ ପୃଥିବୀଟା ହେଉଛି ମଞ୍ଚ, ମୋର ପଦଧ୍ୱନି, ଲାଳିତ୍ୟ, ମୁଦ୍ରାବିନ୍ୟାସରେ ଚଳଚଞ୍ଚଳ ହୋଇଉଠିଛି। ଆଜି ଘୁଙ୍ଗୁର ପିନ୍ଧିଲେ, ସେ ପ୍ରକାର ଗୋଟେ ଉଚ୍ଛ୍ୱାସ ଆବୋରିବସେ। ଏବେ କିନ୍ତୁ ତାହା ସହିତ ବଢ଼ିଛି ଦାୟିତ୍ୱ। ଲୋକଙ୍କ ଭଲପାଇବା, ସଂଗୀତରେ ସହଯୋଗ କରୁଥିବା ଭାଇମାନଙ୍କର ପରିଶ୍ରମ, ପରିବାର, ମୋର ଗୁରୁଙ୍କ ଆଶୀର୍ବାଦ ତା’ ଭିତରେ ଗୁନ୍ଥା ହୋଇଛି। ସତରେ ଏ ଭାର ନେଇ ପାରିବି ତ? ଏ ଭାବନା ସବୁବେଳେ ମୋତେ ସତର୍କ କରେ।
ଆପଣ ଜଣେ ପ୍ରବୀଣା ନୃତ୍ୟଗୁରୁ। ନିଜ ନୃତ୍ୟ ପରିବେଷଣ ବେଳେ ହାତତାଳି ପାଇବା ଆଉ ଶିଷ୍ୟମାନେ ପ୍ରଶଂସା ସାଉଁଟିବା ଭିତରେ କି ପ୍ରାର୍ଥକ୍ୟ ରହିଛି? କେଉଁଥିରେ ଅଧିକ ଆତ୍ମତୃପ୍ତି ମିଳେ?
ଏହି ପ୍ରଶ୍ନଟି ମୋତେ ଗୋଲକ ଧନ୍ଦାରେ ପକେଇଦେଲା। ଯେମିତି ମଞ୍ଜି ଆଗ ନା ଗଛ ଆଗ? ସେମିତି ମୁଁ ଆଗ ନା ମୋ ହାତରେ ଗଢ଼ିଥିବା ମୋର ଶିଷ୍ୟ-ଶିଷ୍ୟା ଆଗ? ଜେଜେବାପା କହିଥିଲେ, ପୁଅଝିଅ ହେଲେ ମୂଳ, କିନ୍ତୁ ସୁଧ ହେଉଛନ୍ତି ନାତିନାତୁଣୀ। ସୁଧ ସବୁବେଳେ ମୂଳଠୁ ଭଲଲାଗେ। ସେମିତି ଆମେ ଯେତେବେଳେ ନୃତ୍ୟକରୁ, ସେତେବେଳେ ଆମେ ନୃତ୍ୟରେ, ସଂଗୀତରେ, ଅଙ୍ଗଭଙ୍ଗୀରେ, ପଦଧ୍ବନିରେ, ଦର୍ଶକଙ୍କ କରତାଳିରେ ଓ ଦର୍ଶକଙ୍କ ତିରସ୍କାରରେ ହଜିଯାଉ। ନିଜେ ନାଚିଲା ବେଳେ ଭିତରେ ଗୋଟେ ସଙ୍କୋଚ ଥାଏ। ମୋ ଗୁରୁ ଆଜି ନାହାନ୍ତି। ତାଙ୍କ ଆଖିର ଆଇନାରେ ଦେଖିଲେ ପ୍ରତ୍ୟୟ ହୁଏ- ମୁଁ ଠିକ୍ କରୁଛି। ତାଙ୍କ ଅବର୍ତ୍ତମାନରେ ମନ ଖୋଜେ ଯେ ମୋର ଗୁରୁ ଥାଆନ୍ତେ କି? କିନ୍ତୁ ଯେତେବେଳେ ପୁଅଝିଅ ବା ଶିଷ୍ୟଶିଷ୍ୟା, ବାପାମା’ଙ୍କଠାରୁ ଆଗେଇ ଯାଆନ୍ତି, ନିଜେ ନାଁ କରନ୍ତି, ସେତେବେଳେ ଆଖିରୁ ଯେଉଁ ଆନନ୍ଦର ଅଶ୍ରୁ ବୋହିଯାଏ, ତା’ର ତୁଳନା ନାହିଁ।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
କେଉଁ ଶୈଳୀ ବା ସ୍ବାତନ୍ତ୍ର୍ୟ ପାଇଁ ଓଡ଼ିଶୀ ନୃତ୍ୟ ଅନ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟମାନଙ୍କ ଠାରୁ ଭିନ୍ନ?
ଭରତମୁନି ଯେତେବେଳେ ‘ନାଟ୍ୟଶାସ୍ତ୍ର’ ଲେଖିଲେ, ସେତେବେଳେ ନୃତ୍ୟର ଏକ ପରିଭାଷା ସୃଷ୍ଟି କରିଗଲେ ଲିଖିତ ଆକାରରେ। ଭରତମୁନିଙ୍କ ବ୍ୟାକରଣକୁ ସବୁ ନୃତ୍ୟଶୈଳୀ ଅନୁସରଣ ବା ଅନୁକରଣ କରନ୍ତି। ପ୍ରତ୍ୟେକ ଭାଷାର ଭିନ୍ନତା ରହିଛି। ସେମିତି ଆମର ହସ୍ତମୁଦ୍ରା କହନ୍ତୁ, ପଦସ୍ଥିତି କହନ୍ତୁ, ଗ୍ରୀବା ଭେଦ କହନ୍ତୁ, ଶିର ଭେଦ କହନ୍ତୁ ବା ନବରସ କହନ୍ତୁ- ଏଗୁଡ଼ିକ ସମସ୍ତ ନୃତ୍ୟଶୈଳୀରେ ସମାନ ଭାବେ ଦେଖିବାକୁ ମିଳେ। ଭିନ୍ନତା ଆସେ ଯେତେବେଳେ ଗୋଟେ ନିର୍ଦ୍ଦିଷ୍ଟ କ୍ଷେତ୍ରର ଯେମିତି ଓଡ଼ିଶା ଗୋଟେ କ୍ଷେତ୍ର, ଓଡ଼ିଶାର ପାଣି, ପବନ ଓ ମାଟିର ସ୍ବତନ୍ତ୍ରତା ରହିଛି, ସେଥିରେ ଯେତେବେଳେ ଆମର ସାହିତ୍ୟ, ସଂଗୀତ, ନୃତ୍ୟ ସମୃଦ୍ଧି ଲାଭକରେ, ଆମର ଚାଲିଚଳନ, କଥାବାର୍ତ୍ତା, ଦର୍ଶନ ଓ ଚିନ୍ତନର ପ୍ରକାର ଭେଦ ଓ ବିବିଧତା ସେଥିରେ ଦେଖିବାକୁ ମିଳେ। ଓଡ଼ିଶୀ ନୃତ୍ୟ ଆମର ମନ୍ଦିରକଳା, ଚାରୁକଳା, ସଂଗୀତ, ସାହିତ୍ୟ, ଲୋକକଳାଠାରୁ ପ୍ରେରଣା ନେଇ ଗଢ଼ିଉଠିଛି। ସେଥିପାଇଁ ଆଞ୍ଚଳିକ ଭେଦ ଯୋଗୁ ଆମ ନୃତ୍ୟର ସ୍ବତନ୍ତ୍ରତା ବାରି ହୋଇଯାଏ। ଆମ ପରିପାଟୀରେ ବି ଦେଖାଯାଏ ଭିନ୍ନତା। ଆମ ଓଡ଼ିଆ ହସ୍ତତନ୍ତ ବିଶ୍ବବିଦିତ। ଆମ ପରିପାଟୀକୁ ସେ ଦିଏ ଗୋଟେ ନୂତନ ଭାଷା। ସେମିତି ଜଗନ୍ନାଥଙ୍କର ଟାହିଆକୁ ଅନୁକରଣକରି ତିଆରି ହୋଇଛି ଓଡ଼ିଶୀ ନୃତ୍ୟର ମୁଣ୍ଡଫୁଲ। ପଦଲାଳିତ୍ୟ ଓ ସାଙ୍କେତିକତା ନିହିତ ଥାଏ ମୁଦ୍ରା ବିନିଯୋଗରେ, ଗତିରେ, ପଦଚାଳନାରେ, ଯାହା ସୃଷ୍ଟିକରେ ଗୋଟେ ସ୍ବତନ୍ତ୍ର ପରିପାଟୀ, ପରିବେଷଣ ଶୈଳୀ ଓ ସୌନ୍ଦର୍ଯ୍ୟବୋଧ। ତେଣୁ ଏଇ ମାଟି, ପାଣି ଓ ପବନରେ ବଢ଼ିଥିବା ଓଡ଼ିଶୀର ଗୋଟେ ସ୍ବତନ୍ତ୍ର ଜୀବନ ଅଛି, ସ୍ବତନ୍ତ୍ର ପ୍ରାଣ ଅଛି, ସ୍ବତନ୍ତ୍ର ଆତ୍ମା ଅଛି; ଯାହାକି ସୁନ୍ଦର ଭାବେ ନଈଟିଏ ହୋଇ ବହିଯାଏ। ତା’ର ଗତିର ଲାଳିତ୍ୟ, ତାକୁ ଦିଏ ଭିନ୍ନତା।
ଆପଣ ସଂଗୀତ ନାଟକ ଏକାଡ଼େମୀର ସଭାପତି ଥିଲେ। ନୃତ୍ୟ ଓ ଶିଳ୍ପୀଙ୍କ ପାଇଁ କେଉଁ କାମକରି ସନ୍ତୋଷ ପାଇଛନ୍ତି?
ସେହି ସମୟରେ ଗୋଟେ କାର୍ଯ୍ୟକ୍ରମ କରାଯାଇଥିଲା ‘ଦୀକ୍ଷାନ୍ତ’। ‘ଦୀକ୍ଷାନ୍ତ’ରେ ଆମର ଯେତେସବୁ ଲୋକକଳା ଅଛି ସେଥିରୁ ପ୍ରତିବର୍ଷ କିଛିଟା ଚିହ୍ନଟକରି, କେମିତି ନୂତନ ସଂରଚନା ବା ନୂଆ ବିଷୟବସ୍ତୁ ସୃଷ୍ଟି କରିହେବ, ସେଥିପାଇଁ ଆଲୋଚନା କରାଯାଏ। ଆମେ ସଖୀନାଟ, ଭାରତଲୀଳା, ସଂଚାର ଆଦି ଲୋକନାଟ୍ୟ ଗୁରୁଙ୍କୁ ଭେଟି ସେମାନଙ୍କ ଅନୁଷ୍ଠାନକୁ କିଛି ଆର୍ଥିକ ଅନୁଦାନ ଓ ମାର୍ଗଦର୍ଶନ ଦେଇ କିଭଳି ସୁନ୍ଦର ଓ ନୂଆ ଚିନ୍ତାଧାରା ଉପରେ ସେମାନେ କାମ କରିପାରିବେ ସେ ଦିଗରେ ପ୍ରୋତ୍ସାହିତ କରୁଥିଲୁ। ପୁଣି ନୃତ୍ୟ କ୍ଷେତ୍ରରେ ‘ଦୀକ୍ଷାଶାଳା’ ନାମକ ଗୋଟେ ଖୁବ୍ ସୁନ୍ଦର ପ୍ରୟାସ ଆରମ୍ଭ କରିଥିଲୁ। ବିଶେଷକରି ଭୁବନେଶ୍ବର, ପୁରୀ, କଟକ, ଗଞ୍ଜାମ ଓ ରାଉରକେଲା ପ୍ରଭୃତି ସ୍ଥାନରେ ଓଡ଼ିଶୀ ନୃତ୍ୟ ପିଲାମାନେ ବହୁଳ ଭାବେ ଶିଖିବାର ଦେଖାଯାଏ। ଏଥିମଧ୍ୟରୁ ତୁଳନାତ୍ମକ ଭାବରେ ଭୁବନେଶ୍ବରରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଟିକେ ଅଧିକ। କାରଣ ଗୁରୁମାନେ ଭୁବନେଶ୍ବରରେ ରହି ନିଜ ନିଜର ନୃତ୍ୟ ଅନୁଷ୍ଠାନ ଗଢ଼ିଥିଲେ। ଫଳରେ ଭୁବନେଶ୍ବରରେ ରହି ଶିଖୁଥିବା ପିଲାମାନଙ୍କୁ ଯେଉଁଭଳି ସୁଯୋଗ ମିିଳିଲା, ସେହି ସୁଯୋଗ ଅନ୍ୟମାନଙ୍କୁ ପ୍ରାପ୍ତ ହେଲାନାହିଁ। ତେଣୁ ସେମାନଙ୍କର ମନରେ ଗୋଟେ ଗ୍ଳାନି ରହିଲା। ରାଜଧାନୀରେ ଆସି ରହିବା ପାଇଁ ସମସ୍ତଙ୍କର ସାମର୍ଥ୍ୟ ବି ନଥାଏ। ‘ଦୀକ୍ଷାଶାଳା’ କାର୍ଯ୍ୟକ୍ରମ ଦ୍ୱାରା ଭୁବନେଶ୍ୱରରେ ଥିବା ଗୁରୁମାନେ ଅନୁଗୁଳ, କୋରାପୁଟ, ଯାଜପୁର, ବାଲେଶ୍ବର ଏବଂ ଅନ୍ୟସ୍ଥାନକୁ ଶିକ୍ଷାଦାନ ପାଇଁ ଗଲେ। ଆମେ ଗୋଟେ ବର୍ଷରେ ୧୦ଟା ଓ ୩ ବର୍ଷରେ ୩୦ଟି ସ୍ଥାନରେ ‘ଦୀକ୍ଷାଶାଳା’ ଆୟୋଜନ କରିଥିଲୁ। ମୋର ଅଭିଳାଷ ଥିଲା ଯେ ପିଲାମାନେ ଭଲ ଭଲ ଗୁରୁଙ୍କର ସଂରଚନା ଶିଖନ୍ତୁ ଓ ତାଙ୍କ ଶିକ୍ଷାଦାନ ପ୍ରଣାଳୀ ସହିତ ଜଡ଼ିତ ହୁଅନ୍ତୁ। ‘ଦୀକ୍ଷାଶାଳା’ ଦ୍ୱାରା ମୋର ସ୍ବପ୍ନ ପୂରଣ ହୋଇଥିଲା।
Mehbooba Mufti: ପୁଣି ସୀମା ଡେଇଁଲେ ମୁଫତି
ଦେଶବିଦେଶରେ ନୃତ୍ୟ ପରିବେଷଣ ସମୟରେ ଅନେକ ସୁନ୍ଦର ଅନୁଭବ ହୋଇଥିବ। ତେବେ ଗୋଟିଏ ମୁଗ୍ଧ ବିଭୋର ଅନୁଭବ ଆମ ସହିତ ବାଣ୍ଟିବାକୁ ଅନୁରୋଧ। ମୋର ଷାଠିଏ ବର୍ଷର ନୃତ୍ୟ ଜୀବନରେ ଅନେକ ଅନୁଭୂତି ଅଛି। ମୋତେ ଯେବେ ୧୭ ବର୍ଷ, ମୁଁ ନାଚୁଥାଏ ରାଜଭବନର ଗୋଟେ କାର୍ଯ୍ୟକ୍ରମରେ। ସେତେବେଳେ ରାଜ୍ୟପାଳ ଥାଆନ୍ତି ହରଚରଣ ସିଂ ବ୍ରାର୍। ସେ ମୋତେ ଏକକ ନୃତ୍ୟ ପରିବେଷଣ କରିବାକୁ ଡାକିଥାନ୍ତି। ମୁଁ ସାନଝିଅଟିଏ ଥିଲି। ମୋର ନୃତ୍ୟ ସରିଲାପରେ ରାଜ୍ୟପାଳ ମୋତେ ଡାକିଲେ। ପାଖରେ ଥାଆନ୍ତି ତାଙ୍କର ପ୍ରାଇଭେଟ୍ ସେକ୍ରେଟାରି ଏ. ଏଲ୍. ନାୟାର୍, ତାଙ୍କ ଝିଅ ହେଉଛନ୍ତି ମୀରା ନାୟାର୍, ସିନେମା ନିର୍ଦ୍ଦେଶିକା ଓ ପ୍ରଯୋଜିକା ଏବଂ ଜଣେ ଜର୍ମାନୀ ଭଦ୍ରଲୋକ। ରାଜ୍ୟପାଳ କହିଲେ ସେ ଜର୍ମାନୀ ଭଦ୍ରଲୋକଙ୍କୁ ତୁମ ନାଚ ବହୁତ ଭଲ ଲାଗିଲା। ସେ ଜର୍ମାନୀରେ ଗୋଟେ ଇଣ୍ଡିଆ ୱିକ୍ ଆୟୋଜନ କରୁଛନ୍ତି। ସେଥିରେ ସେ ତୁମକୁ ନେବାକୁ ଚାହୁଛନ୍ତି। ସେତେବେଳେ ରେକର୍ଡେଡ୍ ମ୍ୟୁଜିକ୍ ନଥାଏ। ତେଣୁ ମୋର ଗୁରୁ ଗଙ୍ଗାଧର ପ୍ରଧାନ, ଘନଶ୍ୟାମ ପଣ୍ଡା, ଦେବୀପ୍ରସାଦ ମହାନ୍ତି ଓ ଦୟାନିଧି ବେହେରା, ଏହି ୪ଜଣ ମୋ ସାଙ୍ଗରେ ଜର୍ମାନୀ ଗଲେ। ମୁଁ ଯେହେତୁ ପ୍ରଥମେ ବିଦେଶ ଯାଉଥାଏ, ମୋ ମାଆ ଚାହୁଥାନ୍ତି, ମୋ ସାଙ୍ଗରେ ଆମ ପରିବାରରୁ କେହି ଜଣେ ଯାଆନ୍ତୁ। କିନ୍ତୁ ସେ ଜର୍ମାନୀ ଭଦ୍ରବ୍ୟକ୍ତି ଏରିନ୍ ହେସେନ୍ବର୍ଗ କହିଥିଲେ ମୋର ବି ଗୋଟେ ଝିଅ ଅଛି। ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନାହିଁ। ସେ ମୋ ଝିଅ ଭଳି ରହିବ ଏବଂ ସତରେ ରଖିଥିଲେ ମଧ୍ୟ।
ଆମେମାନେ ସେଠି ଯେତେବେଳେ ନାଚିବାକୁ ଗଲୁ, ସେଠାରେ ବିଶେଷକରି ସବୁ ପାଶ୍ଚାତ୍ୟ ଦର୍ଶକ ଥିଲେ। ସେମାନଙ୍କୁ ଓଡ଼ିଶୀ ବିଷୟରେ କେମିତି ବୁଝାଯିବ, ମୋର ବିଶେଷ ଧାରଣା ନଥିଲା। ମୁଁ ଚିରାଚରିତ ଭାବରେ ଦଶାବତାର, ଜଗନ୍ନାଥାଷ୍ଟକମ୍, ପଲ୍ଲବୀ ଓ ଓଡ଼ିଆ ଅଭିନୟ ସବୁ କରିଗଲି। ସେମାନେ ମୁଁ ଦେଇଥିବା ଇଂରାଜୀ ଲେଖାକୁ ସେଠିକାର ଦର୍ଶକଙ୍କୁ ଜର୍ମାନୀ ଭାଷାରେ ଅନୁବାଦକରି ବୁଝାଉଥାନ୍ତି। ସେମାନେ ଜର୍ମାନୀରେ କ’ଣ ବୁଝାଇଲେ ମୁଁ ତ କିଛି ବୁଝିଲିନି। ମୋତେ ଲାଗିଲା ମୋର ନୃତ୍ୟ ସେମାନଙ୍କୁ ଭଲ ଲାଗି ନଥିବ। କିନ୍ତୁ ଯେତେବେଳେ ମୁଁ ନାଚିସାରି ଭିତରକୁ ଗଲି, ଖାଲି ତାଳି ଶବ୍ଦ ମୋ କାନରେ ବାଜିଲା। ହେସେନ୍ବର୍ଗଙ୍କ ଝିଅ ଯାଇ ମୋତେ କହିଲା ସେମାନେ ଯେତେ ଥର ତାଳି ମାରିବେ ତୁମେ ସେତେଥର ତାକୁ ଗ୍ରହଣ କରିବା କଥା। ଆମେ ତ ଜାଣି ନାହୁଁ ସେ କଥା। ପୁଣି ସମସ୍ତେ ଷ୍ଟେଜ୍କୁ ଗଲୁ। ଖାଲି ତାଳି ବର୍ଷା ହେଉଥାଏ। ଆମେ ଥର ଥରକି ୮ଥର ମୁଣ୍ଡନୁଆଁଇ ନମସ୍କାରକରି ତାଙ୍କ ତାଳି ଗ୍ରହଣକଲୁ। ଶେଷରେ ସମସ୍ତେ ଛିଡ଼ା ହୋଇଗଲେ ଏବଂ ମୋତେ ତଳକୁ ଆସିବାକୁ ପଡ଼ିଲା। ସେମାନେ ଆମ ଚାରିପଟେ ଗୋଟେ ବଳୟ ସୃଷ୍ଟିକରି ତାଳି ମାରି ବୁଲିବାକୁ ଲାଗିଲେ। ସେହିଦିନ ମୁଁ ଭାବିଲି, ମହାପ୍ରଭୁ ଜଗନ୍ନାଥ ସତରେ ସେଇଠି ଛିଡ଼ା ହୋଇଛନ୍ତି, ନହେଲେ ଆମେ କିଏ, ଆମେ ଯାହା କଲୁ ସେମାନଙ୍କ ପାଖରେ ପହଞ୍ଚିଲା କେମିତି? ଆଜି ବି ଯେତେବେଳେ ସେ କଥା ମୁଁ ଭାବେ, ଜଗନ୍ନାଥଙ୍କ ପାଖରେ ମୋ ମଥା ନଇଁଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/02/fshfshfsxvb-2026-01-02-23-42-42.jpg)